Unknown

 

 

 

 

 

 

 

 

 

୫୦ତମ ସଂଖ୍ୟା କୋଣାର୍କ ୧୯୮୩

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

 

ସମ୍ପାଦକ : ରାଧାମୋହନ ଗଡ଼ନାୟକ

ପରିଚାଳନା ସମ୍ପାଦକ : ଚିନ୍ତାମଣି ବେହେରା

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ପ୍ରକାଶକ:

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ମୁଦ୍ରଣ:

ପ୍ରଜାତନ୍ତ୍ର ପ୍ରେସ୍‍, କଟକ-୭୫୩୦୦୨

 

ସୂଚୀପତ୍ର

ବିଷୟ

ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ

ଡକ୍ଟର ଅସିତ କବି

ସମୟର ଶିଳ୍ପ ରୂପ : ସମକାଳୀନ ଓଡ଼ିଆ କ୍ଷୁଦ୍ରଗଳ୍ପ

ବିଭୂତି ପଟ୍ଟନାୟକ

୩.

‘ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା’

ନୀଳମାଧବ ପାଣିଗ୍ରାହୀ

 

ସମ୍ପାଦକୀୟ

(କ)

ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଉପଲକ୍ଷେ ସାଂସ୍କୃତିକ ପ୍ରଦର୍ଶନୀ ଉତ୍କଳ ଭାରତୀ ବିବରଣୀ

(ଖ)

‘ଇସ୍ତାହାର’ରେ ପ୍ରକାଶିତ କବିତା ପାଠୋତ୍ସବର ପ୍ରତିବାଦ

(ଗ)

ସାହିତ୍ୟରେ ଚୋରି-ପୁଣି ଧୂଆଁ ବାଣ

 

ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ

ଡକ୍ଟର ଅସିତ କବି

ଉପକ୍ରମ:

ଊନବିଂଶ ଶତାବ୍ଦୀ ସମଗ୍ର ଭାରତ ବର୍ଷର ଇତିହାସରେ ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିଥିଲା । ଏହି ଅଧ୍ୟାୟ ନବଜାଗରଣର...ଏହା ଜାତୀୟ ଏବଂ ସାଂସ୍କୃତିକ ଜୀବନରେ ନୂତନ ସମ୍ଭାବନାର ଅଧ୍ୟାୟ । ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟ ରେନେଁସା ପରି ଊନବିଂଶ ଶତାବ୍ଦୀରେ ଭାରତୀୟ ନବଜାଗରଣ, ଇତିହାସର ପୃଷ୍ଠାରେ ବିଶେଷ ମର୍ଯ୍ୟାଦା ଲାଭ କରିଛି । (୧) ଗତ ଶତାବ୍ଦୀର ଶେଷାର୍ଦ୍ଧରେ ଉତ୍କଳରେ ପାଶ୍ଚାତ୍ୟ ଶିକ୍ଷାର କ୍ରମବିସ୍ତାର ସଙ୍ଗେ ସଙ୍ଗେ ଜାତୀୟ ଏବଂ ସାଂସ୍କୃତିକ କ୍ଷେତ୍ରରେ ଏହି ନବଜାଗରଣର ଉନ୍ମେଷ ଘଟିଥିଲା । ପାଶ୍ଚାତ୍ୟ ସାହିତ୍ୟର ଅନୁସରଣରେ ଏହି ସମୟରେ ଆମ ସାହିତ୍ୟରେ ଯେଉଁ ସକଳ ନବ ନବ ଶିଳ୍ପରୂପର ସୃଷ୍ଟି ହୋଇଥିଲା, ପ୍ରବନ୍ଧ ତନ୍ମଧ୍ୟରେ ଅନ୍ୟତମ । ପ୍ରାସଙ୍ଗିକ ଭାବରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଷୋଡ଼ଶ ଶତାବ୍ଦୀରେ ଫ୍ରାନ୍‌ସରେହିଁ ପ୍ରଥମେ ସାହିତ୍ୟର ଏହି ନୂତନ ଶିଳ୍ପରୂପ ଜନ୍ମଲାଭ କରିଥିଲା (୨) । ସେ ଦେଶର ଲେଖକ ‘Montaigne'ପ୍ରବନ୍ଧ ସାହିତ୍ୟର ଜନକ । ତାଙ୍କ ‘Essais' (୧୫୮୦) ପ୍ରକାଶିତ ହେବାର ଦୀର୍ଘ ୧୭ବର୍ଷ ପରେ ଇଂରେଜୀ ସାହିତ୍ୟରେ ପ୍ରବନ୍ଧର ସୃଷ୍ଟି (୩) । ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଗତ ଶତାବ୍ଦୀର ଶେଷାର୍ଦ୍ଧରେ ସୃଷ୍ଟି ହୋଇଥିଲା । ଜନ୍ମକାଳରୁ ଏହି ବିଭାଗ ବିରାଟ ସମ୍ଭାବନାର ଇଙ୍ଗିତ ଦେଇଥିଲା । ସମୟ ସ୍ରୋତରେ ବିଭନ୍ନ ପ୍ରତିଭାଶାଳୀ ପ୍ରବନ୍ଧକଙ୍କ ନିରଳସ ସାଧନାରେ ସାହିତ୍ୟର ଏହି ବିଭାଗ ସମ୍ପଦଶାଳୀ ହୋଇଛି । ଜ୍ଞାନ ବିଜ୍ଞାନ ଅୟନର ବିବିଧ ଭାବସତ୍ତାରେ ଏହା ସୁସମୃଦ୍ଧ । ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଏହି ବିଭାଗରେ ମଧ୍ୟ ନବ ନବ ପରୀକ୍ଷା ଫଳରେ ଆଜି ଆମ ପ୍ରବନ୍ଧର ଆଙ୍ଗିକ ଓ ଆତ୍ମିକ ସୁଷମା ବହୁଗଣିତ ହୋଇଛି । ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଅନୁଧ୍ୟାନ କଲେ ଉପଲବ୍‌ଧ ହୁଏ ଯେ, ଯଦିଓ ମୌଳିକ ଚିନ୍ତାଶୀଳ ପ୍ରବନ୍ଧ ଅପେକ୍ଷା ଏହି ସମୟ ଭିତରେ ସମାଲୋଚନା ସାହିତ୍ୟ ଅଧିକ ସମ୍ପଦଶାଳୀ ହୋଇଛି, ତଥାପି କେତେକ ପ୍ରତିଭାଶାଳୀ ପ୍ରାବନ୍ଧିକଙ୍କ ସ୍ୱରୂପରେ, ପ୍ରକୃତିରେ, ଆଭିମୁଖ୍ୟରେ ଏବଂ ପ୍ରକାଶ ଭଙ୍ଗୀରେ ନୂତନ ଦିଗନ୍ତର ସନ୍ଧାନ ଦେଇ ପାରିଛନ୍ତି । ଗତ ଶତାବ୍ଦୀରେ ଉତ୍କଳ ଦର୍ପଣ (୧୮୭୩), ଉତ୍କଳ ମଧୁପ (୧୮୭୮), ପ୍ରଦୀପ (୧୮୮୫), ନବ ସମ୍ୱାଦ (୧୮୮୬), ସମ୍ୱଲପୁର ହିତୈଷିଣୀ (୧୮୮୯), ଉତ୍କଳପ୍ରଭା (୧୮୯୧), ଉତ୍କଳ ସାହିତ୍ୟ (୧୮୯୭) ଏବଂ ବିଂଶ ଶତାବ୍ଦୀରେ ସ୍ୱାଧୀନତା ପୂର୍ବରୁ ‘ମୁକୁର’, ‘ସତ୍ୟବାଦୀ’, ‘ଆଧୁନିକ’, ‘ଯୁଗବାଣୀ’, ‘ହୀରାଖଣ୍ଡ’, ସହକାର’, ଓ ‘ନବଭାରତ’ ପ୍ରଭୃତି ପତ୍ରିକା ଯେପରି ପ୍ରବନ୍ଧ ସାହିତ୍ୟର ବିକାଶପାଇଁ ଅନୂକୂଳ ବାତାବରଣ ସୃଷ୍ଟି କରି ପାରିଥିଲା, ଅନୁରୂପ ଭାବରେ ସ୍ୱଧୀନତାର ପରବର୍ତ୍ତୀ କାଳରେ ‘ଝଙ୍କାର’, ‘ଆସନ୍ତାକାଲି’, ‘ନବଜୀବନ’, ‘ସମାବେଶ’, ‘ନବରବି’ ପ୍ରଭୃତି ପତ୍ରିକା ପ୍ରବନ୍ଧ ସାହିତ୍ୟରେ କ୍ରମବିକାଶ ପାଇଁ ବାଞ୍ଛିତ ବାତାବରଣ ସୃଷ୍ଟି କରିଛି । ଆଲୋଚ୍ୟ ସମୟରେ ବହୁ ପତ୍ରପତ୍ରିକା ପ୍ରକାଶିତ ହେଉଥିଲେହେଁ ‘ଝଙ୍କାର’ ପତ୍ରକାହିଁ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ସମୃଦ୍ଧିରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଅନୁଶୀଳନ କଲେ, ତହିଁରୁ ଗୋଟିଏ ସ୍ୱାଧୀନ ଜାତିର ଜାଗୃତିର ଚିତ୍ର ମିଳିପାରିବ । ସାମାଜିକ ସମସ୍ୟା ତଥା ରାଜନୈତିକ ବ୍ୟବସ୍ଥା ସମ୍ପର୍କରେ ଆମ ପ୍ରାବନ୍ଧିକମାନଙ୍କର ସଚେତନାର ପରିଚୟ ମଧ୍ୟ ଏଥିରେ ଭାସ୍ୱର । ବିବିଧ ଆନ୍ତର୍ଜାତିକ ଚେତନା ଏହି ସମୟରେ ଲେଖକମାନଙ୍କୁ ନାନାଭାବରେ ଉଦ୍‌ବୁଦ୍ଧ କରିଛି । ପ୍ରାଚ୍ୟ ପାଶ୍ଚାତ୍ୟ ସଭ୍ୟତା, ସଂସ୍କୃତି ଏବଂ ଦର୍ଶନର ନବ ମୂଲ୍ୟାୟନ ସହିତ ଅର୍ଥନୀତି, ବିଜ୍ଞାନ ଏବଂ ମନସ୍ତତ୍ତ୍ୱ ଆଧାରିତ ବହୁ ଉନ୍ନତ ସୃଷ୍ଟି ମଧ୍ୟ ଏହି ସମୟରେ ସମ୍ଭବ ହୋଇଛି । ବ୍ୟକ୍ତିନିଷ୍ଠ ପ୍ରବନ୍ଧର ନୂତନ ରଙ୍ଗରାଗ ସାମ୍ପ୍ରତିକ ପ୍ରବନ୍ଧ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଆକର୍ଷଣ । ଉଭୟ ପ୍ରଜ୍ଞା ଓ ହୃଦୟର ଭାବାବେଶ ସ୍ପର୍ଶରେ ଆଲୋଚ୍ୟକାଳର ପ୍ରବନ୍ଧ କିପରି ସୁସମୃଦ୍ଧ ତାହା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଏହି ସମୟର ପ୍ରବନ୍ଧ ସାହିତ୍ୟର ବିଭିନ୍ନ ଦିଗ୍‌ବଳୟ ଉପରେ ଆଲୋକପାତ କରିବା ଏହି ପ୍ରବନ୍ଧର ମୌଳିକ ଲକ୍ଷ୍ୟ ।

 

(୧)

Jadunath Sarkar : ‘‘The Renaissance in India in the 19th Century" (Patna College Extension Lecture ), The Morden Review (Calcutta), June 1924, page 668.

 

(୨)

‘‘It is not often that we can date with any approach to accuracy the arrival of a new class of literature into the world, but it was in the month of march 1571, that the essy was invented"–Encyclopaedia Britannica .

 

(୩)

‘‘The English eassy started with francis Bacon who published his essays in 1597, Bacon followed the lead given by Michal de montaigne (a french writer who in 1580 published his confessional comments under the title Essais "–(The Essay : Critical Essays, By B.R. Mullik, page No 244 )

 

ପୂର୍ବର ବିଶିଷ୍ଟ ପ୍ରାବନ୍ଧିକଙ୍କ ସାଧନାର ଅନାହତ ଧାର :

ସ୍ୱାଧୀନତାର ପରବର୍ତ୍ତୀ ପ୍ରବନ୍ଧ ସାହିତ୍ୟର ମୂଲ୍ୟାଙ୍କନ କାଳରେ ପ୍ରଥମେ ଆମର ଦୃଷ୍ଟି ଆକର୍ଷଣ କରିଥାନ୍ତି ପୂର୍ବରୁ ଖ୍ୟାତ ଅର୍ଜନ କରିଥିବା କେତେକ ବରେଣ୍ୟ ପ୍ରତିଭା । ଆଲୋଚ୍ୟ ସମୟରେ ମଧ୍ୟ ସେମାନଙ୍କ ପ୍ରତିଭାର ସ୍ୱର୍ଣ୍ଣଦ୍ୟୁତି ନିଷ୍ପ୍ରଭ ହୋଇନାହିଁ । ଏମାନଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ, ଦାର୍ଶନିକ ରତ୍ନାକର ପତି, ଗଦ୍ୟକବି ଶଶିଭୂଷଣ, ଡକ୍ଟର ମାୟାଧର ମାନସିଂହ ତିରୋହିତ ହେଲେଣି, କାଳିନ୍ଦୀ ଚରଣଙ୍କ ଲେଖନୀ ଜରାର ଆଶ୍ଲେଷ ଭିତରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନୀରବ ହୋଇନାହିଁ । ପଣ୍ଡିତ ନୀଳକଣ୍ଠ ଜୀବନର କ୍ଷୟିଷୁ ଅପରାହ୍ନରେ ଏବଂ ଡକ୍ଟର ମାନସିଂହ ଗୋଧୂଳିରେ ମଧ୍ୟ ନିଜ ନିଜ ସାଧନାର ଧାରାକୁ ଅନାହତ ରଖି ପାରିଥିଲେ ।

 

୧୯୪୭ ମସିହା ଫେବୃଆରୀ ମାସ ୧୧ ତାରିଖ ପଣ୍ଡିତ ଦାସଙ୍କ ପ୍ରଦତ୍ତ ଏକ ଅଭିଭାଷଣର ପରିବର୍ଦ୍ଧିତ ଓ ପରିମାର୍ଜିତ ରୂପ ୧୯୫୧ ମସିହାରେ ପୁସ୍ତକ ଆକାରରେ ପ୍ରକାଶିତ ତାଙ୍କ ଜ୍ଞାନଦୀପ୍ତ ସଷ୍ଟି ‘ସସ୍କୃତି ଓ ସଂସ୍କୃତି’ (୪) । ଏଥିରେ ଥିବା ‘ଆର୍ଯ୍ୟଭାଷା’, ‘ଆର୍ଯ୍ୟେତର ପ୍ରଭାବ ଓ ସଂସ୍କୃତିର ସମୀକରଣ’ , ‘ଲିପି’, ‘ଫଳିତ ଜ୍ୟୋତିଷ ଓ ଜ୍ୟୋତିଷ’ ଏବଂ ‘ଉଦାରଶିକ୍ଷା-ମଠ-ଜଗନ୍ନାଥ-ସଦାବ୍ରତ’ ପ୍ରଭୃତି ଆଲୋଚନା ଗୁଡ଼ିକ ପ୍ରାବନ୍ଧିକଙ୍କର ଅନନ୍ୟସାଧାରଣ ପ୍ରତିଭା ଓ ବହୁ ଶାସ୍ତ୍ରଦର୍ଶିତାର ପରିଚାୟକ । ପଣ୍ଡିତ ନୀଳକଣ୍ଠଙ୍କ ଅଧ୍ୟୟନର ପରିସର କେତେ ଦୀର୍ଘାୟିତ ଥିଲା, ଏହା ସକଳ ଆଲୋଚନାରୁ ତାହା ଉପଲବ୍‌ଧ ହୁଏ । କିନ୍ତୁ ବିଚାରଧାରାରେ ସେ ଅନ୍ୟର ପ୍ରତିଧ୍ୱନି ନୁହନ୍ତି । ପକ୍ଷାନ୍ତରରେ ତାଙ୍କର ପ୍ରତିଟି ଅଭିମତରେ ତାଙ୍କ ବିଚାରଧାରାର ବୈଶିଷ୍ଟ୍ୟ ମୁଦ୍ରିତ ହୋଇଛି । ‘ଜଗନ୍ନାଥ ପତିତପାବନ ନୁହନ୍ତି’ ତାଙ୍କର ଏହିଭଳି ଏକ ବୈପ୍ଲବିକ ନିଜସ୍ୱ ବିଚାରଧାର (୫)

 

(୪)

ମୂଳକଥା–ସଂସ୍କୃତ ଓ ସଂସ୍କୃତି ।

 

(୫)

‘‘ସ୍ୱୟଂ ଜଗନ୍ନାଥ ମଧ୍ୟ ଆଉ ନିଜର ଭକ୍ତାବଶେଷ ‘କୈବଲ୍ୟ’ ଦାନ କରି ‘ପତିତପାବନ’ ବୋଲାଇବାକୁ ଲୋଡ଼ୁ ନାହାନ୍ତି । ପୁଣି ବୁଝିବାର ଅଛି, ‘ପତିତପାବନ’ ନାମଟି ‘ପୁରୁଷୋତ୍ତମ ଜଗନ୍ନାଥ’ ନାମରେ ଗୋଟିଏ ଅତି କଦର୍ଯ୍ୟ ଅପଳାପ । ‘କରୁଣା’ ଧର୍ମର ସାଧକମାନଙ୍କ ଅନୁକରଣରେ ଭେଦଧର୍ମୀ ସ୍ମାର୍ତମାନେ ମଧ୍ୟ ଏହି ନାମଟି ଗ୍ରହଣ କରିଚନ୍ତି ବୋଲି ମନେହୁଏ । ସମାଜରୁ ଦଳେ ଲୋକଙ୍କୁ ବା ସମାଜକୁ ପତିତ ମଣି ସାରା ଜଗତରେ ସମ୍ୟ ନିୟାମିକ, ବିଶ୍ୱ-ସତ୍ୟ, ବିଶ୍ୱ-ଋତର ପ୍ରତୀକ ଜଗନ୍ନାଥଙ୍କଠାରେ ଏ ନାମଟିର ଆରୋପ ଅଯଥାର୍ଥ । ଜଗନ୍ନାଥଙ୍କ ପାଖେ କେହି ପତିତ ନୁହେଁ-କେହି ଉନ୍ମତ ନୁହେଁ । ସେ କାହାକୁ ପତିତ କରନ୍ତି ନାହିଁ-ମଣନ୍ତି ନାଇଁ । ତାଙ୍କ ପାଖେ କାଙ୍ଗାଳ ଅପବିତ୍ର ନୁହେଁ ; ବ୍ରାହ୍ମଣ, ରାଜା, ଶିଳ୍ପୀ, ବଣିକ, ଜମିଦାର ବା ମଠାଧୀଶ ସମାଜରେ ଧନୀ ବା ପ୍ରଭାବଶାଳୀ ବୋଲି ବେଶି ପବିତ୍ର ନୁହନ୍ତି । ଯାହାଙ୍କ ଦୃଷ୍ଟିରେ ପତିତ ନାଇ, ବା ପତିତ ବୋଲି କେହି ଅପବିତ୍ର ନୁହେଁ , ସେ ପୁଣି ‘ପତିତପାବନ’ ହେବେ କିପରି ?’’ - ସଂସ୍କୃତ ଓ ସଂସ୍କୃତି (ନୀଳକଣ୍ଠ ଗ୍ରନ୍ତାବଳୀ ଦ୍ୱିତୀୟ ଖଣ୍ଡ-ପୃଷ୍ଠା ୪୯୧, ପ୍ରଥମ ସଂସ୍କରଣ ୧୯୬୫)

 

ମତପ୍ରକାଶରେ ନିର୍ଭିକତା ନୀଳକଣ୍ଠଙ୍କ ସତେ ଯେପରି ଥିଲା ସହଜାତ ପ୍ରକୃତି, ଏହି ପ୍ରକୃତିର ଅକମ୍ପିତ ପ୍ରତିଫଳନ ତାଙ୍କର ସକଳ ପ୍ରବନ୍ଧରେ ପରିଲକ୍ଷିତ ହୋଇଥାଏ । ନିଜ ଚମତ୍କାରିତା ଫଳରେ ସତ୍ୟର ଆବିଷ୍କାରରେ ସଫଳତା ପରେ, ତା’ର ପ୍ରତିଷ୍ଠା ପାଇଁ ସେ ତାଙ୍କ ପ୍ରବନ୍ଧରେ ଗଭୀର ଆନ୍ତରିକତାର ପରିଚୟ ଦେଇଛନ୍ତି । ତାଙ୍କ ସୃଷ୍ଟିର ଭିତରେ ଆମେ ପାଉଁ ତାଙ୍କର ମହାନ୍‌ ବ୍ୟକ୍ତିତ୍ୱର ସ୍ପର୍ଶ-ଯାହା ଆମକୁ ଅଭିଭୂତ କରିଥାଏ । ପ୍ରବନ୍ଧର ବିଷୟ ଉପସ୍ଥାପନା, ବିଷୟ ବିଶ୍ଳେଷଣ, ଭାଷାପ୍ରୟୋଗ ଏବଂ କଥନ ଭଙ୍ଗୀରେ ଆମେ ନୀଳକଣ୍ଠଙ୍କ ନିଜସ୍ୱ ଓ ସ୍ୱାତନ୍ତ୍ର୍ୟର ବିଳିଷ୍ଠ ସ୍ୱର ଲକ୍ଷ୍ୟ କରିଥାଉଁ । ସକ୍ରେଟିସ୍‌ ଏକଦା ଯଥାର୍ଥରେ କହିଥିଲେ....‘‘As a man, so is his speech (୬)’’ ନୀଳକଣ୍ଠଙ୍କ ଜୀବନ ଓ କୃତି ଏହାର ପ୍ରମାଣ ।

 

(୬)

Quoted in ‘Introduction to the study of English Literature' By K.R. Srinibasa Iyengar & Prema Nanda Kumar, page No.260, First Edition 1966

 

 

ଡକ୍ଟର ମାୟାଧର ମାନସିଂହ ଜଣେ ବିଶିଷ୍ଟ କବି, ସମାଲୋଚକ ଓ ପ୍ରାଥମିକ ରୂପେ ସ୍ୱାଧୀନତାର ବହୁ ପୂର୍ବରୁ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦା ଲାଭ କରି ସାରିଥିଲେ । ତାଙ୍କ ସାଧନା-ସ୍ନିଗ୍‌ଧ ଜୀବନର ଅନୁଧ୍ୟାନ କଲେ ଉପଲବ୍‌ଧ ହୁଏ ଯେ, ସତେ ଅବା ସେ ଥିଲେ ଏକ ନିରବଚ୍ଛିନ୍ନ ସାଧନାର ସାକାର ରୂପ । ଜୀବନର ଅନୁଭବକୁ ନିଷ୍କପଟ ଭାବରେ ଅବିକୃତ ରୂପେ ଦ୍ୱିଧାହୀନ ଭାବରେ ସେ ଯେପରି ନିଜ କବିତାରେ ରୂପ ଦେଇଛନ୍ତି, ନିଜ ପ୍ରତୀତ ଓ ବିଚାରଧାରାକୁ ସେହିପରି ନିର୍ଭିକ ଭାବରେ ନିଜ ପ୍ରବନ୍ଧ ଓ ସମାଲୋଚନାରେ ରୂପ ଦେଇଛନ୍ତି । ଆଲୋଚ୍ୟ ସମୟ ପରଧି ଭିତରେ ଲିଖିତ ତାଙ୍କ ପ୍ରବନ୍ଧାବଳୀର ଆଲୋଚନା ପୂର୍ବରୁ ଏକଦା ‘ଓଡ଼ିଆରେ ଲେଖିବି କାହିଁକି ’ ଶିରୋନାମାରେ ଲିଖିତ ତାଙ୍କ ଅନ୍ତରର କଥାରୁ କେଇପଦ ଏଠାରେ ଉଲ୍ଲେଖଯୋଗ୍ୟ । ସେ ଲେଖିଥିଲେ...‘‘ବରେଣ୍ୟ କବି ଗଙ୍କାଧର ଉତ୍କଳ ସରସ୍ୱତୀଙ୍କ ଚରଣ ସେବା କରି ପେଟ ପୋଷି ପାରି ନଥିଲେ । ଉଦରପୂରଣ ପାଇଁ ପ୍ରଥମେ ତାଙ୍କୁ ତନ୍ତ ବୁଣିବାକୁ ଓ ପରେ ମୋହରିର-ଗିରି କରିବାକୁ ପଡ଼ିଥିଲା । ତଥାପି ଦାରିଦ୍ର୍ୟ-ନିପୀଡ଼ିତ କବିପ୍ରାଣର କି ଅନୁଭୂତି ନେଇ ସେ ଗାଇଛନ୍ତି-‘ଉଚ୍ଚ ହେବା ପାଇଁ କର ଯଦି ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’; ଏ ବାଣୀ ଓଡ଼ିଆ ପ୍ରାଣରେ ଉତ୍ସାହ ଆଣେ-ତାକୁ ଆତ୍ମସମ୍ମାନ ଜ୍ଞାନ ଦିଏ । ବାଣୀସେବାରେ ଲାଭାଲାଭର ପ୍ରଶ୍ନ କୌଣସି ଦେଶ ବା କୌଣସି କାଳରେ ଉଠିନି, ଏକ ଅପୂର୍ବ ଆନନ୍ଦ ଅଛି, ସାମାନ୍ୟ ସ୍ୱର୍ଣ୍ଣ ରୌପ୍ୟ ଯାହାର ବିନିମୟ ହେବାର ଯୋଗ୍ୟ ନୁହେଁ । ସବୁକାଳର ସବୁ ଦେଶର କବି ଓ ସାହିତ୍ୟିକ ଏହି ଆନନ୍ଦ ଉପଭୋଗ କରି, ସକଳ ଦାରିଦ୍ର୍ୟ ଓ ଲାଞ୍ଛନା ପ୍ରତି ଦୃକ୍‌ପାତ କରିନାହାନ୍ତି X X X (୭) ।’’ ‘ବାଣୀସେବାର ଅପୂର୍ବ ଆନନ୍ଦ’ ଡକ୍ଟର ମାନସିଂହଙ୍କ ଜୀବନର ପରମ ସମ୍ପଦ ଥିଲା ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ବି ଏହାହିଁ ଥିଲା ତାଙ୍କ ଜୀବନର ପରମ ବିଭବ ଓ ଆଶ୍ୱସ୍ତି । ଏହି ବାଣୀସେବାର ଅପୂର୍ବ ଆନନ୍ଦରେ ଜୀବନର ଅପରାହ୍ନରେ ବି ସେ ସୃଷ୍ଟି କରିଛନ୍ତି ବହୁ ଉପାଦେୟ ପ୍ରବନ୍ଧ ।

 

(୭)

‘ନବଭାରତ’, ତୃତୀୟବର୍ଷ, ପଞ୍ଚମ ସଂଖ୍ୟା ।

 

ଡକ୍ଟର ମାନସିଂହଙ୍କ ‘ଜୀବନୀ ଓ ପ୍ରବନ୍ଧ’ ମୁଖ୍ୟତଃ ଏ ଦେଶର ତରୁଣ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ । ଏଥିରେ ଆମେ ଶିକ୍ଷକମାନସିଂହଙ୍କ ଅଭୀପ୍‌ସାର ସଙ୍କେତ ପାଉଁ ...‘ତରୁଣ ଜୀବନ ଆଦର୍ଶ ଖୋଜେ ଓ ତା’ର ପାରିପାର୍ଶ୍ୱିକ ସମାଜ ଓ ଘଟଣାବଳୀ ସମ୍ୱନ୍ଧରେ ନାନା ଜିଜ୍ଞାସା ତା ଚିତ୍ତରେ ଉଠିଥାଏ । ଉତ୍କୃଷ୍ଟ ଜୀବନୀ ସାହାଯ୍ୟରେ ତରୁଣକୁ ଆଦର୍ଶ ଯୋଗାଇବା ଓ ତା‘ର ଦୈନନ୍ଦିନ ଜୀବନରେ ନାନା ସମସ୍ୟାରେ ତାକୁ ସାହାଯ୍ୟ କଲାଭଳି ପ୍ରବନ୍ଧାଦିଦ୍ୱାରା ତା’ର ଚିନ୍ତାଧାରକୁ ନିର୍ଦ୍ଦିଷ୍ଟ ପଥରେ ପରିଚାଳିତ କରିବା ଗଦ୍ୟର ଧର୍ମ (୮) ।’’ ‘ଜୀବନୀ ଓ ପ୍ରବନ୍ଧ’ରେ ସନ୍ନିବିଷ୍ଟ ପ୍ରବନ୍ଧଗୁଡ଼ିକରେ ଲେଖକଙ୍କର ଲକ୍ଷ୍ୟ ସୁସ୍ପଷ୍ଟ ...‘‘ପ୍ରବନ୍ଧ ଗୁଡ଼ିକରେ ସୃଷ୍ଟିର ବିସ୍ମୟକର ରହସ୍ୟ କୁସଂସ୍କାରର ଧ୍ୱଂସ ଓ ସତ୍‌ଧର୍ମର ପ୍ରଚାର ଏବଂ ସମାଜ ସଙ୍ଗେ ବ୍ୟକ୍ତିର ସମ୍ପର୍କ କିପରି ହେବା ଉଚିତ, ତାହା ବର୍ଣ୍ଣନା କରାଯାଇଛି ।’’ ଲେଖକ ତାଙ୍କର ଏହି ଗ୍ରନ୍ଥରେ ତେଣୁ ଶିକ୍ଷକ । କିନ୍ତୁ ସେ ପ୍ରଥମେ ଲେଖକ ଓ କବି ଏବଂ ପରେ ଶିକ୍ଷକ; ତେଣୁ ସେ ନୀରସ ନତିବାଣୀରେ ବା ଜ୍ଞାନର ଅୟନରେ ଲବ୍‌ଧ ତଥ୍ୟାଲୋଚନାରେ ନିଜ ପ୍ରବନ୍ଧର ପରିଚୟ ସୀମିତ କରି ନାହାନ୍ତି । ଅଧିକନ୍ତୁ ତାଙ୍କ ବ୍ୟକ୍ତିତ୍ୱର ସ୍ପର୍ଶରେ ତାଙ୍କ ସୃଷ୍ଟି ଏକାନ୍ତ ହୃଦ୍ୟ ହୋଇଛି । ଯେ କୌଣସି ବିଷୟକୁ ସୁନ୍ଦର ଭାବରେ କହି ତାକୁ ଆକର୍ଷଣୀୟ କରିବାର ଅପୂର୍ବ କଳାକୁଶଳତା ତାଙ୍କର ଥିଲା । ତେଣୁ ତାଙ୍କ ପ୍ରବନ୍ଧ ଥରେ ପଢ଼ିବାକୁ ଆରମ୍ଭ କଲେ ଶେଷ ନ କରି ରହିହୁଏନା । ‘ଜୀବନୀ ଓ ପ୍ରବନ୍ଧ’ ପୁସ୍ତକରେ ସନ୍ନିବିଷ୍ଟ ‘ସତ୍ୟ-ଅନୁସନ୍ଧାନ’ , ‘ତ୍ୟାଗ’ ପ୍ରଭୃତି ପ୍ରବନ୍ଧ ତରୁଣମାନଙ୍କ ପାଇଁ ଲିଖିତ ହୋଇଥିଲେହେଁ ବିଷୟ ବିନ୍ୟାସ ଓ ଅନୁପମ ଗଦ୍ୟଶୈଳୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏଗୁଡ଼ିକୁ ସ୍ମରଣୀୟ କରି ରଖିବ ।

 

(୮)

‘ଜୀବନୀ ଓ ପ୍ରବନ୍ଧ’ରେ ତତ୍‌ସମ୍ପର୍କରେ ଲେଖକଙ୍କର ବକ୍ତବ୍ୟ ।

 

ମାନସିଂହଙ୍କ ‘ଜୀବନ ପଥ’ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବୀ କରେ । ‘ଜୀବନ ପଥ’ର ମୂଲ୍ୟାଙ୍କନ କାଳରେ ଏହା ସମ୍ପର୍କରେ ଲେଖକଙ୍କ ନିଜସ୍ୱ ବକ୍ତବ୍ୟ ଅନୁଧ୍ୟାନଯୋଗ୍ୟ । ସେ ଲେଖିଛନ୍ତି ..‘‘ଇହ ଜୀବନରେ ନାନା ଆଘାତ ଖାଇ ଓ ନାନା ଭ୍ରମପ୍ରମାଦ କରି ମୁଁ ବହୁତ ଅଣ୍ଡାଳି ହୋଇଛି ଉତ୍ତମ ପନ୍ଥା ପାଇଁ । ଆମ ଦେଶରେ ଜୀବନରୁ ମୁକ୍ତି ପାଇବା ପାଇଁ ଶସ୍ତ୍ର ଗଦା ଗଦା ଓ ଗୁରୁ ଗଣ୍ଡା, କିନ୍ତୁ ଇହଜୀବନଟି ସୁସ୍ଥ, ବିଚାରବନ୍ତ ଭାବରେ କିପରି ବଞ୍ଚିହେବ, ସେଥିପାଇଁ ମୁକ୍ତିଯୁକ୍ତ ଶାସ୍ତ୍ରର ଅଭାବ । ଇଉରୋପୀୟ ସାହିତ୍ୟରେହିଁ ଏହି ଅଭାବ ପୂରଣ ହୋଇଛି । ଇଂରାଜୀରେ ଏଇପରି କେତେଗୁଡ଼ିଏ ଗ୍ରନ୍ଥ ପଢ଼ିଲାବେଳେ ଓଡ଼ିଆରେ ସେହିପରି ଖଣ୍ଡିଏ ବହି କିପରି ଲେଖାଯାନ୍ତା, ତାହା ବରାବର ଭାବୁଥାଏ । ବିଶେଷତଃ ଫରାସୀ ଲେଖକ ଆନ୍ଧ୍ରେ ମରୟଙ୍କର, ‘ଆର୍ଟ ଅଫ୍‌ ଲିଭିଙ୍ଗ୍‌’ ବା ‘ଜୀବନକଳା’ ପୁସ୍ତକଟି ମୋତେ ବିଶେଷ ଭାବରେ ଉତ୍ସାହିତ କରିଛି (୯) ।’’

 

(୯)

ସୂଚନା-ଜୀବନପଥ ।

 

’ଜୀବନପଥ’ (୧୯୪୮) ପ୍ରାବନ୍ଧିକ ମାନସିଂହଙ୍କର ଓଡ଼ିଆ ପ୍ରବନ୍ଧ-ସାହିତ୍ୟକୁ ସର୍ବଶ୍ରେଷ୍ଠ ଅର୍ଘ୍ୟ । ସମକାଳୀନ ଓଡ଼ିଆ ସାହିତ୍ୟରେ ଏଭଳି ସୃଷ୍ଟିର ପଟାନ୍ତର ନାହିଁ । ଡଃ ମାନସିଂହଙ୍କ ଜ୍ଞାନଦୀତ୍ପ ମନର ସାରବାନ ଚିନ୍ତା ଏଥିରେ ପ୍ରବନ୍ଧକଳାର ଆଶ୍ଲେଷ ଭିତରେ ସୁଷମାନ୍ୱିତ ହୋଇଛି-। ‘ଜୀବନ ପଥ’ରେ ସର୍ବମୋଟ ସାତଟି ପ୍ରବନ୍ଧ ସନ୍ନିବିଷ୍ଟ ହୋଇଛି-ସମାଜ ଓ ରାଷ୍ଟ୍ର, ପ୍ରେମ ଓ ବିବାହ, ଶ୍ରମ କୌଶଳ, ଧର୍ମ ଜୀବନ, ନିଜ ଦାୟିତ୍ୱ ସୁସ୍ଥ ଶରୀର ଏବଂ କୁଟୁମ୍ବ । ପ୍ରତ୍ୟେକଟି ପ୍ରବନ୍ଧ ସୁଚିନ୍ତିତ ଓ ସୁଲିଖିତ । ଉଦାହାରଣ ସ୍ୱରୂପ ଏଠାରେ ତାଙ୍କର ‘ସମାଜ ଓ ରାଷ୍ଟ୍ର’ ପ୍ରବନ୍ଧର ଉଲ୍ଲେଖ କରାଯାଇପାରେ । ମଣିଷ ସମାଜିକ ଜୀବ । ତା’ର ଯଥାର୍ଥ ପରିଚୟ ଦେବାକୁ ଯାଇ ଲେଖକ ଲେଖିଛନ୍ତି...‘‘ମନୁଷ୍ୟ ନିତାନ୍ତ ଭାବରେ ଗୋଷ୍ଠୀକ ଜୀବ । ସେ ସ୍ୱତନ୍ତ୍ର ରହିବାକୁ ଚାହେଁ ; କିନ୍ତୁ ଏକା ରହିବାକୁ ଚାହେଁନା । ଆମେ ଘରଟିଏ କରି ଚାରିପାଖରେ ବାଡ଼ ବା ପାଚେରୀ ଘେରାଇ ଦେଉ, ଆମର ସ୍ୱକୀୟ ସ୍ୱାତନ୍ତ୍ର୍ୟର ଜୟପତାକା ଉଡ଼ାଇ; କିନ୍ତୁ ଯେତେ ସ୍ୱାତନ୍ତ୍ର ଚାହିଲେ ମଧ୍ୟ, କେହି ନିର୍ଜନ ମରୁଭୂମିରେ ବା ଶ୍ମଶାନରେ ଘର କରେନା । କାରଣ ମନୁଷ୍ୟ ସ୍ୱାତନ୍ତ୍ର୍ୟ ଚାହେଁ । ସିନ୍ଧୁର ଅଗଣିତ ବିନ୍ଦୁ ସିନ୍ଧୁରେ ମିଶିଗଲା ପରି, ସେ ନିଜର ସତ୍ତାକୁ ଭୁଲିଯିବାକୁ ଚାହେଁନା । ସେ ସିନ୍ଧୁତ୍ୱ ଚାହେଁ, ବିନ୍ଦୁତ୍ୱ ମଧ୍ୟ ଚାହେଁ । ସମାଜର ପ୍ରତ୍ୟେକ ବ୍ୟକ୍ତି ଅପର ବ୍ୟକ୍ତିକୁ ଅବିଶ୍ୱାସ ବା ହିଂସା ଦୃଷ୍ଟିରେ ଦେଖିପାରେ, କିନ୍ତୁ ପ୍ରତ୍ୟେକ ସମଷ୍ଟି ଭାବରେ ସମାଜକୁ ଚାହାନ୍ତି । ଏକତ୍ରିତ ଜନତାର ଏକ ସ୍ୱକୀୟ ପ୍ରୟୋଜନ ଓ ସୌନ୍ଦର୍ଯ୍ୟ ଅଛି । ମେଳାରେ ଲୋକେ ଲୋକକୁହିଁ ଦେଖିବାକୁ ଦୌଡ଼ନ୍ତି । ବ୍ୟକ୍ତି ଓ ସମଷ୍ଟି ଗଛ ଓ ତା’ର ଡ଼ାଳପରି ପରସ୍ପରର ଅଙ୍ଗାଙ୍ଗୀ (୧୦)’’।

 

(୧୦)

ସମାଜ ଓ ରାଷ୍ଟ୍ର-‘ଜୀବନପଥ’-ପୃଷ୍ଠା ୧,୧୯୫୭ ସଂସ୍କରଣ ।

 

ମାନସିଂହଙ୍କର ପ୍ରବନ୍ଧର ଏକ ବିଶିଷ୍ଟ ଦିଗ ହେଉଛି ବହୁ ଚିନ୍ତା ଫଳରେ ଯାହା ସତ୍ୟ ବୋଲି ସେ ଅନୁଭବ କରନ୍ତି, ତାକୁ କୁଣ୍ଠାହୀନ, ଦ୍ୱିଧାହୀନ ଭାବରେ ନିର୍ଭୟରେ ସେ ପ୍ରକାଶ କରିଥାନ୍ତି । ସେଥିପାଇଁ ଜୀବନରେ ସେ ବହୁ ଆଘାତ ପାଇଛନ୍ତି ସତ୍ୟ କିନ୍ତୁ ସତ୍ୟ କହିବାକୁ କେବେ ଭୀତ ହୋଇ ନାହାନ୍ତି । ସାମ୍ପ୍ରତିକ କାଳର ନେତାମାନଙ୍କ ପ୍ରସଙ୍ଗରେ ସେ ଆଲୋଜ୍ୟ ପ୍ରବନ୍ଧରେ ଲେଖିଛନ୍ତି ...‘‘ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ, ନିର୍ବାଚନ ପୂର୍ବରୁ ଯେଉଁ ଲୋକର ନାନା ଭାବରେ ସୁନାମ ଥିଲା, ଅଧିକାର ପାଇଲା ପରେ ତାହାର ନିନ୍ଦା ଆରମ୍ଭ ହୁଏ । ଏବେ କୌଣସି ଲୋକ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରେନା, ଏବଂ ଅସନ୍ତୁଷ୍ଟ ଦଳ ଅପପ୍ରଚାର କରିବାରେ ଆଶ୍ଚର୍ଯ୍ୟ କ’ଣ ? କିନ୍ତୁ ଅଧିକାଂଶ କ୍ଷେତ୍ରରେ ନିନ୍ଦାର ମୂଳ ଏହା ନୁହେଁ । ପ୍ରକୃତରେ ଅଧିକାର ପାଇଲା ପରେ ଅନେକ ଲୋକ ନିଜର, ନିଜ ଦଳର, ନିଜ ପ୍ରିୟାପ୍ରୀତିର ସୁବିଧା କିପରି କରିହେବ, ତାହାହିଁ ଦେଖିବାକୁ ଆରମ୍ଭ କରନ୍ତି । ଏହାଠାରୁ ଅଧିକତର ଗର୍ହିତ ରାଷ୍ଟୀୟ ଓ ନୈତିକ ଅପରାଧ ନ ଥାଇପାରେ (୧୧)।’’

 

(୧୧)

ସମାଜ ଓ ରାଷ୍ଟ୍ର-‘ଜୀବନ ପଥ’ -ପୃଷ୍ଠା୮/୯

 

ପୁଣି...‘‘କ୍ରମେ କ୍ରମେ ରାଷ୍ଟ୍ର ସମାଜକୁ କବଳିତ କରିବାକୁ ଯାଉଛି । ଆମର ସମଗ୍ର ସାମାଜିକ ଜୀବନ ରାଷ୍ଟ୍ର ବା ରାଷ୍ଟ୍ର ଶାସକର କରଗତ ହେବାକୁ ଯାଉଛି । ବାପୁଜୀ ଏହି ବ୍ୟାପକ ଛନ୍ଦଣି-ବନ୍ଧଣିର ଘୋର ବିରେଧୀ ଥିଲେ । ସେ ଚାହୁଁଥିଲେ ବିଶ୍ୱମାନବତା, କିନ୍ତୁ ତା ସଙ୍ଗେ ସଙ୍ଗେ ସେ ମଧ୍ୟ ସ୍ୱପ୍ନ ଦେଖୁଥିଲେ କ୍ଷୁଦ୍ରତମ ଗ୍ରାମ ଓ ପରିବାର ସ୍ୱାବଲମ୍ବୀ ହେଉ । କ୍ଷୁଦ୍ର ଓ ବିରାଟର ରାଜ୍ୟ ଏଇ ମଧୁର ସମ୍ପର୍କ ସ୍ଥାପନାହିଁ ବାବୁଜୀଙ୍କର ରାମରାଜ୍ୟର ବ୍ୟବସ୍ଥା । ପ୍ରାଚୀନ ଭାରତର ରାଜ୍ୟବ୍ୟବସ୍ଥା ଏଇ ନୀତିରେ ଗଠିତ ହୋଇଥିଲା । ଆଜି କିନ୍ତୁ ଫାସିଷ୍ଟ ନୀତିରେ ବିରାଟ ଶାସନଯନ୍ତ୍ର ଆମପରି ଅଗଣିତ କ୍ଷୁଦ୍ରର ସକଳ ସ୍ୱାତନ୍ତ୍ର୍ୟ ଅପହରଣ କରି ଆମକୁ ସେହି ଯନ୍ତ୍ରର ଏକ ଏକ କଣ୍ଟାମାତ୍ର କରିବାକୁ ବସିଛି, ଏହା ସର୍ବତୋଭାବରେ ପ୍ରତିରୋଧ୍ୟ(୧୨) ।’’

 

(୧୨)

‘‘ରାଷ୍ଟ୍ର ଶାନ୍ତି ଓ ନିରାପତ୍ତା ଉପରେ ପ୍ରତିଷ୍ଠିତ । ସମାଜ ପ୍ରତିଷ୍ଠିତ ମାତୃତ୍ୱ ଉପରେ । ଯୌନଭୋଗ, ମାତୃତ୍ୱ ପାଇଁ ପ୍ରକୃତିର କୌଶଳ ମାତ୍ର । ନାରୀ ତା’ର ସୃଜନୀ କ୍ଷୁଧାର ଉପଶମ ପାଇଁ ମୋହନୀ ରୂପରେ ଆବିର୍ଭୁତ ହୁଏ ଓ ପୁରୁଷର ପ୍ରେୟସୀ ହୁଏ । ମାନବିକ ସମାଜ ପ୍ରିୟା ଓ ଜନନୀ ଏହି ଦୁଇ ବିନ୍ଦୁକୁ କେନ୍ଦ୍ରକରି ଘୂରୁଛି ଏବଂ ସେହିମାନଙ୍କ ସମ୍ପର୍କର ପ୍ରଭାବରେ କୋଟି କୋଟି ଛୋଟ ଗୋଷ୍ଠୀ ଗଢ଼ି ଉଠୁଛି, ଯେଉଁଠି ଅନ୍ତତଃ ମଣିଷ ଜାନୁଆର ତୁହେଁ ଏବଂ ଯେଉଁଠି କୌଣସି ରାଷ୍ଟ୍ରର ଅକ୍ଟୋପାସ ସାମାଜିକ ମାଧୁର୍ଯ୍ୟକୁ ଶୋଷିଦେଇ ପାରିବ ନାହିଁ X X X ସ୍ୱାମୀ ସ୍ତ୍ରୀ, ବାପ-ପୁଅ, ଭାଇ-ଭାଇ, ଭାଇ-ଭଉଣୀର ସମ୍ପର୍କ ଯେଉଁଠି ମାଧୁର୍ଯ୍ୟମୟ, ସେଇଠି ହିଁ ଧରା ସ୍ୱର୍ଗ । ଯେଉଁ ଲୋକ ଜୀବନରେ ଉତ୍ତମ ଜନନୀ ଓ ଉତ୍ତମ ପ୍ରେୟସୀ ପାଇଛନ୍ତି, ଦାରିଦ୍ର୍ୟ ସତ୍ତ୍ୱେ ତାଙ୍କଠୁ ଅଧିକ ଭାଗ୍ୟବାନ ଲୋକ ଥାଇ ନ ପାରନ୍ତି’’ -ସମାଜ ଓ ରାଷ୍ଟ୍ର-ଜୀବନପଥ-ପୃଷ୍ଠା ୧୩ ।

 

କେବଳ ଉନ୍ନତ ଚିନ୍ତା ଓ ଶାସ୍ତ୍ରଜ୍ଞାନ ତଥା ଜୀବନ ସମ୍ପର୍କିତ ବ୍ୟାପକ ଅବରୋଧ ସାର୍ଥକ ପ୍ରବନ୍ଧ ରଚନା ପାଇଁ ଯଥେଷ୍ଟ ନୁହେଁ...ଅଧ୍ୟୟନ ଲବ୍‌ଧଜ୍ଞାନର ପୃଷ୍ଠଭୂମିରେ ଜୀବନ ସମ୍ପର୍କିତ ବ୍ୟାପକ ଅବରୋଧ ଆଧାରିତ ଉନ୍ନତ ଚିନ୍ତାର ଶିଳ୍ପ-ସୁନ୍ଦର ରୂପ ପ୍ରବନ୍ଧକୁ ହୃଦୟଗ୍ରାହ୍ୟ କରିଥାଏ । ‘ସମାଜ ଓ ରାଷ୍ଟ୍ର’ ପ୍ରବନ୍ଧ ଏହାର ପ୍ରମାଣ (୧୩) ପାଶ୍ଚାତ୍ୟର ବିଭିନ୍ନ ଚିନ୍ତାଶୀଳ ଲେଖକଙ୍କ କୃତି ମାନସିଂହ ଅଧ୍ୟୟନ କରିଥିଲେ । ସେଥିରୁ ସେ ସ୍ୱଦେଶୀୟ ସାହିତ୍ୟରେ ନୂତନ ଆଭିମୁଖ୍ୟରେ ଲେଖିବାକୁ ପ୍ରେରଣା, ଦିଗଦର୍ଶନ ପାଇଥାଇ ପାରନ୍ତି, କିନ୍ତୁ ତାଙ୍କ ପ୍ରବନ୍ଧ ଅନ୍ୟର ବିକଳ ପ୍ରତିବିମ୍ବ ନୁହେଁ । ନିଜର ବିଚାରବୁଦ୍ଧିକୁ ସେ କୌଣସିଠାରେ ବଳି ଦେଇନାହାନ୍ତି । ନୂତନ ଭାବସମ୍ପଦରେ ନିଜ ସୃଷ୍ଟିକୁ ଆକର୍ଷଣୀୟ କରିବା ମୋହରେ ସେ ଅନ୍ୟର ଅନ୍ଧାନୁସରଣ କରି ନାହାନ୍ତି । ତାଙ୍କ ପ୍ରବନ୍ଧରେ ଅଛି କବିର ହୃଦୟ, ପଣ୍ଡିତର ପ୍ରଜ୍ଞା ଏବଂ ଭାବୁକର ଉଚ୍ଚ ଚିନ୍ତା ତଥା ଜଣେ କୁଶଳୀ କଳାକାରର ପ୍ରକାଶଭଙ୍ଗୀର ମନୋହାରିତା ।

 

(୧୩)

‘ଝଙ୍କାର’-ଏକାଦଶଭାଗ, ଦଶମ ସଂଖ୍ୟା ।

 

ସ୍ୱର୍ଗତ ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରୁ ଜଣେ ବିଷିଷ୍ଟ ପ୍ରାବନ୍ଧିକ ରୂପେ ପ୍ରଶଂସିତ ହୋଇଛନ୍ତି । ତାଙ୍କର ପୂର୍ବ ଲିଖିତ ପ୍ରବନ୍ଧ ମଧ୍ୟରେ ‘ବଟୁଆ’ ପରି ଆଲୋଚ୍ୟ ସମୟରେ ଲିଖିତ ତାଙ୍କ ‘କଖାରୁ ଫୁଲ’ (୧୩) ତାଙ୍କୁ ଉଚ୍ଚ ପ୍ରଶଂସିତ କରିଛି । ତାଙ୍କର ଅନ୍ୟାନ୍ୟ ପ୍ରବନ୍ଧ ମଧ୍ୟରେ ଦାଢ଼ି (୧୪), କଂସାରି ଘର ପାରା (୧୫), ନୈତିକତା ବ୍ୟାପାର (୧୬) ଏବଂ ଶିବପାର୍ବତୀ (୧୭) ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଉଭୟ ବ୍ୟକ୍ତିନିଷ୍ଠ ଓ ବସ୍ତୁନିଷ୍ଠ ପ୍ରବନ୍ଧ ରଚନାରେ ତାଙ୍କର ସିଦ୍ଧହସ୍ତତାର ପରିଚୟ ମିଳିଥାଏ । ‘ଶିବପାର୍ବତୀ’ରେ ତାଙ୍କର ତତ୍ତ୍ୱାନ୍ୱେଷୀ ଦୃଷ୍ଟିଭଙ୍ଗୀର ପରିଚୟ ମିଳିଥାଏ । ଏଥିରେ ଶାସ୍ତ୍ରର ଗୂଢ଼ତତ୍ତ୍ୱକୁ ବୈଜ୍ଞାନିକ ରୀତିରେ ବ୍ୟାଖ୍ୟା କରି ଗୋବିନ୍ଦଚନ୍ଦ୍ର ଶାସ୍ତ୍ରପୁରାଣର ରୂପକଳ୍ପ ସହିତ ଆମ ବାସ୍ତବ ଜୀବନର ବିସ୍ମୟକର ସାମଞ୍ଜସ୍ୟ ପ୍ରଦର୍ଶନ କରିଛନ୍ତି ।

 

(୧୪)

‘ନବ ଜୀବନ’-ଚତୁର୍ଥଭାଗ, ଏକାଦଶ ସଂଖ୍ୟା ।

(୧୫)

‘ନବ ଜୀବନ’-୬ଷ୍ଠ ଭାଗ, ଦଶମ ସଂଖ୍ୟା ।

(୧୬)

‘ତରଙ୍ଗ’-ଫେବୃଆରୀ ୧୯୫୯ ।

 

ହାସ୍ୟରସାତ୍ମକ ଓ ବ୍ୟଙ୍ଗାତ୍ମକ ରୀତିରେ ବିଷୟ ବର୍ଣ୍ଣନା ତାଙ୍କ ବହୁ ପ୍ରବନ୍ଧର ବିଶିଷ୍ଟ ଆକର୍ଷଣ । ପାଠକ ପାଠିକାମାନଙ୍କ ସହିତ ଅନ୍ତରଙ୍ଗତା ପ୍ରତିଷ୍ଠା କରି ନିଜ ବକ୍ତବ୍ୟ ସେମାନଙ୍କୁ ଶୁଣାଇବା ସକାଶେ ସେ ଅନୁକୂଳ ପ୍ରକାଶରୀତିରେ ନିଜ ବକ୍ତବ୍ୟ ବିବୃତ କରିଛନ୍ତି । ଏ କ୍ଷେତ୍ରରେ ଫକୀରମୋହନଙ୍କ ‘ନନାଙ୍କ ପାଞ୍ଜି’ ଏବଂ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ବାଇମାହାନ୍ତି ପାଞ୍ଜି’ ତାଙ୍କୁ ବିଶେଷ ଭାବରେ ଉଦ୍‌ବୁଦ୍ଧ କରିଥିବାର ମନେହୁଏ । ଫକୀର ମୋହନ ଓ ଗୋପାଳଚନ୍ଦ୍ରଙ୍କ ପ୍ରଭାବ ସ୍ୱାଧୀନତା ପରବର୍ତ୍ତୀ ପ୍ରବନ୍ଧ ସାହିତ୍ୟରେ ମଧ୍ୟ ଯେ ଅତିକ୍ରାନ୍ତ ହୋଇପାରନ୍ତି, ଗୋବିନ୍ଦଚନ୍ଦ୍ର ତ୍ରିପାଠୀଙ୍କ ‘କଖାରୁ ଫୁଲ’ ତା’ର ପ୍ରମାଣ ।

 

ଅନୁକରଣ-ସର୍ବସ୍ୱ ମନୋଭାବ ଓ ରୀତିନୀତିର କଠୋର ସମାଲୋଚନା ଭିତରେ ଗୋବିନ୍ଦଚନ୍ଦ୍ର ତାଙ୍କ କେତେକ ପ୍ରବନ୍ଧରେ ସଂସ୍କାର ଲିପ୍‌ସାର ପରିଚୟ ଦେଇଛନ୍ତି । ଆଲୋଚ୍ୟ ସମୟ ପରଧି ଭିତରେ ଲିଖିତ ତାଙ୍କ ପ୍ରବନ୍ଧ ଭିତରେ ‘କଖାରୁ ଫୁଲ’ ଅତ୍ୟାଦୃତି ଲାଭକରିଛି । ଫ୍ରୟେଡ଼ୀୟ ମନୋବିଜ୍ଞାନର ପ୍ରଚକ୍ଷୁରେ ଜଗତର ସବୁକିଛିକୁ ଦେଖିବାର ମନୋବୃତ୍ତିକୁ ଲେଖକ ଏହି ପ୍ରବନ୍ଧରେ ସମାଲୋଚନା କରିଅଛନ୍ତି.........‘‘ମା’ର ପୁଅ ପ୍ରତି ଯେ ଅଗାଧ ଅକୃତ୍ରିମ ସ୍ନେହ ତା ଭିତରେ ତୁମେ ଦେଖିବାକୁ ଚାହଁ,ମାଁଙ୍କର ପୁଅ ପ୍ରତି ଯୌନଭାବ । ବାପର ଝିଅ ପ୍ରତି ଯେ ସ୍ନେହ ଆଦର ତା ଭିତରେ ତୁମେ ଦେଖିବାକୁ ଚାହଁ, ବାପର ଝିଅ ପ୍ରତି ଯୌନଭାବ’–କି କଦର୍ଯ୍ୟ !!! ଆଉ ଏଇତା କି ସତରେ ? ମା’ର ସ୍ନେହ ଭିତରେ ଯେତେ ବେଶି କମ୍ କିଛି ଥାଏ, ତାହାହେଲେ ସେ ହଉଚି ଯେ ‘ପୁଅଙ୍କ ଅପେକ୍ଷା ଝିଅ ପ୍ରତି ତାର ସ୍ନେହ ବେଶୀ’ । X X X ଯେ ମା-ପୁଅଙ୍କ ବାପ-ଝିଅଙ୍କ ସ୍ନେହ ଭିତରେ କଦର୍ଯ୍ୟ ଯୌନଭାବ ଦେଖିପାରନ୍ତି ଓ ଦେଖିବାକୁ ବ୍ୟାକୁଳ ହୁଅନ୍ତି, ତାଙ୍କର ସୌନ୍ଦର୍ଯ୍ୟବୋଧ କାହିଁ ? ସେ ଗୋଲାପ ଫୁଲର ମହକରେ ନାକରେ ଲୁଗା ମାଡ଼ିବେ, ‘କଖାରୁଫୁଲ’ର ସୌନ୍ଦର୍ଯ୍ୟରେ ସେ ଓତପ୍ରୋତ ହୋଇଯିବେ । ଗୋଲାପଫୁଲରେ ଟିକିଏ ମହୁମାଛି ହେବାକୁ ତାଙ୍କର ଇଚ୍ଛା ନାହିଁ ‘କଖାରୁ ଫୁଲର ବିରାଟ ପାରୁଡ଼ା ପୋକ ? ବାହାବାହାରେ ରସିକ । ଗୋଲାପ ଫୁଲ ! ହୁଃ ସେତ କେବଳ ବୁର୍ଜ୍ଜୁ ଆମାନଙ୍କ ବିଳାସର ସାମଗ୍ରୀ ସର୍ବହାରାର ରକ୍ତ ଦେଇ ସେ ଗୋଲାପ ଗଛ ବଢ଼ିଚି ।’ ‘କାଟିଦିଅ ତାକୁ, ଦଳିଦିଅ ସେ ଗୋଲାପ ଫୁଲକୁ ପାଦତଳେ ।’ ଆଉ କଖାରୁ ଫୁଲ ଆହା ହା ହା, ସର୍ବହରାର ସୌଖୀନ ସ୍ୱାଦ । କଖାରୁ ଫୁଲର ବଡ଼ି, କଖାରୁ ଫୁଲ ଭଜା-ୟେ ଯେ ସର୍ବହରାର ଖାଦ୍ୟ । ‘ଏଇଥେରେ ସଂସାରର ସୌନ୍ଦର୍ଯ୍ୟ ଭଗା । ସେ ପାରୁଡ଼ାପୋକର ଦିହରେ ପ୍ରକୃତ ସୁବାସ ମହକ ଉଠୁଚି । ଭଲକଥା ‘ପାରୁଡ଼ା ପୋକ’ ତୁମର ପ୍ରକୃତି । ପାରୁଡ଼ାପୋକହିଁ ରହିବ ତୁମେ ।’’

 

ନିର୍ବିଚାରରେ କୈଣସି ମତ ବା ବିଚାରଧାରାକୁ ଅନ୍ଧଭାବରେ ଗ୍ରହଣ କରିନେବାର ମନୋବୃତ୍ତିକୁ ଲେଖକ ଏଇ ପ୍ରବନ୍ଧରେ ବ୍ୟଙ୍ଗ କରିଛନ୍ତି । ହାସ୍ୟରସର ସ୍ପର୍ଶ ଭିତରେହିଁ ବ୍ୟଙ୍ଗର ଆକର୍ଷଣ ଏବଂ କଳାତ୍ମକ ଅଭିବ୍ୟକ୍ତି ଭିତରେହିଁ ଏହା ସୁନ୍ଦର ଓ ହୃଦୟଗ୍ରାହୀ । Richard Garnet ବ୍ୟଙ୍ଗର ସଂଜ୍ଞା ଓ ସାର୍ଥକ ପରିଚୟ ଦେବାକୁ ଯାଇ କହିଛନ୍ତି–‘‘Satire in its literary aspect, may be defined as the expression iandequate terms, of the sense of amusement or disgust excited by the ridiculous or unseemingly, provided that humor is a distinctly recognisable element, and that the utterance is invested with literary form. Without humour, satire is invective, without literary form, it is mere clownish jeering."

 

ଗୋବିନ୍ଦଚନ୍ଦ୍ର ତ୍ରିପାଠୀଙ୍କ ପ୍ରବନ୍ଧରେ ବ୍ୟଙ୍ଗ ହାସ୍ୟରସର ଆଶ୍ଲେଷ ଭିତରେ ଏକ ବିଶିଷ୍ଟ ଆକର୍ଷଣ ହୋଇପାରିଛି ଏବଂ କଳାତ୍ମକ ରୀତିରେ ଏହାର ପ୍ରୟୋଗ ଫଳରେ ଏହାର ଶିଳ୍ପଗତ ସୁଷମା ଅନବଦ୍ୟ ହୋଇପାରିଛି (୧୭) ।

 

(୧୭)

‘‘କଥାଟା କ’ଣ କି, ତୁମକୁ ଏଇ ନୂତନତ୍ୱର ଭୁତ ଲାଗିଚି । ନୂଆ ନାଗରୀଟିଏ ପାଇଲେ କବି ଯେପରି କାଳନାଗୁଣୀଠାରୁ ଆରମ୍ଭ କରି କଳାଭଅଁର, କଳାକୋଇଲି ପର୍ଯ୍ୟନ୍ତ, ଡାଳିମ୍ୱଠାରୁ ଆରମ୍ଭ କରି ପାଟଳି ଗଛ ପର୍ଯ୍ୟନ୍ତ ସବୁଥିରେ ତାରି ରୂପ ଓ ଗନ୍ଧ ଦେଖୁଥାଏ, ନୂଆ ନାଗରଟିଏ ପାଇ ଗୋପୀମାନେ ଯେପରି ବୃନ୍ଦାବନର କଣ୍ଟାବୁଦାଠାରୁ ଆରମ୍ଭ କରି କଦମ୍ବଗଛ ପର୍ଯ୍ୟନ୍ତ ସବୁଥିରେ କୃଷ୍ଣଙ୍କ ଅଙ୍ଗସୁଖ ପାଇ ଯାଉଥିଲେ, କଂସର ଦନ୍ତାହାତୀଟା ମଧ୍ୟ୍ ପ୍ରାଣଭୟରେ ଯୁଆଡ଼େ ଚାହେଁ, ତେଣେ କୃଷ୍ଣଙ୍କୁ ଦେଖେ ଯେପରି, ଆମେ ସେମିତିକା ହୋଇ ଯାଇଛୁ । ନୂଆ କଥାଟାଏ ବାହାରିଲା, ଆମକୁ ଲାଗିଗଲା ତାରି ନଟ ।’’-କଖାରୁଫୁଲ ।

 

ଦ୍ୱିତୀୟ ମହାଯୁଦ୍ଧର ପରବର୍ତ୍ତୀ କାଳରେ ଯେଉଁ କେତେକ ପ୍ରବନ୍ଧିକ ସେମାନଙ୍କ ଅନନ୍ୟ ସାଧାରଣ ସାଧନା ପାଇଁ ପ୍ରଶଂସିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ କାଳନ୍ଦୀଚରଣଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଓଡ଼ିଆ ସାହିତ୍ୟରେ ଏହି ସବ୍ୟସାଚୀ ତାଙ୍କ ଦୀର୍ଘ ଅନାହତ ସାଧନା ଭିତରେ ଅନ୍ୟାନ୍ୟ ବିଭାଗ ପରି ପ୍ରବନ୍ଧ ସାହିତ୍ୟକୁ ମଧ୍ୟ ଶସ୍ୟଶ୍ୟାମଳା କରିଛନ୍ତି । ତାଙ୍କ ଅଧିକାଂଶ ପ୍ରବନ୍ଧ ୧୯୪୭ ପୂର୍ବରୁ ପ୍ରକାଶିତ ହୋଇଛି । ଏପରିକି ୧୯୪୯ରେ ପ୍ରକାଶିତ ତାଙ୍କର ‘ନେତୃତ୍ୱ ଓ ନେତୃତ୍ୱ’ ଓ ୧୯୬୫ରେ ପ୍ରକାଶିତ ‘‘ସାହିତ୍ୟ ବିଚାର’ରେ ସନ୍ନିବିଷ୍ଟ ଅଧିକାଂଶ ପ୍ରବନ୍ଧ ସ୍ୱାଧୀନତାର ପୂର୍ବବର୍ତ୍ତୀ କାଳରେ ପ୍ରକାଶିତ ହୋଇ ସାରିଥିଲା । ‘‘ନେତୃତ୍ୱ ଓ ନେତୃତ୍ୱ’’ରେ ସନ୍ନିବିଷ୍ଟ ଉତ୍ତରାଧିକାର ଏବଂ ‘ସାହିତ୍ୟ ବିଚାର’ରେ ସନ୍ନିବିଷ୍ଟ ‘ବିରୋଧାଭାସ’ ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀକାଳର ସୃଷ୍ଟି । ଏହି ସମୟ ଭିତରେ ତାଙ୍କର ଅନ୍ୟାନ୍ୟ କେତେକ ପ୍ରବନ୍ଧରେ ମଧ୍ୟ ଏହି ଦୁଇଟି ପ୍ରବନ୍ଧ ପରି ସ୍ୱାଧୀନ ଜାତିର ପ୍ରାଣରେ ନୂତନ ଉଦ୍ଦୀପନା ସୃଷ୍ଟି କଳ୍ପେ ଉଦ୍ଦିଷ୍ଟ ହୋଇଛି ।

 

କାଳିନ୍ଦୀଚରଣ ସମାଜ-ସଚେତନ ସ୍ରଷ୍ଟା । ତାଙ୍କ କବିତା, ଗଳ୍ପ ଓ ଉପନ୍ୟାସ ପରି ତାଙ୍କ ପ୍ରବନ୍ଧ ସାହିତ୍ୟରେ ମଧ୍ୟ ତାଙ୍କ ସୃଜନମାନସର ଏହି ଦିଗ ପ୍ରତିଫଳିତ ହୋଇଛି । ଏକଦା ସ୍ୱପ୍ନପ୍ରବଣ ଏଇ ଶିଳ୍ପୀ କଳ୍ପନାର ଲଘୁପକ୍ଷ ମେଲାଇ ଆକାଶ ଚୁମ୍ବନ କରୁଥିବାବେଳେ, ହଠାତ୍‌ ଯେପରି ଏଇମାଟି ଓ ଏଇ ମଣିଷର ଡାକ ତାଙ୍କୁ ବିଚଳିତ କରିଛି ଏବଂ କଳ୍ପନାର ଘୁମନ୍ତ ସ୍ୱପ୍ନପୁରୀରୁ ଫେରିଆସିଛନ୍ତି ସେ ଏହି ରୁକ୍ଷ, ଅଗଣିତର ଅଶ୍ରୁରେ ସିକ୍ତମାଟିର କୋଳକୁ । ଫଳରେ ଏକଦା ସ୍ୱପ୍ନପ୍ରବଣ ଏଇ ସ୍ରଷ୍ଟା ହୋଇପଡ଼ିଛନ୍ତି ଏକାନ୍ତ ଭାବରେ ବାସ୍ତବ ସଚେତନ । ଏହି ସଚେତନତାର ପରିଚୟ ତାଙ୍କ ଅନ୍ୟାନ୍ୟ ସୃଷ୍ଟି ପରି ପ୍ରବନ୍ଧ ସାହିତ୍ୟରେ ମଧ୍ୟ ଭାସ୍ୱର । ନିଜ କୃତି ଭିତରେ ଏ ଦେଶର ଜନଗଣମନରେ ସାମାଜିକ ଓ ରାଷ୍ଟ୍ରିକ ଦାୟିତ୍ୱବୋଧର ସଓ୍ୟାର ପାଇଁ ତାଙ୍କର ଆକୁଳ ଓ ଆନ୍ତରିକ ପ୍ରଚେଷ୍ଟା ଭୁଲିହୁଏନା । ପ୍ରାସଙ୍ଗିକ ଭାବରେ ଏଥିରେ ଉଲ୍ଲେଖଯୋଗ୍ୟ ଯେ, ସାହିତ୍ୟ କେବଳ ଜୀବନର ଚିତ୍ର ନୁହେଁ, ଏହା ମଧ୍ୟ ଜୀବନକୁ ସୁନ୍ଦରତର କରିବାର ପ୍ରେରଣା-! ସାହିତ୍ୟର ମଣିଷ ଜୀବନ ଉପରେ ଯୁଗେ ଯୁଗେ ଗଭୀର ପ୍ରଭାବ ପଡ଼ିଆସିଛି । ଜୀବନ ଉପରେ ପ୍ରଭାବ ଓ ଜୀବନରେ କଳାର ଭୂମିକାକୁ କେହି ଅସ୍ୱୀକାର କରିପାରିବେନି (୧୮)-

 

(୧୮)

‘‘Art not merely reproduces life but also shapes it people may model their lives upon the patterns of ficitional heroes & heroines’’-Literature reflects the spirit of the Age or Literature & society : Quintesseree of Literary Eassays-By W.R. Goodman, Page No. 18, 5th Ediion 1977)

 

 

କାଳିନ୍ଦୀଚରଣଙ୍କ ପ୍ରବନ୍ଧର ମୂଲ୍ୟାୟନ କାଳରେ ଉଲ୍ଲେଖଯୋଗ୍ୟ ଯେ, ସାହିତ୍ୟ କେବଳ ସାମାଜିକ ଜୀବନର ତଥ୍ୟରେ ଆଲୋଚ୍ୟ ନୁହେଁ । କଳାତ୍ମକ ଦିଗହଁ ଏହାର ସର୍ବଶ୍ରେଷ୍ଠ ଦିଗ । କାଳିନ୍ଦୀଚରଣ ଏ ସମ୍ପର୍କରେ ସତତ ସଚେତନ । ତେଣୁ ସର୍ବତ୍ର ସାମାଜିକ ମୂଲ୍ୟବୋଧ ଜାତୀୟ ଗଭୀରତା ଓ ରାଷ୍ଟ୍ରିକ ଆଶା-ଆକାଙ୍‌କ୍ଷାର ଚିତ୍ର ପ୍ରଦାନ କାଳରେ ମଧ୍ୟ କଳାର ସୁଷମାକୁ ସେ ଅନାହତ ରଖିଥିବାରୁ ତାଙ୍କ ପ୍ରବନ୍ଧରେ ଚିରନ୍ତନ ମୂଲ୍ୟ ସ୍ୱୀକୃତ ହୋଇଛି । ସାମାଜିକ ଓ ଜାତୀୟ ଜୀବନରେ ସତ୍ୟର ମହିମା ତାଙ୍କ ପ୍ରବନ୍ଧରେ ଉଦ୍‌ଘୋଷିତ ହୋଇଛି । ସ୍ୱାଧୀନତା ଦିବସରେ ବିଶ୍ୱକୁ ଭାରତର ବାଣୀର ଉଲ୍ଲେଖ କରିବାକୁ ଯାଇ ସେ ଲେଖିଛନ୍ତି...... ‘‘ମୂର୍ଖ, ଦରିଦ୍ରର ନିରଳସ ଶ୍ରମ, ତାହାର ଚରିତ୍ର ଓ ସତ୍ୟହିଁ ବିଜୟୀ ହୋଇ ରହିଛି ସବୁଠାରେ । ସେହି ସତ୍ୟର ସନ୍ଧାନ କରି ଭାରତ ତାହାର ଅପହୃତ ସ୍ୱାଧୀନତାକୁ ଫେରାଇ ଆଣିଚି । ଆଜିର ଭାରତରେ ତାହାରି ସନ୍ଧାନହିଁ ତାର ବ୍ରତ । ସକଳ ବିରୋଧାଭାସ ମଧ୍ୟରେ ସେହି ବ୍ରତ ପାଳନ, ସେହି ମନ୍ତ୍ର ସାଧନାହିଁ ସ୍ୱାଧୀନତା ଦିବସରେ ପୃଥିବୀ ପୃଷ୍ଠରେ ତାର ବାଣୀ (୧୯) ।’’

 

(୧୯)

ବିରୋଧାଭାସ-‘ସାହିତ୍ୟ ବିଚାର’

 

 

ଗୋଟିଏ ସ୍ୱାଧୀନ ଜାତିକୁ ତା’ର ଜାତୀୟ ବୈଶିଷ୍ଟ୍ୟ, ତା’ର ଇତିହାସର ମହିମାନ୍ୱିତ ଦିଗ ସମ୍ପର୍କରେ ସଚେତନ କରି, ବାଞ୍ଛିତ କର୍ମପ୍ରବଣତାରେ ଜାତୀୟ ଆଶା-ଆକାଙ୍‌କ୍ଷାର ପ୍ରତିକୃତି ପ୍ରକଟନ ପାଇଁ, ସ୍ୱାଧୀନତାର ପରବର୍ତ୍ତୀକାଳରେ ସାହିତ୍ୟ ମାଧ୍ୟମରେ ଯେଉଁ ସଦୁଦ୍ୟମ ହୋଇଛି, ତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ହେଉଛି କାଳିନ୍ଦୀଚରଣଙ୍କ ପ୍ରବନ୍ଧ । ତାଙ୍କ ପ୍ରବନ୍ଧ ଭିତରେ ବେଳେ ବେଳେ ମନେହୁଏ, ସତେ ଯେପରି ତାଙ୍କ ସୃଷ୍ଟିରେ ଜାତିର ଅନ୍ତରାତ୍ମା କଥା କହିଛି । ଗାନ୍ଧିଜୀଙ୍କ ଯଥାର୍ଥ ଦାୟାଦ ହେବାପାଇଁ ଭାରତବାସୀଙ୍କ ଭିତରେ ଗଭୀର ଦାୟିତ୍ୱବୋଧ ଅପରିହାର୍ଯ୍ୟ ବୋଲି ଲେଖକ ଦେଶବାସୀଙ୍କୁ ସଚେତନ କରିଛନ୍ତି....‘‘କେବଳ ରକ୍ତହୀନ ଯୁଦ୍ଧ ଓ ରକ୍ତହୀନ ବିପ୍ଳବର ନିଶାଣ ଧରି ସବୁରି ଊର୍ଦ୍ଧ୍ୱରେ ଭାରତବର୍ଷ ଠିଆ ହୋଇଛି ମଣିଷ ଜାତିର ହଜାର ହଜାର ବର୍ଷର ଇତିହାସକୁ ଉପହାସ କରି । ନବ ଭାରତର ସର୍ବଶ୍ରେଷ୍ଠ ଭାସ୍କର, ସବୁଠାରୁ ବଡ଼ ବିନ୍ଧାଣୀ ଗାନ୍ଧିଜୀ ।’’ ପୁଣି...‘‘ଗାନ୍ଧିଜୀବନଠାରୁ ଗାନ୍ଧି-ମରଣ ଅଳ୍ପ ଗୌରବମୟ ହୋଇ ନାହିଁ । ଗାନ୍ଧିଜୀବନର ଆଲୋକ ପ୍ରଧାନତଃ ଭାରତକୁ ଆଲୋକିତ କରୁଥିଲା । ଗାନ୍ଧିମରଣ ଆଜି ସମଗ୍ର ପୃଥିବୀକୁ ପ୍ରତିଭାତ କଲା-। ସେ ଆଲୋକକୁ ଅଧିକ ସମୟ ଓ ଉଚ୍ଚ୍ୱଳତର କରିବାର ଭାର କୋଟି କୋଟି ଗାନ୍ଧି ଦାୟାଦଙ୍କ ହାତରେ ଉତ୍ତରାଧିକାର ସୂତ୍ରେ ନ୍ୟସ୍ତ ରହିଲା (୨୦) ।’’

 

(୨୦)

‘ଉତ୍ତରାଧିକାର; ନେତୃତ୍ୱ ଓ ନେତୃତ୍ୱ ।

 

କାଳିନ୍ଦୀଚରଣଙ୍କ ଗଦ୍ୟଶୈଳୀ ସ୍ୱକୀୟତାର ମାଧୁରୀରେ ଭରା । ସେ କେତେବେଳେ ଗମ୍ଭୀର ଭାବର ରୂପାୟନ ପାଇଁ ଗମ୍ଭୀର ଭାଷାର ପ୍ରୟୋଗ କଲାବେଳେ, କେତେବେଳେ ବର୍ଣ୍ଣନୀୟ ବିଷୟକୁ ହୃଦ୍ୟ କରିବା ନିମିତ୍ତ ଲଳିତ ଭାଷାର ପ୍ରୟୋଗ କରିଛନ୍ତି । ବର୍ଣ୍ଣନୀୟ ବା ଆଲୋଚ୍ୟ ବିଷୟକୁ ଆକର୍ଷଣୀୟ ରୂପେ ଉପସ୍ଥାପନ କରିବାର ନିପୁଣତା ତାଙ୍କର ରହିଛି । ତାଙ୍କ ପ୍ରବନ୍ଧରେ ଆମେ ଗଭୀର ଚିନ୍ତାଶୀଳତାର ପରିଚୟ ପାଇବା ସଙ୍ଗେ ସଙ୍ଗେ ତାଙ୍କ ବ୍ୟକ୍ତିତ୍ୱର ମଧୁର ସ୍ପର୍ଶ ମଧ୍ୟ ପାଇଥାଉ ।

 

ସ୍ୱାଧୀନତାର ପରବର୍ତ୍ତୀ କାଳରେ ବହୁ ପ୍ରାବନ୍ଧିକ ଆମ ପ୍ରବନ୍ଧ ସାହିତ୍ୟକୁ ବିଭିନ୍ନ ଭାବରେ ସମୃଦ୍ଧ କରିବା ପାଇଁ ପ୍ରୟାସ କରିଛନ୍ତି । ଏମାନଙ୍କ ଭିତରୁ ହୁଏତ କେତେକେ ଏହା ପୂର୍ବରୁ ବିଭିନ୍ନ ପତ୍ର-ପତ୍ରିକାରେ କେତେକ ପ୍ରବନ୍ଧ ପ୍ରକାଶ କରିଛନ୍ତି, କିନ୍ତୁ ଆଲୋଚ୍ୟ ସମୟ ପରିଧି ଭିତରେ ହିଁ ସେମାନେ ପ୍ରତିଷ୍ଠା ଅର୍ଜ୍ଜନ କରିଅଛନ୍ତି । ସେମାନଙ୍କ ସାହିତ୍ୟର ମୂଲ୍ୟାୟନ କାଳରେ ଆମକୁ ସମୟର ପ୍ରାଣସ୍ପନ୍ଦନ ସହିତ ପରିଚିତ ହେବାକୁ ପଡ଼ିବ । ସ୍ୱାଧୀନତା ପ୍ରାପ୍ତି ପରେ ଏ ଦେଶର ସମାଜ ଜୀବନ, ଜାତୀୟ ଜୀବନ, ଓ ସାଂସ୍କୃତିକ ଜୀବନର ବିଭିନ୍ନ ପ୍ରବୃତ୍ତି ଓ ବିଭିନ୍ନ ଭାବସତ୍ତାର ଅନୁଧ୍ୟାନ ତେଣୁ ଏକାନ୍ତ କାମ୍ୟ ।

 

ସ୍ୱାଧୀନତାର ପରବର୍ତ୍ତୀ ପ୍ରବନ୍ଧ ସାହିତ୍ୟର କେତୋଟି ବିଶିଷ୍ଟ ଭାବସତ୍ତା

ସ୍ୱାଧୀନତା ପ୍ରାପ୍ତି ପରେ ଆମ ଦେଶର ରାଜନୈତିକ ଜୀବନର ରଙ୍ଗ ବଦଳି ଯାଇଛି । ଅର୍ଥନୈତିକ ବୈଷମ୍ୟ ଦୂରୀକରଣ ପାଇଁ ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ସକାଶେ ପ୍ରୟାସ ହୋଇଛି । ଶିକ୍ଷାର କ୍ରମ ପ୍ରସାର ଘଟିଛି । ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଦେଶର ସାମୂହିକ କଲ୍ୟାଣସାଧନ ପାଇଁ ପ୍ରଚେଷ୍ଟା ଚାଲିଛି । ମାତ୍ର ସ୍ୱାଧୀନତା ପରେ ଏ ଦେଶର ଜନଗଣ ନିଜର ଦାୟିତ୍ୱବୋଧ ସମ୍ପର୍କରେ ବହୁ ସମୟରେ ବାଞ୍ଛିତ ସଚେତନତାର ପରିଚୟ ଦେଉ ନ ଥିବାରୁ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିବିଧ ସମସ୍ୟା ସ୍ୱତଃ ମଥା ଟେକୁଛି । ଆମର ବସ୍ତୁନିଷ୍ଠ ପ୍ରବନ୍ଧରେ ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋକପାତ କରାଯାଇଛି । ଦେଶର ରାଜନୈତିକ ବିଚାରଧାରାର ସ୍ୱରୂପ ପ୍ରକୃତି ଆଲୋଚ୍ୟ ସମୟର ପ୍ରବନ୍ଧରେ ଫୁଟି ଉଠିଛି ।

 

ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ନିର୍ମାଣ ଯୁଗର ସୂତ୍ରପାତ । ଦୀର୍ଘ ପରାଧୀନତା ଭିତରେ ଦେଶ ଅନେକ କିଛି ହରାଇଛି । ସ୍ୱାଧୀନତା ପରେ ଜାତିକୁ, ଦେଶକୁ ଗଢ଼ିବାର ଅଭୀପ୍‌ସା କେବଳ ରାଜନୈତିକ ନେତାମାନଙ୍କଠାରେ ଯେ ପ୍ରକାଶିତ ହୋଇଛି ତା ନୁହେଁ, ଏ ଦେଶର ଲେଖକର ମନରେ ମଧ୍ୟ ଏହି ଅଭୀପ୍‌ସାର ଉନ୍ମେଷ ଘଟିଛି । ଆମ ପ୍ରାବନ୍ଧିକମାନେ ଜାତୀୟ ସ୍ୱାଭିମାନଙ୍କୁ ଜାତିର ପ୍ରାଣରେ ସଓ୍ୟାରିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଅଛନ୍ତି । ଏହି ପର୍ଯ୍ୟାୟରେ ଏ ଦେଶର ଧର୍ମ, ସଭ୍ୟତା, ସଂସ୍କୃତିର ମହତ୍ତ୍ୱ ଓ ବୈଶିଷ୍ଟ୍ୟର ପରିଚୟ ଦେଇ ଆମ ପ୍ରାବନ୍ଧିକମାନେ ଜାତୀୟ ସ୍ୱାଭିମାନର ପରିଚୟ ଦେବା ସଙ୍ଗେ ସଙ୍ଗେ ପରିବର୍ତ୍ତିତ ପରିବେଶରେ ଏ ଯୁଗରେ ସଭ୍ୟତା ଓ ସଂସ୍କୃତିର ଅବକ୍ଷୟର ଚିତ୍ର ପ୍ରଦାନ କରି ସଂସ୍କାର ଲିପ୍‌ସାର ସଙ୍କେତ ପ୍ରଦାନ କରିଛନ୍ତି । ଦେଶର ଏହ ନିର୍ମାଣଯୁଗରେ ରାଜନୈତିକ ନେତାମାନଙ୍କ ଅପେକ୍ଷା ସାହିତ୍ୟିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଷ୍ଟିମେୟ ଲେଖକ ହୁଅନ୍ତୁ ପଛକେ, ଏ ସମ୍ପର୍କରେ ସଚେତନତା, ଏ ଦେଶର ପ୍ରାବନ୍ଧିକଙ୍କର ରହିଛି । ଏ ଦେଶର ଜୀବନଧାରା ଓ ଶିକ୍ଷାପ୍ରଣାଳୀ ଏଯାବତ୍‌ ବାଞ୍ଛିତ ଦିଗ୍‌ଦର୍ଶନ ପାଇ ପାରି ନ ଥିବାରୁ କେବଳ ଲୁହ ଝରାଇ ବା କେତେକଙ୍କୁ ସମାଲୋଚନା କରି କିଛି ଲାଭ ନାହିଁ । ସେଥିପାଇଁ ନୀରବ ବିପ୍ଳବ ହିଁ କାମ୍ୟ । ଗଭୀର ଆଶାବାଦ ନେଇ ଏହି ଯୁଗର ମଣିଷକୁ ସେଥିପାଇଁ ଆଗେଇବାକୁ ପଡ଼ିବ । ଏଥିପାଇଁ ଆମ ସାହିତ୍ୟ ବଳିଷ୍ଠ ଜୀବନ ଚେତନା ଓ ଗଭୀର ଆଶାବାଦ ପ୍ରତିକୂଳତା ଭିତରେ ମଧ୍ୟ ସମ୍ଭାବନାର ସ୍ୱପ୍ନ ଆମ ମନରେ ସୃଷ୍ଟି କରିଛି...... ‘‘ତଥାପି ଜୀବନ ବଦଳିବ, ତଥାପି ଏହି ଦେଶ ବଦଳିବ, ତଥାପି ଏହି ଦେଶରେ ଶିକ୍ଷା ମଧ୍ୟ ବଦଳିବ । ମରଣ ଓ ମରଣଗ୍ରାହୀ ସକଳ ବାର୍ଦ୍ଧକ୍ୟ ଓ ଭୀରୁତା ସତ୍ତ୍ୱେ ତଥାପି ଜୀବନହିଁ ଜିତିବ । ଜୀବନଧର୍ମୀ ମଣିଷହିଁ ଜିତିବ । ସଂଖ୍ୟାଲଘୁ ହେଲେ ମଧ୍ୟ ଏହି ମଣିଷହିଁ ଜୀବନକୁ ବଦଳାଇବ (୨୧) ।

 

(୨୧)

ମୋର ଯାହା କହିବାର ଥିଲା (ଜୀବନ ବିଦ୍ୟାଳୟ : ଦ୍ୱିତୀୟ ଖଣ୍ଡ-ଲେ. ଶ୍ରୀ ଚିତ୍ତରଞ୍ଜନ ଦାସ, ପ୍ରଥମ ସଂସ୍କରଣ)

 

ଆଲୋଚ୍ୟ ସମୟ ପରିଧିରେ ଇତିହାସ, ଅର୍ଥନୀତି, ବିଜ୍ଞାନ ପ୍ରଭୃତିକୁ କେନ୍ଦ୍ର କରି ବହୁ ବସ୍ତୁ ନିଷ୍ଠ ପ୍ରବନ୍ଧ ରଚିତ ହୋଇଛି । ପୁଣି ଜାତୀୟ ଚେତନା ଏବଂ ଆନ୍ତର୍ଜାତିକ ବିବିଧ ଚେତନା ଆମ ପ୍ରବନ୍ଧ ସାହିତ୍ୟର କଥାବସ୍ତୁରେ ବାଙ୍‌ମୟ ରୂପ ଲାଭ କରିଛି । ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ନିଃସନ୍ଦେହରେ ଓଡ଼ିଆ ବ୍ୟକ୍ତିନିଷ୍ଠ ପ୍ରବନ୍ଧର ଉଲ୍ଲେଖଯୋଗ୍ୟ ବିକାଶ ଘଟିଛି ଏବଂ ଏ ଦିଗରୁ ଭାରତର ଅନ୍ୟାନ୍ୟ ପ୍ରଦେଶର ରମ୍ୟ ରଚନା ସହିତ ଓଡ଼ିଆ ରମ୍ୟ ରଚନା ତାର ଗୁଣାତ୍ମକ ବିଭବରେ ସଫଳ ପ୍ରତିଦ୍ୱନ୍ଦିତା ପାଇଁ ଉପଯୁକ୍ତ ହୋଇପାରିଛି ।

 

ଆଲୋଚ୍ୟ କାଳର ପ୍ରବନ୍ଧ ସାହିତ୍ୟର କେତୋଟି

ବିଶିଷ୍ଟ ପ୍ରତିଭାର ସାଧନା ଓ ସିଦ୍ଧି

 

ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କଥାବସ୍ତୁ ଦୃଷ୍ଟିରୁ ବିଚିତ୍ରବର୍ଣ୍ଣା । ଚିନ୍ତାଶୀଳ ପ୍ରବନ୍ଧ ରଚନାରେ ଏହି ସମୟରେ ଯେଉଁମାନେ ଉଜ୍ଜ୍ୱଳ ସିଦ୍ଧିର ପରିଚୟ ଦେଇ ଅଛନ୍ତି, ସେମାନଙ୍କ ମଧ୍ୟରେ କାଳିଆ ପାଣିଗ୍ରାହୀ ଅନ୍ୟତମ । ତାଙ୍କ ପ୍ରବନ୍ଧ ସଂକଳନ ‘ଚିନ୍ତାଧାରା’ (୧୯୫୪) ଏହାର ପରିଚୟ (୨୨) । ପୁରାଣର କଥାବସ୍ତୁକୁ ବିଜ୍ଞାନ ସମ୍ମତ ବିଚାରଧାରାରେ ବିଶ୍ଳେଷଣ କରି ସେଥିରୁ ବୈଜ୍ଞାନିକ ସତ୍ୟର ଆବିଷ୍କାର ଏବଂ ତା’ର ପ୍ରତିଷ୍ଠା ପାଇଁ ତାଙ୍କର ଆନ୍ତରିକତା କେତେକ ପ୍ରବନ୍ଧରେ ଦେଖିବାକୁ ମିଳେ ।

 

(୨୨)

‘‘ସାମୟିକ ଚିନ୍ତା ପ୍ରସୂତ ଏହି କେତୋଟି ପ୍ରବନ୍ଧ ‘ଚିନ୍ତାଧାରା’ ରୂପେ ପ୍ରକାଶ ପାଇବା ଦେଖି ମୁଁ ଆନନ୍ଦିତ । ଏହି ପ୍ରବନ୍ଧ ଗୁଡ଼ିକ ବିଭିନ୍ନ ସମୟରେ ଓଡ଼ିଶାର କେତେକ ବିଶିଷ୍ଟ ମାସିକ ପତ୍ରିକାରେ ପ୍ରକାଶ ପାଇଥିଲା । ଯଥା-ଝଙ୍କାର, ଭଞ୍ଜପ୍ରଦୀପ ଓ ସହକାର । ଆଉ ଥରେ ଲେଖିବାବେଳେ ସେଗୁଡ଼ିକର ସାମାନ୍ୟ ପରିବର୍ତ୍ତନ କରାଯାଇଛି ।’’-ପୁସ୍ତକ ପରିଚୟ (ଚିନ୍ତାଧାରା) ।

 

ଡକ୍ଟର ମହତାବ ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଏକ ବିଶିଷ୍ଟ ସ୍ରଷ୍ଟା । ଭାରତର ମୁକ୍ତି ସଂଗ୍ରାମର ଏହି ବରେଣ୍ୟ ଯୋଦ୍ଧା, ଭାରତର ସ୍ୱାଧୀନତାଲାଭ ପରେ ନିଜର ରାଜନୈତିକ ଜୀବନାଦର୍ଶ ଓ ଦୃଷ୍ଟିକୋଣରୁ ନିଜ ପ୍ରବନ୍ଧ ଭିତରେ ରୂପାୟିତ କରଛନ୍ତି । ଏହି ପର୍ୟ୍ୟାୟରେ ଗାନ୍ଧିବାଦ ସମ୍ପର୍କିତ ନିଜର ପ୍ରତୀତିକୁ ସେ ନିଜ କୃତିରେ ପ୍ରକଟିତ କରିଛନ୍ତି । ଏ ପ୍ରସଙ୍ଗରେ ତାଙ୍କର ‘ଗାନ୍ଧିଧର୍ମ’ (୨୩), ‘ଅହିଂସାର ଉପଯୋଗ’ (୨୪), ‘ଗାନ୍ଧିଜୀ ଓ ବିନୋବା ନୀତି’ (୨୫) ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଏ ସକଳ ପ୍ରବନ୍ଧରେ ତାଙ୍କ ଜୀବନର ଅନୁଭବ ସଂଜାତ ବିଚାରଧାରାହିଁ ବିଶେଷ ଆକର୍ଷଣ ।

 

(୨୩)

ଝଙ୍କାର-୧।୧୦

(୨୪)

ଝଙ୍କାର-୨।୧

(୨୫)

ଝଙ୍କାର-୫।୬

 

ଡକ୍ଟର ମହାତାବ ସମାଜ ଓ ସଂସ୍କୃତି ସଚେତନ ଲେଖକ । ‘ତାଙ୍କର ଭାରତୀୟ ସଂସ୍କୃତି’ (୨୬), ‘ବର୍ଣ୍ଣାଶ୍ରମ ବା ଜାତିପ୍ରଥା’ (୨୭), ‘ବର୍ଣ୍ଣାଶ୍ରମ ଓ ଭାରତ’ (୨୮), ‘ଭାଗବତ ଓ ଜନତା (୨୯), ‘ଗୀତା ଓ ଜନତା’ (୩୦) ପ୍ରଭୃତି ପ୍ରବନ୍ଧ ଏହି ସତ୍ୟର ସଙ୍କେତ । ସାମାଜିକ ଜୀବନକୁ ଗତିଶୀଳ କରିବା ପାଇଁ ଲେଖକ ‘ଭାଗବତ ଓ ଜନତା’ ପ୍ରବନ୍ଧରେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ତାଙ୍କର ବୈପ୍ଳବିକ ଦୃଷ୍ଟିଭଙ୍ଗୀର ସଙ୍କେତ...‘‘ବର୍ଣ୍ଣଭେଦକୁ କୁଳ ସମ୍ପର୍କରୁ ବିଚ୍ଛିନ୍ନ କରିଦେବାକୁ ହେବ-। ତା’ ପରେ ବର୍ଣ୍ଣ-ବର୍ଣ୍ଣ ମଧ୍ୟରେ ପ୍ରାଚୀର ରହିବ ନାହିଁ, କି ଧର୍ମ-ଧର୍ମ ଭିତରେ ପ୍ରତିବନ୍ଧକ କିଛି ରହିବ ନାହିଁ । ଏହି ବ୍ୟାଖ୍ୟାନୁସାରେ ହିନ୍ଦୁ ଧର୍ମର କର୍ମସିଦ୍ଧାନ୍ତ ପୂର୍ବପରି ରହିବ, ମାତ୍ର ହିନ୍ଦୁ ସମାଜ ଆଧୁନିକ ଯୁଗରେ ଗତିଶୀଳ ହେବ ।’’ ଡକ୍ଟର ମହତାବଙ୍କ ପ୍ରବନ୍ଧର ମୂଲ୍ୟାୟନ କାଳରେ ଉଲ୍ଲେଖଯୋଗ୍ୟ ଯେ, ବହୁ ସମୟରେ ତାଙ୍କ ଚିନ୍ତାଧାରା ପାରମ୍ପରିକ ବିଚାରଧାରାର ବିକଳ ପ୍ରତିବିମ୍ବ ନୁହେଁ । ଯୁଗ ଯୁଗର ବିଶ୍ୱାସରେ ସେ ଆତ୍ମାବିସ୍ମୃତ ନ ହୋଇ ନିଜସ୍ୱ ଦୃଷ୍ଟିକୋଣରେ ପ୍ରତ୍ୟେକ ବିଷୟରେ ଅନୁଧ୍ୟାନ କରିଥାନ୍ତି । ଏହି ଅନୁଧ୍ୟାନ ଫଳରେ ଯାହା ସତ୍ୟ ବୋଲି ତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟି ହୁଏ ତାହା ଯେତେ ନିଷ୍ଠୁର ଓ ଅପ୍ରିୟ ହେଲେ ସୁଦ୍ଧା ପ୍ରକାଶ କରିବାକୁ ସେ କୁଣ୍ଠିତ ହୁଅନ୍ତି ନାହିଁ । ‘ଭାଗବତ ଓ ଜନତା’ ପ୍ରବନ୍ଧରେ ସେ ନିର୍ଭୀକ ଭାବରେ ଅକୁଣ୍ଠିତ ଚିତ୍ତରେ ତେଣୁ ଲେଖି ପାରିଛନ୍ତି...‘‘କଳିଯୁଗକୁ ସତ୍ୟ ଯୁଗରେ ପରିଣତ କରିବ ଏଇ ମନୁଷ୍ୟ । ସେଥିପାଇଁ ଅଶ୍ୱାରୋହଣ କରି ଆସି କଳ୍‌କି ଅବତାରକଙ୍କୁ କାହାରିକୁ ନାଶ କରିବାକୁ ହେବ ନାହିଁ । ଈଶ୍ୱରଙ୍କରଠାରେ ବିଶ୍ୱାସ ରଖି କର୍ମନିରତ ରହିଲେ କଳି ମାନେ ଅପସରି ଯିବେ । ଦ୍ୱାଦଶ ସ୍କନ୍ଧରେ କଳି ସମ୍ବନ୍ଧୀୟ ଭବିଷ୍ୟତବାଣୀ ଜନସାଧାରଣଙ୍କ ମନରେ ଆତଙ୍କ ଓ ବର୍ତ୍ତମାନ ପ୍ରତି ଅବିଶ୍ୱାସ ସୃଷ୍ଟି କରିବାରେ ବହୁ ପରିମାଣରେ ଦାୟୀ । ପ୍ରଥମତଃ ମାୟାବାଦ, ମାୟାବାଦ ଲୋକଙ୍କୁ ଜୀବନ ପ୍ରତି ବୀତସ୍ପୃହ କରୁଛି । ଦ୍ୱିତୀୟତଃ କଳିଯୁଗ ସମ୍ୱନ୍ଧରେ ବର୍ଣ୍ଣନା-ଏଥିରେ ଜନସାଧାରଣଙ୍କ ସାହସ ଓ ଧୈର୍ଯ୍ୟର ଚ୍ୟୁତି ଘଟୁଛି । ଏ ଚ୍ୟୁତିକୁ କେବଳ ସଂକୀର୍ତ୍ତନ ପୂରଣ କରିପାରିବ ନାହିଁ । ଏହି ଦୃଷ୍ଟିରୁ ବ୍ୟକ୍ତି ଓ ସମାଜର କ୍ରମୋନ୍ନତି ପଥରେ ଶ୍ରୀମଦ ଭାଗବତ ସହାୟକ ନୁହେଁ ।’’ ଡକ୍ଟର ମହତାବଙ୍କର ଏହି ମତ ଯେ ସମସ୍ତଙ୍କ ପକ୍ଷରେ ଗ୍ରହଣୀୟ ହେବ ତା ନୁହଁ - ବରଂ ଏହା ଅନେକଙ୍କୁ ଚମକିତ କରିବ । ଏହା ସମସ୍ତଙ୍କୁ ପ୍ରଭାବିତ କରି ପାରିବ ନାହିଁ । ମାତ୍ର ଏଠାରେ ମୋର ବକ୍ତବ୍ୟ ହେଉଛି ନିଜର ବିଚାରଧାରାରେ ଲେଖକ ଯାହା ସତ୍ୟ ବୋଲି ମନେ କରିଛନ୍ତି ନିର୍ଭୀକ ଭାବରେ ତାହା ପ୍ରକାଶ କରିବାକୁ ଦ୍ୱିଧାବୋଧ କରିନାହାନ୍ତି ।

 

(୨୬)

ଝଙ୍କାର -୨।୩

(୨୭)

ଝଙ୍କାର -୭।୬

(୨୮)

ଝଙ୍କାର ୨୮।୪

(୨୯)

ଝଙ୍କାର ୨୮।୧୧

(୩୦)

ଝଙ୍କାର ୨୭।୧୦

 

ଶ୍ରୀ ଅରବିନ୍ଦଙ୍କ ଆଧ୍ୟାତ୍ମିକ ଚିନ୍ତାଧାରାପ୍ରତି ଡକ୍ଟର ମହାତାବଙ୍କ ଗଭୀର ଶ୍ରଦ୍ଧା ଓ ସମ୍ମାନ ତାଙ୍କର ‘ଶ୍ରୀ ଅରବିନ୍ଦ ଓ ସ୍ୱାଧୀନତା’ ଓ ଶ୍ରୀ ଅରବିନ୍ଦଙ୍କ ଆହ୍ୱାନ’ ପ୍ରବନ୍ଧ ଦ୍ୱୟରୁ ଉପଲବ୍‌ଧ ହୋଇଥାଏ । ତାଙ୍କ ଭାଷାରେ...‘‘ଏହା ସତ୍ୟ ଓ ଏହାହିଁ ଇତିହାସର ସାକ୍ଷ୍ୟ ଯେ, ମନୁଷ୍ୟର ସ୍ୱଭାବ ମନୁଷ୍ୟର ନିଜର ଆଧ୍ୟାତ୍ମିକ ଚେତନା ବିନା ପରିବର୍ତ୍ତନ ଓ ମାର୍ଜିତ ହୋଇ ପାରିବ ନାହିଁ । ଏହି ଆଧ୍ୟାତ୍ମିକ ଚେତନାର ଜାଗରଣ ପାଇଁ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ଆବଶ୍ୟକ । ସମାଜବାଦ ଦର୍ଶନରେ ବ୍ୟକ୍ତିଗତ ସମ୍ପତ୍ତିର ଲୋପ ଉପରେ ସବୁ ଜୋର ଦିଆଯାଇଛି । ଆଧ୍ୟାତ୍ମିକ ସାଧନାରେ ଶ୍ରୀ ଅରବିନ୍ଦ ମଧ୍ୟ ଏକ ଅପରିହାର୍ଯ୍ୟ ଅଙ୍ଗ । ଲୋପର ଲୋପ ଏ ଦୁଇଟି ଦର୍ଶନର ସାଧାରଣ ସାଧନା (୩୧) ।’’

 

(୩୧)

‘ଝଙ୍କାର’-୨୦।୫

 

‘ଗାଁ ମଜଲିସ’ ମାଧ୍ୟମରେ ଡକ୍ଟର ମହତାବ ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ନୂତନ ଧାରା ପ୍ରବର୍ତ୍ତନ କରିଛନ୍ତି । ନିଜ ପ୍ରତିଷ୍ଠିତ ‘ପ୍ରଜାତନ୍ତ୍ର’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ଏ ଦେଶର ରାଜନୀତି, ସମାଜ, ସଂସ୍କୃତି ପ୍ରଭୃତି ବିଭିନ୍ନ ବିଷୟରେ ସେ ବିଭିନ୍ନ ସମୟରେ ସେ ଯେଉଁ ସକଳ ଆଲୋଚନା ପ୍ରକାଶ କରୁଛନ୍ତି, ସେଗୁଡ଼ିକ ପରେପରେ ପୁସ୍ତକାକାରରେ ବିଭିନ୍ନ ଆଭିମୁଖ୍ୟ ଅନୁଯାୟୀ ବିଭିନ୍ନ ଖଣ୍ଡରେ ପ୍ରକାଶିତ ହେଉଛି । ଏ ଦେଶର ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଦେଶର ବିଭିନ୍ନ ସମସ୍ୟା ସହିତ ପରିଚିତ କରି ସେଗୁଡ଼ିକର ସମାଧାନ ସକାଶେ ଦିଗଦର୍ଶନ ଦେବା ଅଭୀପ୍‌ସାରେ ‘ଗାଁ ମଜଲିସ୍‌’ର ପରିକଳ୍ପନା । କିନ୍ତୁ ଏହାର ଲୋକପ୍ରିୟତା କେବଳ ଗ୍ରାମାଞ୍ଚଳର ଜନଗଣ ମଧ୍ୟରେ ସୀମିତ ହୋଇ ରହିନାହିଁ । ଦେଶର ଜଣେ ବିଶିଷ୍ଟ ରାଜନୈତିକ ନେତା ଓ ଚିନ୍ତାଶୀଳ ବ୍ୟକ୍ତି ବିଭିନ୍ନ ସମସ୍ୟାକୁ କେଉଁଭଳି ଦୃଷ୍ଟିରେ ଦେଖୁଅଛନ୍ତି ଏବଂ ସେ ସକଳର ସମାଧାନ କିଭଳି ଉପାୟରେ ସମ୍ଭବ ହେବ ବୋଲି ବିଚାର କରୁଛନ୍ତି, ତାହା ଜାଣିବା ପାଇଁ ଗଭୀର ଆଗ୍ରହ ସହକାରେ ସହରର ବୁଦ୍ଧିଜୀବୀ ସମ୍ପ୍ରଦାୟ ମଧ୍ୟ ‘ଗାଁ ମଜଲିସ’ ପଢ଼ିଥାନ୍ତି । ଲେଖକ ମଧ୍ୟ କ୍ରମେ ଚିନ୍ତା କରିଛନ୍ତି ଯେ, ଦେଶର ସକଳ ଯୁବକ ଯୁବତୀ ପାଇଁ ତାଙ୍କୁ ‘ଗାଁ ମଜଲିସ’ରେ ଲେଖିବାକୁ ପଡ଼ିବ (୩୨) । ଏହି ଆବଶ୍ୟକତା ଡକ୍ଟର ମହାତାବଙ୍କ ନିକଟରେ ଏକ ସାମାଜିକ ଦାୟିତ୍ୱବୋଧ ରୂପେ ଦେଖାଦେଇଛି ।

 

(୩୨)

‘‘ବହୁଦିନୁ ଭାବୁଛି, ଯୁବକ ଯୁବତୀ ଯେଉଁମାନଙ୍କ ବୟସ ପଚିଶ ବର୍ଷ ବା ତା’ଠାରୁ କମ୍‌, ସେହିମାନଙ୍କ ପାଇଁ କ୍ରମାନ୍ୱୟରେ କିଛି ଲେଖିବା ପାଇଁ । କାରଣ ସେମାନେ ଯେଉଁ ପରିସ୍ଥିତିରେ ସାବାଳକ ହୋଇ ଦୁନିଆକୁ ଦେଖୁଛନ୍ତି, ସେଥିରେ ସେମାନଙ୍କର ମନର ପ୍ରତିକ୍ରିୟା ସହଜରେ ଅନୁମାନ କରାଯାଇପାରେ’’-ବିରାଟ ପ୍ରତାରଣା, ପ୍ରଜାତନ୍ତ୍ର, ୧୦।୫।୧୯୬୪

 

ପ୍ରାରମ୍ଭିକ ଭାବରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଗାଁ ମଜଲିସ’ରେ ନୈତିକତା ଓ ଆଧ୍ୟାତ୍ମିକତା’ ପରି ଚିରନ୍ତନ ମୂଲ୍ୟବୋଧସମ୍ପନ୍ନ ଚିନ୍ତାଶୀଳ ଲେଖା ମଧ୍ୟ ଦେଖିବାକୁ ମିଳେ । (୩୩) । ପୁଣି ‘କିରାଣୀଙ୍କ ସମସ୍ୟା’ (୩୪), କାଗଜ ସମସ୍ୟା (୩୫) ଭଳି ଆଲୋଚନା ମଧ୍ୟ ରହିଛି । ଅଧିକାଂଶ ପ୍ରବନ୍ଧରେ ସାହିତ୍ୟିକ ମୂଲ୍ୟ ଅପେକ୍ଷା ସାମାଜିକ ଉପଯୋଗିତାହିଁ ଅଧିକ । ଅନାଗତ ଭବିଷ୍ୟତରେ ସ୍ୱାଧୀନତା ପରବର୍ତ୍ତୀ ଦେଶର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଜୀବନର ସମୀକ୍ଷା କାଳରେ ବା ଇତିହାସ ଲେଖିବା ସମୟରେ ‘ଗାଁ ମଜଲିସ’ ସମୀକ୍ଷକ ଓ ଐତିହାସିକଙ୍କୁ ବହୁ ମୂଲ୍ୟବାନ ଉପଜୀବ୍ୟ ଯେ ଯୋଗାଇ ପାରିବ, ଏଥିରେ ସନ୍ଦେହ ନାହିଁ ।

 

(୩୩)

‘‘ନୀତି ଓ ଆଧ୍ୟାତ୍ମିକତା ମଧ୍ୟରେ ପ୍ରଭେଦ ଏହି ଯେ ସମାଜର ସଙ୍ଗଠନ ପାଇଁ ନୀତି ଆବଶ୍ୟକ; କିନ୍ତୁ ମନୁଷ୍ୟର ସ୍ୱଭାବ ପରିବର୍ତ୍ତନ ପାଇଁ ଆଧ୍ୟାତ୍ମିକତା ଆବଶ୍ୟକ । ଗାନ୍ଧିଜୀଙ୍କ ସମସ୍ତ କାର୍ଯ୍ୟକ୍ରମ ସାମାଜିକ । ଯେଉଁ ନୀତିରେ ବ୍ୟକ୍ତି ନିଜକୁ ନିଜେ ପରିଚାଳନା କଲେ ସୁସ୍ଥ ସମାଜ ଗଠନ କରି ପାରିବ, ସେହି ନୀତିର ପ୍ରବର୍ତ୍ତନ କରିଥିଲେ । ଅବଶ୍ୟ ତାଙ୍କ ବିଚାରରେ ଭାରତୀୟ ସମାଜ ରହିଥିଲା । ଭାରତୀୟ ସମାଜର କି ସଂସ୍କାର ସାଧନ କଲେ, ସେ ସମାଜ ପରାଧୀନତାର ସମ୍ମୁଖୀନ ହୋଇ ପାରିବ, ଏହାହିଁ ଗାନ୍ଧିଜୀଙ୍କ ସମସ୍ତ କାର୍ଯ୍ୟକ୍ରମର ମୂଳଭିତ୍ତି । ଗାନ୍ଧିଜୀ ନିଜେ ଈଶ୍ୱରବିଶ୍ୱାସୀ ଥିଲେ ଏବଂ ତାଙ୍କ ଜୀବନର ଏକ ଅଙ୍ଗ ଥିଲା ପ୍ରାର୍ଥନା । କିନ୍ତୁ ସେ ଏହାକୁ ସାମାଜିକ ରାଜନୈତିକ କ୍ଷେତ୍ରରେ ବାଧ୍ୟତାମୂଳକ କରି ନ ଥିଲେ । ଏଥିରୁ ଅନୁମାନ କରାଯାଏ ଯେ, ସମାଜକୁ ନୂତନ ଭାବରେ ଗଠନ କରିବାପାଇଁ ଆଧ୍ୟାତ୍ମିକ ସାଧନା ଯେ ଅନିବାର୍ଯ୍ୟ, ଏହା ସେ ମନେ କରି ନଥିଲେ ।। ବାସ୍ତବିକ ସମାଜଗଠନ ସହିତ ଆଧ୍ୟାତ୍ମିକ ସାଧନାର ପ୍ରତ୍ୟେକ୍ଷ ସମ୍ପର୍କ ନାହିଁ । ଜଣେ ଈଶ୍ୱର ବିଶ୍ୱାସୀ ନ ହୋଇ ମଧ୍ୟ ସୁସ୍ଥ ସମାଜର ବ୍ୟକ୍ତି ହୋଇପାରେ ।’’ (ନୈତିକତା ଓ ଆଧ୍ୟାତ୍ମିକତା, ପ୍ରଜାତନ୍ତ୍ର, ୧୧।୮।୧୯୬୮)

(୩୪)

‘ପ୍ରଜାତନ୍ତ୍ର’-୧୦।୪।୧୯୭୭

(୩୫)

ପ୍ରଜାତନ୍ତ୍ର-୨୪।୨।୧୯୭୭

 

ଡକ୍ଟର ମହାତାବଙ୍କ ପ୍ରବନ୍ଧ ସାହିତ୍ୟର ମୂଲ୍ୟାୟନ କାଳରେ ତାଙ୍କ ଗଦ୍ୟଶୈଳୀ ଆମର ଦୃଷ୍ଟି ଆକର୍ଷଣ କରିଥାଏ । ଆଳଙ୍କାରିକତାର ବନ୍ଧନରୁ ମୁକ୍ତ ସରଳ, ସହଜ ଅଥଚ ସୁନ୍ଦର ଗଦ୍ୟ ଭାଷାରେ ନିଜ ଭାବର ଅଭିବ୍ୟକ୍ତି ପାଇଁ ସେ ସର୍ବତ୍ର ଉଦ୍ୟମ କରିଛନ୍ତି ।

 

ସ୍ୱାଧିନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ

ଦୀର୍ଘକାଳ ଧରି ଉତ୍କଳୀୟ ସଂସ୍କୃତି ତାର ବୈଶିଷ୍ଟ୍ୟକୁ ଅନାହତ ରଖି ପାରିଥିଲା । କିନ୍ତୁ ଅଧୁନା ଏହି ସଂସ୍କୃତିର ଭିତ୍ତି ଦୋଦୁଲ୍ୟମାନ । ଏହି ସଙ୍କଟ କାଳରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜାତିକୁ ନିଜସ୍ୱ ସଂସ୍କୃତି ସମ୍ପର୍କରେ ସଚେତନ କରିଛନ୍ତି । ସେ ମୁଖ୍ୟତଃ ଐତିହାସିକ । କିନ୍ତୁ ଏହାହିଁ ତାଙ୍କ ପରିଚୟର ପରିଧି ନୁହେଁ । ସେ ଯଥାର୍ଥରେ ଜଣେ ସଂସ୍କୃତି ପ୍ରାଣ ବ୍ୟକ୍ତିତ୍ୱ । ତାଙ୍କ ଜୀବନର ଏହି ଦିଗହିଁ ତାଙ୍କୁ ଉଦ୍‌ବୁଦ୍ଧ କରିଛି ଇତିହାସର ପୃଷ୍ଠାରୁ ଏ ଦେଶର ସଂସ୍କୃତିର ଯଥାର୍ଥ ସ୍ୱରୂପ ଅନୁଧ୍ୟାନ ପାଇଁ ଏବଂ ବିଭିନ୍ନ ପ୍ରବନ୍ଧ ଭିତରେ ସେହି ସଂସ୍କୃତିର ସାର୍ଥକ ପରିଚୟ ପ୍ରକଟ ନ କରିବା ପାଇଁ । ‘ଓଡ଼ିଆ ସଂସ୍କୃତିର ନବ କଳେବର’ ପ୍ରବନ୍ଧରେ ଉତ୍କଳୀୟ ସଂସ୍କୃତିର ପରିଚୟ; ତାର ବିଶିଷ୍ଟତାର ପରିଚୟ ଦେବା ସଙ୍ଗେ ସଙ୍ଗେ ସାମ୍ପ୍ରତିକ କାଳରେ ତାର ଭିତ୍ତି କିଭଳି ଦୋହଲିବାକୁ ଆରମ୍ଭ କରିଛି, ଲେଖକ ତାର ପରିଚୟ ଦେଇଛନ୍ତି । ସଂସ୍କୃତି ଗୋଟିଏ ଜାତିର ପରିଚୟ ପତ୍ର । ତେଣୁ ତାର ଭିତ୍ତି ଦୋଦୁଲ୍ୟମାନ ହେଲେ ଜାତିର ବୈଶିଷ୍ଟ୍ୟ ବିପର୍ଯ୍ୟସ୍ତ ହେବା ସ୍ୱାଭାବିକ । ବିଭନ୍ନ ଦେଶର ଇତିହାସରେ ଏହି ବିପର୍ଯ୍ୟୟର ଚିତ୍ର ସହିତ ପରିଚିତ ଐତିହାସିକ ଡକ୍ଟର ପାଣିଗ୍ରାହୀ ତେଣୁ ସଂସ୍କୃତିର ସଂଙ୍କଟକୁ ଜାତୀୟ ସଙ୍କଟ ମନେ କରି ଏହି ପ୍ରବନ୍ଧର ପରିକଳ୍ପନା କରିଛନ୍ତି ।

 

ଡକ୍ଟର ପାଣିଗ୍ରାହୀ ଭାରତୀୟ ସଂସ୍କୃତିର ମହିମା ପ୍ରଦର୍ଶନ କରିବାକୁ ଯାଇ ଲେଖିଛନ୍ତି....‘‘ଯେତେ ଦୂର ଜଣାଯାଏ, ଗଙ୍ଗରାଜତ୍ୱର ପ୍ରାରମ୍ଭ ଦ୍ୱାଦଶ ଶତାବ୍ଦୀର ପ୍ରଥମ ପାଦ ବେଳକୁ ଜଗନ୍ନାଥ କ୍ଷେତ୍ରରେ ସର୍ବଧର୍ମର ସମନ୍ୱୟ ପୂର୍ଣ୍ଣ ରୂପ ପ୍ରାପ୍ତ ହୋଇ ସାରିଥିଲା । ଏହି ସମନ୍ୱୟରେ ଶୈବ, ଶାକ୍ତ, ବୈଷ୍ଣବ, ସୌର, ଗାଣପତ୍ୟ ଇତ୍ୟାଦି ହିନ୍ଦୁ ଧର୍ମର ବିଭିନ୍ନ ଶାଖା ପ୍ରଶାଖା ସ୍ଥାନ ପାଇ ରହିଲେ । ତା’ଛଡ଼ା ଆଦିବାସୀମାନଙ୍କ ଧର୍ମ ଏହି ସମନ୍ୱୟରେ ସ୍ଥାନ ପାଇଥିବାର ପ୍ରମାଣ ସ୍ୱରୂପ ଦୟିତାପତିମାନେ ଶ୍ରୀମନ୍ଦିର ନିଯୋଗ ମଧ୍ୟରେ ରହିଲେ । ହିନ୍ଦୁଧର୍ମରୁ ଉଦ୍ଭୁତ, ମାତ୍ର ସ୍ୱତନ୍ତ୍ର ଧର୍ମ ରୂପେ ପ୍ରତିଷ୍ଠିତ ବୌଦ୍ଧ ଓ ଜୈନଧର୍ମର ପ୍ରଭାବ ଏହି ସମନ୍ୱୟରେ ରହିଛି । X X X ଆଦି ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଶ୍ରୀ ଚୈତନ୍ୟଙ୍କ ପର୍ଯ୍ୟନ୍ତ ବିଭିନ୍ନ ଯୁଗରେ ଯେଉଁ ସନ୍ଥମାନେ ମତବାଦ ପ୍ରଚାର କରିଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ପ୍ରତିନିଧି ପୁରୀରେ ମଠ ସ୍ଥାପନ କରି ରହିଲେ । ଯେଉଁ ଧର୍ମ ବା ଧର୍ମ ସଂସ୍ଥା ପ୍ରତିମା ପୂଜାରେ ବିଶ୍ୱାସ କରନ୍ତି ନାହିଁ, କେବଳ ସେମାନେ ହିଁ ଜଗନ୍ନାଥ ଧର୍ମର ପରିଧି ଭିତରେ ରହିଲେ ନାହିଁ । ସେମାନେ ହେଉଛନ୍ତି କବୀରପନ୍ଥୀ, ନାନକ ପନ୍ଥୀ, ବ୍ରାହ୍ମଧର୍ମୀ, ମହିମାଧର୍ମୀ, ଇସଲାମଧର୍ମୀ, ଓ ଖ୍ରୀଷ୍ଟଧର୍ମୀ । କିନ୍ତୁ ଓଡ଼ିଶାରେ ଇସଲାମ ଧର୍ମର ପ୍ରଭାବ ଏତେ ବ୍ୟାପକ ଓ ଏତେ ପ୍ରବଳ ଥିଲା ଯେ, ଏମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନଗଣ୍ୟ ସଂଖ୍ୟାଲଘୁ ଗୋଷ୍ଠୀ ହୋଇ ରହିଲେ (୩୬) ।’’

 

(୩୬)

ଓଡ଼ିଆ ସଂସ୍କୃତିର ନବ କଳେବରର(୧) [ପ୍ରବନ୍ଧ ମାନସ (୧୯୭୨) ପୃଷ୍ଠା ୧୦୩

 

ଅଧୁନା ମହାନ ଐତିହ୍ୟ ସମ୍ପନ୍ନ ଏହି ଜଗନ୍ନାଥ ସଂସ୍କୃତିର ଭିତ୍ତି କିପରି ଦୋଦୁଲ୍ୟମାନ ହୋଇ ଉଠିଛି ତା’ର ସୂଚନା ଦେବାକୁ ଯାଇ ଲେଖକ ଲେଖିଛନ୍ତି...‘‘ଜଗନ୍ନାଥ ଧର୍ମ ଏହିପରି ଗୋଟିଏ ମହାନ ଐତିହାସିକ ଶକ୍ତି ଏବଂ ଓଡ଼ିଆ ସଂସ୍କୃତି ଓ ସଂହତିର ଦୃଢ଼ତମ ସ୍ତମ୍ଭ । ଏହା ଦୋହଲିବାକୁ ଆରମ୍ଭ କରିଛି କିମ୍ୱା ପୂର୍ବ ପରି ରହିଛି, ତାହାହିଁ ବିଚାର୍ଯ୍ୟ । ବହୁ ଦିଗରୁ ବିଚାର କଲେ ଜଣାଯାଏ ଯେ, ଏହା ଦୋହଲିବାକୁ ଆରମ୍ଭ କରିଛି । ଭାରତର ବିଭିନ୍ନ ଅଞ୍ଚଳରୁ ସମସ୍ତ ପ୍ରକାର ଧର୍ମ ଓ ମତବାଦର ପ୍ରବେଶ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଉନ୍ମୁକ୍ତ ଥିଲା, କିନ୍ତୁ ଆସିବା ପରେ ସମସ୍ତେ ଜଗନ୍ନାଥ ସାଧନା ସ୍ୱୀକାର କରି ଜଗନ୍ନାଥ ଧର୍ମର ପରିଧି ମଧ୍ୟରେ ରହୁଥିଲେ । ବର୍ତ୍ତମାନ କିନ୍ତୁ ଏହି ପରମ୍ପରା ଭାଙ୍ଗି ପଡ଼ୁଛି । ହିନ୍ଦୁ ଧର୍ମରୁ ଶାଖା ରୂପେ ପରିଚିତ ବହୁ ମତବାଦ ଓଡ଼ିଶାରେ ବିକ୍ଷିପ୍ତ ଓ ବିଚ୍ଛିନ୍ନ ଭାବରେ ସ୍ୱ ସ୍ୱ ପ୍ରଚାରରେ ରତ ରହୁଛନ୍ତି ଏବଂ ସେମାନଙ୍କ ପ୍ରତି ସମର୍ଥନ ଓ ଉଚ୍ଛ୍ୱସିତ ପ୍ରଶଂସା ଓଡ଼ିଶାର ତୁଙ୍ଗ ନେତୃତ୍ୱରୁ ମିଳୁଛି (୩୭) ।’’
 

(୩୭)

ଓଡ଼ିଆ ସଂସ୍କୃତିର ନବ କଳେବର (୨) (ପ୍ରବନ୍ଧ ମାନସ - ପୃଷ୍ଠା ୧୦୫)

 

ସ୍ୱାଧୀନତା ପ୍ରାପ୍ତି ପରେ ଏ ଦେଶରେ ଆମେ ବୁଦ୍ଧିଜୀବୀ ଶ୍ରେଣୀର ଦୁଇଟି ଗୋଷ୍ଠୀ ଦେଖିବାକୁ ପାଉଁ-ଗୋଟିଏ ଗୋଷ୍ଠୀବାହ୍ୟତଃ ଦେଶ ଓ ଜାତି ପାଇଁ ସତ୍ତା ସତ୍ୱରେ ନିଜର ଆକୁଳତା ପ୍ରକାଶ କରୁଥିଲେ ହେଁ, କାର୍ଯ୍ୟତଃ ସେଥିପାଇଁ ନିଜ ଜୀବନରେ କୌଣସି ଆନ୍ତରିକତା ନାହିଁ । ଜୀବନରେ ସେଥିପାଇଁ କୌଣସି ମୂଲ୍ୟ ଦେବାକୁ ସେମାନେ ପ୍ରସ୍ତୁତ ନୁହନ୍ତି । ଆଉ ଏକ ଗୋଷ୍ଠୀ ନୀରବ ସାଧକ । ସେମାନଙ୍କର ଜାତୀୟ ସ୍ୱାଭିମାନକୁ ସେମାନେ ପ୍ରତିଫଳିତ କରିଛନ୍ତି ସ୍ୱଦେଶର ଇତିହାସ ଓ ପ୍ରତ୍ନତତ୍ତ୍ୱ ସମ୍ପର୍କିତ ଗବେଷଣାରେ, ଏ ଦେଶର ସଭ୍ୟତା ଓ ସଂସ୍କୃତିର ନବ ମୂଲ୍ୟାୟନ କରି ତାହାର ମହତ୍ତ୍ୱ ପ୍ରଦର୍ଶନରେ ଡକ୍‌ଟର ପାଣିଗ୍ରାହୀ ଏହି ଶେଷୋକ୍ତ ଗୋଷ୍ଠୀର । ଅପୂର୍ବ ଜାତୀୟ ପ୍ରୀତିରେ ଉଦ୍‌ବୁଦ୍ଧ ହୋଇ ଏହି ଜ୍ଞାନ ତପସ୍ୱୀ ଇତିହାସ, କିମ୍ବଦନ୍ତୀ, ସଭ୍ୟତା ଓ ସଂସ୍କୃତିର ଯଥାର୍ଥ ସ୍ୱରୂପ ପ୍ରକଟନ କରିବାକୁ ତପସ୍ୟା କରିଛନ୍ତି । ତାଙ୍କର ‘History of Orissa’ ‘ଇତିହାସ ଓ କିମ୍ବଦନ୍ତୀ’, ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର’ ପ୍ରଭୃତି ଏହି ତପସ୍ୟାର ସ୍ମରଣୀୟ ଅର୍ଘ୍ୟ । ସ୍ୱାଧୀନତା ପ୍ରାପ୍ତି ପରେ ଏ ଦେଶରେ ଜାତୀୟ ଜାଗରଣର ଯେଉଁ ନୂତନ ପର୍ବ ସୃଷ୍ଟି ହେଲା, ତାରି ଅନୁପ୍ରେରଣାରେ ଏ’ଦେଶର ଅତୀତର ଯଥାର୍ଥ ରୂପ ଅନୁଧ୍ୟାନ କରି ତାହାର ସାର୍ଥକ ଚିତ୍ର ସହ ଦେଶବାସୀଙ୍କୁ ପରିଚିତ କରିବାର ଅଭିପ୍‌ସାରେ ଯେଉଁମାନେ ଅନ୍ତରର ଅଦ୍ୟମ ପ୍ରେରଣାରେ ଗବେଷଣା କରିଛନ୍ତି ସେମାନଙ୍କ ମଧ୍ୟରେ ଡକ୍‌ଟର ପାଣିଗ୍ରାହୀଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଡଃ ପାଣିଗ୍ରାହୀଙ୍କ ବୈଶିଷ୍ଟ୍ୟ ହେଉଛି ତାଙ୍କର ଗବେଷଣାତ୍ମକ ନିବନ୍ଧ ତାଙ୍କ ପ୍ରକାଶ ନୈପୁଣ୍ୟରେ ସାହିତ୍ୟିକ ମୂଲ୍ୟ ଓ ମର୍ଯ୍ୟାଦାରେ ମଧ୍ୟ ବିଭବଶାଳୀ । ତାଙ୍କର ‘କୋଣାର୍କର ଅଶ୍ୱାରୋହୀ ମୂର୍ତ୍ତି’, ‘କୋଣାର୍କରେ କେତୋଟି ସମସ୍ୟା’, ଉତ୍କଳ ମନ୍ଦିରର ଶିଳ୍ପ ଇତିହାସରୁ ଅଧ୍ୟାୟେ’ ପ୍ରଭୃତି ବହୁ ପ୍ରବନ୍ଧର ଅନୁଶୀଳନ କଲେ ଏହି ଉକ୍ତିର ସତ୍ୟତା ଉପଲବ୍‌ଧ ହୁଏ । ଐତିହାସିକ ଗବେଷଣାର ପୃଷ୍ଠଭୂମିରେ ଅନେକତ୍ର ସେ କଳାର କୋଣାର୍କ ସୃଷ୍ଟି କରି ପାରିଛନ୍ତି । ଏହି ଦୃଷ୍ଟିରୁ ତାଙ୍କ ପ୍ରବନ୍ଧ ସାହିତ୍ୟ ଓଡ଼ିଆ ସାହିତ୍ୟରେ ବିଶେଷ ମର୍ଯ୍ୟାଦାର ଅଧିକାରୀ-। ତାଙ୍କର ବହୁ ପ୍ରବନ୍ଧରେ ଇତିହାସର ତଥ୍ୟ ଓ ସତ୍ୟ ସହିତ କବିର ହୃଦୟ ଓ ଭାବୁକତାର ମଣିଷ ଜ୍ଞାନ ସଂଯୋଗ ଘଟିଛି ।

 

ଡକ୍ଟର ପାଣିଗ୍ରାହୀଙ୍କ ପ୍ରବନ୍ଧର ମୂଲ୍ୟାଙ୍କନ କାଳରେ ଉଲ୍ଲେଖଯୋଗ୍ୟ ଯେ, ତାଙ୍କ ଲେଖକ ଜୀବନର ପ୍ରାରମ୍ଭ କବିତା ରଚନାରୁ (୩୮) । ତାରୁଣ୍ୟ କରିତାର ନିରାକାର ସତ୍ତା । ତରୁଣହିଁ କବିତାର ସାକାର ରୂପ । ପ୍ରତିଭାଶାଳୀ ତରୁଣ ନିଜ ଭିତରେ ପ୍ରକଟିତ କବିତାକୁ ବ୍ୟକ୍ତିମୟ ରୂପ ଦେଇଥାଏ । ପରିଣତ ଜୀବନରେ ଡକ୍‌ଟର ପାଣିଗ୍ରାହୀ କବିତା ରଚନାରୁ ବିରତ ହୋଇଥିଲେ ହେଁ, ତାଙ୍କ ଭିତରୁ କବିତା ଯେ ହଜିଯାଇନି, ତାର ସଙ୍କେତ ଆମେ ତାଙ୍କ ପ୍ରବନ୍ଧର କାବ୍ୟିକ ଭାଷା ଓ ପ୍ରବନ୍ଧରେ ପ୍ରକଟିତ ଭାବୁକତା ତଥା କବିତ୍ୱରୁ ଲକ୍ଷ୍ୟ କରିଥାଉଁ-

 

(୩୮)

‘‘ସେତେବେଳେ Ravenshaw vian ଛଡ଼ା କଲେଜ ଛାତ୍ରାବାସରୁ ଅନ୍ୟକୌଣସି ପତ୍ରିକା ପ୍ରକାଶିତ ହେଉ ନଥିଲା । ମାତ୍ର ପୂର୍ବ ଛାତ୍ରାବାସରେ ‘ପ୍ରାଚୀ ତାରା ସମିତି’ ନାମକ ଗୋଟିଏ ସାହିତ୍ୟ ସମିତି’ ଥିଲା ଏବଂ ଜାଗରଣ ନାମକ ଗୋଟିଏ ହାତଲେଖା ପତ୍ରିକା ବାହାରୁଥିଲା । ମୁଁ ଉଭୟ ସହିତ ସହଯୋଗ କରୁଥିଲି । ସମସ୍ତ ତରୁଣ ଯେପରି କବିତାପ୍ରତି ଆକୃଷ୍ଟ ହୋଇ ପ୍ରଥମେ କବିତା ଲେଖିଥାନ୍ତି; ମୁଁ ମଧ୍ୟ ସେହିପରି ପ୍ରଥମେ କବିତା ଲେଖୁଥିଲି, ମାତ୍ର ପରେ ପ୍ରବନ୍ଧ ଓ ଗବେଷଣାପ୍ରତି ମନୋନିବେଶ କଲି ।’’ ମୋ ସମୟର ଓଡ଼ିଶା-ଡ଼: କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପୃଷ୍ଠା ୨୭ ।

 

(କ)

‘‘ଏହି ରାଜରାଣୀ ଖାଲି ଗୋଟିଏ ପ୍ରସ୍ତରସ୍ତୂପ ନୁହେଁ । ଏହା ବିଜୟୀ କଳିଙ୍ଗ ଶିଳ୍ପୀର ଜୈତ୍ରରଥ । ଉତ୍‌ଥାନ-ପତନର ବନ୍ଧୁର ପଥରେ ଶିଳ୍ପୀର ବିଜୟଚକ୍ର ବହୁଦିନ ଗତି କରି ଏ ଜାତିର ପାପ-ପଙ୍କରେ ନିମଗ୍ନ ହୋଇ ଏହିଠାରେହିଁ ଗତିହତ ହୋଇ ରହିଗଲା । ଯେତେବେଳେ ଗୁଣ ଓ ଗୁଣୀର ସ୍ଥାନ ଚାତୁରୀ ଓ ଚାଟୁପଟୁ ଅଧିକାର କରି ବସିଲେ, ସେତେବେଳେ ମାନିନୀ ପ୍ରତିଭାରାଣୀ ମୁହଁ ମୋଡ଼ି ଦେଇ ବସିଗଲା । ରାଜରାଣୀ ପରେ ବହୁ ମନ୍ଦିର ନିର୍ମିତ ହେଲା X X X କିନ୍ତୁ ଏ ପ୍ରତିଭା ଆଉ ଫୁଟିଲା ନାହିଁ । X X ପ୍ରତିଭା ଅଭିମାନିନୀ, ସେ ସମସ୍ତ ଦୁଃଖ କଷ୍ଟ ମଧ୍ୟରେ ବଞ୍ଚିପାରେ, କିନ୍ତୁ ଆଦର ଓ ଆଶ୍ରୟ ବିନା ବଞ୍ଚିପାରେ ନାହିଁ ।’’ (୩୯)

 

 

(୩୯)

ରାଜରାଣୀ-ପ୍ରବନ୍ଧ ମାନସ ( ୧୯୭୨ ) - ପୃଷ୍ଠା ୨୦୩ ।

 

 

(ଖ)

‘‘ଏହି ବଂଶବନକୁ ବାୟୁ ହିଲ୍ଲୋଳରେ ଦୋହଲାଇ ଓ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରି, ଟଙ୍କିଳ ଅନୁଗୋଳ ପଥରେ କପିଳାସ ସ୍ପର୍ଶ କରି, ଉପକୂଳରେ ପହଞ୍ଚିବା ଆଗରୁ ଦୂରରୁ ସୌଧାବଳୀ ଦେଖି ଜାଣିବୁ ଯେ, ଏହି ସେହି କଟକ ଉତ୍କଳର ଉତ୍ତମାଙ୍ଗ । ଘନ ! ଏହି ଥିଲା ଦିନେ ଗର୍ବିତ ଗଜପତିର ରାଜଧାନୀ, ଆଉ ଏହିଠାରୁହିଁ ତାର ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୂର୍ଗାନ୍ତରକୁ ଗତି କରି ଚାଲିଥିଲା । ସ୍ମୃତି ପୂତ ବିଡ଼ାନାସି ଆଜି ମୃତ୍ତିକାରେ ଅବଲୁପ୍ତ । ମାତ୍ର ଲୁଣ୍ଠିତ ବାରବାଟିର ସ୍ଖଳିତପ୍ରସ୍ତରରେ ତା’ର ସ୍ମୃତି ଓ କୀର୍ତ୍ତି ଆଜିଯାଏ ଲାଗି ରହିଛି ଓ ମର୍କତ କେଶରୀର ମହାକୀର୍ତ୍ତି ଆଜିଯାଏ ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି ।(୪୦)

 

 

(୪୦)

ପୁଷ୍ପପୁରରେ ବର୍ଷାବରଣ (୧) ପ୍ରବନ୍ଧ ମାନସ-ପୃଷ୍ଠା ୧୫୬/୧୫୭

 

 

(ଗ)

ପୂର୍ବପରି ଆଜି ମଧ୍ୟ ଗନ୍ଧବତୀର ଜଳବେଣୀ ନଗରୀର ନିତମ୍ବରେ କାଞ୍ଚିପରି ବହିଚାଲିଛି; ପୂର୍ବପରି ଭାର୍ଗବୀ ପୁଳିନରୁ ‘ହଂସରାଳୀ’ ଉଡ଼ିଆସନ୍ତି, ବିନ୍ଦୁ ସରୋବରରେ ସନ୍ଧ୍ୟାଗମରେ ‘ସିନ୍ଦୂର ଲହରୀ’ ଖେଳେ ଓ ରଥାଙ୍ଗମିଥୁନ ଦ୍ୱୀପଖଣ୍ଡ ପାଖରେ ଖେଳନ୍ତି-। ନଗରୀଟି ପୂର୍ବପରି ‘କଟଜବନ ବେଷ୍ଟିତ’ ହୋଇଛି, ଏହାର ଉପକଣ୍ଠରେ ‘ନିର୍ମଳ ନିର୍ଝର’ ରହିଛି ଏବଂ ଚନ୍ଦ୍ରାଲୋକରେ ଲିଙ୍ଗରାଜ ନିକେତନ ‘ବାରୁଣୀ ତିଳକ’ ପ୍ରାୟ ଶୋଭାପାଏ (୪୧) ।’’

 

(୪୧)

ସ୍ୱର୍ଣ୍ଣଦ୍ରିରେ ସ୍ୱପ୍ନ-ପ୍ରବନ୍ଧମାନସ-ପୃଷ୍ଠା ୧୭୨/୧୭୩ ।

 

ଡକ୍ଟର ପାଣିଗ୍ରାହୀଙ୍କ ଏହି ଧରଣର ବର୍ଣ୍ଣନା ପଢ଼ିବାବେଳେ ମନେ ପଡ଼ନ୍ତି ବଙ୍ଗଳା ସମାଲୋଚକ ଶ୍ରୀଶଚନ୍ଦ୍ର ଦାସ । ଭାଗ୍ୟରେ ତାଙ୍କ ‘‘ସାହିତ୍ୟର ଯାହା ଚିରନ୍ତନ ଉଦ୍ଦେଶ୍ୟ ସୌନ୍ଦର୍ଯ୍ୟ ସୃଷ୍ଟି ଓ ଆନନ୍ଦ ଦାନ ତାହାହିଁ ପ୍ରବନ୍ଧର ଉଦ୍ଦେଶ୍ୟ ।(୪୨) ।’’ ଉକ୍ଟର ପାଣିଗ୍ରାହୀଙ୍କ ରଚନାର ଶୈଳୀ ଭିତରେ ତାଙ୍କର ବ୍ୟକ୍ତିତ୍ୱ ଫୁଟି ଉଠିଛି । K. R. Srinivasa Iyengar ଯଥାର୍ଥରେ ଲେଖିଛନ୍ତି : ''Literature is a social art, and 'style' is the echo, the reverberation, of the writer's or speaker's personality, and its success is to be measured by the fulnesss of response it evokes in the reader or hearer. (୪୩)’’

 

(୪୨)

ସାହିତ୍ୟ ସନ୍ଦର୍ଶନ-ଶ୍ରୀଶଚନ୍ଦ୍ର ଦାସ

(୪୩)

Introduction to the study of English Literature : page No. 260

(By K. R. Srinivash Iyengar & Premananda Kumar)

 

ସାମ୍ପ୍ରତିକ କାଳରେ ଓଡ଼ିଆ ଜାତିକୁ ତାର ସ୍ୱମହାନ୍‌ ଐିତିହ୍ୟ, ସଂସ୍କୃତି ଓ ଜାତୀୟ ମୂଲ୍ୟବୋଧ ସମ୍ପର୍କରେ ସଚେତନ କରିବା ପାଇଁ ପ୍ରବନ୍ଧ ମାଧ୍ୟମରେ ସଦୁଦ୍ୟମ ହୋଇଛି ଏହି ପର୍ଯ୍ୟାୟରେ ଡକଟର ପାଣିଗ୍ରାହୀଙ୍କପରି ଅନ୍ୟ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଆମର ଦୃଷ୍ଟି ଆକର୍ଷଣ କରିଥାନ୍ତି । ସେ ହେଉଛନ୍ତି ଶ୍ରୀ ସୁରେନ୍ଦ୍ର ମହାନ୍ତି ‘‘ଓଡ଼ିଆ ଜାତି ନିଜ ପାଖରେ ନିଜେ ଅପରିଚିତ ଥିବାରୁ,’’ ଓଡ଼ିଶାର ଲୋକେ ସେମାନଙ୍କର ଐତିହ୍ୟ, ସଂସ୍କୃତି ଓ ଜାତୀୟ ମୂଲ୍ୟବୋଧ ସମ୍ବନ୍ଧରେ ସଚେତନ’’ ନ ଥିବାରୁ କେବଳ କ୍ଷୋଭ ପ୍ରକାଶ କରି ସେ ସନ୍ତୁଷ୍ଟ ହୋଇନାହାନ୍ତି । ପକ୍ଷାନ୍ତରରେ ଜାତିକୁ ତାର ଐତିହ ଓ ସଂସ୍କୃତି ସମ୍ପର୍କରେ ସଚେତନ କରିବା ଅଭୀପ୍‌ସାରେ ଲେଖିଛନ୍ତି ‘ଉତ୍କଳ ଯୁଗେ ଯୁଗେ’ । ଏହି ଗ୍ରନ୍ଥରେ ଉପୋଦ୍‌ଘାତରେ ସେ ଲେଖିଛନ୍ତି.......‘‘କୋଣାର୍କ ଓ ଭୂବନେଶ୍ୱର ମନ୍ଦିର ଦେହର ଶିଉଳୀ ପରି ଆତ୍ମପ୍ରତ୍ୟୟହୀନ ଓଡ଼ିଆ ଜାତି ବହୁକାଳ କୋଣାର୍କ ଭୂବନେଶ୍ୱରକୁ ଅବଲମ୍ବନ କରି ବର୍ତ୍ତମାନର ଶତ ଆତ୍ମଗ୍ଳାନି ମଧ୍ୟରେ ବଞ୍ଚି ରହିଛି । ତା ଉପରେ ଆତ୍ମଶ୍ଳାଘାର ନୂଆପୁଟ ବୋଳିବା ମୋର ଉଦ୍ଦେଶ୍ୟ ନୁହେଁ । ତଥାପି ଏହା ସତ୍ତ୍ୱେ ଖାରବେଳଙ୍କ ଦିଗ୍‌ବିଜୟ ଭୁବନେଶ୍ୱରର ମନ୍ଦିର, ଶ୍ରୀ ଜଗନ୍ନାଥଙ୍କ ପରିକଳ୍ପନା, କପିଳେନ୍ଦ୍ରଙ୍କ ସାମ୍ରାଜ୍ୟ, ସାରଳାଙ୍କ ମହାଭାରତ, ପୁଣି ୧୮୦୪ ସାଲରେ ଅଶସ୍ତ୍ର ପାଇକମାନଙ୍କ ଯୁଦ୍ଧ, ଭାରତୀୟ ସଂସ୍କୃତି ସାଧନା ଓ ଇତିହାସର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଅଧ୍ୟାୟ । ଓଡ଼ିଶା ଇତିହାସର ବିଭିନ୍ନ ଯୁଗ ବା ଐତିହାସିକ କାଳର ଐତିହାସିକ ଓ ସାଂସ୍କୃତିକ ଚିତ୍ର, ଏଥିରେ ବିବରଣୀ, ଆଲୋଚନା ଓ କ୍ଷୁଦ୍ରଗଳ୍ପ ଆକାରରେ ବର୍ଣ୍ଣିତ ହୋଇଛି ’’ (୪୪)

 

(୪୪)

ଉପୋଦ୍‌ଘାତ-ପୃଷ୍ଠା ୩-୪ (ଉତ୍କଳ ଯୁଗେ ଯୁଗେ)

 

‘ଉତ୍କଳ ଯୁଗେ ଯୁଗେ’ (୧୯୫୯)ରେ ଯେଉଁ କେତୋଟି ଆଲୋଚନା ସନ୍ନିବିଷ୍ଟ ହୋଇଛି, ସେଗୁଡ଼ିକ ପ୍ରତ୍ୟେକଟି ଗୋଟିଏ ଗୋଟିଏ ପ୍ରଥମ ଶ୍ରେଣୀର ଆଲୋଚନା । ଏହି ପ୍ରବନ୍ଧ ଗୁଡ଼ିକର ମୂଲ୍ୟାଙ୍କନ କାଳରେ ଗଦ୍ୟ ସାହିତ୍ୟ ସମ୍ପର୍କରେ ଲେଖକଙ୍କର ନିଜସ୍ୱ ମନ୍ତବ୍ୟ ଉଲ୍ଲେଖ କରିବା ବୋଧହୁଏ ଅପ୍ରାସଙ୍ଗିକ ହେବ ନାହିଁ । ସେ ଲେଖିଛନ୍ତି.......‘‘କବିତା ଏକ ‘ଇମୋସନ୍‌’ ବା ଆବେଗ; କିନ୍ତୁ ଗଦ୍ୟ ହେଲା ହେତୁବାଦଯୁକ୍ତି, ତତ୍ତ୍ୱ ଓ ତଥ୍ୟର ସମାହାର । ତେଣୁ ଯେଉଁସବୁ ଆବେଗ ଆମ୍ଭମାନଙ୍କ ହୃଦୟର ସୂକ୍ଷ୍ମତମ ତନ୍ତ୍ରୀଗୁଡ଼ିକୁ ଦୋହଲାଇ ଦିଏ, ଗଦ୍ୟରେ ସେସବୁ ହୋଇ ଉଠେ ଖବରକାଗଜୀ ବିବୃତି ଅଥବା ସମ୍ପାଦକଙ୍କୁ ପତ୍ର । ସାର୍ବଜନୀନ ସାହିତ୍ୟ ସମାଜରେ ସେଥିପାଇଁ ଗଦ୍ୟ ତୁଳନାରେ କବିତା ଅଧିକ ସମ୍ଭ୍ରାନ୍ତ ଓ ଅଭିଜାତ । ତଥାପି ଇତିହାସରେ ଯେତେ ଯେତେ ବିରାଟ ବିପ୍ଳବ ରାଷ୍ଟ୍ରକ୍ଷେତ୍ରରେ ଅଥବା ଚିନ୍ତା ରାଜ୍ୟରେ ସଙ୍ଘଟିତ ହୋଇ ଆସିଅଛି, ଗଦ୍ୟହିଁ ହୋଇଛି ସେ ସବୁର ଧାରକ ଓ ବାହାକ ରବିନ୍ଦ୍ର ନାଥଙ୍କ କବିତା ଓ ଗାନ୍ଧିଙ୍କ ଗଦ୍ୟ ଆଲୋଚନା, କଲେ ଏହା ବେଶ ଜଣାପଡ଼ିବ । (୪୫) ।’’

 

(୪୫)

ସାହିତ୍ୟ ଓ ବିଦ୍ରୋହ : ‘କଳିଙ୍ଗ’ ୧।୯।୧୯୬୯

 

ନିଜେ ନିଜ ନିକଟରେ ଅପରିଚିତ ଥିବା ଜାତିକୁ ତାର ଐତିହ୍ୟ ଓ ସଂସ୍କୃତିର କଥା କହି ଚେତନାରେ ବାଞ୍ଛିତ ଆଲୋଡ଼ନ ସୃଷ୍ଟି କରିବା ଲକ୍ଷ୍ୟରେ ଶ୍ରୀ ମହାନ୍ତି ଗଦ୍ୟକୁ ଭାବ ଓ ଅଭୀପ୍‍ସାର ପ୍ରକାଶ ମାଧ୍ୟମ ରୂପେ ଗ୍ରହଣ କରିଅଛନ୍ତି । ‘ଶ୍ରୀଜଗନ୍ନାଥ’ ପ୍ରବନ୍ଧରେ ମାନବ ସଭ୍ୟତାକୁ ‘ଶ୍ରୀଜଗନ୍ନାଥ’ ଉତ୍କଳର ସର୍ବଶ୍ରେଷ୍ଠ ଅର୍ଘ୍ୟ ବୋଲି ସେ ମତବ୍ୟକ୍ତ କରିଛନ୍ତି । ପୁଣି....‘‘ଭାରତରେ ହିନ୍ଦୁ ସଂସ୍କୃତିର ସମନ୍ୱୟ ସାଧନାରେ ଶ୍ରୀଜଗନ୍ନାଥ ଓ ସେହି ସୂତ୍ରରେ ଉତ୍କଳର ଦାନ ଯଥାର୍ଥରେ ଅତୁଳନୀୟ (୪୬)।’’ ‘‘ଯେଉଁ ଐତିହାସିକ ପୃଷ୍ଠଭୂମି ଓ ସାଂସ୍କୃତିକ ପରିବେଶରେ ଉତ୍କଳରେ ସର୍ବଧର୍ମ ସମନ୍ୱୟର ପରମ ସଙ୍କେତ ମୈତ୍ରୀଦେବ ଜଗନ୍ନାଥ ପ୍ରତିଷ୍ଠିତ ହୋଇ ପାରିଲେ’’ ଆଲୋଚ୍ୟ ପ୍ରବନ୍ଧରେ ଶ୍ରୀ ମହାନ୍ତି ସେହି ଐତିହାସିକ ଓ ସାଂସ୍କୃତିକ ପଟ୍ଟଭୂମି ଉପରେ ଆଲୋକପାତ କରିଛନ୍ତି (୪୭) ।

 

(୪୬)

‘ଶ୍ରୀ ଜଗନ୍ନାଥ’-ଉତ୍କଳ ଯୁଗେ ଯୁଗେ, ପୃଷ୍ଠା ୫୦

(୪୭)

‘‘ହିନ୍ଦୁ ଭାରତର ଏ ଘୋର ବିପର୍ଯ୍ୟୟ ମଧ୍ୟରେ ଏକା ଉତ୍କଳ ହିଁ, ହିନ୍ଦୁ ସଂସ୍କୃତି ଓ ସଭ୍ୟତାର ପ୍ରାଣକେନ୍ଦ୍ର ରୂପେ ଅକ୍ଷତ ହୋଇ ତିଷ୍ଠି ରହି ପାରିଥିଲା । ମୁସଲମାନମାନଙ୍କର ବାରମ୍ବାର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ଉତ୍କଳ ସ୍ୱାଧୀନ ରହିଥିଲା । ଅନଙ୍ଗଭୀମ ଦେବ ଥରେ ଗୀୟାସୁଦ୍ଦିନଙ୍କୁ ସମ୍ଭବତଃ ଖ୍ରୀ.ଅ. ୧୨୯୦ରେ ପରାସ୍ତ କରିଥିଲେ । ଏହାପରେ ଦ୍ୱିତୀୟ ନରସିଂହଦେବଙ୍କ ରାଜତ୍ୱକାଳରେ ଉତ୍କଳ ପୁଣି ଆକ୍ରାନ୍ତ ହୋଇଥିଲା । ମାତ୍ର ମୁସଲମାନମାନେ, ଉତ୍କଳ ଅଧିକାର କରି ପାରିନଥିଲେ । ସମଗ୍ର ଭାରତବ୍ୟାପୀ ବୈଦେଶିକ ଆକ୍ରମଣ, ନିର୍ଯ୍ୟାତନା, ପୀଡ଼ନ ଓ ଆତ୍ମରକ୍ଷାର ଆର୍ତ୍ତନାଦ ଭିତରେ ଏକା ଉତ୍କଳହିଁ ହିନ୍ଦୁ ସ୍ୱାଧୀନତାର ଶେଷ ସୂର୍ଯ୍ୟ ରୂପେ ଭାରତର ତମସାକ୍ରାନ୍ତ ଆକାଶରେ ଉଦ୍ଦୀପ୍ତ ହୋଇ ରହିଥିଲା ମୁସଲମାନମାନଙ୍କର ଧର୍ମାନ୍ଧତା ଓ ଆକ୍ରମଣ, ଉତ୍କଳର ଦେବାଳୟମାନଙ୍କୁ ଧ୍ୱଂସ କରିବା ଦୂରର କଥା, ସ୍ପର୍ଶ ସୁଦ୍ଧା କରି ପାରିନଥିଲା । ଏହି ପରିସ୍ଥିତିରେ, ସମଗ୍ର ହିନ୍ଦୁ ଭାରତରେ ଏପରି ଏକ ଅନୁଷ୍ଠାନରର ଆବଶ୍ୟକତା ପଡ଼ିଥିଲା-ଯାହା କୌଣସି ଗୋଷ୍ଠୀ ବା ସମ୍ପ୍ରଦାୟର ଏକାନ୍ତ ନିଜସ୍ୱ ନୁହେଁ : ଜୈନ୍ୟ, ବୌଦ୍ଧ, ଶୈବ, ତାନ୍ତ୍ରିକ ପୁଣି ଶବରମାନଙ୍କଠାରୁ ଆରମ୍ଭ କରି ବ୍ରାହ୍ମଣ୍ୟ ଧର୍ମାବଲମ୍ବୀମାନଙ୍କ ପର୍ଯ୍ୟନ୍ତ ସବୁଧର୍ମ ଓ ମତବାଦ ଯେଉଁ ଅନୁଷ୍ଠାନକୁ ନିଜର ବୋଲି ଗ୍ରହଣ କରିପାରିବ, ଏହି ଐତିହାସିକ ପରିସ୍ଥିତିରେ ଉତ୍କଳ ସେହି ସମନ୍ୱୟ ସାଧନାର ପରମ ପୀଠରେ ପରିଣତ ହୋଇଥିଲା । ମୈତ୍ରୀଦେବ ଜଗନ୍ନାଥ ଥିଲେ ସେ ସମନ୍ୱୟର ସଙ୍କେତ ’

-ଉତ୍କଳ ଯୁଗେ ଯୁଗେ, ପୃଷ୍ଠା ୬୧।୬୨

 

‘‘ମୃତ୍ୟୁହୀନ ସୌନ୍ଦର୍ଯ୍ୟର ଅପୌରୁଷେୟ ପ୍ରକାଶ ରୂପେ’’ ଉତ୍କଳରେ ଯେଉଁ ମନ୍ଦିର ଗୁଡ଼ିକ ‘‘କାଳେ କାଳେ ସ୍ରଷ୍ଟା ଅପେକ୍ଷା ସୃଷ୍ଟିର ମହିମା ଘୋଷଣା କରୁଅଛନ୍ତି ସେହି ଓଡ଼ିଶାର ମନ୍ଦିର ସମ୍ପର୍କିତ ଆଲୋଚନାରେ ମଧ୍ୟ ଉତ୍କଳୀୟ ସଂସ୍କୃତିର ବୈଶିଷ୍ଟ୍ୟ ପ୍ରଦର୍ଶନ କରିବା ପ୍ରାବନ୍ଧିକଙ୍କର ମୌଳିକ ଲକ୍ଷ୍ୟ...‘‘ଭାରତୀୟ ସଂସ୍କୃତିରେ ଉତ୍କଳୀୟ ସଂସ୍କୃତିର ଏକ ବିଶିଷ୍ଟ ସ୍ଥାନ ଅଛି । ଉତ୍କଳୀୟ ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ଲିପି, ସାହିତ୍ୟ ଓ ଧର୍ମସାଧନା ପ୍ରଭୃତି ସାଂସ୍କୃତିକ ଜୀବନର ପ୍ରତି ବିଭାବରେ, ଉତ୍କଳୀୟ ସଂସ୍କୃତିର ଏହି ବୈଶିଷ୍ଟ୍ୟ ଅତି ସମୂଜ୍ଜ୍ୱଳ ଭାବରେ ପ୍ରତିଫଳିତ ହୋଇଅଛି ।’’ ତାଙ୍କରି ଭାଷାରେ ପୁଣି....‘‘ଉତ୍କଳୀୟ ଭାରତୀୟ ସଂସ୍କୃତି ମନ୍ଦିରର ଉଜ୍ଜ୍ୱଳ କୀର୍ତ୍ତିମୁଖ (୪୮) ।’’

 

(୪୮)

‘ଓଡ଼ଶାର ମନ୍ଦିର’-ଉତ୍କଳ ଯୁଗେଯୁଗେ-ପୃଷ୍ଠା ୪୫ ।

 

କେବଳ ଓଡ଼ିଆ ଜାତିକୁ ତାର ସଂସ୍କୃତି ସମ୍ପର୍କରେ ସଚେତନ କରି ଜାତୀୟ ଜାଗରଣର ନୂତନ ପର୍ବରେ ସେମାନଙ୍କୁ କର୍ମପ୍ରବଣ ଓ ଉତ୍ସାହ-ଦୀପ୍ତ କରିବା ପାଇଁ ଯେ, ସେ ପ୍ରବନ୍ଧ ଲେଖିଛନ୍ତି ତାହା ନୁହେଁ । କଥାବସ୍ତୁ ଦୃଷ୍ଟିରୁ ତାଙ୍କ ପ୍ରବନ୍ଧ ସାହିତ୍ୟ ବିଚିତ୍ରବର୍ଣ୍ଣା । ଓଡ଼ିଆ ପ୍ରବନ୍ଧର ଆଙ୍ଗିକରେ ମଧ୍ୟ ସେ ନୂତନ ପରୀକ୍ଷା କରିଛନ୍ତି । ଉଭୟ ବ୍ୟକ୍ତିନିଷ୍ଠ ଓ ବସ୍ତୁନିଷ୍ଠ ପ୍ରବନ୍ଧ ରଚନାରେ ସେ ନିଜର ସିଦ୍ଧହସ୍ତତାର ପରିଚୟ ଦେଇଅଛନ୍ତି, ପୁଣି ତାଙ୍କ ‘ସାହିତ୍ୟ ଓ ସମାଜ’ (୧୯୭୯)ରେ ଭିନ୍ନ ସ୍ୱାଦର ଆଲୋଚନା ସହିତ ସେ ଆମକୁ ପରିଚିତ କରିଛନ୍ତି । ଏହି ଆଲୋଚନା ଗୁଡ଼ିକ ତାଙ୍କରି ଭାଷାରେ ‘ଲଘୁ ନିବନ୍ଧ ଗୋତ୍ରୀୟ’ । ପୁଣି....‘‘ଏଥିରେ ପ୍ରବନ୍ଧର ଗୁରୁ ଗମ୍ଭୀରତା ନାହିଁ କିମ୍ବା ରମ୍ୟରଚନାର ଚପଳବିଳାସ ନାହିଁ । ଏ ସବୁ ‘କଳିଙ୍ଗ’ର ସାହିତ୍ୟ ପୃଷ୍ଠାରେ ସ୍ୱାକ୍ଷରିତ ସମ୍ପାଦକୀୟ ରୂପେ ପ୍ରକାଶିତ ହୋଇଥିବାରୁ, ଏଥିରେ ସ୍ୱାଭାବିକ ଭାବରେ ଥାଏ ସାମ୍ବାଦିକତାର ପ୍ରଲେପ (୪୯) ।

 

(୪୯)

ଭୂମିକା (ସାହିତ୍ୟ ଓ ସମାଜ) ।

 

ଦୈନିକ ସମ୍ବାଦପତ୍ର ‘କଳିଙ୍ଗ’ର ପୃଷ୍ଠା ପାଇଁ ଏହି ଲଘୁ ନିବନ୍ଧଗୁଡ଼ିକ ଉଦ୍ଦିଷ୍ଟ ଥିଲା । ତେଣୁ ଏ ଗୁଡ଼ିକ କ୍ଷୁଦ୍ରାୟତନ ହେବା ସ୍ୱଭାବିକ । ମାତ୍ର ପ୍ରତିଭା ଏହିଭଳି ଏକ ବିସ୍ମୟକର ଶକ୍ତି ଯାହା ରେଣୁକଣାକୁ ବି ସ୍ୱର୍ଣ୍ଣକଣାରେ ପରିଣତ କରିପାରେ । ତେଣୁ ଅତି ସାଧାରଣ କଥା ମଧ୍ୟ ଏହିଭଳି ନିବନ୍ଧରେ ସୁରେନ୍ଦ୍ର ମହାନ୍ତିଙ୍କ ଭାବୁକତା, ବିଚାର ଧାରା ଓ ଶିଳ୍ପ ନିପୁଣତାରେ ଅନବଦ୍ୟ ହୋଇ ଉଠିଛି । ଯେପରି ‘ମାନିନୀ ଗୋ’ ଏବଂ ଚାରିଅକ୍ଷର ନିବନ୍ଧ -

 

(କ)

ଆଜିର ଫ୍ରଷ୍ଟେସନ ମଧ୍ୟ ଏକ ମାଟିନୀ ସୋ । ଅଧା ଅନ୍ଧାର ଅଧା ଆଲୁଅ ମଧ୍ୟରେ ଏଥିରେ ବାସ୍ତବତା କେତେ, ଆଉ କେତେ ବା ଅଭିନୟ, ତାହା ନିରୂପଣ କରିବା କଠିନ । ଆଜିର ‘ଫ୍ରଷ୍ଟ୍ରେସନ’ ମଧ୍ୟ ପଳାୟନର ଏକ ପନ୍ଥା-ଏକ ବ୍ୟାସ ସରୋବର ।’’ (ମାଟିନୀ ସୋ) ।

 

 

(ଖ)

‘‘ସଭ୍ୟତାର ଆରମ୍ଭରେ ମନୁଷ୍ୟ ଯଦି ବସ୍ତ୍ର ଉଦ୍ଭାବନ କରିଥିଲା, ତାହାର ଦେହର ଉଲ୍ଲଙ୍ଗତାକୁ ଢାଙ୍କିବା ପାଇଁ, ମନର ଉଲ୍ଲଙ୍ଗତାକୁ ପ୍ରକାଶ କରିବା ପାଇଁ ସେ ସୃଷ୍ଟି କରିଥିଲା ଭାଷା । ମାତ୍ର ସଭ୍ୟତାର ଏହି ବିକୃତି ମଧ୍ୟରେ ବସ୍ତ୍ରର ପ୍ରୟୋଗ ଆଜି ମନୁଷ୍ୟର ଦେହର ଉଲ୍ଲଙ୍ଗତାକୁ ରେଖାଙ୍କିତ କରିବା ପାଇଁ । ଉଦାହରଣ-ନଳିପ୍ୟାଣ୍ଟ, ଟେରିଲିନ ଶାଢ଼ୀ ଓ ସ୍ନାକ୍‌ । ସେହିପରି ମଣିଷର ଭାଷା ଆଜି ଅଧିକରୁ ଅଧିକ ବ୍ୟବହୃତ ହେଉଛି ତାର ଉଲ୍ଲଙ୍ଗ ଭାବନା ଓ ଚିନ୍ତା ଉପରେ ଗୋଟିଏ ଆବରଣୀ ପକାଇ ତାକୁ ଢାଙ୍କିବା ପାଇଁ - (ଚାରି ଅକ୍ଷର) ।

 

ଏହି ସଂକ୍ଷିପ୍ତ ଲଘୁ ନିବନ୍ଧଗୁଡ଼ିକ ସ୍ୱାଧୀନତା ପରିବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଆକର୍ଷଣ । ଭାଷାର କାବ୍ୟିକ ମାଧୁରୀ, ବର୍ଣ୍ଣନାର ଚମତ୍କାରିତା, ବିଷୟ ବିନ୍ୟାସରେ କୌଶଳ ଓ ସର୍ବୋପରି ଏ ଯୁଗର ଜଣେ ବିଶିଷ୍ଟ ଚିନ୍ତାଶୀଳ ବ୍ୟକ୍ତିତ୍ୱର ବିଚାରଧାରାରେ ଏଗୁଡ଼ିକ ଗୋଟିଏ ଗୋଟିଏ ପ୍ରବନ୍ଧ ସାହିତ୍ୟ-କାନନର ଟିକିଟିକି ଫୁଲ-ଯାହା କ୍ଷୁଦ୍ର ହୋଇପାରେ, କିନ୍ତୁ କ୍ଷୁଦ୍ର ଶିଶିର ବିନ୍ଦୁରେ ଆକାଶର ମହିମା ପ୍ରକଟିତ ହେବା ଭଳି ଏଗୁଡ଼ିକ ପ୍ରାଣଶକ୍ତି ଓ ସ୍ୱକୀୟ ମହିମାରେ ଅନବଦ୍ୟ ।

 

ସ୍ୱାଧୀନତା ପ୍ରାପ୍ତି ପରେ ସାମାଜିକ ଜୀବନରେ ଅନ୍ଧକାର ସମ୍ପୂର୍ଣ୍ଣ ରୂପେ ହଜିଯାଇନି । ଏହି ଅନ୍ଧକାର ନୈତିକ ଅଧଃପତନ ସଂଜାତ । ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ତାର ପ୍ରତିକ୍ରିୟା ପ୍ରତିଧ୍ୱନିତ ହୋଇଛି । ଏ ପ୍ରସଙ୍ଗରେ ସ୍ୱର୍ଗତ ଗୋଲକ ବିହାରୀ ଧଳଙ୍କ ପ୍ରବନ୍ଧ ଉଲ୍ଲେଖଯୋଗ୍ୟ । ସ୍ୱର୍ଗତ ଧଳ ତାଙ୍କର ବିଚାର ଆଲୋଚନା (୧୯୬୬)ରେ ଲେଖିଛନ୍ତି.....‘ସାଧାରଣ ମନୁଷ୍ୟ ମୂକୁଟ ପାଇଁ ବ୍ୟସ୍ତ ହୁଏ ନାହିଁ, ବ୍ୟସ୍ତ ହୁଏ ତାର ତେଲ, ଲୁଣ, ତଣ୍ଡଳ ପାଇଁ । ସେତିକି ତାର ମିଳିଗଲେ ବାକି କଥାକୁ ସେ ପଛରେ ପକାଇ ଚାଲେ । କିନ୍ତୁ ସେତିକି ନ ମିଳିଲେ ଜୀବନ ତାର ବିକଳ ହୋଇ ଉଠେ । ଚାଉଳରୁ ଯଦି ଗୋଡ଼ି, ଲୁଣରୁ ଯଦି ମାଟି ଓ ଶେଷରେ ତେଲରୁ ଯଦି ଅଗରାଗନ୍ଧ ବାହାରେ, ତେବେ ସେ ଅତିଷ୍ଠ ହୋଇ ଉଠେ । କାନରେ ରାମରାଜ୍ୟ କଥାଶୁଣି ଆଖିରେ ଯଦି ମଣିଷ ‘ରାକ୍ଷସୀ କଥା’ ଗୁଡ଼ା ଦେଖେ, ତେବେ ବେଳେ ବେଳେ ମନରେ ତାର ପ୍ରତିକ୍ରିୟା । ଏଠି ଗୋଟିଏ ଅଧେ ପ୍ରବନ୍ଧରେ ସେହି ପ୍ରକାର ସାମାନ୍ୟ ସୂଚନା ଅଛି (୫୦) ।’’ ‘ରାମରାଜ୍ୟ ଓ ରାମାୟଣ’ ଲେଖକଙ୍କର ଏହି ଧରଣର ପ୍ରବନ୍ଧ । ଏହି ପ୍ରବନ୍ଧରେ ଲେଖକଙ୍କ ପ୍ରତିକ୍ରିୟା ଭିତରେ ଜନତାର ଅନ୍ତରର କଥା ଫୁଟି ଉଠିଛି...‘‘ଯୋଜନା ସଭ୍ୟତାର ନୂଆ ପରିବେଶ ମଧ୍ୟରେ ଓଡ଼ିଆ ଭାଷାରେ ‘ରାମରାଜ୍ୟ ବାଣ୍ଟିବା’ ଏକ ନୂତନ ଇଡ଼ିୟମରେ ପରିଣତ ହେଲାଣି; ତାର ଅର୍ଥ ହେଉଛି ଟୁର ପକାଇ ଲାଭ ଉଠାଇବା ।’’ ଶାସନ ବ୍ୟବସ୍ଥା ବିରୁଦ୍ଧରେ ଜନସାଧାରଣଙ୍କ ପ୍ରତିକ୍ରିୟାର କାରଣ ନିର୍ଦ୍ଦେଶ କରିବାକୁ ଯାଇ ଲେଖକ ଲେଖିଛନ୍ତି - ‘‘ରାମାୟଣରେ ଅଛି ସୀତା ସତୀ ନୁହନ୍ତି ବୋଲି ଜଣେ ତା’ ନିଜ ଘରେ ତା ସ୍ତ୍ରୀକୁ କହିଲା । ଘଟଣାଟା ଅତି ପ୍ରାଇଭେଟ । ଏଥିରେ କାହାର କିଛି ଯାଏ ଆସେ ନାହିଁ । ମନ ନିର୍ମଳ ଥିଲେ ଗାଡ଼ିଆ ଗଙ୍ଗା । ସୀତାଙ୍କୁ ଯେତେବେଳେ ଅଗ୍ନି ପରୀକ୍ଷା କରିସାରି ରାମଚନ୍ଦ୍ର ନିଜେ ଆଣିଥିଲେ, ସେତେବେଳେ ବାହାରେ କିଏ କେଉଁଠି ଫୁସଫାସ ହେଲା, ସେକଥା ସେ କାହିଁକି ଶୁଣିଯାନ୍ତେ । କିନ୍ତୁ ସେ ଶୁଣିଲେ । ଏଇ ସାମାନ୍ୟ କଥାରେ ସୀତାଙ୍କୁ ବଣକୁ ପଠାଇଦେଲେ । କିନ୍ତୁ ଆଜି ବହୁ ଲୋକଙ୍କ ବିଷୟରେ ବହୁ ଅନାଚାର କାହାଣୀ ଶୁଣାଯାଉଛି । ସେମାନେ ନିଜକୁ ନିଜେ ଶୁଦ୍ଧ କରିବା ତ ଦୂରର କଥା, ସେମାନଙ୍କୁ ଛୁଇଁବାକୁ କାହାରି ସାହାସ ହେଉନାହିଁ । ଓଲଟା ଶାପମୁକ୍ତିପରେ ସେମାନଙ୍କୁ ପ୍ରମୋସନ ମିଳୁଛି । ଆଛା, ଯେଉଁ ଲୋକଙ୍କର ରକ୍ତମାଂସରେ ରାମାୟଣ ଆଦର୍ଶ ପୁରୁଷାନୁକ୍ରମେ ମିଶିଗଲାଣି, ଦୋଷୀକୁ ପୁରସ୍କାର ଦେଇଥିବା ଶାସନ ବ୍ୟବସ୍ଥାକୁ ସେମାନେ କଣ ବିଶ୍ୱାସ କରୁଥିବେ ? ବୋଧହୁଏ ନୁହେଁ (୫୧) ।’’

 

(୫୦)

ସୂଚନା-ବିଚାର ଆଲୋଚନା ।

(୫୧)

ରାମରାଜ୍ୟ ଓ ରାମାୟଣ-ବିଚାର ଆଲୋଚନା-ପୃ ୩ ।

 

ବିଚାର ଆଲୋଚନାରେ ବିଭିନ୍ନ ଆଭିମୂଖ୍ୟରୁ ଲିଖିତ ମୋଟ ଚବିଶଟି ପ୍ରବନ୍ଧ ସନ୍ନିବିଷ୍ଟ ହୋଇଛି । ‘‘ଜଣେ ଶିକ୍ଷକର ଅନୁଭୂତି ମାଧ୍ୟମରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ବିଷୟରେ’’ ଲେଖକ ଏହି ପୁସ୍ତକରେ ‘‘କେତେକ ସୂଚନା’’ ଦେଇଛନ୍ତି । ସ୍ୱାଧିନତା ପ୍ରାପ୍ତି ପରେ ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଥିବା ବିବିଧ ସମସ୍ୟାକୁ ଉପଜୀବ୍ୟ କରି ସେ ନିଜର ବିଚାରଧାରକୁ ‘ବିଚାର ଆଲୋଚନା’ରେ ସନ୍ନିବିଷ୍ଟ ପ୍ରବନ୍ଧଗୁଡ଼ିକରେ ପ୍ରକଟିତ କରିଛନ୍ତି । ମାତୃଭାଷାକୁ ଶିକ୍ଷାର ମାଧ୍ୟମ ଏବଂ ଶାସନ ବ୍ୟବସ୍ଥା ସମ୍ପର୍କିତ କାର୍ଯ୍ୟରେ ମର୍ଯ୍ୟାଦାବନ୍ତ ସ୍ଥାନ ଦେବା ପାଇଁ ସାମ୍ପ୍ରତିକ କାଳରେ ଦାବୀ ହୋଇଆସୁଛି । ସ୍ୱର୍ଗତ ଧଳ ଏହି ଦାବୀ ଯେ ନାନା କାରଣରୁ ଯଥାର୍ଥ ତାହା ନିଜ ଏକାଧିକ ପ୍ରବନ୍ଧରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ‘ବିଚାର ଆଲୋଚନାର ସୂଚନାରେ ସେ ଲେଖିଛନ୍ତି...‘‘ରୁଷର ପ୍ରଧାନମନ୍ତ୍ରୀ କୋସିଗିନ୍‌ ଆସି ଦିଲ୍ଲୀରେ ଦଶଲକ୍ଷ ଲୋକଙ୍କୁ ନିଜ ମାତୃଭାଷା ରୁଷ ଭାଷାରେ ଭାଷଣ ଦେଉଛନ୍ତି; କିନ୍ତୁ ଆମେ ଆମ ପତ୍ନୀଙ୍କ ପାଖକୁ ପ୍ରେମଚିଠି ଲେଖୁଛୁ ବିଦେଶୀ ଭାଷାରେ; ଆମ ପିଲା ଏବେ ହେଲେଣି ‘ବେବି’, ବାପାମା ହେଲେଣି ‘ଡାଡ଼ି’ ଆଉ ‘ମାମି’ । ଗଣତନ୍ତ୍ର ସଂସାରରେ କାହାଘରେ କିଏ କ’ଣ କଲା, ସେଥିପାଇଁ କାହାରି ଚିନ୍ତା ନାହିଁ । କିନ୍ତୁ ଗାଁ ଗହଳିରେ ଯାହାଙ୍କୁ ଦେଖି ଆମେ ଜନତା ଜନାର୍ଦ୍ଦନ କହି ହାତ ଉଠାଉଛୁ, ତାଙ୍କ ଆମ ଭିତରେ ଇଂରାଜୀ ଗୋଟିଏ ଅଭ୍ରଭେଦୀ ପାଚେରୀ ହୋଇ ନ ରହୁ; ଆମ ମାତୃଭାଷା, ଆମ ମାୟା ମମତା ଶିକ୍ଷା ଓ ଶାସନର ପ୍ରକାଶ ମାଧ୍ୟମରେ ପରିଣତ ହେଉ ।

 

‘ଇଂରାଜୀ ଅବସ୍ଥା ବି’ ଦିନେ ଏଇଆ ଥିଲା’, ‘ଓଡ଼ିଶା ଓଡ଼ିଆ ଭାଷା ଓ ଭାଷା ଆନ୍ଦୋଳନ’, ‘ପୱାୟତି ରାଜ ଓ ମାତୃଭାଷା’ ପ୍ରଭୃତି ପ୍ରବନ୍ଧରେ ଓଡ଼ିଆ ଭାଷାକୁ ଶିକ୍ଷାର ମାଧ୍ୟମ ଓ ଶାସକ ସଂକ୍ରାନ୍ତ କାର୍ଯ୍ୟରେ ପ୍ରଚଳନ ପାଇଁ ଲେଖକ କେବଳ ଦାବୀ କରିନାହାନ୍ତି । ଅଧିକନ୍ତୁ ଏହି ଦାବୀର ଯୁକ୍ତିଯୁକ୍ତତା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେତେକ ଗଠନମୂଳକ ପରାମର୍ଶ ମଧ୍ୟ ଦେଇଅଛନ୍ତି । ପ୍ରତ୍ୟେକଟି ଆଲୋଚନାରେ ଲେଖକ ଉଚ୍ଚଚିନ୍ତା ଗଠନମୂଳକ ମନୋବୃତ୍ତି ଏବଂ ମାତୃଭାଷା ପ୍ରତି ଗଭୀର ଅନୁରାଗ ପ୍ରତିଫଳିତ ହୋଇଅଛି ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶର ରାଜନୀତି, ଅର୍ଥନୀତି ଯୋଜନା ସମ୍ପର୍କରେ ବହୁ ପ୍ରବନ୍ଧ ପ୍ରକାଶିତ ହୋଇଛି, ଯେଉଁ ପ୍ରାବନ୍ଧିକମାନେ ଏ କ୍ଷେତ୍ରରେ ବିଶେଷ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ସଦାଶିବ ମିଶ୍ର, ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ, ଡକ୍ଟର ବୈଦ୍ୟନାଥ ମିଶ୍ର, ଡକ୍ଟର କ୍ଷେତ୍ରମୋହନ ପଟ୍ଟନାୟକ, ଅଧ୍ୟାପକ ବୈଷ୍ଣବ ଚରଣ ପରିଡ଼ା ଏବଂ ଡକ୍ଟର ଭ୍ରମରବନ ଜେନାଙ୍କ ନାମ ଉଲ୍ଲେଖଯୋଗ୍ୟ । ଡକ୍ଟର ସଦାଶିବ ମିଶ୍ରଙ୍କ ପ୍ରବନ୍ଧରେ ବିଷୟ ବିଶ୍ଳେଷଣ ପଦ୍ଧତି ପରି ତାଙ୍କ ଉନ୍ନତି ଗଦ୍ୟଶୈଳୀ ମଧ୍ୟ ପ୍ରଶଂସନୀୟ । ନିର୍ଭୀକ ଭାବରେ ନିଜର ରାଜନୈତିକ ମତବାଦ ପ୍ରକାଶ କରିବାରେ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଜଣେ ଦୁଃସାହସିକ ବ୍ୟକ୍ତି ନିଜ ‘ରାଜନୈତିକ ବିଚାରଧାରା’ (୧୯୭୨) ପୁସ୍ତକରେ ସେ ଲେଖିଅଛନ୍ତି.....‘‘ପ୍ରଚଳିତ ସମସ୍ୟା ଉପରେ ନିଜ ମତ ପ୍ରକାଶ କରିବାର ଅଭ୍ୟାସ ମୋର ପିଲାଦିନରୁ ଅଛି । ପ୍ରକାଶିତ ମତକୁ ଅନ୍ୟମାନେ ଗ୍ରହଣ କରୁଛନ୍ତି କି ନାହିଁ, ସେ ସମ୍ପର୍କରେ ମୁଁ ଆନ୍ଦୋଳିତ ନୁହେଁ, ଏହି ଉଦାସୀନତା ଯୋଗୁ ମୁଁ ଅକାରଣ ଶତ୍ରୁତା ବି’ ଅର୍ଜ୍ଜନ କରିଛି X X Xସମାଜ ସ୍ଥାଣୁ ନୁହେଁ । ତାହା ଗତିଶୀଳ, ତେଣୁ ସାମାଜିକ ଚିନ୍ତାଧାରା ଗତିଶୀଳତାର ବାହକ । ପ୍ରବନ୍ଧଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ରଚିତ ହୋଇଥିବାରୁ ସେଥିରେ ବି’ ଗତିଶୀଳତାର ଝଲକ ମିଳିବ(୫୨) ।’’

 

(୫୨)

ପଦେ କଥା-ରାଜନୈତିକ ବିଚାରଧାରା ।

 

ଡକ୍ଟର ଦାଶ ଓଡ଼ିଶାର ବିଶିଷ୍ଟ ଚିନ୍ତାଶୀଳ ବ୍ୟକ୍ତି । ନିଜ ବିଚାରରେ ଯାହା ସତ୍ୟ ବୋଲି ସେ ଅନୁଭବ କରନ୍ତି ନିର୍ଭୀକ ଭାବରେ ସେ ତାହା ପ୍ରକାଶ କରିଥାନ୍ତି । ଏହି ନିର୍ଭୀକତା ଓ ସ୍ୱାଧୀନ ଚିନ୍ତାଧାରା ତାଙ୍କ ବହୁ ପ୍ରବନ୍ଧରେ ଧ୍ୱନିତ ହୋଇଛି....‘‘ଅତ୍ୟନ୍ତ ପରିତାପର ବିଷୟ ଯେ ରାଜ୍ୟଗୁଡ଼ିକ ସୁଦୃଢ଼ କରିବା ପରିବର୍ତ୍ତେ, କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଗଠିତ ହେବାରୁ ଭାରତୀୟ ଶାସନର ମୂଳ ଭିତ୍ତି ଦୁର୍ବଳ ହୋଇ ଯାଉଛି । ଖାଲି ସେତିକି ନୁହେଁ ଆପଦକାଳୀନ ବ୍ୟବସ୍ଥାର ଭ୍ରାନ୍ତ ବ୍ୟାଖ୍ୟା ଯୋଗୁ ସାମାନ୍ୟ କାରଣରୁ ରାଜ୍ୟମାନଙ୍କରେ ରାଷ୍ଟ୍ରପତି ଶାସକ ପ୍ରବର୍ତ୍ତିତ ହେଉଛି । ଏତଦ୍ଦ୍ୱାରା ଲୋକମାନଙ୍କର ଗଣତନ୍ତ୍ର ଶାସନ ପ୍ରତି ଆସ୍ଥା କମି ଯାଉଛି । ଗଣତନ୍ତ୍ର ଶାସନକୁ ସୁଦୃଢ଼ କରିବାକୁ ହେଲେ ସମ୍ବିଧାନର ଉଦାର ବ୍ୟାଖ୍ୟା କରିବା ଆବଶ୍ୟକ (୫୩) ’’।

 

(୫୩)

ଭାରତୀୟ ଗଣତନ୍ତ୍ର ଓ ରାଜ୍ୟନୈତିକ ବିଚାରଧାରା ପୃଷ୍ଠା ୩୪୧ ।

 

 

ରାଜନୈତିକ ଜୀବନରେ ଅଧୋଗତି ଫଳରେ ଦେଶରେ କିଭଳି ସଙ୍କଟ ସୃଷ୍ଟି ହେଉଛି ତା’ର ସୂଚନା ଦେବାକୁ ଯାଇ ଡକ୍ଟର ଦାଶ ତାଙ୍କର ଅନ୍ୟ ଏକ ପ୍ରବନ୍ଧରେ ଲେଖିଛନ୍ତି...‘‘ଆଜି ଭାରତୀୟ ସ୍ୱାଧୀନତା ପ୍ରତି ବିପଦ ବୈଦେଶିକ ଓ ଆଭ୍ୟନ୍ତରୀଣ ସ୍ତରରେ ଜଳ ଜଳ ହୋଇ ଦେଖା ଦେଉଛି । ଆମର ସ୍ୱାଧୀନତା ପ୍ରତି ଆସକ୍ତି ଥିଲେ, ଆମେ ସହଜରେ ଏଇ ବିପଦଗୁଡ଼ିକ ଏଡ଼ାଇ ଦେଇପାରନ୍ତୁ; କିନ୍ତୁ ଆମର ସ୍ୱାର୍ଥସାଧନ ଉଦ୍ଦେଶ୍ୟକୁ ଜାତୀୟପୁଟ ଦେଇ ଆମେ ପ୍ରକାଶ କରୁଥିବାରୁ ଅସାଧୁ ଲୋକେ ସାଧୁ ପ୍ରତିପନ୍ନ ହେଉଛନ୍ତି ଏବଂ ସେମାନଙ୍କ ଛଳନା ସତ୍ୟ ରୂପେ ପ୍ରତିଭାତ ହେଉଛି (୫୪) ।’’

 

(୫୪)

ସ୍ୱାଧିନତା ପ୍ରତି ବିପଦ-ରାଜନୈତିକ ଚିନ୍ତାଧାରା, ପୃଷ୍ଠା ୨୧

 

ଆଲୋଚ୍ୟ କାଳରେ ଇତିହାସ ଓ ପ୍ରତ୍ନତତ୍ତ୍ୱକୁ କେନ୍ଦ୍ର କରି ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ବ୍ୟତୀତ ଡକ୍ଟର ନବୀନକୁମାର ସାହୁ, ଶ୍ରୀ ସତ୍ୟନାରାୟଣ ରାଜଗୁରୁ, କେଦାରନାଥ ମାହାପାତ୍ର ଏବଂ ପରମାନନ୍ଦ ଆଚାର୍ଯ୍ୟଙ୍କର ବହୁ ଉପାଦେୟ ପ୍ରବନ୍ଧ ପ୍ରକାଶିତ ହୋଇଛି । ଅନୁରୂପ ଭାବରେ ବୈଜ୍ଞାନିକ ପ୍ରବନ୍ଧ ରଚନାରେ ଡକ୍ଟର ବିଦ୍ୟାଧର ପାଢ଼ୀ, ଡକ୍ଟର ଘନଶ୍ୟାମ ସାମଲ, ଡକ୍ଟର ଗୋକୁଳାନନ୍ଦ ମହାପାତ୍ର, ଶରତ କୁମାର ମହାନ୍ତି ଓ ଦେବକାନ୍ତ ମିଶ୍ର କୃତିତ୍ୱ ପ୍ରଦର୍ଶନ କରି ପାରିଛନ୍ତି । ବୈଜ୍ଞାନିକ ଚିନ୍ତାଧାରାର ଦାର୍ଶନିକ ତର୍ଜମାରେ ଡକ୍ଟର ନୃସିଂହ ଚରଣ ପଣ୍ଡାଙ୍କ ପ୍ରବନ୍ଧ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବୀ କରେ । ମନସ୍ତତ୍ତ୍ୱିକ ପ୍ରବନ୍ଧ ରଚନାରେ ଡକ୍ଟର ରାଧାନାଥ ରଥ ଓ ହୃଷୀକେଶ ରାୟ ସିଦ୍ଧହସ୍ତତାର ପରିଚୟ ଦେଇଛନ୍ତି । ଶ୍ରୀ ରାୟଙ୍କ ‘ଶିଶୁର କୌତୂହଳ’ (୫୫), ଛୋଟ ଶିଶୁ କାନ୍ଦେ କାହିଁକି ? (୫୬) ଅତି ଉଚ୍ଚକୋଟୀର ପ୍ରବନ୍ଧ । ଅର୍ଥନୀତି ଓ ବାଣିଜ୍ୟ ସମ୍ପର୍କିତ ପ୍ରବନ୍ଧ ରଚନାରେ ଏହି ସମୟକାଳ ଭିତରେ ଡକ୍ଟର ସୂର୍ଯ୍ୟକାନ୍ତ ଦାସଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ ।

 

(୫୫)

‘ଝଙ୍କାର’, ୧।୯, ପୃ ୮୦୪

(୫୬)

‘ଝଙ୍କାର’, ୨।୬, ପୃ ୫୦୯

 

ସ୍ୱାଧୀନତାର ପରବର୍ତ୍ତୀକାଳରେ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ସୁସମୃଦ୍ଧ ହୋଇଛି । ଏ କ୍ଷେତ୍ରରେ ଯେଉଁମାନେ ବିଶେଷ କୃତିତ୍ୱ ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରେ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର (ପତ୍ର ଓ ପ୍ରତିମା) ଶ୍ରୀ ଚିତ୍ତରଞ୍ଜନ ଦାସ, ଡକ୍ଟର କୁଞ୍ଜବିହାରୀ ଦାସ, ଅଧ୍ୟାପକ ଚନ୍ଦ୍ର ଶେଖର ରଥ ମହାପାତ୍ର ନୀଳମଣି ସାହୁ, ଚୌଧୁରୀ ରମାକାନ୍ତ ମିଶ୍ର ଏବଂ ବାମାଚରଣ ମିତ୍ର ପ୍ରଭୃତିଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଏହି ସମୟ ଭିତରେ କୃଷ୍ଣପ୍ରସାଦ ବସୁଙ୍କ ‘ଆଖଡ଼ା ଘର ବୈଠକ’ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବୀ କରିପାରିଛି । ଡକ୍ଟର ମାୟାଧର ମାନସିଂହ ଭାଷାରେ...‘‘ସମସାମୟିକ କାଳରେ ପ୍ରକୃଷ୍ଟ ଓଡ଼ିଆ ଗଦ୍ୟଶୈଳୀ ପାଇଁ ଯଦି ପୁରସ୍କାର ଦିଆଯିବାର କଥା ହୁଏ, ତେବେ ତାହା ବୋଧହୁଏ ଯିବ କୃଷ୍ଣପ୍ରସାଦ ବସୁଙ୍କ ହାତକୁ, ଝଙ୍କାର ମାସିକ ପତ୍ରିକାର ପୃଷ୍ଠାମାନଙ୍କରେ ଶ୍ରୀ ବସୁ ଓଡ଼ିଆ ଯାତ୍ରାର ଆଧୁନିକ ଇତିହାସ ‘ଆଖଡ଼ା ଘରେ ବୈଠକ’ ନାମ ଦେଇ ଲେଖି ବସିଲେ ।(୫୭)’’

 

(୫୭)

ଓଡ଼ିଆ ସାହିତ୍ୟର ଇତିହାସ -ପୃଷ୍ଠା ୩୩୬, ତୃତୀୟ ସଂସ୍କରଣ ।

 

ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପତ୍ର ଓ ପ୍ରତିମା’ ରମ୍ୟ ରଚନା କ୍ଷେତ୍ରରେ ଏକ ବିଶିଷ୍ଟ କୃତି । ସେ କେଉଁ ମନର ପ୍ରତିମା ଉଦ୍ଦେଶ୍ୟରେ ଲିଖିତ ଏହି ପତ୍ରଗୁଡ଼ିକ ଆଜି ଓଡ଼ିଆ ସାହିତ୍ୟର ସମ୍ପଦରେ ପରିଣତ ହୋଇଛି । ନାମ ପ୍ରକାଶ କରି ନ ଥିବା ସେ କେଉଁ କଲ୍ୟାଣୀ ଭଉଣୀ ଉଦ୍ଦେଶ୍ୟରେ ‘ପତ୍ର ଓ ପ୍ରତିମାର ପ୍ରାକ୍‌କଥନରେ ନିତ୍ୟାନନ୍ଦ ଲେଖିଛନ୍ତି ....‘‘ମଣିଷ ପ୍ରୀତିର ପ୍ରତିମା ଗଢ଼େ । ଗଢ଼ି ଥାପନା କରିଦିଏ ମେହେରାବିବେଢ଼ା ମେଢ଼ ଉପରେ । ସେହି ଇଷ୍ଟର ଆବାହନରେ ସେ ଆବିଷ୍ଟ ହୋଇଥାଏ । ଆପଣାର ସୃଷ୍ଟିକୁ ଆପେ ବଡ଼ କରି କେଡ଼େ ନିଷ୍ଠାର ସହିତ ପୂଜା ନ କରେ ସେ X X ଅର୍ପଣ କରେ ଆର୍ତ୍ତର ଆରତି X X ନୈବେଦ୍ୟରେ ସମ୍ପୂର୍ଣ୍ଣ ହୋଇଥାଏ ନିବେଦନ-ଆତ୍ମନିବେଦନ X X X ସେ ପୂଜାରେ ତ ବିଘ୍ନ ଘଟେ-ଅତି ଅନବଧାନରେ X X ପୂଜା ପଣ୍ଡ ହୋଇଯାଏ । ଅନ୍ତରରେ ଅନର୍ପିତ ଅନନ୍ତ ଉତ୍ସବର ଅନାତନ ଅଧିବାସ ଭ୍ରଷ୍ଟ ହୁଏ । ପିରର ବରଣି ବଦଳରେ ଅଭିଶାପ ହିଁ ଅଭୀପ୍‌ସିତ ଆବାହନୀ ମନେ ହୁଏ । ସେଇ ଅଭିଶପ୍ତ ଜୀବନରେ ଯେତେବେଳେ ପତନର ପ୍ରଳୟ ତାଣ୍ଡବ ପାଇଁ ଡମ୍ବରୁ ବାଜି ଉଠେ ସେତେବେଳେ....ସେତେବେଳେ ନର୍କର କୀଟ ମଧ୍ୟ ସ୍ୱର୍ଗର ଦେବତାକୁ ଆଶୀର୍ବାଦ କରିବା ପାଇଁ କର ପ୍ରସାରଣ କରିଦିଏ । କି ଉଦ୍ଧତ ! ତୁ’ ସ୍ୱର୍ଗସୁଖ ଲାଭ କର, ମୋର ଏହି ଆଶୀର୍ବାଦ । ମୁଁ ନର୍କର ପଥ ବାଛି ନେଇଛି । ଦେଖିନିଏ କେତେ ଦୂର ତା’ର ପରିଧି, ଆଉ କେତେ ଶକ୍ତି ଧାରଣ କରେ ଅଭିଶାପର ଅବିଚାର ।’’ ସ୍ରଷ୍ଟାର ଅନ୍ତରାତ୍ମାର ଏହି ଆତ୍ମନେପଦୀ ଭିତରେ ଜୀବନ ବିରୁଦ୍ଧରେ ଅଭିଯୋଗ ନାହିଁ, କିନ୍ତୁ ପୁଞ୍ଜୀଭୂତ ଅଭିମାନ ହିଁ ଆବେଗ କମ୍ପିତ ହୋଇଛି । ‘ପତ୍ର ଓ ପ୍ରତିମା’ରେ ସେଇ ଆବେଗ କମ୍ପନର ସ୍ୱାକ୍ଷର ଆମେ ଏକାଧିକ ଲେଖାରେ ପାଇଥାଉଁ, ଏହି କୃତିରେ ନିତ୍ୟାନନ୍ଦ ତାଙ୍କ ହୃଦୟର ସକଳ ବାତାୟନ ଊନ୍ମୁକ୍ତ କରି ଦେଇଛନ୍ତି । ଜୀବନ ସମ୍ପର୍କିତ ତାଙ୍କ ଅବବୋଧ, ସମାଜ ଓ ସଭ୍ୟତା ସମ୍ପର୍କିତ ଧାରଣା ପ୍ରଭୃତି ଲଳିତ ଭାଷାରେ ଲଳିତ ରୂପେ ଅଭିବ୍ୟକ୍ତ ଲାଭ କରିଛି । ଅନୁଭବ ସଞ୍ଜାତ ଭାବଧାରା ସହିତ ଦାର୍ଶନିକତା, ହୃଦୟର ସ୍ୱତଃସ୍ଫୁର୍ତ୍ତ ଆବେଗ ସହିତ ମନନଶୀଳତା ତାଙ୍କ ରଚନାକୁ ଏକାନ୍ତ ହୃଦ୍ୟ କରିପାରିଛି ।

 

(କ)

‘‘ମଣିଷ ଯେତେବେଳେ ନିଜର ଦୁର୍ବଳତା ବୁଝିପାରେ, ସେତେବେଳେ ସେ କାନ୍ଦେ । ଆଉ ସେତିକିବେଳେ ସେ ହେବାକୁ ଚାହେଁ ସବଳ । ସେତିକିବେଳେ ଉଠିବାକୁ ଆରମ୍ଭ କରେ । ମଣିଷ ଯେ ମୂଳସୁଁ ଦୁର୍ବଳ, ଦୁର୍ବଳତା ତା’ର ଗୋଟିଏ ମୌଳିକ ସ୍ୱଭାବ, ସେ କଥାକୁ ଅସ୍ୱୀକାର କରି ଦୁର୍ବଳତାକୁ ଘୋଡ଼ାଇ ପକାଇ, ମଣିଷ କେବେ ଗତିଶୀଳ ଉତ୍ତାନପାଦ ହୋଇ ନ ପାରେ ।’’

 

‘‘ଅଶ୍ରୁ ହିଁ ଆଣିଦିଏ ସାଧକର ସମାଧି ଅବସ୍ଥା । ଅଶ୍ରୁଳ ଆକୁଳତାର ଆର୍ତ୍ତନାଦ ସୁଷୁମ୍ନାର ରନ୍ଧ୍ର ଫୁଟାଇ ସହସ୍ରାରର ସନ୍ଧାନ ଦିଏ । ଅଶ୍ରୁ ସେଥିପାଇଁ ଗୋଟାଏ ନିର୍ବେଦ ଅବସ୍ଥା ନୁହେଁ–ଏହା ଜଳପ୍ରପାତଠାରୁ ଅଧିକ ଶକ୍ତି ସମ୍ପନ୍ନ ।’’ (୫୮)

 

(୫୮)

ଅଶ୍ରୁ--(ପତ୍ର ଓ ପ୍ରତିମା)

 

(ଖ)

‘‘ଯିଏ ପ୍ରକୃତରେ, ନିଃସ୍ୱାର୍ଥରେ ଥରେ ଭଲ ପାଇ ପାରିଛି, ତା’ଭଲ ପାଇବାର ଋଣ, ଯେତେ କଲେ ବି’ ଶୁଝି ହେବ ନାହିଁ–ହେବାର ନୁହେଁ । ସେଇ ଭଲ ପାଇବା ଲୋକଟିର ମନକୁ ପାଇଲା ଭଳି ଆମେ ଯଦି ଟିକିଏ ସଜେଇ ନେଇପାରୁ ନିଜକୁ–‘ମୁଁ ତୋର, ମୁଁ ତୋର’, ବୋଲି ସରଳ ନିର୍ମଳ ହୃଦୟରେ ଥରୁଟିଏ ଖାଲି ଖୋଲା ପ୍ରାଣରେ–ଛାତିରୁ କୋହ ଉଠାଇ, ଆଖିରୁ ଲୁହ ବୁହାଇ କାନ୍ଦି ପାରୁଥାନ୍ତୁ, ତେବେ ଜୀବନଟା ସାର୍ଥକ ହୋଇଯାଉ ଥାଆନ୍ତାରେ !’’

 

‘‘ଦେବାର ଶକ୍ତି ଆମର କାହିଁ ? ସେ ଯଦି ନିଏ ତ ନେଉ-ତାରି କେବଳ ନେବାର ଶକ୍ତି ଅଛି, ଯେ ଦେବାର ଶକ୍ତି ଧରେ । ଯେଉଁ ଆକାଶ ବର୍ଷା ଦିଏ–ସେଇ ଆକାଶ ହିଁ ସବୁତକ ବର୍ଷାପାଣି ଟାଣି ନେଇଯାଏ, ପୁଣି ଥରେ ଝଡ଼ ଝଞ୍ଜା ଝର୍ଝର ପ୍ରପାତରେ ପ୍ଳାବନ ଆଣିଦେବା ପାଇଁ-। ଏ ଲୀଳା ଏଇ ନିତ୍ୟ ବିରହରେ ନିତ୍ୟ ମିଳନ–ପୁଣି ମିଳନରେ ବିରହର ସୁଖାନୁଭୂତି ହିଁ ପ୍ରକୃତ ଭଲ ପାଇବାର ସ୍ୱରୁପ ଲକ୍ଷଣ (୫୯) ।’’

 

(୫୯)

ପ୍ରେମ–(ପତ୍ର ଓ ପ୍ରତିମା)

 

ଲେଖକଙ୍କ ବୌଦ୍ଧିକତା ଓ ଭାବୁକତାର ମନୋଜ୍ଞ ଆଲେଖ୍ୟ ଆମେ ପାଉଁ ତାଙ୍କର ‘ସଭ୍ୟତା’ ପ୍ରବନ୍ଧରେ । ସ୍ୱାଧୀନତାର ପରବର୍ତ୍ତୀକାଳରେ ଲିଖିତ ଚିନ୍ତାଶୀଳ ପ୍ରବନ୍ଧ ଭିତରେ ଏହା ନିଃସନ୍ଦେହରେ ସ୍ୱତନ୍ତ୍ର ସମ୍ମାନ ଦାବୀ କରେ ।

 

ଡକ୍ଟର କୁଞ୍ଜବିହାରୀ ଦାଶ ମୁଖ୍ୟତଃ କବି ଓ ସାହିତ୍ୟ ସମାଲୋଚକ ହେଲେହେଁ ରମ୍ୟରଚନା କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ସ୍ୱୀକୃତ ହୋଇଛି । ତାଙ୍କ ଶ୍ରୀମନ୍ତ (୧୯୬୦) ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । ‘ମୁଁ କାହିଁକି ଲେଖେ ?’ ଶିରୋନାମାରେ ଏକଦା ସେ ଲେଖିଥିଲେ....‘‘ସଷ୍ଟିର ମୁହୂର୍ତ୍ତ ଅମୃତ ମୁହୂର୍ତ୍ତ । ଭଗବାନ ସୃଷ୍ଟି କଲାବେଳେ ହୁଏତ କବିର ଏଇ ମଧୁର ଅନୁଭୂତି ଉପଭୋଗ କରିଥିବେ X X X ସୃଷ୍ଟିର ଆନନ୍ଦ ଲେଖକର ସବୁଠାରୁ ବଡ଼ ଲାଭ । ଏଇ ଆନନ୍ଦ ମଧ୍ୟରେ ରଚନାର ଅସଲ କାହିଁକି ଆମେ ଖୋଜି ପାଉଁ । ସେଇ ଆନନ୍ଦ ଟିକକ ପାଇଁ କବି ରାତି ଜାଗର ଜାଳେ; ସାଂସାରିକ ଦୁଃଖ ଦୁର୍ଦ୍ଦଶାକୁ ଭ୍ରୃକ୍ଷେପ କରେ ନାହିଁ । ଋଷି ବ୍ରହ୍ମଦର୍ଶନରେ ଯେଉଁ ଆନନ୍ଦ ପାଏ, ଏ ସେହି ଆନନ୍ଦ । କବିର ଧର୍ମ ଆନନ୍ଦର ଧର୍ମ । କବିର ଦର୍ଶନ ଆନନ୍ଦ ଦର୍ଶନ, ଏଇ ଆନନ୍ଦ ମଧ୍ୟରେ କବି ତାର ଭଗବାନ ଦର୍ଶନ ପାଏ । ତାର ସାଧନା କାୟା ସାଧନା ନୁହେଁ, ରୂପର ସାଧନା (୬୦) ।’’ ସୃଷ୍ଟିରେ ଯେଉଁ ଆନନ୍ଦ ପାଇଁ ଡ: ଦାଶ କବିତା ଲେଖନ୍ତି, ସେହି ଆନନ୍ଦ ରମ୍ୟରଚନା ସୃଷ୍ଟି କରି ମଧ୍ୟ ସେ ପାଇଛନ୍ତି । ତାଙ୍କ ରମ୍ୟରଚନା କବି ସୁଲଭ କବିତ୍ୱ ଓ ଭାବୁକତାରେ ଭରା । ପୁଣି ଚିରନ୍ତନ ସତ୍ୟର ରୂପକାର ରୂପେ ମଧ୍ୟ ଏଇଠି ସେ ପରିଚିତ....‘‘ମନୁଷ୍ୟ ପ୍ରକୃତ ପରିଚୟ ସେ ନିଜେ । ଆଜୀବନ ସାଧନାରେ କାଳବକ୍ଷରେ ଯେ ନିଜ ମହତ୍‌ ଆତ୍ମାର ଶାଶ୍ୱତ ଲିପି ଲେଖିଯାଇନି, ସେ ପରିଚିତ ହୋଇ ବି’’ ଚିର ଅପରିଚିତ (୬୧)

 

(୬୦)

ମୁଁ କାହିଁକି ଲେଖେ ? (୧୯୫୦ ଡଗର ସପ୍ତମ ସଂଖ୍ୟାରେ ପ୍ରକାଶିତ ଲେଖାର ପରିମାର୍ଜିତ ରୂପଶ୍ରୀମନ୍ତ ପୃଷ୍ଠା (୯୬-୯୮)

(୬୧)

ପରିଚୟ–ଶ୍ରୀମନ୍ତ, ପୃଷ୍ଠା ୪୩

 

‘ଏଣୁଶ୍ଚ ତେଣୁଶ୍ଚ’ ରମ୍ୟ ରଚନାରେ ବାମାଚରଣ ମିତ୍ରଙ୍କ ସିଦ୍ଧହସ୍ତତାର ସଙ୍କେତ । କେଉଁଠି ପ୍ରାଚ୍ୟ ପାଶ୍ଚାତ୍ୟ ଦର୍ଶନର ନିର୍ଯ୍ୟାସ, କେଉଁଠି ଆନ୍ତରିକତାବିହୀନ କେତେକ ପାରମ୍ପରିକ ଚଳଣିକୁ ବ୍ୟଙ୍ଗ ତାଙ୍କ ରମ୍ୟରଚନାର ବିଶିଷ୍ଟତା ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ‘ଅଘଟଣ ସଂକଳନ(୧୯୭୪) ମଧ୍ୟ ସ୍ୱାଧୀନତା ପରବର୍ତ୍ତୀ ରମ୍ୟ ରଚନାର ଏକ ବିଶିଷ୍ଟ ଧାରା ଝଲକିତ ହୋଇଛି । ବ୍ୟଙ୍ଗ ତାଙ୍କ ରମ୍ୟରଚନାର ଏକ ବିଶିଷ୍ଟ ଦିଗ । ଏହି ପୁସ୍ତକ ବିଷୟରେ ତାଙ୍କର ବକ୍ତବ୍ୟରୁ ତାଙ୍କ ସ୍ରଷ୍ଟାମାନସର ପରିଚୟ ମିଳିଥାଏ । ସେ ଲେଖିଛନ୍ତି....‘‘ବ୍ୟଙ୍ଗ ଜୀବନର ଅସମଞ୍ଜତାକୁ କେନ୍ଦ୍ର କରି; କିନ୍ତୁ ଯଥେଷ୍ଟ ଆଗ୍ରହ ସତ୍ତ୍ୱେ ପକ୍ଷପାତହୀନ ହୋଇ ସୃଷ୍ଟ । ଏହା ସତ୍ୟ ଓ ବାହ୍ୟ ମଧ୍ୟରେ ଅସମଞ୍ଜତା ଦେଖାଇଥାଏ । ତାହାବୋଲି ଏଥିରୁ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଭ୍ରାନ୍ତିକର । କାରଣ ବ୍ୟଙ୍ଗକାର କୌଣସି ବ୍ୟବସ୍ଥା ବା ନିଦାନ ଦେବାକୁ ଅଯୋଗ୍ୟ । ଏହି ହେତୁରୁ ନାମ ରଖାଗଲା ଅଘଟଣ ସଙ୍କଳନ ।’’ ‘ଅଘଟଣ ସଙ୍କଳନ’ରେ ସନ୍ନିବିଷ୍ଟ ରମ୍ୟରଚନା ହାସ୍ୟରସାତ୍ମକ ଓ ବ୍ୟଙ୍ଗଭାବାପନ୍ନ । ତାଙ୍କ ‘ଆଳସ୍ୟ ସପକ୍ଷରେ ପୁନଶ୍ଚ’ ଭଳି ରଚନା ଏହାର ସଙ୍କେତ । ତାଙ୍କ ରମ୍ୟରଚନା ସମ୍ପର୍କରେ ମତ ଦେବାକୁ ଯାଇ ମହାପାତ୍ର ନୀଳମଣି ସାହୁ ଯଥାର୍ଥରେ ଲେଖିଛନ୍ତି...‘‘ହାସ ପରିହାସ-ପୁଣି କୋମଳ ଭଦ୍ର ସୁକୁମାର ହାସ ପରିହାସ ହେଲା ତାଙ୍କ ରମ୍ୟରଚନା ଗୁଡ଼ିକର ମୌଳିକ ଧର୍ମ । ଏଭଳି ହାସ୍ୟରସାତ୍ମକ ରମ୍ୟରଚନାରେ ହେମକାନ୍ତ ରାଜା । ତାଙ୍କ ତୁଳନା ଆମ ସାହିତ୍ୟରେ ସେ ନିଜେ । ତାଙ୍କ ଗଦ୍ୟ ରଚନା ଶୈଳୀ ଅନୁକରଣୀୟ । ସାମାନ୍ୟ ବିଷୟଟିକୁ ଅସାମାନ୍ୟ ଢଙ୍ଗରେ ରସାପ୍ଳୁତ କରିବା ହେଲା ତାଙ୍କର ବିଶେଷତ୍ୱ । ତିଳକୁ ତାଳ କରି ଥୋଇବାରେ ବା ତାଳକୁ ତିଳ କରି ଥୋଇବାରେ ହେମକାନ୍ତ ଅପୂର୍ବ ପାରଦର୍ଶିତା ଦେଖାଇ ପାରନ୍ତି (୬୨) ।’’ ଏହି ପର୍ଯ୍ୟାୟରେ ଉଲ୍ଲେଖଯୋଗ୍ୟ ଯେ ମହାପାତ୍ର ନୀଳମଣି ସାହୁ ସ୍ୱୟଂ ଏହି ଢଙ୍ଗର ଜଣେ ଖ୍ୟାତନାମା ସ୍ରଷ୍ଟା । ତାଙ୍କ ରମ୍ୟରଚନାରେ ମଧ୍ୟ ଏହାର ପ୍ରମାଣ ମିଳିଥାଏ । ଯେ କୌଣସି କଥାକୁ ସରସ ସୁନ୍ଦର କରି କହିବାରେ, ହାସ ପରିହାସ ଭିତରେ କହି ପାଠକ ପାଠିକା ମନରେ ସ୍ଥାୟୀ ରେଖାପାତ କରିବାରେ ସେ ଜଣେ ନିପୁଣ କଳାକାର । ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ତାଙ୍କର ‘ସ୍ୱପ୍ନସ୍ୱପ୍ନ ଅନେକ ସ୍ୱପ୍ନ’ ନିଶ୍ଚିତ ଭାବରେ ଏକ ଉନ୍ନତ ସୃଷ୍ଟି । ଏଥିରେ ସନ୍ନିବିଷ୍ଟ ‘ମିଛମିଛ ସାମାନ୍ୟ ମିଛରୁ’ କେତୋଟି ଧାଡ଼ି ଏଠାରେ ଉଲ୍ଲେଖ ନ କରି ରହିପାରୁନି...‘‘ପ୍ରେମିକ ପ୍ରେମିକାମାନେ ଧନ୍ୟ-କାରଣ ସେମାନେ ପ୍ରଚଣ୍ଡ ଘୃଣାବୋଧକୁ ମିଥ୍ୟାର ମଧୁର ପ୍ରଲେପ ଦେଇ ସୁନ୍ଦର କରାଇ ପାରନ୍ତି । ମିଥ୍ୟାବାଦୀଠାରୁ ବଳି ପୂଣ୍ୟବାନ ନାହିଁ । କିନ୍ତୁ ଏହି ମିଥ୍ୟା ମୃଦୁ ମଧୁର ହେବା ଉଚିତ ଏବଂ ଗୋଟିଏ ଦୃଷ୍ଟିରୁ ଦେଖିଲେ ପ୍ରକୃତ ମିଥ୍ୟା ମାତ୍ରେଇ ମୃଦୁ ମଧୁର ମିଥ୍ୟା । ଏ କ୍ଷେତ୍ରରେ ଆମର ସକାଳ ପ୍ରାର୍ଥନାଟି ହେବା ଉଚିତ–‘ମିଛ କହିବାକୁ କିଆଁ ଡରିବି ? ମିଛ କହି ପଛେ ମଲେ ମରିବି ।’ କିନ୍ତୁ ପ୍ରକୃତ କଥା ହେଲା ମିଛ କହି କେହି ମରନ୍ତି ନାହିଁ । ସତ୍ୟହିଁ ପ୍ରାଣଘାତକ । ଏହା କ୍ରୁଶ ଓ ଗୁଳି ଇତ୍ୟାଦିକୁ ଡାକିଆଣେ । ଭଲ ପୁଅଟିକୁ ଚଉଦବର୍ଷ ବଣକୁ ପଠାଏ । ବାପର ପ୍ରାଣନିଏ । ସ୍ତ୍ରୀ ଅପହୃତା ହୁଏ ଏବଂ ଯାହାଲାଗି ସତ୍ୟ ପାଳିତ ହେଲା ବୋଲି ମନେ କରାଯାଏ-ସେ ବିଚାରା ସିଂହାସନରେ ବସି ମଧ୍ୟ ବନବାସୀ ଭଳି ଜଟା ଛାଡ଼ି, ଫଳମୂଳ ଖାଇ ଚଉଦବର୍ଷ ଭୂମି ଉପରେ ଶୋଇ ନାରଖାର ଜୀବନ ବିତାଏ ।’’

 

(୬୨)

‘ସ୍ୱପ୍ନ ସ୍ୱପ୍ନ ଅନେକ ସ୍ୱପ୍ନ’ର ଦ୍ୱିତୀୟ ସଂସ୍କରଣର ଭୂମିକା-ପୃଷ୍ଠା ୪

 

ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ଆମେ ଓଡ଼ିଆ ଲଳିତ ପ୍ରବନ୍ଧ ବା ରମ୍ୟରଚନାର ସ୍ୱର୍ଣ୍ଣଯୁଗ ଦେଖିବାକୁ ପାଉଁ ଏବଂ ଏହି ସ୍ୱର୍ଣ୍ଣଯୁଗର ଗର୍ବ ଓ ଗୌରବ ହେଉଛନ୍ତି ଶ୍ରୀ ଚିତ୍ତରଞ୍ଜନ ଦାସ ଓ ଶ୍ରୀ ଚନ୍ଦ୍ରଶେଖର ରଥ ।

 

ଲଳିତ ପ୍ରବନ୍ଧର ଗର୍ବ ଓ ଗୌରବ ଚିତ୍ତରଞ୍ଜନ ଏବଂ ଚନ୍ଦ୍ରଶେଖର

ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ରଚନାର ମୂଲ୍ୟାଙ୍କନ କଲାବେଳେ ପ୍ରଥମେ ମନେପଡ଼ନ୍ତି ଡକ୍ଟର ମାୟାଧର ମାନସିଂହ । ଏକଦା ଚିତ୍ତରଞ୍ଜନଙ୍କ ସମ୍ପର୍କରେ ସେ ଲେଖିଥିଲେ...‘‘ଏହି ବ୍ୟାପକ ଅରାଜକତା ଓ ବରମୟତା ଭିତରେ ଏକମାତ୍ର ତରୁଣ ଚିତ୍ତରଞ୍ଜନ ଦାସଙ୍କ ରଚନା, ବିଚାର ଓ କଳ୍ପନାର ନୂତନ ଧ୍ୱନି ବହନ କରି ପ୍ରକୃତରେ ଚିତ୍ତରଞ୍ଜକ ହୋଇ ଉଠୁଛି । ଓଡ଼ିଆ ସାହିତ୍ୟର ପ୍ରବନ୍ଧ ବିଭାଗ ଏହି ଡିଗ୍ରୀହୀନ ଅଥଚ ବିଜ୍ଞ ଓ ମନସ୍ୱୀ ତରୂଣଙ୍କଦ୍ୱାରା ବିପୁଳ ଭାବରେ ସମୃଦ୍ଧ ହୋଇ ଉଠିବ, ଏହା ଆମର ଦୃଢ଼ ଧାରଣା (୬୩) ।’’ ଏକଦା ଡକ୍ଟର ମାନସିଂହ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଯେଉଁ ମଧୁର ସ୍ୱପ୍ନ ଦେଖିଥିଲେ ଚିତ୍ତରଞ୍ଜନଙ୍କ ନିରବଚ୍ଛିନ୍ନ ସାଧନା ଭିତରେ ଆଜି ତାହା ସତ୍ୟରେ ପରିଣତ ହୋଇଛି । ଭାବରେ ଭାଷା ପ୍ରୟୋଗ କୌଶଳରେ ଏବଂ ବିଚାରଧାରାରେ ସେ ଏକ ନୂତନ ପ୍ରାଣସ୍ରୋତ । ନୈରାଶ୍ୟ ଜର୍ଜ୍ଜରିତ, ବିପର୍ଯ୍ୟୟ-ବିକ୍ଷୁବ୍‌ଧ, ପ୍ରତିକୂଳତା ଦଂଶିତ ଜନଚେତନାରେ ତାଙ୍କ ଭାବସତ୍ତା ପରମ ଆଶ୍ୱସ୍ତି । ପ୍ରତିକୂଳତାକୁ ଭ୍ରୂକ୍ଷେପ ନକରି ‘ଚରୈବତି’ (ଆଗେଇଚାଲ) ପାଇଁ ଯେଉଁଥିରେ ଅଛି ବିସ୍ମୟକର ପ୍ରେରଣା । ବିବିଧ ଘାତସଂଘାତର ହଳାହଳପାନ କରି ଏଇ ନୀଳକଣ୍ଠ ସତେ ଯେପରି ଆମ ସାହିତ୍ୟକୁ ଶିବସୁନ୍ଦର କରିବା ପାଇଁ ଏକ ମହିମାନ୍ୱିତ ପ୍ରତିଶ୍ରୁତି । ଜୀବନର ଯଥାର୍ଥ ମୂଲ୍ୟବୋଧ ଘେନି ତାଙ୍କ ଭାବଧାରା ଏକ ଉଚ୍ଛ୍ୱସିତ ଗିରି ତଟିନୀ ପରି ଝରି ଚାଲିଛି ଆମକୁ ଜୀବନର କଳଗୀତି ଶୁଣାଇ ।

 

(୬୩)

ଓଡ଼ିଆ ସାହିତ୍ୟର ଇତିହାସ ପୃଷ୍ଠା ୩୩୫, ତୃତୀୟ ସଂସ୍କରଣ ।

 

ଉଭୟ ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନାରେ ତାଙ୍କ ସିଦ୍ଧି ଏକକ ଓ ଅନନ୍ୟସାଧାରଣ-। ଶିଳା ଓ ଶାଳଗ୍ରାମ, ଜଙ୍ଗଲ ଚିଠି, ‘ଜୀବନ ବିଦ୍ୟାଳୟ’, ‘ସମାଜ : ପରିବର୍ତ୍ତନ ଓ ବିକାଶ’, ‘ତରଙ୍ଗ ଓ ତଡ଼ିତ୍‌’, ‘ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ’ ଏବଂ ‘ଜାତିରେ ମୁଁ ଯବନ’ ଏଇ ମହାନ୍‌ ପ୍ରତିଭାର ଗୋଟିଏ ଗୋଟିଏ କୀର୍ତ୍ତିସ୍ତମ୍ଭ ।

 

ତାଙ୍କ ‘ଜୀବନ ବିଦ୍ୟାଳୟ’କୁ ନେଇ ଏ ଜାତି ଗର୍ବ କରିବା କଥା । ଯେତେବେଳେ ଚତୁର୍ଦ୍ଦିଗରେ ନୈତିକ ମୂଲ୍ୟବୋଧ ସଙ୍କୁଚିତ ହୋଇପଡ଼ୁଛି, ଯେତେବେଳେ ପ୍ରତିକୂଳତାର କୁୟାସା ସ୍ପର୍ଶିତ ହୋଇ ମନର ଆମ୍ର ବିଥିକାରୂ ବଉଳ ଆର୍ତ୍ତନାଦ କରି ଝରିପଡ଼ୁଚି ସେତେବେଳେ ଚିତ୍ତରଞ୍ଜନ କହୁଛନ୍ତି...‘‘ଯିଏ ଏବେବି’ ସ୍ୱପ୍ନ ଦେଖୁଥିବ, ଯିଏ ସୁନ୍ଦର ଜୀବନ ଓ ସୁନ୍ଦର ମଣିଷର ସ୍ୱପ୍ନ ଦେଖୁଥିବ, ସମଗ୍ର ପୃଥିବୀକୁ ଆଜି ଆହ୍ୱାନ ଦେଉଥିବା ମାନବିକ ବିପ୍ଳବରେ ସାନ ଓଡ଼ିଶାର ମଧ୍ୟ ଯତ୍‌କିଞ୍ଚିତ କରିବାକୁ ରହିଛି ବୋଲି ଯିଏ ବିଶ୍ୱାସ କରୁଥିବ, ‘ଜୀବନ ବିଦ୍ୟାଳୟ’ ପ୍ରଧାନତଃ ସେହି ସମାନଧର୍ମୀର ସଖ୍ୟକାମନା କରୁଚି (୬୪) ।’’ ଜୀବନର ସମ୍ଭାବନା ସମ୍ପର୍କରେ ବିଶ୍ୱାସ ଯା’ର ଚିର ଅକମ୍ପିତ ତାର ଲେଖନୀ ହିଁ ଜୀବନକୁ ପ୍ରଭାବିତ କରିବାର ଶକ୍ତିର ଅଧିକାରୀ । ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ଯେଉଁ ନିର୍ମାଣଯୁଗର ସୂତ୍ରପାତ, ସେହି ନିର୍ମାଣଯୁଗର ସର୍ବଶ୍ରେଷ୍ଠ ସମାଜ ସଚେତନ ଓଡ଼ିଆ ଲେଖକ ଏଇ ଚିତ୍ତରଞ୍ଜନ । ଏହି ସମାଜ ସଚେତନତା ପୁଣି ପ୍ରଦେଶରୁ ରାଷ୍ଟ୍ର ହୋଇ ସର୍ବଶେଷରେ ସମଗ୍ର ମଣିଷଜାତି, ମଣିଷ ସମାଜକୁ ଭଲ ପାଇବାରେ ପୂର୍ଣ୍ଣତା ପ୍ରାପ୍ତ ହୋଇଛି ।

 

(୬୪)

ଜୀବନ ବିଦ୍ୟାଳୟ-ଦ୍ୱିତୀୟ ଖଣ୍ଡ, ପୃଷ୍ଠା ୧୧୫ ।

 

 

ମଣିଷ, ସମାଜ, ଧର୍ମ୍ମ, ଶିକ୍ଷକ ଓ ଶିକ୍ଷା, ସଂସ୍କୃତି, ବିଶ୍ୱ ଏବଂ ଭଗବାନ ସମ୍ପର୍କିତ ‘ଜୀବନ ବିଦ୍ୟାଳୟ’ରେ ପ୍ରତିଫଳିତ ଲେଖକଙ୍କର ଅବବୋଧ ସତେ ଯେପରି ଶିଳାଲେଖ ପରି ଉତ୍କୀର୍ଣ୍ଣ ହୋଇ ରହିଛି । ‘ଜୀବନ ବିଦ୍ୟାଳୟ’ର ଚିତ୍ତରଞ୍ଜନଙ୍କ ବାଣୀ ଆମର ତିମିରିତ ମନର ଅଙ୍ଗନରେ ଗୋଟିଏ ଗୋଟିଏ ପ୍ରଦୀପ ପରି ଜଳିଉଠିଛି ।

 

(କ)

‘‘ଶିକ୍ଷକ ଯେତେ ଶ୍ରମ କଲେ ମଧ୍ୟ ଛାତ୍ରକୁ ବାରୁଦ ପରି ବ୍ୟବହାର କରିବ ନାହିଁ । ଆପଣାର ବାଟରେ ଆପେ ଦୀପଟିଏ ହୋଇ ଜଳିବା ସବୁ ଶିକ୍ଷକର ମଧ୍ୟ ଧ୍ୟେୟ ହୋଇ ରହିବା ଉଚିତ । ଗୋଟିଏ ଦୀପ ଉଚିତ ଶୋଭାରେ ଜଳି ପାରିଲେ, ତାହା ନିଶ୍ଚୟ ଆହୁରି ଅନେକ ଦୀପଙ୍କୁ ପ୍ରସ୍ତୁତ ହେବାଲାଗି ପ୍ରେରଣା ଦେଇପାରିବ । ଶିକ୍ଷକର ଜୀବନରେ ଯଦି କୌଣସି ଶୁଦ୍ଧି ଥିବ, କୌଣସି ସଂକଳ୍ପ ବା ମହତ ଆକାଙ୍‌କ୍ଷା ଥିବ, ତେବେ ତାହାହିଁ ମୃଳଦୀପ ହୋଇ ଆହୁରି ଅନେକ ଦୀପରେ ଅଗ୍ନି ବିତରଣ କରିଦେଇ ପାରିବ (୬୪) ।’’

 

 

(ଖ)

‘‘ମୋର ଜୀବନକୁ ମୁଁ ମାୟା ବୋଲି କୁହେନାହିଁ । ମୋର ସୁଖଦୁଃଖ, କାମନା ବାସନାକୁ ମୁଁ ମୋହ ବୋଲି ଫିଙ୍ଗି ଦିଏ ନାହିଁ । ଏ ଦେହ ଓ ଜୀବନର ଅଜସ୍ର ଅପୁର୍ଣ୍ଣତା ସତ୍ତ୍ୱେ ମୁଁ ଜୀବନକୁ ଏକ ପବିତ୍ର ସାଧନାକ୍ଷେତ୍ର ବୋଲି ଭାବେ । X X X ସଂସାରରେ ହିଁ ମଣିଷ ଅମରତ୍ୱର ସ୍ୱାଦ ପାଉଛି । ସଂସାରରେ ହିଁ ମଣିଷ ଅମର ହେବାର ସାଧନା କରୁଚି X X ତେଣୁ ଏ ସଂସାରକୁ ମୁଁ କଦାପି ମିଛ ବା ମାୟା ବୋଲି କହିବି ନାହିଁ । ମଣିଷ ଯେତେବେଳେ ତାର ବାସନାକୁ ବିଶ୍ୱତୋମୁଖ କରିପାରିବ, ଆପଣାକୁ ଦେଇଦେବାର ଏକ ସହଜସରଣୀ କରିପାରିବ, ସେହିଦିନ ମଣିଷର ବାସନା ତାକୁ ଅମର କରି ରଖିବ X X ଚିରନ୍ତନ ପ୍ରୀତିର ଅକ୍ଷୟ ଭଣ୍ଡାରର ଅଧିକାରୀ ଯେ ମୁଁ ହୋଇପାରିବି, ଏହାର ସୂଚନା ମୁଁ ଏହି ସଂସାରରେ ପାଇଚି । ତେଣୁ ଏହି ସଂସାରକୁ ହିଁ ମୁଁ ସ୍ୱର୍ଗ ବା ଅମର ଜୀବନର ପ୍ରଥମ ଦ୍ୱାର ବୋଲି ଗ୍ରହଣ କରିଚି (୬୫) ।

 

 

(୬୫)

ଜୀ. ବି.-ଦ୍ୱିତୀୟ ଖଣ୍ଡ, ପୃଷ୍ଠା ୯୨-୯୩ ।

 

 

(ଗ)

‘‘ଭଗବାନଙ୍କୁ ଭୟ ନ କରି ଭଲ ପାଇବାକୁ ହେବ । କାରଣ ସେ ଆମକୁ ବା ଜଗତକୁ ଶାସନ କରନ୍ତି ନାହିଁ, ସେ ଭଲ ପାଆନ୍ତି । ମଣିଷ ଓ ଭଗବାନଙ୍କ ମଧ୍ୟରେ ରହିଥିବା ଏହି ସମ୍ପର୍କକୁ ଖ୍ରୀଷ୍ଟବାଣୀରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ମୋର ମନେ ହୁଏ । ହିନ୍ଦୁଧର୍ମ ସଂସ୍କୃତିରେ ମଧ୍ୟ ଭଗବାନଙ୍କୁ ଭଲ ପାଇବାର ବଳିଷ୍ଠ ସୂଚନା ରହିଚି, ଏଥିରେ ଭଗବାନଙ୍କୁ ରସ ଓ ଆନନ୍ଦ ବୋଲି ବର୍ଣ୍ଣନା କରାଯାଇଛି (୬୬) ।’’

 

 

(୬୬)

ଜୀ. ବି.-ଦ୍ୱିତୀୟ ଖଣ୍ଡ, ପୃଷ୍ଠା ୧୫୯ ।

 

‘‘ଭଗବାନ ସବୁ ମଣିଷକୁ ଭଲ ପାଆନ୍ତି, ସବୁ ଅପରାଧ ଓ ଅପରିପୂର୍ଣ୍ଣତା ସତ୍ତ୍ୱେ ସେ ମଣିଷକୁ ଭଲ ପାଆନ୍ତି, ସେ ମୋତେ ମଧ୍ୟ ଭଲ ପାଆନ୍ତି...ଏହି ସତ୍ୟକୁ ଆମେ ସମସ୍ତେ ଯେତିକି ବୁଝିବା ସେତିକି ଆମେ ଆପଣାକୁ ନିର୍ମଳ ଓ ସବଳ କରି ଭଗବାନଙ୍କ ଲାଗି ପ୍ରସ୍ତୁତ କରିପାରିବା (୬୭) ।

 

(୬୭)

ଜୀ: ବି:-ଦ୍ୱିତୀୟ ଖଣ୍ଡ, ପୃଷ୍ଠା ୧୬୩

 

 

(ଘ)

‘‘ଜୀବନର ବାସନାକୁ ଅଧିକ ପ୍ରବଳ କରାଇ ପାରିଲେହିଁ ମଣିଷ ମୃତ୍ୟୁ ଭୟରୁ ରକ୍ଷା ପାଇ ପାରିବ । ଦୁଃଖ ସୁଖକୁ ଏକାଠି ଗୋଳି ଜୀବନର ନିର୍ମାଣରେ ତାହାକୁ ଲଗାଇ ପାରିଲେ, ମଣିଷ ଦୁଃଖକୁ କାଟି ଯାଇପାରିବ । ଆପଣାର ଶକ୍ତିଗୁଡ଼ିକ ଅଧିକ ରଚନାତ୍ମକ ମାର୍ଗରେ ଲଗାଇ ପାରିଲେ, ଆମ ଜୀବନପଥରୁ ଅନେକ କ୍ଷତି ଓ ହାହାକାର ଦୂର ହୋଇଯିବ । ଆଲୋକ ଲାଗି ଆମ ଭିତରେ ଯେତିକି ଆକୁଳତା ବଢ଼ିବ, ଅନ୍ଧାରର ଆବରଣ ଓ ଅଳୀକ ସ୍ୱାନ୍ତ୍ୱନା ସେତିକି ଅପସରି ଯିବ (୬୮) ।’’

 

 

(୬୮)

ଜୀବନ ବିଦ୍ୟାଳୟ-ଦ୍ୱିତୀୟ ଖଣ୍ଡ, ପୃଷ୍ଠା ୧୫୫

 

‘ଜୀବନ ବିଦ୍ୟାଳୟ ଏ ଦେଶର ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନାରେ ଏକ ନୀରବ ଅଥଚ ଶକ୍ତିଶାଳୀ ବିପ୍ଳବର ବାର୍ତ୍ତା ଆଣିଛି । ସମାଜ ବିଜ୍ଞାନ ସମ୍ପର୍କିତ ଓଡ଼ିଶାରେ ପ୍ରଥମ ଅନୁଧ୍ୟାନ ଚିତ୍ତରଞ୍ଜନଙ୍କ ‘ସମାଜ : ପରିବର୍ତ୍ତନ ଓ ବିକାଶ । ଜଙ୍ଗଲ ଚିଠିରେ ଆମେ ପାଉଁ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଯୁଗୋପଯୋଗୀ ଦୁର୍ବାର ଆହ୍ୱାନ । ‘ତରଙ୍ଗ ଓ ତଡ଼ିତ୍‌’ରେ ଲେଖକଙ୍କ ବହୁଶାସ୍ତ୍ରଦର୍ଶିତା ସହ ସ୍ୱକୀୟ ବିଚାରଧାରା ଓ ଉନ୍ନତ ଭାବୁକତାର ସନ୍ଦେଶ ମିଳିଥାଏ । ସାଧାରଣରେ ଯାହା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା, ତାର ନବ ମୂଲ୍ୟାୟନ କରି ସେଥିରେ ଉନ୍ନତ ସମ୍ଭାବନାର ପରିଚୟ ଦେବାରେ ଚିତ୍ତରଞ୍ଜନଙ୍କ ପ୍ରବନ୍ଧହିଁ ସମର୍ଥ ହୋଇଛି (୬୯) ।

 

(୬୯)

‘‘ଆମ ସମାଜରେ ଆଜି ଅମାନିଆ ପଣ ବଢ଼ିଯାଉଛି ବୋଲି ଯାହା କୁହାଯାଉଛି ତାହାକୁ ମୁଁ ବରଂ ଆପଣା ମନ ଓ ବିବେକ ପ୍ରତିକ୍ରିୟାକୁ ପ୍ରକାଶ କରିବାର ନିର୍ଭୟତା ବଢ଼ିଛି ବୋଲି କହିବାକୁ ଅଧିକ ପସନ୍ଦ କରିବି । ସମାଜର ସବୁ ଅମାନିଆ ଏକଲବ୍ୟ ହୋଇ ପାରିବେ ବୋଲି ଦାବୀକଲେ ମୁଁ କେବଳ ମୋ ମୂର୍ଖତାର ପରିଚୟ ଦେବି । ତଥାପି ମୁଁ କହିବି ଏହି ଅମାନିଆମାନଙ୍କ ଭିତରୁ ହିଁ ଏକଲବ୍ୟ ବାହାରିବେ’’–ଏକଲବ୍ୟ (ଏକଲବ୍ୟ କଥା ଓ ଅନ୍ୟାନ୍ୟ ପ୍ରବନ୍ଧ, ପୃଷ୍ଠା-୮)

 

‘ଜାତିରେ ମୁଁ ଯବନ’ ଚିତ୍ତରଞ୍ଜନଙ୍କ ଅନ୍ୟତମ ବିଶିଷ୍ଟ ଅର୍ଘ୍ୟ । ଏହାର ‘ଜମାନ୍‌ବନ୍ଦୀ’ରେ ଲେଖକ ଲେଖିଛନ୍ତି–‘‘ଯବନର ଜାତି ନାହିଁ । ଅର୍ଥାତ୍‌ ସିଏ ମଣିଷ, ସିଏ ଯାତ୍ରୀ, ସିଏ ସତତ ଯାତ୍ରୀ-। ସିଏ ଭଲପାଏ, ସିଏ ପରିଧିଗୁଡ଼ାକୁ ଡେଇଁଯାଏ, ପର୍ବତ ଲଘଂନ କରେ । ତା’ର ସାହିତ୍ୟ ଜଳାଶୟଗୁଡ଼ିକ ଭାଙ୍ଗିଦିଏ । କାନ୍ଥଗୁଡ଼ାକ ଭାଙ୍ଗି ପଡ଼ି ଭିତରୁ ବାହାର ଯାଏ ସଫା ହୋଇ ଦିଶିଲେ, ସିଏ ମୋଟେ ଭୟ କରେ ନାହିଁ ।’’ ଏହି ନୂତନ ଗ୍ରନ୍ଥରେ ସନ୍ନିବିଷ୍ଟ ‘ଜାତିରେ ମୁଁ ଯବନ’, ‘ଏ ବାବୁମାନେ’, ‘ବୃତ୍ତି ଏ ମୋ ପୋଷେ କୁଟୁମ୍ୱ’ ତିନୋଟି ଚମତ୍କାର ସୃଷ୍ଟି ।

 

‘ଜାତିରେ ମୁଁ ଯବନ’ରେ ‘ଯବନ’ର ପରିଚୟ ଦେବାକୁ ଯାଇ ଲେଖକ ଲେଖିଛନ୍ତି–‘‘ଯବନର ଜାତି ନ ଥାଏ, ତେଣୁ ସେ ଅନ୍ତରର କ୍ଷେତ୍ରରେ ସବୁ ଥାନରେ ଯାଇ ପତଙ୍ଗରେ ବସିପାରେ । ଯବନର ଆପଣାର ଘରେ ସୀମାସୂଚକ କୌଣସି କାନ୍ଥ ନ ଥାଏ । ତେଣୁ ସିଏ ସବୁ ଘରକୁ ଆପଣାର ଘର ବୋଲି ବଡ଼ ସହଜରେ ଅନୁଭବ କରିନେଇ ପାରେ । ଯବନର ଘରେ ଅନେକ ଦ୍ୱାର, ଅନେକ ଗବାକ୍ଷ । ଯବନର ଆକାଶ ଜାତିର ଆକାଶ ନୁହେଁ, ଯବନର ପବନ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଜାତିର ମାର୍କା ଦିଆଯାଇଥିବା ପବନ ନୁହେଁ । ଯବନ ଅର୍ଥାତ୍‌ ସ୍ୱଚ୍ଛନ୍ଦ ମଣିଷ, ଦରଜୀର କଇଁଚିରେ କଟା ନ ହୋଇଥିବା ମଣିଷ, ସ୍ପର୍ଶକାମୀ ମଣିଷ, ସଖ୍ୟକାମୀ ମଣିଷ । ତେଣୁ ଯବନ ଯେତେବେଳେ ସାହିତ୍ୟ ଭିତରକୁ ଆସେ, ସେଠାରେ ସେ କୌଣସି ପ୍ରକାର ଜାତି ବାରି ସେଠାକୁ ଆସେ ନାହିଁ । ସେ ଅବଗାହିବାକୁ ଆସେ, ଅନ୍ତରଙ୍ଗ ହୋଇ ପାଖରେ ବସିବାକୁ ଆସେ, ଅନ୍ତରଙ୍ଗ ଭାବରେ ଦେବାକୁ ଆସେ, ଅନ୍ତରଙ୍ଗ ଭାବରେ ନେବାକୁ ମଧ୍ୟ ଆସେ । ଯବନ ଅନେକ ଚକ୍ଷୁ ଦେଇ ଜଗତକୁ ଦେଖେ, ଅନେକ ରନ୍ଧ୍ର ଦେଇ ଜଗତକୁ ଆପଣା ଭିତରକୁ ଆମନ୍ତ୍ରଣ କରିଆସେ । ଯବନ ସବୁଠାରୁ ପ୍ରସାଦ ପାଏ, ସବୁଠାରୁ ଗ୍ରହଣ କରି ଧନ୍ୟ ହୁଏ-ଦେଉଳରେ ଜାତି ବାରେ ନାହିଁ, ଦିଅଁଙ୍କର ବି ଜାତି ବାରେ ନାହିଁ (୭୦) ।

 

(୭୦)

ଜାତିରେ ମୁଁ ଯବନ-ପୃଷ୍ଠା ୨୧

 

ଚିତ୍ତରଞ୍ଜନଙ୍କ ଭାଷାରେ–‘‘ସାହିତ୍ୟରେ ଯବନ ପଶିଲେ ଯାଇ ସାହିତ୍ୟର ଉଦ୍ଧାର ହୁଏ ।’’ ‘ଜାତିଆଣ ବିଚାର’ ସାହିତ୍ୟ ଭିତରେ ଅଭିଶାପ । ଏହାର ଅଣକର୍ତ୍ତାମାନେ ‘ଆପଣାକୁ ଦ୍ୱୀପଟିଏ କରି ରଖିବାକୁ ହିଁ ଅମୋଘ ମାର୍ଗ ବୋଲି ବିଚାର କରୁଥାନ୍ତି । କିନ୍ତୁ ଚେତନାକୁ ସଙ୍କୁଚିତ କରିବା ପାଇଁ ଏମାନଙ୍କ ବିକଳ ଓ ଆତୁର ପ୍ରୟାସ ଶେଷକୁ ବ୍ୟର୍ଥ ହୁଏ । ପରିବର୍ତ୍ତନର ମଧୁସ୍ପର୍ଶ ନିର୍ବେଦତାକୁ ଚଞ୍ଚଳିତ କରି ବାଡ଼ ଭାଙ୍ଗି ଦିଏ, ପାଚେରୀ ଭାଙ୍ଗିଦିଏ । ଲେଖକଙ୍କର ଭାଷାରେ–‘‘ମାତ୍ର ଏମାନଙ୍କର ସକଳ ସତର୍କତା ସତ୍ତ୍ୱେ ତଥାପି ଯବନ ଆସେ । ଜଳାଶୟରେ ନୂତନ ମର୍ମର ଓ ନୂତନ ଗତିଶୀଳତାର ସଞ୍ଚାର ହୁଏ ଆମ୍ୱଗଛ ଗୁଡ଼ାକରେ ତଥାପି ନୂଆ ପବନ ବାଜେ । ନୂଆ ମୁକୂଳ କଅଁଳେ । ଫାଶ ଫିଟିଯାଏ ।’’

 

ଚିତ୍ତରଞ୍ଜନଙ୍କ ଲଳିତ ପ୍ରବନ୍ଧରେ ଧ୍ୱନିତ ହୋଇଛି ନୂତନ ଉତ୍ସାହ, ଉଦ୍ଦୀପନା ଓ ପ୍ରାଣବନ୍ତ ଗଠନମୂଳକ କର୍ମପ୍ରେରଣାର ମଧୁର ଆବାହନୀ । ମଣିଷ ସମାଜର ରୀତିନୀତି, ଆଚାର ବିଚାର, ଆଭିମୁଖ୍ୟ ଓ ଆଦର୍ଶରେ ସତ୍ୟର ମହିମା, ଶିବର ଜ୍ୟୋତି ଓ ସୁନ୍ଦରର ଲାବଣ୍ୟ ଫୁଟାଇବାର ପ୍ରଚଣ୍ଡ ଆଗ୍ରହ ତାଙ୍କ ସୃଷ୍ଟି ସମ୍ପଦରେ ପ୍ରତିଫଳିତ ହୋଇଛି । ତାଙ୍କରି ଭାଷାରେ–‘‘ମୌଳିକ ଚିନ୍ତା ଓ ମୌଳିକ ଦିଗ୍‌ନିର୍ଦ୍ଦେଶପୂର୍ଣ୍ଣ ପ୍ରବନ୍ଧକୁ ସର୍ଜନାତ୍ମକ ପ୍ରବନ୍ଧ କୁହାଯାଏ (୭୧) ।’’ଏହି ଦୃଷ୍ଟିରୁ ‘ଜୀବନ ବିଦ୍ୟାଳୟ’ ଓ ‘ଜାତିରେ ମୁଁ ଯବନ’ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ବିଶେଷ ମର୍ଯ୍ୟାଦାର ଅଧିକାରୀ । ପ୍ରବନ୍ଧକାରର ପରିଚୟ ଦେବାକୁ ଯାଇ ଚିତ୍ତରଞ୍ଜନ ଲେଖିଛନ୍ତି–‘‘ପ୍ରବନ୍ଧକାର ଅଳ୍ପଭାଷୀ ହେବ, ସ୍ୱଭାବତଃ ସେ ମୌନ ହେବ । ମୌନ ଓ ମୂକ ଭିତରେ ଯଥେଷ୍ଟ ପ୍ରଭେଦ ରହିଛି । ଯେତିକି ଆବଶ୍ୟକ କେବଳ ସେତିକି କହିବା ଏବଂ ତାହାକୁ ସୁନ୍ଦର ଓ ହୃଦୟଗ୍ରାହୀ କରି କହିବା ଏହା ହେଉଚି ମୌନ ହେବାର ଗୁଣ (୭୨) ।’’ ପ୍ରାବନ୍ଧକଙ୍କ ସମ୍ପର୍କରେ ତାଙ୍କର ଏହି ମତ ଯଥାର୍ଥରେ ତାଙ୍କର ଆତ୍ମ ପରିଚୟ ।

 

(୭୧)

ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା : ଲେ-ଶ୍ରୀ ଚିତ୍ତରଞ୍ଜନ ଦାସ (ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା-ପୃଷ୍ଠା ୨୧୬)

(୭୨)

ତତ୍ରୈବ : ପୃଷ୍ଠା ୨୧୯

 

ଚିତ୍ତରଞ୍ଜନଙ୍କ ଗଦ୍ୟଶୈଳୀରେ ସ୍ୱକୀୟତାର ମାଧୁରୀ ପ୍ରକଟିତ ହୋଇଛି । ଜୀବନ ଉତ୍ତାପଭରା ଭାଷାରେ ସେ ଜୀବନର କଥା କହିଛନ୍ତି ।

 

ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରଥ ସ୍ୱାଧୀନତାର ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ନୂତନ ଦିଗ୍‌ବଳୟ । ତାଙ୍କ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ଓଡ଼ିଆ ରମ୍ୟ ରଚନାର ଏକ ନୂତନ ଅଧ୍ୟାୟ । ପ୍ରବନ୍ଧର ରୀତି ଓ ପ୍ରକୃତିରେ ଗତାନୁଗତିକତାର ନାଗଫାଶରୁ ମୁକ୍ତି ପାଇଁ ଏହି ଅଧ୍ୟାୟରେ ଅଛି ସଚେତନ ଓ ସଫଳ ପ୍ରୟାସ (୭୩) । ‘ମନ ଅରଣ୍ୟ’, ‘ଅଶ୍ରୁତ ସ୍ୱର’, ‘ଉତ୍ତର ଅରଣ୍ୟ’, ‘ଏ ଯେଉଁ ପୃଥିବୀ’, ‘ମଧୁ ସନ୍ଧାନ’, ‘ମୁଁ ସତ୍ୟଧର୍ମା କହୁଛି’ ଓ ‘ଦୃଷ୍ଟି ଓ ଦର୍ଶନ’ ଏହି ପର୍ଯ୍ୟାୟର ଗୋଟିଏ ଗୋଟିଏ ନୂତନ କାବ୍ୟ-ତାରା । ଚନ୍ଦ୍ରଶେଖରଙ୍କ ରମ୍ୟରଚନାର ମୂଲ୍ୟାୟନ କାଳରେ ପ୍ରଥମେ ତାଙ୍କର ‘ମୁଁ ଲେଖେ କାହିଁକି’ ଲେଖା ଅନୁଧ୍ୟାନର ବିଷୟ । ସେ ଲେଖିଛନ୍ତି–‘‘ମୁଁ ଲେଖେ, କାରଣ ନ ଲେଖି ବଞ୍ଚିବା ସମ୍ଭବ ନୁହେଁ । ଆପଣଙ୍କ ଶ୍ୱାସକ୍ରିୟା ପରି ଏଇଟା ମୋର ଅତି ସ୍ୱାଭାବିକ ଧର୍ମ । X X X ମନ ଭିତରେ ଅନେକ ସ୍ୱପ୍ନ । ସେସବୁ ଉହୁଙ୍କି ଉଠୁଥାନ୍ତି ଫିଟି ଆସିବାକୁ । ସେଗୁଡ଼ାକୁ ଧାରଣା କରିବା ଶୋଭାର ସ୍ରୋତକୁ ଧାରଣା କଲା ପରି ଦିନେ ହଠାତ୍‌ ଉଶ୍ୱାସ ଲାଗିଲା, କ୍ଳାନ୍ତ ଲାଗିଲା, କିନ୍ତୁ ମୋଟ ଉପରେ ଭଲ ଲାଗିଲା । ଦେଖିଲି ଯେ ମୁଁ କ’ଣଟାଏ ଲେଖି ପକାଇଚି । ଲେଖା ଆତ୍ମପ୍ରକାଶର ମାଧ୍ୟମ ରୂପେ ମନକୁ ମନ ଆସିଥିଲା । ଏମିତି ଆସି ନ ଥିଲେ, ମୁଁ ଲେଖି ନ ଥାନ୍ତି । ଜାଣି ନ ଥାନ୍ତି ଲେଖା କ’ଣ । ଆସ୍ତେ ତାକୁ ମୁଁ ସ୍ୱାଭାବିକ ଭାବରେ ଗ୍ରହଣ କଲି । ଯେମିତି ଗ୍ରହଣ କରିଥିଲି ବହୁଦିନ ତଳେ ଶୈଶବର ଦରୋଟି କଥା ଭିତରେ ଏ ଭାଷାଟାକୁ । ପରେ ଶିକ୍ଷା ମାଧ୍ୟମରେ ଆଉ ଯେତେସବୁ ଭାଷା ଆସିଲେ ତା’ କେବଳ ଭାବର ବଣିଜ ପାଇଁ, ଆତ୍ମପ୍ରକାଶ ପାଇଁ ନୁହେଁ X X ଲେଖା ଯେତେବେଳେ ନୂଆ ସମ୍ଭାବନା ନେଇ ଆସିଲା ସେତେବେଳେ ମୁଁ ତାକୁ ଗ୍ରହଣ କଲି । ସେ ମୋତେ ଅଧିକାର କରିବା ମଧ୍ୟ ମୁଁ ଅନୁଭବ କଲି, ଆବିଷ୍କାର କଲି ନିଜକୁ, ନୂଆ କରି ଦେଖିଲି ସଂସାରକୁ । ମୋର ସମଗ୍ର ସତ୍ତାକୁ ତାହା ଧୀରେ ଧୀରେ ସଂଜୀବିତ କଲା, ଉଦ୍‌ବର୍ତ୍ତିତ କଲା । ମୋର ସ୍ୱାଭାବିକ ଜୀବନଧର୍ମ ସହିତ ଏକୀଭୂତ ହୋଇଗଲା । ଲେଖିବା ଏବଂ ବଞ୍ଚିବା ବର୍ତ୍ତମାନ ମୋ’ ପାଇଁ ଏକାକାର, ଏକାର୍ଥବାଚୀ (୭୪) ।’’

 

(୭୩)

‘‘ପ୍ରବନ୍ଧ ଏଭଳି ଲେଖିବ, ତାର ଭାଷା, ଭଙ୍ଗୀ, ଛଟା ଏମିତି ହେବ, କ୍ଷୁଦ୍ରଗଳ୍ପ ଏଭଳି ହେବ ବା କବିତା ସାଙ୍ଗକୁ ଲାଗି ଆସିଲେ ଏମିତି ସବୁ ଅଶୁଦ୍ଧ ହୋଇଯିବ ଇତ୍ୟାଦି ଚାଟଶାଳିଆ ଅବଧାନଙ୍କ ତାଗିଦା ସତ୍ତ୍ୱେ ଅମାନିଆ ଲେଖକ, ତା’ ଖୋଲି ବଜାୟ ରଖେ ।x…x….x..ବାନ୍ଧି ଛନ୍ଦି ହେବା ଗୋଟିଏ ଅସ୍ୱସ୍ତିକର ଅବସ୍ଥା । ଏଣୁ ସମସ୍ତ ବର୍ଗାକାରକୁ ଭୁଲିଯାଇ ଏବେ ଇଂରେଜୀରେ ଗୋଟିଏ ଖୋଲାରୂପ ଗୃହୀତ ହୋଇଗଲାଣି । ତାକୁ ସେମାନେ Open Form ବୋଲି କହନ୍ତି । ଏଇଟା ସାହିତ୍ୟିକ ସ୍ୱେଚ୍ଛାଚାର ନୁହେଁ, ବା ଉଦ୍ଦେଶ୍ୟହୀନ ବିଦ୍ରୋହ ମଧ୍ୟ ନୁହେଁ । କୌଣସି ଗୋଟିଏ ବର୍ଗରେ ଆବଦ୍ଧ ନରହି ଆଉ ଟିକିଏ ବିସ୍ତୃତ ହୋଇଗଲେ, ଟିକିଏ ସ୍ୱାଧୀନ ହୋଇଗଲେ ଦେଖାଯାଉଛି ଯେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ମିଶିଯାଇ ବେଶ୍‌ ଗୋଟିଏ ନୂଆ ପ୍ରଦେଶ ଗଠନ କରି ପାରୁଛନ୍ତି । ସେଥିରେ ନାଟକ ପାଇଁ ବାସନ୍ଦ ନାହିଁ ବା କବିତା ପାଇଁ କଟକଣା ନାହିଁ । ସମସ୍ତଙ୍କୁ ଭିଡ଼ିଆଣି ଜବରଦସ୍ତି କାଠବିଡ଼ା ପରି ବାନ୍ଧିବାର ପ୍ରୟାସ ଏଥିରେ ନାହିଁ ସମସ୍ତଙ୍କର ସ୍ୱତନ୍ତ୍ର ମୂଳ ରକ୍ଷା କରି କେବଳ ଛନ୍ଦାଛନ୍ଦି ଶାଖାପତ୍ରରେ ଗୋଟିଏ ସବୁଜ ଉପନିବେଶ ମଧ୍ୟ ଏହା ନୁହେଁ । ଏଇଟା ବରଂ ମଞ୍ଜି ମଞ୍ଜି ମିଶି, ବର୍ଣ୍ଣରୂପ ମିଶି ନୂଆ ଗୋଟିଏ ଉଦ୍ଭିଦ । ତାର ଚେର ଭୂଇଁ ଛୁଇଁଗଲାଣି । ତାର କେବଳ ନାମକରଣ ହେବା ବାକୀ ଅଛି, ନିୟମିତ ବର୍ଗୀକରଣ ହେବା ବାକୀ ଅଛି ପୂର୍ବାଭାସ (ଦୃଷ୍ଟି ଓ ଦର୍ଶନ) :

 

 

(୭୪)

ମୁଁ ଲେଖେ କାହିଁକି ? (ଦୃଷ୍ଟି ଓ ଦର୍ଶନ-୧୯୭୧, ପୃଷ୍ଠା ୪୪।୪୬)

 

ଚନ୍ଦ୍ରଶେଖର ତାଙ୍କ ଲେଖକ ଜୀବନର ବହୁ ପରିଚୟ ‘ମୁଁ ଲେଖେ କାହିଁକି’ରେ ଦେଇଛନ୍ତି (୭୫) । ତାଙ୍କ ଭାବଧାରା ଯେଉଁଠି ଜୀବନତତ୍ତ୍ୱ ଆଧାରିତ, ସେଇଠି ଆମେ ଶୁଣିପାରୁ ତାଙ୍କ ପ୍ରାଣବୀଣାର ସର୍ବଶ୍ରେଷ୍ଠ ଝଙ୍କାର । ଭାରତୀୟ ଦର୍ଶନର ପୃଷ୍ଠଭୂମିରେ ଜୀବନତତ୍ତ୍ୱର ବିଶ୍ଳେଷଣରେ ତାଙ୍କ ସୃଷ୍ଟି ଅନନ୍ୟା । କିନ୍ତୁ ଚନ୍ଦ୍ରଶେଖରଙ୍କ ଏ ସମ୍ପର୍କିତ ରଚନା ଶାସ୍ତ୍ରପୁରାଣର ପ୍ରତିଧ୍ୱନି ନୁହେଁ । ଆମ ଦର୍ଶନର ବାଣୀ ତାଙ୍କ ଜୀବନର ଉପଲବ୍‌ଧି ଭିତରେ ଏକାକାର ହୋଇଯାଇଛି । ତେଣୁ ତଜ୍ଜନିତ ଆବେଗ କମ୍ପନ ତାଙ୍କ ରଚନାରେ ଲଳିତ ଅଭିବ୍ୟକ୍ତି ଲାଭ କରିଛି-‘‘ଏଭଳି ମଧୁମନ୍ଥନ କଲାବେଳେ ଆପଣ ସ୍ୱୟଂ ମଧୁମାନ ହୋଇଯିବେ । ଆପଣଙ୍କର ମଧୁ ବୃଷ୍ଟିରେ ପୃଥିବୀ ଦିଶିବ ଗୋଟିଏ ବିରାଟ ମଧୁଚକ୍ର । ଯେଉଁ ଧୂମାକ୍ରାନ୍ତ ବିଷାକ୍ତ ନଗରୀଗୁଡ଼ିକରେ ଆପଣ କେବଳ ଦ୍ୱିପଦ ଜନ୍ତୁମାନଙ୍କୁ ଦେଖି ହତାଶ ହେଉଥିଲେ, ସେମାନଙ୍କ ଭିତରୁ ପ୍ରତ୍ୟେକଙ୍କର ମଧୁକେନ୍ଦ୍ର ଦେଖି ଏଣିକି ବିସ୍ମିତ ହେବେ । ତା’ର ପ୍ରତ୍ୟେକ ବେଦନା ବିନ୍ଦୁ ହିଁ ମଧୁ ଆହରଣର ଅଖଣ୍ଡ ପ୍ରୟାସ X X ଏ ମାନବ ହିଁ ସକଳ ଜୀବଗଣଙ୍କର ମଧୁ । ଏହା ଭିତରେ ଯେଉଁ ତେଜୋମୟ ଅମୃତମୟ ପୁରୁଷ ବିଦ୍ୟମାନ ଅଛନ୍ତି, ସେ ହିଁ ସର୍ବମୟ ବ୍ରହ୍ମ ।’’

 

(୭୫)

‘‘ଲେଖାରୁ ଆନନ୍ଦ ମିଳେ, ଆତ୍ମପ୍ରକାଶର ଆନନ୍ଦ, ବୀଜରୁ ଅଙ୍କୁରର ଉଦ୍‌ଗମ ପରି, ଗନ୍ଥରେ ଫୁଲର ପ୍ରସ୍ଫୁଟନ କରି, ଫୁଲରେ ସୌରଭର ସଓ୍ୟାର ପରି ।’’ ‘ମୋ ସମସ୍ୟା ମୂଳତଃ ଭିତରର ସମସ୍ୟା । ମୁଁ ଯାହା ଚାହୁଁଚି କହିବାକୁ ତା’ ଠିକ୍‌ କହିପାରୁଚି କି ନାହିଁ । ମୋ’ ସ୍ୱପ୍ନର କପୋତ ତାର ସ୍ୱାଭାବିକ ଡେଣାରେ ଏ ରାଜ୍ୟକୁ ଉଡ଼ିଆସି ପାରୁଚି ନା ନାହିଁ, ଇତ୍ୟାଦି ।

 

ଚିନ୍ତାଟିଏ ଆସନ୍ତି ମାନବୀୟ ଭବ୍ୟ ଅତିଥି ପରି । ତାକୁ ପାଛୋଟି ନନେଲେ ସେ ବିମୁଖ ହୋଇ ଦୁଆରୁ ବାହୁଡ଼ି ଯାଆନ୍ତି, ଆଉ ଖୋଜିଲେ ମିଳନ୍ତି ନାହିଁ ।

 

‘‘ଅତିକ୍ଷୁଦ୍ର ଦୁର୍ବଳ ବିମୂଢ଼ ଜୀବଟିଏ ମୁଁ । ଅହରହ ମୋର ସନ୍ତାନ ଶିଳାରେ କ୍ଷତବିକ୍ଷତ ହେବାର ଯାତନା ମୁଁ ଭୋଗ କରେ–‘କେ ସହୁ ଦେବକୀ କଷଣ ! ବନ୍ଦୀଘରର ପାଚେରୀ ଦୁର୍ଲଘ୍ୟଂ ପାଦରେ ଶାଙ୍କୁଳି ଦୁଶ୍ଛେଦ୍ୟ । ଯଦି କେବେ କୌଣସି ସ୍ୱପ୍ନର ଦେବଶିଶୁ ଏ କାରାକକ୍ଷରୁ ଜୀବନ୍ତ ମୁକୁଳି ଆସନ୍ତା, ତାହାହିଁ ହୁଅନ୍ତା ମୋର ମାତୃତ୍ୱର ଚରମ ସଫଳତା ।’’ (ଦୃଷ୍ଟି ଓ ଦର୍ଶନ)

 

ଜୀବନର ଦାର୍ଶନିକ ତର୍ଜମା ଓଡ଼ିଆ ପ୍ରବନ୍ଧର ଆଦିପୂର୍ବରୁ ବିଭିନ୍ନ ପ୍ରବନ୍ଧରେ ହୋଇ ଆସିଛି; କିନ୍ତୁ ଅତୀତର ସେ ସକଳ ବ୍ୟାଖ୍ୟା ଶାସ୍ତ୍ରଜ୍ଞାନର ଗୁରୁଗମ୍ଭୀର ଅଭିବ୍ୟକ୍ତି ରୂପେ ଆମ ବୌଦ୍ଧିକତା ପ୍ରଚଣ୍ଡ ଭାବରେ ଆଲୋଡ଼ିତ କରିଥାଏ । ମାତ୍ର ଚନ୍ଦ୍ରଶେଖରଙ୍କ ତର୍ଜମା ବ୍ୟାଖ୍ୟା ଆମର ହୃଦୟକୁ ସ୍ପର୍ଶ କରିଥାଏ । ଏହାର ଦୁଇଟି କାରଣ ବିଦ୍ୟମାନ । ଗୋଟିଏ ହେଉଛି ଶାସ୍ତ୍ରର ତତ୍ତ୍ୱକୁ ସିଧାସଳଖ ବର୍ଣ୍ଣନା ନ କରି ଜୀବନର ନିତ୍ୟ ଘଟିତ ଘଟଣାର ଭିତରେ ତା’ର ମର୍ମବାଣୀକୁ ସେ ପ୍ରତିଧ୍ୱନିତ କରାଇଛନ୍ତି । ଅନ୍ୟଟି ତାଙ୍କ ପ୍ରକାଶ ଭଙ୍ଗୀର ମାଧୁର୍ଯ୍ୟ । ପୁରାଣର କଥାବସ୍ତୁର ସାଙ୍କେତିକ ଅଭିବ୍ୟକ୍ତି ଚିର ପ୍ରବାହମାନ ଜୀବନଧାରାରେ ପ୍ରଦର୍ଶନ କରି ତା’ର ତାତ୍ତ୍ୱିକ ବ୍ୟାଖ୍ୟା କରିବାରେ ମଧ୍ୟ ସମକାଳୀନ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଚନ୍ଦ୍ରଶେଖରଙ୍କ ସୃଷ୍ଟିର ପଟାନ୍ତର ନାହିଁ । ଏ ପ୍ରସଙ୍ଗରେ ତାଙ୍କର ‘ମଥୁରା ନଗରୀ’ ଏକ ଉଲ୍ଲେଖଯୋଗ୍ୟ ପ୍ରବନ୍ଧ...‘‘କେବଳ କେଶବ କାହିଁକି, ମଥୁରାକୁ ଯେ କେହି ଗଲେ ମଧ୍ୟ ଆଉ ବାହୁଡ଼ି ଆସେ ନାହିଁ । ରୁକୁଣା ରଥ ପରି, ଅକ୍ରୂର ରଥ ମଧ୍ୟ ସବୁବେଳେ ଅଣଲେଉଟା...କାଳ ସ୍ରୋତରେ ଗୋପ ଓ ମଥୁରା ଦୁଇଟି ଘାଟ ।’’

 

ପୁଣି...‘‘ମଥୁରା ଏକ ଅପରିଚିତ ଅନାଗତର ରାଜ୍ୟ; ଗୋଟିଏ ଅନ୍ଧାରୁଆ ଗିରି ଗୁହାର ପ୍ରବେଶ ଦ୍ୱାର, ଯାହା ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ସମସ୍ତେ ଟାଣି ହୋଇ ଯିବାକୁ ବାଧ୍ୟ ।’’

 

‘‘ମଥୁରା ଅପରିଚୟ ଭବିଷ୍ୟତର ପ୍ରଥମ ମୁହୂର୍ତ୍ତ ଏବଂ ଗୋପ ଅତୀତର ଶୀର୍ଷବିନ୍ଦୁ । କାଳର ଅବାରିତ ଧାରା ଗୋପରୁ ମଥୁରାକୁ ଚିର ପ୍ରବାହମାନ ।’’

 

ଅତି ସାଧାରଣ ଘଟଣାକୁ କେନ୍ଦ୍ର କରି ଲିଖିତ ପ୍ରବନ୍ଧରେ ମଧ୍ୟ ଚନ୍ଦ୍ରଶେଖରଙ୍କ ଦାର୍ଶନିକତାର ପ୍ରଲେପ ସେଗୁଡ଼ିକୁ ଉନ୍ନତ ସୃଷ୍ଟିରେ ପରିଣତ କରିପାରିଛି । ଏ ଦେଶର ଧର୍ମ, ଦର୍ଶନ, ଶାସ୍ତ୍ରରୁ ତାଙ୍କ ଚିନ୍ତାଧାରା ପ୍ରାଣରସ ଆହରଣ କରିଛି ସତ୍ୟ କିନ୍ତୁ ଜୀବନର ଦିବ୍ୟ ଓ ମୁଗ୍‌ଧ ଅନୁଭବ ସହିତ ସେ ସକଳ ଅଙ୍ଗୀଭୂତ ହେବା ଫଳରେ ସେ ସକଳର ସ୍ୱରୂପ ପ୍ରଦାନ କାଳରେ ତାଙ୍କ ଅନ୍ତର କବିର ହୃଦୟପରି ଆବେଗ କମ୍ପିତ ହୋଇଛି ଏବଂ ଏହି ଆବେଗ କମ୍ପନକୁ ପାଠକ ପାଠିକାର ଅନ୍ତରକୁ ସଂଶୋଧିତ କରିବା ପାଇଁ ତାଙ୍କର ପ୍ରୟାସ ଭୁଲି ହୁଏ ନା’ । ତାଙ୍କ ଗଦ୍ୟ ଶୈଳୀର ଅନୁଧ୍ୟାନ କାଳରେ ମନେ ପଡ଼ନ୍ତି । Marjenie Boulton, ସେ କହିଛନ୍ତି... । ‘‘Prose is not inferios to poetry, the kinds are different. Forests are not inferior to occeans’’ (The Anatomy of Prose, Page-3)

 

ସ୍ୱାଧୀନତାର ପରବର୍ତ୍ତୀକାଳରେ ପ୍ରକାଶିତ ଗୋପୀନାଥ ମହାନ୍ତିଙ୍କ ‘କଳାଶକ୍ତି’ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଗୁଣାତ୍ମକ ବୈଭବକୁ ବହୁଗୁଣିତ କହିଛି । ପରିମାଣାତ୍ମକ ଦୃଷ୍ଟିରୁ ନୁହେଁ ଗୁଣାତ୍ମକ ଦୃଷ୍ଟିରୁ ହିଁ ସାହିତ୍ୟ ସୃଷ୍ଟିର ମୂଲ୍ୟାଙ୍କନ ହୋଇଥାଏ । ଏହି ଦୃଷ୍ଟିରୁ କଳାଶକ୍ତି ନିଃସନ୍ଦେହରେ ଏକ ମର୍ଯ୍ୟାଦାବନ୍ତ ସ୍ଥାନର ଅଧିକାରୀ । ଏହି ସୃଷ୍ଟି ସମ୍ପର୍କରେ ମତବ୍ୟକ୍ତ କରିବାକୁ ଯାଇ ମହାପାତ୍ର ନୀଳମଣି ସାହୁ ଯଥାର୍ଥରେ କହିଛନ୍ତି...‘‘ଆମ ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ କାଳରେ ଗୋପୀନାଥ ମହାନ୍ତି ଓ ଚନ୍ଦ୍ରଶେଖର ରଥଙ୍କର ରମ୍ୟରଚନା ଗୁଡ଼ିକରୁ ଆମେ ଏହି ରମ୍ୟରଚନାର ପୂର୍ଣ୍ଣାଙ୍ଗ ସ୍ୱାଦ ପାଇଥାଉଁ । ଗୋପୀନାଥ ମହାନ୍ତିଙ୍କର କଳାଶକ୍ତିରେ ଲେଖକ ସାହିତ୍ୟ ଓ ସଂସ୍କୃତି ବିଷୟକ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ସମ୍ପୂର୍ଣ୍ଣ ଏକ ବ୍ୟକ୍ତିଗତ ମଧୁର ଭାଷାଶୈଳୀ ମାଧ୍ୟମରେ ଚମତ୍କାର ରମ୍ୟରଚନା ଗୁଡ଼ିଏ ଲେଖିଛନ୍ତି ।’’ (‘ସ୍ୱପ୍ନ ସ୍ୱପ୍ନ ଅନେକ ସ୍ୱପ୍ନ’ର ଦ୍ୱିତୀୟ ସଂସ୍କରଣର ମୁଖବନ୍ଧ-ପୃଷ୍ଠା ୩) । ଶ୍ରୀ ଭୁବନେଶ୍ୱର ବେହେରାଙ୍କ ‘ଶୁଣ ପରୀକ୍ଷ’ (୧୯୭୬) ସାମ୍ପ୍ରତିକ କାଳର ଏକ ବିଶିଷ୍ଟ ସୃଷ୍ଟି । ଅନ୍ୟ କେତୋଟି ବରେଣ୍ୟ ପ୍ରତିଭା ।

 

ଆଲୋଚ୍ୟ ସମୟ ପରିଧି ଭିତରେ ବସ୍ତୁନିଷ୍ଠ ପ୍ରବନ୍ଧ ରଚନାରେ ସିଦ୍ଧ ହସ୍ତ ଅନ୍ୟ କେତୋଟି ବରେଣ୍ୟ ପ୍ରତିଭା ହେଉଛି, ଅଧ୍ୟାପକ ପଠାଣି ପଟ୍ଟନାୟକ, ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ଏବଂ ଡକ୍ଟର ତାରିଣୀ ଚରଣ ଦାସ, ‘ଜୀବନ ରଙ୍ଗ’ର ସଂଖ୍ୟା ବିଭିନ୍ନ ସଂଖ୍ୟାରେ ପ୍ରକାଶିତ ଅଧ୍ୟାପକ ପଠାଣି ପଟ୍ଟନାୟକ ବିଭିନ୍ନ ପ୍ରବନ୍ଧ ଏବଂ ଡକ୍ଟର କୃଷ୍ଣପ୍ରସାଦ ମିଶ୍ରଙ୍କ ‘ଦର୍ଶନ ଓ ଆଲୋଚନା’ରେ ଉନ୍ନତ ଚିନ୍ତାଧାରା ସହିତ ଆମେ ପରିଚିତ ହୋଇଥାଉଁ । ଅଧ୍ୟାପକ ପଟ୍ଟନାୟକଙ୍କ ଗୁରୁ ଗମ୍ଭୀର ଗଦ୍ୟଶୈଳୀ ତାଙ୍କ ପ୍ରବନ୍ଧ ସାହିତ୍ୟର ବିଶିଷ୍ଟ ଆକର୍ଷଣ ।

 

ଉପସଂହାର :-

ସ୍ଥୂଳତଃ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ଆମେ ଦୁଇଟି ଧାରା ଦେଖିବାକୁ ପାଉଁ-। ଗୋଟିଏ ପାରମ୍ପରିକ ଓ ଅନ୍ୟଟି ନୂତନ । ଏହି ନୂତନତା ପ୍ରବନ୍ଧର କେବଳ ବିଷୟବସ୍ତୁରେ ନୁହେଁ-। ଆଙ୍ଗିକରେ ମଧ୍ୟ ରହିଛି । ଏହି ସମୟକାଳ ଭିତରେ ବସ୍ତୁନିଷ୍ଠ ପ୍ରବନ୍ଧ ଅପେକ୍ଷା ବ୍ୟକ୍ତିନିଷ୍ଠ ପ୍ରବନ୍ଧ ହିଁ ଅଧିକ ବିକଶିତ ହୋଇଛି । ଭାରତର ଅନ୍ୟାନ୍ୟ ପ୍ରଦେଶର ପ୍ରବନ୍ଧ ସାହିତ୍ୟ ତୁଳନାରେ ଆମ ସାହିତ୍ୟର ବହିର୍ବିଭାଗ ଦରିଦ୍ର ନୁହେଁ । ଆମର ପ୍ରାବନ୍ଧିକଙ୍କର ସାଧନାରେ ସାହିତ୍ୟର ଏହି ବିଭାଗ ସୁସମୃଦ୍ଧ ହୋଇ ପାରିଛି ।

***

 

Unknown

ସମୟର ଶିଳ୍ପ ରୂପ : ସମକାଳୀନ ଓଡ଼ିଆ କ୍ଷୁଦ୍ରଗଳ୍ପ

ବିଭୂତି ପଟ୍ଟନାୟକ

 

ଶିଳ୍ପ ବିପ୍ଳବ ଏବଂ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଆବଶ୍ୟକତା ଓ ଉପଲବ୍‌ଧି ମଧ୍ୟରୁ ଯେପରି ଅଷ୍ଟାଦଶ ଶତାବ୍ଦୀରେ ଉପନ୍ୟାସର ଜନ୍ମ ହୋଇଥିଲା; ବାସ୍ତବବାଦ ଓ ସ୍ୱଭାବବାଦର କଳମନ୍ଦ୍ରିତ କାଳରେ କର୍ମବ୍ୟସ୍ତ ପାଠକକୁ ବିନ୍ଦୁ ମଧ୍ୟରେ ସିନ୍ଧୁର ସ୍ୱାଦ ଦେବାପାଇଁ ଊନବଂଶ ଶତାବ୍ଦୀରେ ସେହିପରି ଜନ୍ମ ନେଇଥିଲା କ୍ଷୁଦ୍ରଗଳ୍ପ । ବସ୍ତୁତଃ ଉପନ୍ୟାସର ଜନ୍ମ ପରେ କ୍ଷୁଦ୍ରଗଳ୍ପର ନବଜନ୍ମ ଥିଲା ଅନିବାର୍ଯ୍ୟ । ଇଂଲଣ୍ଡରେ ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧ ସୁଦ୍ଧା ସାରକ୍ୟୁଲେଟିଂ ଲାଇବ୍ରେରୀ ଆନ୍ଦୋଳନ ଫଳରେ ଉପନ୍ୟାସର ଲୋକପ୍ରିୟତା ଯେପରି ସଂପ୍ରସାରିତ ହୋଇଥିଲା, ସାମୟିକ ପତ୍ରପତ୍ରିକାର ପ୍ରକାଶନ ଊନବିଂଶ ଶତାବ୍ଦୀରେ ସେହିପରି କ୍ଷୁଦ୍ରଗଳ୍ପ ରଚନା ପାଇଁ ପଥ-ପ୍ରଶସ୍ତ କରି ଦେଇଥିଲା । ପତ୍ର-ପତ୍ରିକାର ପ୍ରୟୋଜନ ପୂରଣ କରିବାପାଇଁ ହିଁ ମୋପାଁସା, ହେନ୍‌ରି ଜେମ୍‌ସ୍‌ପ୍ରମୁଖ ଗଳ୍ପ ରଚନାରେ ହାତ ଦେଇଥିଲେ ଏବଂ କ୍ଷୁଦ୍ରଗଳ୍ପର ଅନ୍ୟତମ ଜନକ ଏଡ଼ଗାର୍‌ ଏଲେନ୍‌ପୋ ସଗର୍ବରେ ଘୋଷଣା କରିଥିଲେ ସେ ହେଉଛନ୍ତି- ‘‘essentially a magazinist.’’ ପତ୍ରିକାର ଲୋକପ୍ରିୟତା ପାଇଁ ସଂପାଦକମାନେ ଯେପରି ପୋ’ଙ୍କ କ୍ଷୁଦ୍ରଗଳ୍ପ ପାଇଁ ଉତ୍ସୁକ ଥିଲେ; ନିଜ ଡାକ୍ତରୀ ପଢ଼ିବା ଖର୍ଚ୍ଚ ସଂଗ୍ରହ କରିବାପାଇଁ ଏଲେନ୍‌ପୋ ସେହିପରି ଗଳ୍ପ ଲେଖିବା ପାଇଁ ଆଗ୍ରହୀ ଥିଲେ ।

 

ତେଣୁ ଊନବିଂଶ ଶତାବ୍ଦୀରେ ରୋମାଣ୍ଟିକ ଭାବ ପ୍ରବଣତା ବିରୁଦ୍ଧରେ ବାସ୍ତବବାଦ ଓ ସ୍ୱଭାବବାଦ (Naturalism)ର ମହାପ୍ରବାହ ୟୁରୋପୀୟ ସାହିତ୍ୟକୁ ଆଲୋଡ଼ିତ କରୁଥିବାବେଳେ; ଏକ ନୂତନ ସାହିତ୍ୟ-ଶିଳ୍ପ ଭାବରେ କ୍ଷୁଦ୍ରଗଳ୍ପ ଆବିର୍ଭୂତ ହୋଇଥିଲା । ତେଣୁ କଳ୍ପନା-ପ୍ରବଣତା ଅପେକ୍ଷା ବାସ୍ତବତା ପାଖରେ ତା’ର ଅଙ୍ଗୀକାର ଆଜନ୍ମରୁ, ଏହାହିଁ ତାକୁ ପୂର୍ବରୁ ରଚିତ ଲୋକକଥା, ରୂପକଥା, କିମ୍ୱଦନ୍ତୀ, କାହାଣୀ ଓ ଉପକଥାଠାରୁ ଅଲଗା କରି ଚିହ୍ନାଇ ଦେଇଥିଲା । ପତ୍ରପତ୍ରିକାର ସୀମିତ କଲମ ମଧ୍ୟରେ ନିଜକୁ ପ୍ରକାଶ କରୁଥିବା ହେତୁ କ୍ଷୁଦ୍ରଗଳ୍ପର ଆକାର ପ୍ରକାର ମଧ୍ୟ ଏକପ୍ରକାର ସ୍ଥିର ହୋଇ ଯାଇଥିଲା । ଆକାରରେ କ୍ଷୁଦ୍ର; କିନ୍ତୁ ଆତ୍ମାରେ ମହତ୍‌; ଏଇଭଳି ରଚନା ଯାହାକୁ I am Reid ତାଙ୍କ ‘The short story’ ଗ୍ରନ୍ଥରେ କହିଛନ୍ତି’’...fictitions prose narrative briefer than a novel’-ତାହାକୁ ହିଁ କୁହାଗଲା ଆଧୁନିକ କ୍ଷୁଦ୍ରଗଳ୍ପ ।

 

ଆମ ସାହିତ୍ୟରେ ଗଳ୍ପ ରଚନାର ଇତିହାସ ଅତି ପ୍ରାଚୀନ । କିନ୍ତୁ ଆଧୁନିକ କ୍ଷୁଦ୍ରଗଳ୍ପ କହିଲେ ଆମେ ଆଜି ଯେଉଁ ସ୍ୱତନ୍ତ୍ର ରୀତିର ଗଳ୍ପ ରଚନାକୁ ବୁଝୁଛୁ; ସେହି କ୍ଷୁଦ୍ରଗଳ୍ପ ୟୁରୋପୀୟ ସାହିତ୍ୟ ମଧ୍ୟ ଦେଇ ଆମ ସାହିତ୍ୟକୁ ଆସିଛି ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ !

 

କ୍ଷୁଦ୍ରଗଳ୍ପର ଜନ୍ମ ଓ ବିକାଶରେ ପତ୍ରପତ୍ରିକାର ଭୂମିକା

ମୋପାଁସା, ଏଲେନ୍‌ ପୋ, ହେନ୍‌ରୀ ଜେମସ୍‌ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଗାଳ୍ପିକମାନଙ୍କ ଭଳି ପତ୍ରପତ୍ରିକାର ପ୍ରୟୋଜନୀୟତା ପୂରଣ ପାଇଁ ସଂପାଦକ ବିଶ୍ୱନାଥ କରଙ୍କଦ୍ୱାରା ପ୍ରରୋଚିତ ହୋଇ ଫକୀରମୋହନ ‘ଧୂର୍ଜ୍ଜଟି’ ଛଦ୍ମନାମରେ ୧୮୯୮ ମସିହାରେ ‘ଉତ୍କଳ ସାହିତ୍ୟ’ ପୃଷ୍ଠାରେ ପ୍ରଥମେ ‘ରେବତୀ’ ନାମକ କ୍ଷୁଦ୍ରଗଳ୍ପ ପ୍ରକାଶ କରିଥିଲେ । ତାହାହିଁ ହେଉଛି ଓଡ଼ିଆ ଭାଷାରେ ପ୍ରଥମେ ଆଧୁନିକ କ୍ଷୁଦ୍ରଗଳ୍ପ । ତା’ପରେ ଆଉ ପଛକୁ ଫେରି ଚାହିଁବାର ଅବକାଶ ଘଟିନାହିଁ । ‘ଉତ୍କଳ ସାହିତ୍ୟ’ ‘ମୁକୁର’ ‘ସହକାର’ ପୃଷ୍ଠାରେ ତା’ପରେ ଫକୀରମୋହନଙ୍କ ପଥ ଅନୁସରଣ କରି ଚନ୍ଦ୍ରଶେଖର ନନ୍ଦ, ଦିବ୍ୟସିଂହ ପାଣିଗ୍ରାହୀ, ଜଳନ୍ଧର ଦେବ, ବାଙ୍କନିଧି ପଟ୍ଟନାୟକ, ଦୟାନିଧି ମିଶ୍ର, ଚିନ୍ତାମଣି ମହାନ୍ତି, କାଳିପ୍ରସନ୍ନ କବି, ଲକ୍ଷ୍ମୀକାନ୍ତ ମହାପାତ୍ର ଓ ହରିଶ୍ଚନ୍ଦ୍ର ବଡ଼ାଲ ପ୍ରମୁଖ ମୌଳିକ ଗଳ୍ପ ରଚନା କରି ଓଡ଼ିଆ ଗଳ୍ପ ସାହିତ୍ୟକୁ ସମୃଦ୍ଧ କରିଥିଲେ । ସତ୍ୟବାଦୀ ଯୁଗରେ ମୌଳିକ ଗଳ୍ପ ରଚନା ଅପେକ୍ଷା ଅନୁବାଦ ଗଳ୍ପ ରଚନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ଗୋଦାବରୀଶ ମିଶ୍ର, ନର୍ମଦା କର, ପ୍ରତିଭା କର ଓ ଗୋଦାବରୀଶ ମହାପାତ୍ର ପ୍ରମୁଖ ବିଦେଶୀ ଭାଷାର ଗଳ୍ପ ଅନୁବାଦ କରି ପାଶ୍ଚାତ୍ୟ-ଶୈଳୀର ଗଳ୍ପ ରଚନା ପ୍ରତି ପାଠକ ଓ ଲେଖକମାନଙ୍କ ମନଯୋଗ ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ବିଂଶ ଶତାବ୍ଦୀର ତୃତୀୟ ଦଶକ ବେଳକୁ ପାଶ୍ଚାତ୍ୟ ଦେଶର ଗାଳ୍ପିକମାନଙ୍କ ଗଳ୍ପର ଭାବ ଓ ଆଙ୍ଗିକ ଅନୁସରଣରେ ଗଳ୍ପ ରଚନା ଲାଗି ପୃଷ୍ଠଭୂମି ତିଆରି ହୋଇ ଯାଇଥିଲା ।

 

ଓଡ଼ିଆ କ୍ଷୁଦ୍ରଗଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ‘ଉତ୍କଳ ସାହିତ୍ୟ’ ‘ଯୁଗବୀଣା’ ‘ସହକାର’ ‘ନବଭାରତ’ ‘ଶଙ୍ଖ’ ‘ଡଗର’ ଓ ‘ଆଧୁନିକ’ ପ୍ରଭୃତି ସାହିତ୍ୟ-ପତ୍ରର ପୃଷ୍ଠାରେ ଯେଉଁମାନେ ପାଶ୍ଚାତ୍ୟ ଭାବଧାରାଦ୍ୱାରା ପ୍ରଭାବିତ ହୋଇ ଗଳ୍ପ ରଚନାରେ ନୂତନ ବୈଚିତ୍ର୍ୟ ଆଣିଥିଲେ ସେମାନଙ୍କ ମଧ୍ୟରେ କାଳିନ୍ଦୀଚରଣ, ଗୋପୀନାଥ, ନିତ୍ୟାନନ୍ଦ, ରାଜକିଶୋର ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ରାଜକିଶୋର ରାୟ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପ୍ରସାଦ ପଣ୍ଡା, ଭଗବତୀ ପାଣିଗ୍ରାହୀ ପ୍ରମୁଖ ପ୍ରଧାନ ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ବହୁସଂଖ୍ୟକ ସାହିତ୍ୟ ପତ୍ର ପ୍ରକାଶିତ ହେବା ଫଳରେ ଆଧୁନିକ ଗଳ୍ପ ଓ ଗାଳ୍ପିକମାନଙ୍କ ସଂଖ୍ୟା ନିଃସନ୍ଦେହରେ ବୃଦ୍ଧି ପାଇଛି । ‘ଝଂକାର’ ‘ଡଗର’ ‘ଆସନ୍ତାକାଲି’ ‘ଦିଗନ୍ତ’ ‘ଦପ୍ତର୍ଷି’ ‘ନବପତ୍ର’ ‘ସମାବେଶ’ ‘ଜୀବନରଙ୍ଗ’ ଏବଂ ଅଧୁନା ଲୁପ୍ତ ‘ମାନସ’ ‘କଳନା’ ଓ ‘ନବରବି’ ପ୍ରଭୃତି ସାହିତ୍ୟ ପତ୍ରରେ ଅଜସ୍ର କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇଛି । ଏହାଛଡ଼ା ସ୍ୱତନ୍ତ୍ର ଭାବରେ କେବଳ ଗଳ୍ପ-ଭିତ୍ତିକ ସାହିତ୍ୟପତ୍ର ଭାବରେ ଏକଦା ‘ଉଦୟ’ ‘ମୌସୁମୀ’ ଏବଂ ସାଂପ୍ରତିକ କାଳରେ କ୍ରୟମାସିକ ‘ଗଳ୍ପ’ ‘ଗଳ୍ପତାର’ ପ୍ରଭୃତି ଗଳ୍ପପତ୍ର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପରେ ନୂତନ ପ୍ରାଣଶକ୍ତି ସଞ୍ଚାରିତ କରିଛନ୍ତି । ସମ୍ବାଦପତ୍ରମାନେ ମଧ୍ୟ ରବିବାସରୀୟ ସଂସ୍କରଣ ପ୍ରକାଶ କରି ସେଥିରେ ଗଳ୍ପ ପ୍ରକାଶନକୁ ଅଗ୍ରାଧିକାର ଦେବା ଫଳରେ ବହୁ ନୂତନ କଥା ଶିଳ୍ପୀ ଆତ୍ମପ୍ରକାଶର ସୁଯୋଗ ଲାଭ କରିଛନ୍ତି । ବହୁ ଉଚ୍ଚମାନର ନୂତନ ସାହିତ୍ୟ ପତ୍ର ପ୍ରକାଶିତ ହେଉଛି-। ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନୂତନ ରୂପ, ରସ ଓ ରଙ୍ଗରେ ତରଙ୍ଗାୟିତ କରିବାରେ ଏହି ପତ୍ରପତ୍ରିକା ଗୁଡ଼ିକର ଅବଦାନ ଅବଶ୍ୟ-ସ୍ମରଣୀୟ ।

 

ସଂକ୍ଷିପ୍ତ ପରିସର ମଧ୍ୟରେ ଏକମାତ୍ର ଭାବନାକୁ ଗୋଟିଏ ସଂକଟ ମଧ୍ୟରେ ପାଠକ ମନରେ ସଞ୍ଚାରିତ କରିବା ଥିଲା କ୍ଷୁଦ୍ରଗଳ୍ପର ନିୟତି । ଫେନିଳ ଭାବପ୍ରବଣତା; ବିସ୍ତାରିତ ବର୍ଣ୍ଣନା, ବହୁ ଚରିତ୍ରର ଶୋଭାଯାତ୍ରା କ୍ଷୁଦ୍ରଗଳ୍ପ ପାଇଁ ଥିଲା ନିଷିଦ୍ଧ । ପରବର୍ତ୍ତୀ କାଳରେ ପାଠକର ରୁଚି ସହିତ ତାଳ ମିଳାଇବାକୁ ଯାଇ କ୍ଷୁଦ୍ରଗଳ୍ପର ଆଙ୍ଗିକରେ କିଛି କିଛି ଅନିବାର୍ଯ୍ୟ ପରିବର୍ତ୍ତନ ଘଟିଥିଲେ ସୁଦ୍ଧା ଏହାର ଆକାରର କ୍ଷୁଦ୍ରତା; ଭାବନାର ଏକମୁଖୀନତା, ପ୍ରତୀତିର ସମଗ୍ରତା ଯେ ଏହାର ପ୍ରଧାନ ଐଶ୍ୱର୍ଯ୍ୟ ଏକଥା କେହି ଅସ୍ୱୀକାର କରି ପାରିବେ ନାହିଁ ।

 

କିନ୍ତୁ ଆଙ୍ଗିକର ଅଭିନବତ୍ୱ କେବଳ ଆଧୁନିକ କ୍ଷୁଦ୍ରଗଳ୍ପର ଏକମାତ୍ର ବୈଶିଷ୍ଟ୍ୟ ନୁହେଁ, ଏହାର ଭାବସଂପଦର ଉତ୍କର୍ଷ, ଏହାକୁ ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ଅଲଗା କରି ଚିହ୍ନାଇ ଦେଇଛି ।

 

ସମୟର କଳାରୂପ : କ୍ଷୁଦ୍ର ଗଳ୍ପ

ସମାଜ-ବିବର୍ତ୍ତନ ଏକ ଘଡ଼ିସନ୍ଧି ସମୟରେ; ବାସ୍ତବବାଦ-ସ୍ୱଭାବବାଦର ଉଷ୍ମକୋଳରେ ଆଧୁନିକ ସାହିତ୍ୟର ଏହି ସର୍ବ-କନିଷ୍ଠ କଳାରୂପ (art form) ଭୂମିଷ୍ଠ ହୋଇଥିବା ହେତୁ, ଜନ୍ମସୂତ୍ରରେ କ୍ଷୁଦ୍ରଗଳ୍ପ କେତେକ ସାମାଜିକ ମୂଲ୍ୟବୋଧକୁ ଧାରଣ କରିବାର ଶକ୍ତି ବହନ କରିଥିଲା-। ଅଷ୍ଟାଦଶ ଶତାବ୍ଦୀର ଶିଳ୍ପବିପ୍ଳବ ଯେଉଁ ମଧ୍ୟବିତ୍ତ, ବୁର୍ଜୟା ଶ୍ରେଣୀକୁ ଜନ୍ମ ଦେଇଥିଲା, ସେମାନଙ୍କ ମାନସିକ ତୃପ୍ତିର ସୁସ୍ୱାଦୁ ଆହାର ରୂପେ ଉପନ୍ୟାସର ଜନ୍ମ । ସେଥିପାଇଁ Ralf Fox କହିଥିଲେ, ରେଡ଼ିଓ, ଟେଲିଭିଜନ ଭଳି ଉପନ୍ୟାସ ହେଉଛି ବୁର୍ଜ୍ଜୟା ଶ୍ରେଣୀର ଏକ ବିଳାସ ସାମଗ୍ରୀ-। କିନ୍ତୁ ଊନବିଂଶ ଶତାବ୍ଦୀର କ୍ରାନ୍ତି-କାଳରେ ମଧ୍ୟବିତ୍ତ, ବୁର୍ଜ୍ଜୟା ଶ୍ରେଣୀର ଅବସର ବିନୋଦନର ଶିଳ୍ପ-ସାମଗ୍ରୀ ଭାବରେ ଉପନ୍ୟାସର ସ୍ଥାନ ଗ୍ରହଣ କଲା ପରେ କ୍ଷୁଦ୍ରଗଳ୍ପର କୌଣସି ଆବଶ୍ୟକତା ନ ଥିଲା । ଶିଳ୍ପ ବିପ୍ଳବ ପରେ କୃଷିଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥା, ଗ୍ରାମଭିତ୍ତିକ ଯୌଥ ପରିବାର ସଂସ୍ଥା ଭାଙ୍ଗି ପଡ଼ିବା ଫଳରେ ଜୀବନର ପ୍ରାଚୀନ ମୂଲ୍ୟବୋଧ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ବ୍ୟକ୍ତି ଚେତନା ସହିତ ସାମାଜିକ ଚେତନା ସମ୍ପର୍କ-ବିହୀନ ହୋଇଗଲା । ଫଳରେ ପଳାୟନ ପନ୍ଥୀ ରୋମାଣ୍ଟିକ କବିମାନେ ନାଇଟିଏଙ୍ଗଲ୍‌ର ଡେଣାରେ ବସି ଏକ ବିସ୍ମୟକର ସୁନ୍ଦର ଜଗତର ସନ୍ଧାନରେ ଆକାଶକୁ ଉଡ଼ିଯିବା ପାଇଁ ବ୍ୟାକୁଳ ହୋଇ ଉଠିଥିବା ବେଳେ, ବାସ୍ତବବାବୀ କଥାଶିଳ୍ପୀମାନେ ବ୍ୟକ୍ତିଚେତନା ଓ ସମାଜଚେତନା ମଧ୍ୟରେ ସେତୁ ବନ୍ଧନ ପାଇଁ କ୍ଷୁଦ୍ରଗଳ୍ପ ରଚନା କରିଥିଲେ । ଏଲେନ୍‌ପୋ, ନାଥନିୟେଲ ହଥର୍ଣ୍ଣ ଓ ମୋପାଁସାଙ୍କ ଗଳ୍ପରେ କ୍ଷୁଦ୍ର ରୋମାଣ୍ଟିକ ଭାବପ୍ରବଣତା ଏବଂ ଗଳ୍ପରେ ସମାଜ-ସଚେତନତା ଆମେ ବିଂଶ ଶତାବ୍ଦୀର ତୃତୀୟ ଦଶକରେ ସବୁଜ ଯୁଗର କବି କାଳିନ୍ଦୀ ଚରଣ ଓ ସଚ୍ଚିଦାନନ୍ଦଙ୍କ ଗଳ୍ପ ଓ କବିତାରେ ପ୍ରତିବିମ୍ବିତ ହୋଇଥିବା ଲକ୍ଷ୍ୟ କରିପାରୁ । କବିତାରେ ସେମାନେ ରୋମାଣ୍ଟିକ୍‌ ହୋଇଥିଲେ ସୁଦ୍ଧା ଗଳ୍ପରେ ସେମାନେ ଥିଲେ ସମକାଳୀନ ସାମାଜିକ ଚେତନାର ଅପୂର୍ବ ବିନ୍ଧାଣୀ, ବାସ୍ତବବାଦୀ !

 

ଅଳ୍ପ କଥାର ଗଳ୍ପରେ ମଣିଷର ବ୍ୟକ୍ତିଗତ ଅନୁଭୂତି ମଧ୍ୟରେ ସମାଜ-ଚେତନାକୁ ଫୁଟାଇବା ଥିଲା, ବିଂଶ ଶତାବ୍ଦୀର ପ୍ରଥମ ତିରିଶି, ପଇଁତିରିଶ ବର୍ଷ ଧରି ଓଡ଼ିଆ କ୍ଷୁଦ୍ରଗଳ୍ପର ଆଭିମୁଖ୍ୟ । ଫକୀରମୋହନଙ୍କଠାରୁ ଆରମ୍ଭ କରି କାଳନ୍ଦୀ ଚରଣଙ୍କ ପର୍ଯ୍ୟନ୍ତ ବହୁ ପ୍ରତିଭାଶାଳୀ କଥାଶିଳ୍ପୀ ଏହି ସମୟ ମଧ୍ୟରେ ଓଡ଼ିଶାର ସମକାଳୀନ ସମାଜ ଜୀବନର ଚିତ୍ରକୁ ନିଜ କ୍ଷୁଦ୍ରଗଳ୍ପରେ ରୂପାୟିତ କରିଛନ୍ତି ।

 

ଓଡ଼ିଆ କ୍ଷୁଦ୍ରଗଳ୍ପର ବିକାଶ ଓ ବୈଶିଷ୍ଟ୍ୟ–

୧୮୯୮ (‘ରେବତୀ’ର ରଚନା କାଳ)ଠାରୁ ୧୯୪୭–ଏଇ ପଚାଶ ବର୍ଷ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନ୍ମ ଓ ବିକାଶକାଳ । ଏହି ଅର୍ଦ୍ଧଶତାବ୍ଦୀ ମଧ୍ୟ ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଜାତୀୟ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ପ୍ରଥମ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ରଚିତ ହେଲାବେଳେ ଓଡ଼ିଆ ଏକ ସ୍ୱତନ୍ତ୍ର ପ୍ରଦେଶ ତ ନ ଥିଲା, ବରଂ ଦେଶ ସ୍ୱାଧୀନ ହେବାର ସ୍ୱପ୍ନ ମଧ୍ୟ ଦେଖିବାକୁ ଶିଖି ନ ଥିଲା । କିନ୍ତୁ ଏହି ପଚାଶ ବର୍ଷ ମଧ୍ୟରେ ଉତ୍କଳ ସମ୍ମିଳନୀ ନେତୃତ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା, ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆମ ଦେଶ ସ୍ୱାଧୀନତା ମଧ୍ୟ ହାସଲ କଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନ ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ଶିକ୍ଷିତ ସଂପ୍ରଦାୟ ଏବଂ ମଧ୍ୟବିତ୍ତ ଶ୍ରେଣୀର ଚିନ୍ତା ଓ ଚେତନାର ଅପୂର୍ବ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଶ୍ରେଣୀର ଲୋକେ ହିଁ ଥିଲେ ଓଡ଼ିଆ କ୍ଷୁଦ୍ରଗଳ୍ପର ଲେଖକ, ପାଠକ ଓ ପୃଷ୍ଠପୋଷକ । ତେଣୁ ସ୍ୱଭାବତଃ ଏହି ଜାତୀୟବାଦୀ ଚେତନା ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା । ଇଂରେଜୀ ସରକାରଙ୍କ ଚିରସ୍ଥାୟୀ ବନ୍ଦୋବସ୍ତ ଓ ନୂତନ ଶିକ୍ଷାନୀତି ଆମର ଅର୍ଥନୈତିକ ଓ ସାମାଜିକ ଜୀବନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଥିଲା, ତାହାର କଳାତ୍ମକ ଶିଳ୍ପରୂପ ଫକୀରମୋହନଙ୍କ ଗଳ୍ପରେ ଯେପରି ପରିଷ୍ଫୁଟ, ଉତ୍କଳ ପ୍ରଦେଶ ଗଠନ ଓ ସ୍ୱାଧୀନତା ଆନ୍ଦୋଳନର ରାଜନୈତିକ ଚେତନାର କଳାରୂପ ସେହିପରି ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର ଓ ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖଙ୍କ ଗଳ୍ପରେ ସେହିପରି ସମ୍ମୁଜ୍ଜ୍ୱଳ ।

 

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ପ୍ରଥମ ଉଷା କାଳରେ କବିବର ରାଧାନାଥ ବୈଦେଶିକ କାବ୍ୟ ସାହିତ୍ୟରୁ କଥାବସ୍ତୁ ଆହରଣ ଓ ଶୈଳୀ ଅନୁସରଣ କରି ଓଡ଼ିଆ ଆଧୁନିକ କାବ୍ୟ ଧାରା ପ୍ରବର୍ତ୍ତନ କରିଥିଲେ । ଓଡ଼ିଆ କବିତାର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସବୁଜ ଯୁଗ ଏବଂ ତାଙ୍କର ପରବର୍ତ୍ତୀ ସମୟର ବିଶିଷ୍ଟ କବି ସଚ୍ଚି ରାଉତରାୟ ପ୍ରମୁଖ ନୋବେଲ ପୁରସ୍କାର ବିଜୟୀ ବଙ୍ଗୀୟ କବି ରବୀନ୍ଦ୍ରନାଥଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ । କିନ୍ତୁ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ଫକୀରମୋହନଙ୍କ ନେତୃତ୍ୱରେ ନିଜର ଐତିହ୍ୟ ଓ ସାମାଜିକ ଚେତନାକୁ ସମ୍ଭବ କରି ଜୟଯାତ୍ରା ଆରମ୍ଭ କରିଥିଲା । କ୍ଷୁଦ୍ରଗଳ୍ପ ରଚନା ବେଳକୁ ଫକୀରମୋହନଙ୍କ ସାହିତ୍ୟ-ସାଧନା ପରିପକ୍ୱତା ଲାଭ କରି ସାରିଥିଲା । ତେଣୁ ଓଡ଼ିଆ ଭାଷାର ପ୍ରଥମ କ୍ଷୁଦ୍ରଗଳ୍ପହିଁ ସାର୍ଥକ କ୍ଷୁଦ୍ରଗଳ୍ପ । ଆଦିକବି ଶାରଳାଦାସ ଯେପରି ଥିଲେ ଓଡ଼ିଆ ମାଟିର ମହାକବି; ଫକୀରମୋହନ ଥିଲେ ସେହିପରି ଓଡ଼ିଆ କଥା ସାହିତ୍ୟରେ ଗ୍ରାମ-ଉତ୍କଳର ଅନ୍ତରଙ୍ଗ ଭାଷ୍ୟକାର । ଓଡ଼ିଆ ଗଳ୍ପରେ ଏହି ଗ୍ରାମୀଣ-ଚେତନା; ନିପୀଡ଼ିତ ଅତ୍ୟାଚାରିତ ଜନଗଣଙ୍କ ହସ କାନ୍ଦ, ସ୍ୱେଦ ଓ ଶୋଣିତର ଗନ୍ଧ ସ୍ପର୍ଶ, ଫକୀରମୋହନଙ୍କ ପରେ ଗୋଦାବରୀଶ ମିଶ୍ର, ମହାପାତ୍ର, ନିତ୍ୟାନନ୍ଦ, କାଳିନ୍ଦୀଚରଣ; ଏପରିକି ସ୍ୱାଧୀନତା ପରବର୍ତ୍ତୀ କାଳରେ ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ ପ୍ରମୁଖଙ୍କ କ୍ଷୁଦ୍ରଗଳ୍ପରେ ନିବିଡ଼ ଭାବରେ ଅନୁଭୂତ ।

 

ଫକୀରମୋହନଙ୍କ ପରବର୍ତ୍ତୀ କାଳରେ ବିଂଶ ଶତାବ୍ଦୀର ୩ୟ ଏବଂ ଚତୁର୍ଥ ଦଶକରେ ଓଡ଼ିଆ କ୍ଷୁଦ୍ରଗଳ୍ପ ନୂତନ ଆଙ୍ଗିକ ଏବଂ ଭାବ-ବୈଚିତ୍ର୍ୟ ଯୋଗୁ ଐଶ୍ୱର୍ଯ୍ୟଶାଳୀ ହୋଇ ଉଠିଥିଲା । କାଳିନ୍ଦୀଚରଣ, ଗୋପୀନାଥ, ନିତ୍ୟାନନ୍ଦ, ରାଜକିଶୋର ପଟ୍ଟନାୟକ, ରାଜକିଶୋର ରାୟ, ଅନନ୍ତ ପ୍ରସାଦ, ଭଗବତୀ ଚରଣ, ଗୋଦାବରୀଶ ମହାପାତ୍ର ଏବଂ ସଚ୍ଚି ରାଉତରାୟ ପ୍ରମୁଖ ବିଶିଷ୍ଟ କଥାଶିଳ୍ପୀ ପାଶ୍ଚାତ୍ୟ ଚିନ୍ତା ଏବଂ ନିଜସ୍ୱ ସାମାଜିକ ଚେତନାର ସମନ୍ୱୟରେ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଏକ ସୁଦୃଢ଼ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ କରି ପାରିଥିଲେ । ଏମାନଙ୍କର ଗଳ୍ପର ଭାଷା, ଭାବ ଏବଂ ଶୈଳୀ ଥିଲା ପରସ୍ପରଠାରୁ ଭିନ୍ନ । ପ୍ରଥମ ମହାଯୁଦ୍ଧର ପ୍ରଚଣ୍ଡ ଆଘାତ; ସ୍ୱାଧୀନତା ଆନ୍ଦୋଳନର ଆଗ୍ନେୟ ଉତ୍ତାପ; ମାର୍କସବାଦୀ ଚିନ୍ତାଧାରାର ନୂତନ ସୂର୍ଯ୍ୟୋଦୟ ଏମାନଙ୍କ ଦୃଷ୍ଟିର ଦିଗନ୍ତକୁ ଯେପରି ସୁଦୂର ପ୍ରସାରୀ କରିଥିଲା; ଜନ-ଜୀବନ ଓ ଗଣ-ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଏମାନଙ୍କ ସୃଷ୍ଟି ଶକ୍ତିକୁ ମଧ୍ୟ ସେହିପରି ଶାଣିତ ଏବଂ ବାସ୍ତବବାଦୀ କରିଥିଲା । ଫକୀର ମୋହନୀୟ ସଂସ୍କାରବାଦୀ ଦୃଷ୍ଟିକୋଣ ବଦଳାଇ ଏମାନେ ଓଡ଼ିଶା କ୍ଷୁଦ୍ରଗଳ୍ପରେ ସମାଜ-ବାସ୍ତବତାର ନୂତନ ରୂପ ଫୁଟାଇଥିଲେ । ଫଳରେ ଓଡ଼ିଶା କ୍ଷୁଦ୍ରଗଳ୍ପ ବର୍ଣ୍ଣନାତ୍ମକ ଭାଷାର ମେଦ ବହୁଳତା ପରିତ୍ୟାଗ କରି ଅଣ୍ଟା ସଳଖ କରି କେବଳ ଠିଆ ହେଲା ନାହିଁ; ସମାଜ-ସଂସ୍କାର ବଦଳରେ ସମାଜ-ବିପ୍ଳବ ମୁଖୀନତାର ଆଗ୍ନେୟ ଦୀପ୍ତିରେ ତା’ର ଭାବମୂର୍ତ୍ତି ମଧ୍ୟ ବଦଳି ଗଲା ।

 

ଏହି ୩ୟ-୪ର୍ଥ ଦଶକର କଥାଶିଳ୍ପୀମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଚମ ଓ ଷଷ୍ଠ ଦଶକ ପର୍ଯ୍ୟନ୍ତ ମଧ୍ୟ ନିରବଚ୍ଛିନ୍ନ ଗଳ୍ପ ରଚନା କରି ଓଡ଼ିଆକ୍ଷୁଦ୍ରଗଳ୍ପକୁ ସମୃଦ୍ଧ କରିଛନ୍ତି । ଗୋପୀନାଥ ମହାନ୍ତି, ରାଜକିଶୋର ପଟ୍ଟନାୟକ ଏବଂ ରାଜକିଶୋର ରାୟ ପ୍ରମୁଖଙ୍କ ଗଳ୍ପ ନିର୍ମାଣ କୌଶଳ, ବକ୍ତବ୍ୟ ଏବଂ ଭାଷାଶୈଳୀ ବରଂ ପଞ୍ଚମ ଓ ଷଷ୍ଠ ଦଶକର ରଚିତ କ୍ଷୁଦ୍ରଗଳ୍ପରେ ବୈଶିଷ୍ଟ୍ୟ ବିଚାର କଲାବେଳେ ୩ୟ-୪ର୍ଥ ଦଶକର ଏହି ଗାଳ୍ପିକ ଏବଂ ସେମାନଙ୍କ ଗଳ୍ପର ପ୍ରଭାବକୁ ସ୍ୱୀକାର କରିବା ସମ୍ଭବ ନୁହେଁ ।

 

ସ୍ୱାଧୀନତା ପ୍ରାପ୍ତି ପରେ ଔପନିବେଶିକବାଦୀ ରାଷ୍ଟ୍ର ଓ ସାମନ୍ତବାଦୀ ସମାଜ ବ୍ୟବସ୍ଥାର ପରିବର୍ତ୍ତନ ସହିତ ଆମେ ଏକ ନୂତନ ଯୁଗରେ ପ୍ରବେଶ କଲୁ । ରାଜତନ୍ତ୍ର ଓ ଜମିଦାରୀ ପ୍ରଥା ଉଚ୍ଛେଦ; ସାବାଳକ ଭୋଟ ପ୍ରଥାରେ ନିର୍ବାଚନ, ଗୁରୁ ଶିଳ୍ପର ପ୍ରତିଷ୍ଠା, ଶିକ୍ଷାର ବିସ୍ତାର, ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ପୁରୁଷ ସହିତ ନାରୀର ସମାନ ଅଧିକାର, ଅସ୍ପୃଶ୍ୟତା ନିବାରଣ-ଏସବୁ ଆମ ସମାଜ ଜୀବନର ଅସ୍ତିତ୍ୱକୁ ଦୋହଲାଇ ଦେଲା । ଅବଶ୍ୟ ଉତ୍ପାଦନ ପ୍ରଣାଳୀ ଏବଂ ବଣ୍ଟନ ଅବସ୍ଥାରେ କୌଣସି ବୈପ୍ଳବିକ ପରିବର୍ତ୍ତନ ନ ହେବା ଫଳରେ ସମାଜର ଅର୍ଥନୈତିକ ଅବସ୍ଥାରେ କୌଣସି ମୌଳିକ ପରିବର୍ତ୍ତନ ଘଟିବା ସମ୍ଭବ ନ ଥିଲା । ବରଂ ସାମନ୍ତବାଦର ଘଟ ପରିବର୍ତ୍ତନ ମାତ୍ର ଘଟିଲା, ତା’ର ଅବସାନ ହେଲା ନାହିଁ । ଶାସନ କ୍ଷମତା ହାତରେ ରଖିଥିବା ରାଜନୀତିଜ୍ଞ; ଶାସନ ଦାୟିତ୍ୱରେ ଥିବା ବଡ଼ ବଡ଼ ଅଫିସର ଏବଂ ବନ୍ଧବାଡ଼, ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରମାନେ ନୂତନ ଜମିଦାର, ସରବରାକାରମାନଙ୍କ ସ୍ଥାନ ଅଧିକାର କଲେ । ପୁଣି କୌଣସି କ୍ରାନ୍ତିକାରୀ ଭୂମି ସଂସ୍କାର ହୋଇ ନ ଥିବା ଯୋଗୁ ଏ ଶତାବ୍ଦୀର ଷଷ୍ଠ ଦଶକରେ ସବୁଜ ବିପ୍ଳବ ଘଟିବା ଫଳରେ ବଡ଼ ବଡ଼ ଜମିମାଲିକମାନେ ଅର୍ଥନୈତିକ ଦୃଷ୍ଟିରୁ ଛୋଟ ଛୋଟ ରାଜା, ଜମିଦାରଙ୍କ ଭଳି ଶକ୍ତିଶାଳୀ ହୋଇ ଉଠିଲେ । ଫଳରେ ଗତ ପାଞ୍ଚୋଟି ପଞ୍ଚବାର୍ଷିକ ଯୋଜନାରେ ଯେଉଁ ହଜାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା; ତାର ସୁଫଳ ସମସ୍ତଙ୍କ ପାଖରେ ସମାନ ଭାବରେ ପହଞ୍ଚି ନ ପାରିବା ଫଳରେ ଅର୍ଥନୈତିକ ବୈଷମ୍ୟ ଉତ୍କଟ ଆକାର ଧାରଣ କରିଛି ତେଣୁ ସାମାଜିକ ଉତ୍ତେଜନା, ସଂଘର୍ଷ, ହତାଶା, ବ୍ୟକ୍ତି ଓ ସାମାଜିକ ଜୀବନକୁ ବିକ୍ଷୁବ୍‌ଧ କରି ଦେଇଛି । ଏଇ ସମସ୍ୟା-କଣ୍ଟକିତ, ଶ୍ରେଣୀ-ବିଭକ୍ତ ସାମାଜିକ ଜୀବନର ଅନ୍ତରଙ୍ଗ ଆଲେଖ୍ୟ କ୍ଷୁଦ୍ରଗଳ୍ପରେ ଅଙ୍କନ କରିବାହିଁ କଥାଶିଳ୍ପୀର କର୍ତ୍ତବ୍ୟ ଏବଂ ଏହାହିଁ ହେଉଛି କ୍ଷୁଦ୍ରଗଳ୍ପରେ ଏ ଯୁଗର ଆଧୁନିକତା ।

 

ଓଡ଼ିଆ କ୍ଷୁଦ୍ରଗଳ୍ପରେ ସମାଜବାଦୀ ବାସ୍ତବତା-

ସାହିତ୍ୟରେ ବାସ୍ତବତା ଦୁଇ ପ୍ରକାର । ମାକ୍‌ସିମ ଗବର୍ନିଙ୍କ ଭାଷାରେ ଯେଉଁମାନେ ସମାଜ ଜୀବନର ଦୋଷତ୍ରୁଟିକୁ ସମାଲୋଚନା କରନ୍ତି; ନିପୀଡ଼ିତ ଅତ୍ୟାଚାରିତ ଲୋକଙ୍କ ପାଇଁ ସମବେଦନା ଦେଖାଇ ସେ ଅତ୍ୟାଚାରର ଛବିକୁ ସାହିତ୍ୟରେ ଚିତ୍ରାୟିତ କରନ୍ତି, ସେମାନେ ସମାଲୋଚନା ପନ୍ଥୀ ବାସ୍ତବବାଦୀ । ପଶ୍ଚିମୀ ସାହିତ୍ୟ-ସମାଲୋଚକମାନେ ଏହି ଶ୍ରେଣୀର ସାର୍ଥକ ସ୍ରଷ୍ଟାଙ୍କୁ ମାନବବାଦୀ ଓ ଜୀବନବାଦୀ କଥା ଶିଳ୍ପୀ ଭାବରେ ଆଖ୍ୟାୟିତ କରିଛନ୍ତି । କିନ୍ତୁ ଯେଉଁମାନେ ସଭ୍ୟତାର ଅଗ୍ରଗତିରେ ଶ୍ରେଣୀ ସଂଘର୍ଷର ମହତ୍ତ୍ୱକୁ ଉପଲବ୍‌ଧି କରି ସାହିତ୍ୟରେ ମଣିଷର ଶ୍ରମ ଓ ଶକ୍ତିକୁ ମୌଳିକ ଉପାଦାନ ଭାବରେ ଗ୍ରହଣ କରନ୍ତି, ସେମାନେ ହେଉଛନ୍ତି ସମାଜତାନ୍ତ୍ରିକ ବାସ୍ତବବାଦୀ । ବିଂଶ ଶତାବ୍ଦୀର କଥା ସାହିତ୍ୟ ସମାଲୋଚନାମୂଳକ ବାସ୍ତବବାଦ (Critical realism)ଏବଂ ସମାଜବାଦୀ ବାସ୍ତବବାଦ (Socialist realism)-ଏହିପରି ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି । ଶତାବ୍ଦୀର ଆରମ୍ଭରେ ପ୍ରେମଚାନ୍ଦଙ୍କଠାରୁ ଆରମ୍ଭ କରି ଫକୀରମୋହନଙ୍କ ପର୍ଯ୍ୟନ୍ତ-ସମସ୍ତେ ଥିଲେ ସମାଲୋଚନାମୂଳକ ବା ବିଶ୍ଳେଷଣଧର୍ମୀ ବାସ୍ତବବାଦୀ । କାରଣ ସମାଜବାଦୀ ଚିନ୍ତାଧାରା ସେତେବେଳେ ଆମ ଦେଶର ଲେଖକମାନଙ୍କ ଚିନ୍ତାର ଆକାଶକୁ ନୂତନ ଆଶାର ଲୋହିତ ଆଲୋକରେ ସିନ୍ଦୂରିତ କରି ନ ଥିଲା । ସାମାଜିକ ଓ ତା’ର ସମସ୍ୟାର ଚିତ୍ରାଙ୍କନରେ ଗଳ୍ପ ସେତେବେଳେ ଖୁବ୍ ଆଧୁନିକ ଓ ବୈପ୍ଳବିକ ମନେ ହେଉଥିଲା । ଏ ଶତାବ୍ଦୀର ତୃତୀୟ ଦଶକର ମଧ୍ୟ ଭାଗରେ ଆଧୁନିକ ପତ୍ରିକାର ପ୍ରକାଶନ ଏବଂ ପ୍ରଗତିଶୀଳ ଲେଖକ ସଂଘର ପ୍ରତିଷ୍ଠା ପରେ ଓଡ଼ିଆ କ୍ଷୁଦ୍ରଗଳ୍ପରେ ସମାଜବାଦୀ ଚିନ୍ତାର ବିକାଶ ଘଟିଥିଲା । ଏହି ପ୍ରଗତିଶୀଳ ସାହିତ୍ୟିକମାନେ ପ୍ରଥମେ ସଚେତନ ଭାବରେ କ୍ଷୁଦ୍ରଗଳ୍ପରେ ରାଜନୈତିକ ଚେତନାକୁ ଭାବବସ୍ତୁର ମାଧ୍ୟମ ଭାବରେ ବ୍ୟବହାର କରିଥିଲେ । ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଶିକାର’ ‘ମୀମାଂସା’ ‘ଝଡ଼’ ଓ ‘ହାତୁଡ଼ି ଓ ଦା’, ଏବଂ ସଚ୍ଚି ରାଉତରାୟଙ୍କ ‘ଅନ୍ଧାରୁଆ’ ରାଜା, ରାଣୀ ଓ ‘କୁକୁର’ ଏବଂ ‘ରିକ୍‌ସାବାଲା’ ପ୍ରଭୃତି ଗଳ୍ପରେ ଏହି ସମାଜବାଦୀ ଚିନ୍ତାର ସ୍ୱାକ୍ଷର ସ୍ପଷ୍ଟ ହୋଇ ଉଠିଥିଲା । ସମାଜବାଦୀ ବାସ୍ତବତାବାଦୀର ସଂଜ୍ଞା ଅନୁଯାୟୀ ଏହି ସବୁ ଗଳ୍ପ ହୁଏତ ସାର୍ଥକ, ରସୋତ୍ତୀର୍ଣ୍ଣ ସୃଷ୍ଟି ନୁହନ୍ତି, କିନ୍ତୁ ଭାବବାଦୀ ଦର୍ଶନର ଏକ ବୈପ୍ଳବିକ ବିକଳ୍ପ ଭାବରେ ଏହି ସମାଜବାଦୀ ଚେତନା ଯେ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଏକ ନୂତନ ପ୍ରାପ୍ତ ଓ ପ୍ରାଣଶକ୍ତି ସଂଚାର କରିଥିଲା, ଏଥିରେ ସନ୍ଦେହ ନାହିଁ ।

 

ଗତ ଷଷ୍ଠ ଓ ସପ୍ତମ ଦଶକରେ ଆମ ଦେଶର ଅର୍ତନୈତିକ ସଂକଟ ଗଭୀରରୁ ଗଭୀରତର ହେଉଥିବାବେଳେ, ତା’ର ସଠିକ ରୂପାୟନ କ୍ଷୁଦ୍ରଗଳ୍ପରେ ଏହି ସମାଜତାନ୍ତ୍ରିକ ବାସ୍ତବବାଦୀମାନେ କରିବା ସମ୍ଭବ ଥିଲା । କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ବାମପନ୍ଥୀ ଆନ୍ଦୋଳନର ଶିଥିଳତା ଯୋଗୁଁ ସମାଜବାଦୀ-ବାସ୍ତବତା ସାହିତ୍ୟ କ୍ଷେତ୍ରରେ ତା’ର ପ୍ରଭାବ ହରାଇ ବସିଲା । କେବଳ ବ୍ରହ୍ମାନନ୍ଦ ପଣ୍ଡା (‘‘ଆକାଙ୍‌କ୍ଷାର ସଂସ୍କାର’ ‘ଜମିଦାରୀ ଧ୍ୱଂସ ହେଉ’‘), ମନୋଜ ଦାସ (‘ସମୁଦ୍ରର କ୍ଷୁଧା’ ଓ ‘ବିଷକନ୍ୟାର କାହାଣୀ’ ଗଳ୍ପ ଗ୍ରନ୍ଥର କେତୋଟି ଗଳ୍ପ) ଓ ସଦାନନ୍ଦ ଦାସ (ଏକମାତ୍ର ଗଳ୍ପ ଗ୍ରନ୍ଥ ‘ଫସଲ’) ପ୍ରମୁଖ କଥାଶିଳ୍ପୀ ପଞ୍ଚମ-ଷଷ୍ଠ ଦଶକରେ କେତୋଟି ବଳିଷ୍ଠ କ୍ଷୁଦ୍ରଗଳ୍ପ ରଚନା କରି କଥା ସାହିତ୍ୟରେ ସମାଜବାଦୀ ବାସ୍ତବତାର ସାର୍ଥକ ପ୍ରୟୋଗ କରିଥିଲେ । ସଦାନନ୍ଦ ଦାସ ବ୍ରହ୍ମାନନ୍ଦ ପଣ୍ଡାଙ୍କ ନୀରବତା ଏବଂ ମନୋଜ ଗଳ୍ପ-ରଚନାର ଆଭିମୁଖ୍ୟରେ ପରିବର୍ତ୍ତନ ଏହି ଆନ୍ଦୋଳନକୁ ପ୍ରଭାବହୀନ କରିଦେଲା ।

 

କ୍ଷୁଦ୍ରଗଳ୍ପରେ ପାଶ୍ଚାତ୍ୟ ସାହିତ୍ୟ ଅନୁକରଣରେ ସମାଜ ସମ୍ପର୍କ-ବିହୀନ, ବ୍ୟକ୍ତି ମଣିଷର ଆତ୍ମ-କେନ୍ଦ୍ରିକତା, ନିଃସଙ୍ଗତା ନାମରେ ଯେଉଁ କୃତ୍ରିମ ଜୀବନ-ଚର୍ଯ୍ୟାର ଚିତ୍ରାଙ୍କନ ଚାଲିଛି; ତା’ ବିରୁଦ୍ଧରେ ସପ୍ତମ ଦଶକରେ କେତେଜଣ ତରୁଣ କଥାଶିଳ୍ପୀ ପୁଣି ସମାଜବାଦୀ ବାସ୍ତବତାର ସ୍ୱର ଉଠାଇଛନ୍ତି । ଏହି ନୂତନ ପିଢ଼ୀର ଗାଳ୍ପିକମାନଙ୍କ ମଧ୍ୟରୁ ପ୍ରସନ୍ନ କୁମାର ପାଟଶାଣୀଙ୍କ ତେଜ ଓ ତୀକ୍ଷଣତା ଥିଲାଭଳି ମନେହୁଏ । ତାଙ୍କର ‘ହାତକଡ଼ି’, ‘କ୍ୟାବିନ୍‌’ ଓ ‘ଆକ୍ଷି’ ପ୍ରଭୃତି କେତୋଟି ଗଳ୍ପରେ ଏହି ବିପ୍ଳବୀ ବାସ୍ତବତାବାଦର ଆଗ୍ନେୟ-ଉତ୍ତାପ ଅନୁଭୂତ ହୁଏ ।

 

ସ୍ୱାଧୀନତା ଉତ୍ତର କାଳର ଗଳ୍ପ : ଭୂମି ଓ ଭୂମିକା

ସ୍ୱାଧୀନତା ପରବର୍ତ୍ତୀ କାଳର ଓଡ଼ିଆ କ୍ଷୁଦ୍ରଗଳ୍ପ ଭଙ୍ଗୀ-ବୈଚିତ୍ର୍ୟ; ଭାଷା-ସୌଷ୍ଠବ, ଏବଂ ଭାବବସ୍ତୁର ଅଭିନବତ୍ୱରେ ନିଃସନ୍ଦେହରେ ଓଡ଼ିଆ ଉପନ୍ୟାସ ସାହିତ୍ୟଠାରୁ ଅଧିକ ସମୃଦ୍ଧ । ରାଜନୈତିକ ଓ ଅର୍ଥନୈତିକ ସ୍ଥିତିର ପଟ୍ଟ-ପରିବର୍ତ୍ତନ ଏବଂ ସାମାଜିକ ମୂଲ୍ୟବୋଧର ଅଦଳ ବଦଳ ଫଳରେ ଭାବ-ରାଜ୍ୟରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଥିଲା; ତା’ର କଳାତ୍ମକ ବାଙ୍‌ମୟ ରୂପ ବହୁ ନୂତନ ଶକ୍ତିମାନ କଥାଶିଳ୍ପୀଙ୍କ ଗଳ୍ପରେ ଫୁଟି ଉଠିଥିଲା ।

 

ରାଜନୈତିକ ଚେତନାର ବିକାଶ, ସମାଜ ବ୍ୟବସ୍ଥାର ପରିବର୍ତ୍ତନ ଫଳରେ ସ୍ୱାଧୀନତା ପରବର୍ତ୍ତୀ ସମୟର ଅନେକ ସମସ୍ୟା ଯେପରି ସ୍ୱତଃ ଗୁରୁତ୍ୱ ହୋଇ ବସିଥିଲା; ସେହିପରି ନାରୀପୁରୁଷର ସମ୍ପର୍କ; ଧର୍ମ-ଧାରଣା ସମ୍ପର୍କରେ ଅନେକ ପାରମ୍ପରିକ ଚିନ୍ତା ତମାଦି ହୋଇ ଯାଇଥିଲା । ଫଳରେ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳର ବହୁ ପ୍ରତିଷ୍ଠିତ କଥାଶିଳ୍ପୀ ସ୍ୱାଧୀନତା ପରେ ବହୁ ଗଳ୍ପ ରଚନା କରିଥିଲେ ମଧ୍ୟ ପରିବର୍ତ୍ତିତ ସମୟର ଶିଳ୍ପରୂପ ସେମାନଙ୍କ ଗଳ୍ପରେ ସଠିକ ଭାବରେ ଫୁଟିବା ସମ୍ଭବ ନଥିଲା । ଅବଶ୍ୟ ଗୋପୀନାଥ ମହାନ୍ତି ସେମାନଙ୍କ ମଧ୍ୟରେ ଏକ ବିରଳ-ବ୍ୟତିକ୍ରମ । ଚୋରା ଚାଉଳ କାରବାର କରୁଥିବା ଜୀବନ-ଲୋଭୀ କେତେଜଣ ସାଧାରଣ ମଣିଷଙ୍କୁ ନେଇ ଲେଖା ତାଙ୍କର ‘ପିମ୍ପୁଡ଼ି’ ଗଳ୍ପ ଏବଂ ଜରୁରୀକାଳୀନ ଅବସ୍ଥାର ପ୍ରତିବାଦରେ ତାଙ୍କର ଇଙ୍ଗିତଧର୍ମୀ ଗଳ୍ପ ‘ବାଘେଣୀ’ ତା’ର ଉଜ୍ଜ୍ୱଳ ଉଦାହରଣ । ଚିତ୍ରମୟ, ବ୍ୟଞ୍ଜନାଧର୍ମୀ ଭାଷା ଏବଂ ବିଶ୍ଳେଷଣାତ୍ମକ ଶୈଳୀରେ ରଚିତ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ଷଷ୍ଠ ଦଶକର କେତେଜଣ ବିଶିଷ୍ଟ ଗାଳ୍ପିକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ।

 

ପଞ୍ଚମ ଦଶକର ଓଡ଼ିଆ କ୍ଷୁଦ୍ରଗଳ୍ପରେ ଯେଉଁମାନେ ନିଜସ୍ୱ ଦୀପ୍ତୀରେ ଜାଜ୍ଜୁଲ୍ୟମାନ ସେମାନଙ୍କ ମଧ୍ୟରେ ସୁରେନ୍ଦ୍ର ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, ଅଖିଳ ମୋହନ ପଟ୍ଟନାୟକ, ମହାପାତ୍ର ନୀଳମଣି ସାହୁ, ବସନ୍ତ କୁମାର ଶତପଥି ଓ ଅଚ୍ୟୁତାନନ୍ଦ ପତି ପ୍ରମୁଖ ମୁଖ୍ୟତଃ ଆମର ଦୃଷ୍ଟି ଆକର୍ଷଣ କରନ୍ତି । ଏମାନଙ୍କ ମଧ୍ୟରେ ସୁରେନ୍ଦ୍ର ମହାନ୍ତି ଏକ ସ୍ୱତନ୍ତ୍ର ଶୈଳୀ ଏବଂ ସ୍ୱତନ୍ତ୍ର ସିଦ୍ଧିର ଅଧିକାରୀ; ତେଣୁ ସ୍ୱଭାବତଃ ବହୁ ଆଲୋଚିତ ବ୍ୟକ୍ତିତ୍ୱ ।

 

ନିଜ କ୍ଷୁଦ୍ରଗଳ୍ପ ସମ୍ପର୍କରେ ଶ୍ରୀ ମହାନ୍ତି ‘ଓଡ଼ିଆ ସାହିତ୍ୟର କ୍ରମ ବିକାଶ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି–‘‘ପ୍ରକାଶଶୈଳୀର ପରିମାର୍ଜିତ ରୂପ, ଉପସ୍ଥାପନାରେ ନାଟକୀୟତା, ଜୀବନସଚେତନ ଅତନ୍ଦ୍ର ଦୃଷ୍ଟି, ବକ୍ତବ୍ୟରେ ମୌଳିକତା, ବିଷୟବସ୍ତୁତ୍ୱ ଅଭିନବତ୍ୱ ସାଂପ୍ରତିକ ସମାଜ ଓ ତାହାର ପ୍ରତିଷ୍ଠିତ ମୂଲ୍ୟବୋଧ ପ୍ରତି କଟାକ୍ଷ, ସର୍ବୋପରି କାବ୍ୟିକ ମେଜାଜ୍‌, ତାଙ୍କର କ୍ଷୁଦ୍ରଗଳ୍ପୁଗୁଡ଼ିକୁ ଏକ ନୂତନ ଆଭିଜାତ୍ୟ ପ୍ରଦାନ କରିଥିଲା । ପୌରାଣିକ, ବୌଦ୍ଧ ଯୁଗଠାରୁ ଆରମ୍ଭ କରି ସାଂପ୍ରତିକ ଯନ୍ତ୍ର-ଜର୍ଜ୍ଜରିତ କାଳ ପର୍ଯ୍ୟନ୍ତ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକର ପରିଧି ବିସ୍ତୃତ ଓ ବର୍ଣ୍ଣାଢ଼୍ୟ ।’’

 

ବାସ୍ତବରେ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଏକ ଘନ ପିନଦ୍ଧ ସଂଯତ ଆଙ୍ଗିକ ଏବଂ କାବ୍ୟଧର୍ମୀ ଭାଷାର ଲାବଣ୍ୟରେ ଐଶ୍ୱର୍ଯ୍ୟମୟୀ କରିବାରେ ସୁରେନ୍ଦ୍ର ବାବୁଙ୍କ ଅବଦାନ ଅତୁଳନୀୟ । ସାମାଜିକ, ପୌରାଣିକ, ଐତିହାସିକ ଓ ରାଜନୈତିକ ସବୁ ଶ୍ରେଣୀର ଗଳ୍ପ ତାଙ୍କ ଭାଷାର ଯାଦୁ ମାୟାରେ ଜୀବନ୍ତ ହୋଇ ଉଠିଛନ୍ତି । କଳ୍ପନାର ସ୍ରୋତୋଚ୍ଛ୍ୱାସ ଅପେକ୍ଷା ସୁଚିନ୍ତିତ ପରିକଳ୍ପନାର ଭାଗମାପରେ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ସୁଲିଖିତ । ତତ୍‌ସମ, ତଦ୍‌ଭବ ଶବ୍ଦ ବହୁଳ ଭାଷାରେ ସେ ଯେପରି ‘ମଧୁମତ୍ତାର ଅଭିସାର’ ଭଳି ଗଳ୍ପ ଲେଖିପାରନ୍ତି, ଦେଶଜ ଶବ୍ଦ ବ୍ୟବହାରରେ ଗ୍ରାମ୍ୟ ପରିବେଶ ସେ ସରଳ ଭଙ୍ଗୀରେ ସେ ‘ଘନିଆର ଗଣେଶ ଚତୁର୍ଥୀ’ (ଶେଷ କବିତା) ପରି ଗଳ୍ପ ଲେଖି ପାରିଛନ୍ତି । କେବଳ ବାକ୍‌ପ୍ରତିମା ନୁହେଁ, ଭାବ-ପ୍ରତିମା ଗଠନ କରିବାରେ ତାଙ୍କର ଶବ୍ଦମାଳା ବାକ୍ୟମାନଙ୍କରେ ବ୍ୟବହୃତ ହୁଅନ୍ତି !

 

ରାଜନୈତିକ ଚେତନା ସମ୍ବଳିତ ଗଳ୍ପ ରଚନା କ୍ଷେତ୍ରରେ ଏକଦା ବ୍ରହ୍ମାନନ୍ଦ ପଣ୍ଡା ଯେପରି ପାଠକ ଓ ସମାଲୋଚକମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଥିଲେ, ଯୌନମନସ୍ତତ୍ତ୍ୱ ଉପର ଲିଖିତ ‘ମହକ’ ଗ୍ରନ୍ଥରେ ସନ୍ନିବିଷ୍ଟ ତାଙ୍କର ଗଳ୍ପଗୁଛ ସେହିପରି ଲୋକପ୍ରିୟତା ଅର୍ଜ୍ଜନ କରିଥିଲା । ସୁରେନ୍ଦ୍ର ବାବୁଙ୍କ ଭାଷାର ଲାବଣ୍ୟ ବ୍ରହ୍ମାନନ୍ଦ ବାବୁଙ୍କ ଗଳ୍ପରେ ଅନୁପସ୍ଥିତ । କିନ୍ତୁ ବ୍ରହ୍ମାନନ୍ଦ ବାବୁଙ୍କ ଗଳ୍ପରେ ସମାଜବାଦୀ ବାସ୍ତବତା ଓ ପ୍ରଗତିଶୀଳ ଚେତନା ଯେପରି ପ୍ରଖର, ସୁରେନ୍ଦ୍ର ବାବୁଙ୍କ ଗଳ୍ପରେ ତାହା ଦେଖାଯାଏ ନାହିଁ । ବରଂ ସୁରେନ୍ଦ୍ର ବାବୁ ଏଷ୍ଟାବ୍ଳିସମେଣ୍ଟ ବିରୋଧୀ ହେଲେ ମଧ୍ୟ ରାଜନୈତିକ ସ୍ଥିତବସ୍ଥା ପ୍ରତି ମୋହଗ୍ରସ୍ତ, ପୁଣି ଅତୀତର ସାମନ୍ତବାଦୀ ଆଭିଜାତ୍ୟ ଓ କୌଳିନ୍ୟ ପ୍ରତି ତାଙ୍କର ଦୃଷ୍ଟିକୋଣ ଅନେକାଂଶରେ ରୋମାଣ୍ଟିକ୍‌ ସ୍ୱାଧୀନତା ପରବର୍ତ୍ତୀ କାଳର ଦୁଇ ବିଭିନ୍ନମୁଖୀ ରାଜନୈତିକ ଚେତନାର ପ୍ରତିନିଧିତ୍ୱ କରୁଥିବା ଦୁଇଟି ସାର୍ଥକ ଗଳ୍ପ ହେଉଛି ସୁରେନ୍ଦ୍ର ବାବୁଙ୍କ ‘ଡିନୋସାରର ଆତ୍ମା’’ ଏବଂ ବ୍ରହ୍ମାନନ୍ଦ ବାବୁଙ୍କ ‘‘କୁମାର ଦେଓ’’ !

 

ସୁରେନ୍ଦ୍ର ମହାନ୍ତିଙ୍କ ଭଳି ଅଖିଳମୋହନ ପଟ୍ଟନାୟକ ମଧ୍ୟ ଗଳ୍ପର ଭାଷା ଓ ଆଙ୍ଗିକ ପ୍ରତି ଖୁବ୍‌ ସଚେତନ । ତାଙ୍କର ପରିଚ୍ଛନ୍ନ ଭାଷାର ଆବେଗ ପାଠକ ମନକୁ ସହଜରେ ଆଚ୍ଛନ୍ନ କରେ । ଗଳ୍ପ ନିର୍ମାଣ କୌଶଳରେ ସତର୍କତା ଏବଂ ନିଜସ୍ୱ ଏକ ସ୍ୱତନ୍ତ୍ର ପ୍ରକାଶଭଙ୍ଗୀ ଯୋଗୁ ପରିମାଣ ଦୃଷ୍ଟିରୁ ଖୁବ୍‌ଅଳ୍ପ ସଂଖ୍ୟକ ଗଳ୍ପ ଲେଖିଥିଲେ ସୁଦ୍ଧା (‘‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’’ ଏବଂ ’ଓ ଅନ୍ଧ ଗଳି’–ଏ ଦୁଇଟି ମାତ୍ର ଗଳ୍ପ ସଂକଳନ ପ୍ରକାଶିତ) ଗତ ତିରିଶ ବର୍ଷ ମଧ୍ୟରେ କେବେହେଲେ ସେ ପାଠକମାନଙ୍କ ଦୃଷ୍ଟି ଆଢ଼ୁଆଳକୁ ଚାଲିଯାଇ ନାହାନ୍ତି । କିନ୍ତୁ ଭାଷାର ଆଭିଜାତ୍ୟ କିମ୍ବା ଶୈଳୀ-ସ୍ୱାତନ୍ତ୍ର୍ୟ ତାଙ୍କର ଲୋକପ୍ରିୟତାର ଏକମାତ୍ର କାରଣ ନୁହେଁ । ସମକାଳୀନ ସମାଜ, ଅର୍ଥନୀତି ଓ ରାଜନୈତିକ ସ୍ଥିତି ସମ୍ପର୍କରେ ତାଙ୍କର ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ, ଉଚ୍ଚ ମଧ୍ୟବିତ୍ତର ତ୍ରିଶଙ୍କୁର ସ୍ୱର୍ଗରେ ଥାଇ ମଧ୍ୟ ମାଟିର ପୃଥିବୀ ପ୍ରତି ତାଙ୍କର ବିହ୍ୱଳିତ କରୁଣ ଦୃଷ୍ଟିପାତ, ଉଚ୍ଚ ଶିକ୍ଷିତ ପାଠକ ଓ ସମ୍ବେଦନଶୀଳ ସମାଲୋଚକଙ୍କ ହୃଦୟରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସିଂହାସନ ତିଆରି କରିଦେଇଛି । ଦିନେ ଯେଉଁ ମାର୍କସବାଦୀ ଜୀବନ ଦର୍ଶନ ତାଙ୍କ ହାତରେ ‘ରୂପନାରାୟଣ ସାହା’ ଆଉ ‘ଆଷାଢ଼ସ୍ୟ ପ୍ରଥମ ଦିବସେ’ ଭଳି ଗଳ୍ପ ଲେଖାଇ ନେଇଥିଲା, ସେଇ ସ୍ୱଚ୍ଛ ଜୀବନ-ଦୃଷ୍ଟି ଏ ଶତାବ୍ଦୀର ଅଷ୍ଟମ ଦଶକର ଆରମ୍ଭରେ ‘‘ଅଭିଶପ୍ତ ଜରାୟୁ’’ ଭଳି ଗଳ୍ପକୁ ତାଙ୍କ ଲେଖନୀରୁ ଜନ୍ମ ଦେଇପାରିଲା । ‘‘ଏଇ ବ୍ରାହ୍ମ ମୁହୂର୍ତ୍ତରେ’’, ମୁଁ ସ୍ୱଗତ ଚିତ୍କାର କରିଉଠିଲି, ଦାନ୍ତରେ ଦାନ୍ତ ଟିପି, ମୁଁ ସୂର୍ଯ୍ୟଙ୍କ ଶପଥ ନେଇ କହୁଛି, ମୋର ସନ୍ତାନର ଶପଥ ନେଇ କହୁଛି ତମେ ତିନିଶହ ଚଉସ୍ତରୀ ଟଙ୍କା ପାଉଥିବା ଲୋକମାନେ ଯଦି ବିବାହ କର, ତାହାହେଲେ ତମେମାନେ ଜରାୟୁବିହୀନ ନାରୀର ସନ୍ଧାନ କର (‘‘ଅଭିଶପ୍ତ ଜରାୟୁ’’-‘ସୁଚରିତା’, ଜାନୁୟାରୀ, ୧୯୮୧) ଜଣେ ସ୍ୱଳ୍ପବେତନଭୋଗୀ କର୍ମଚାରୀ ଅର୍ଥାଭାବରୁ ସନ୍ତାନସମ୍ଭବା ପତ୍ନୀକୁ ମୃତ୍ୟୁମୁଖରୁ ରକ୍ଷା କରି ନ ପାରି ଯେଉଁ ଆର୍ତ୍ତବିଳାପ କରିଉଠିଛି, ତା’ ମଧ୍ୟରେ ଫୁଟି ଉଠିଛି ଆମର ୩୩ ବର୍ଷର ସ୍ୱାଧୀନ ରାଷ୍ଟ୍ର, ତା’ର ମିଶ୍ର-ଅର୍ଥନୀତି ଓ ଦୁର୍ନୀତିଗ୍ରସ୍ତ ସମାଜ ବ୍ୟବସ୍ଥାର ବ୍ୟର୍ଥ, ବିଷର୍ଣ୍ଣ ଚିତ୍ର । ନୋହିମିଆନ୍‌ ଜୀବନ ନେଇ ସୁରେନ୍ଦ୍ର ମହାନ୍ତିଙ୍କ ଭଳି ଅଖିଳ ବାବୁ ମଧ୍ୟ କିଛି ଗଳ୍ପ ଲେଖିଛନ୍ତି, କିନ୍ତୁ ତାହା କେବଳ ପାଠକମାନଙ୍କ ମନରେ ଚମକ ସୃଷ୍ଟି କରିବା ପାଇଁ, ସେଭଳି ଗଳ୍ପ ପାଠକ ହୃଦୟରେ ଗହୀର ଦାଗ କାଟିପାରେ ନାହିଁ ।

 

ମହାପାତ୍ର ନୀଳମଣି ସାହୁ ଏଇ ସମୟର ଅନ୍ୟତମ ମହତ୍‌ କଥାଶିଳ୍ପୀ । କଥାଶିଳ୍ପରେ ତାଙ୍କର ମହତ୍ତ୍ୱ ଚରିତ୍ର ଚିତ୍ରଣ ଓ ରସ ପରିବେଷଣରେ ନିହିତ । ଗୋପୀନାଥ ମହାନ୍ତିଙ୍କ ଭଳି ‘ସାମାଜିକ ବ୍ୟକ୍ତି ମଣିଷ’ ହିଁ ତାଙ୍କ ସକଳ ଗଳ୍ପର କେନ୍ଦ୍ରବିନ୍ଦୁ । ବ୍ୟକ୍ତିଚେତନା ସହିତ ସାମାଜିକ ଚେତନାକୁ ସମନ୍ୱିତ କରିବା, ଅନୁଭବ ଓ ଉପଲବ୍‌ଧ ମଧ୍ୟ ଦେଇ ସେଇ ସାମାଜିକ ମଣିଷକୁ ଏକ ‘‘ସୁଉଚ୍ଚ ତୁରୀୟ ଚେତନା ସ୍ତରକୁ ଉନ୍ନୀତ କରିପାରିବାର ଆଶ୍ଚର୍ଯ୍ୟ-ଦକ୍ଷତା ତାଙ୍କ ଗଳ୍ପର ବୈଶିଷ୍ଟ୍ୟ-। ଗଭୀର ଅର୍ନ୍ତଦୃଷ୍ଟି ଏବଂ ସମ୍ବେଦନଶୀଳ ବ୍ୟାଖ୍ୟା, ବିଶ୍ଳେଷଣଦ୍ୱାରା ଗଳ୍ପର ଚରିତ୍ରମାନଙ୍କୁ ସେ ଯେପରି ଚିତ୍ରାୟିତ କରିପାରନ୍ତି, କୌତୁକପୂର୍ଣ୍ଣ ବ୍ୟଙ୍ଗାତ୍ମକ ତୀର୍ଯ୍ୟକ ଦୃଷ୍ଟିପାତଦ୍ୱାରା ସେହିପରି ଗଳ୍ପର ଚରିତ୍ରମାନଙ୍କ ମଧ୍ୟରେ ଜୀଇଁ ରହିଥିବାର ବୈଦ୍ୟୁତିକ ଶିହରଣ ସୃଷ୍ଟି କରି ଜାଣନ୍ତି । ଏହି ବ୍ୟଙ୍ଗ-କୌତୁକର ଶିହରଣ ପାଠକର ଅନ୍ତଃସ୍ଥଳକୁ କୁତୁ କୁତୁ କରିଦିଏ ବୋଲି ବହୁ ଗଭୀର-ଚେତନାର ମର୍ମନ୍ତୁଦ କାହାଣୀ ଲେଖିଥିଲେ ସୁଦ୍ଧା ଜଣେ ବ୍ୟଙ୍ଗ, ହାସ୍ୟରସିକ ଗାଳ୍ପିକ ଭାବରେ ଓଡ଼ିଶାର ବୃହତ୍ତର ପାଠକ ସମାଜରେ ସେ ପରିଚିତ । ନୀଳମଣି ବାବୁଙ୍କ ଗଳ୍ପ ଗ୍ରନ୍ଥର ଆଲୋଚନା କଲାବେଳେ ଅଧ୍ୟାପକ ଯତୀନ୍ଦ୍ରମୋହନ ମହାନ୍ତି ଓ ଦାଶରଥି ଦାସ ପ୍ରମୁଖ ଏଥିପାଇଁ ପାଠକମାନଙ୍କ ସୂକ୍ଷ୍ମ ରସବୋଧର ଅଭାବ ପ୍ରତି କଟାକ୍ଷପାତ କରିଥିଲେ ସୁଦ୍ଧା ପ୍ରକୃତରେ ପାଠକମାନେ ଏଥିପାଇଁ ଦାୟୀ ନୁହନ୍ତି । ନୀଳମଣି ବାବୁଙ୍କ ବିଶ୍ଳେଷଣାତ୍ମକ ଶୈଳୀରେ ହାସ୍ୟରସର ବାରୁଦରେ ଯେପରି ନିଆଁ ଧରିଯାଏ, ତାଙ୍କ ଚଟୁଳ ରସିକତାରେ ବିଷର୍ଣ୍ଣତାର ବୁଦ୍‌ବୁଦ ଯେପରି ପାଣି ଫାଟିଯାଏ, ତାଙ୍କର ଅନ୍ୟ କୌଣସି ସମସାମୟିକ ଗାଳ୍ପିକଙ୍କ ଗଳ୍ପରେ ତାହା ସମ୍ଭବ ହୁଏ ନାହିଁ । ଏହା ନୀଳମଣି ବାବୁଙ୍କକର କୌଣସି ଦୁର୍ବଳତା ନୁହେଁ, କିମ୍ବା ଏହା ସହିତ ପାଠକମାନଙ୍କ ସୂକ୍ଷ୍ମ ରସବୋଧର କୌଣସି ସମ୍ପର୍କ ନାହିଁ । ହିଉମର୍‌ ସାର୍ଥକ ଗଳ୍ପର ପ୍ରାଣଶକ୍ତି ସ୍ୱରୂପ ।

 

ନୀଳମଣି ବାବୁଙ୍କ ଗଳ୍ପର ଦୁର୍ବଳତା ବୋଧହୁଏ ତାଙ୍କର କାହାଣୀ ବିନ୍ୟାସ ଏବଂ ବିଶ୍ଳେଷଣାତ୍ମକ ଶୈଳୀରେ । ସେ ଆଧୁନିକ କ୍ଷୁଦ୍ରଗଳ୍ପର ନୀତିନିୟମ ସବୁବେଳେ ମାନନ୍ତି ନାହିଁ । ମନେପଡ଼ୁଛି ଠାଏ କେଉଁଠି ଅନ୍ନଦାଶଙ୍କର ରାୟ ଉପନ୍ୟାସ ଓ ଗଳ୍ପ ମଧ୍ୟରେ ପାର୍ଥକ୍ୟ ବୁଝାଇବାକୁ ଯାଇ ଲେଖିଥିଲେ–‘‘ଉପନ୍ୟାସ ଯଦି ତରୁ ହୁଏ, ଆଧୁନିକ କ୍ଷୁଦ୍ରଗଳ୍ପ ହେଉଛି ତୁଣ ।’’ ତରୁ ଭଳି ଶାଖା ପ୍ରଶାଖା ବିସ୍ତାର କରିବାରେ ନୁହେଁ, ତୃଣର ସଂକ୍ଷିପ୍ତ, ସଂଯତ ସବୁଜିମାରେ ହିଁ କ୍ଷୁଦ୍ରଗଳ୍ପର ଅନ୍ତଃସୌନ୍ଦର୍ଯ୍ୟ ଫୁଟି ଉଠେ । କିନ୍ତୁ ମହାପାତ୍ର ନୀଳମଣି ସାହୁଙ୍କ କେତେକ ଗଳ୍ପ, ପରିଣତିର ଶୀର୍ଷବିନ୍ଦୁରେ ‘ଚିତ୍ରଗନ୍ଧର୍ବ’ ‘କପୋତ ପକ୍ଷୀ ଗୁରୁ ମୋର’ ଭଳି ଧ୍ରୁପଦୀ-ସୌନ୍ଦର୍ଯ୍ୟସଂପନ୍ନ ଗଳ୍ପ, ନଭେଲ୍‌ ନ ହେଲେ ବି ନଭେଲା ହୋଇଯାଏ । କଲମ ମୁନରେ କାଳିର ମାତ୍ରା ଅଧିକ ହେଲେ ଯେପରି କାଗଜର ଲେଖା ଚପି ଅକ୍ଷର ଅସ୍ପଷ୍ଟ ହୋଇଯାଏ, କ୍ଷୁଦ୍ର ଗଳ୍ପରେ ଭାବପ୍ରବଣତା ବେଶି ହୋଇଗଲେ, ଥିମ୍‌ ବା ଗଳ୍ପର ଭାବବସ୍ତୁ, କାହାଣୀ-ବିନ୍ୟାସ ମଧ୍ୟରେ ସେହିପରି ନିଜର ପ୍ରଭାବ ହରାଇ ବସେ ।

 

‘ଅଶୁଭ ପୁତ୍ରର କାହାଣୀ’ ଓ ‘ଉଗ୍ରସେନ ଉବାଚ’ ପ୍ରଭୃତି ଗଳ୍ପ ଗ୍ରନ୍ଥ ୧୯୭୩ ମସିହା ପରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ଅଚ୍ୟୁତାନନ୍ଦ ପତି ପ୍ରାୟ ପଚିଶ ବର୍ଷ ହେଲା ଅନେକ ସଫଳ କ୍ଷୁଦ୍ରଗଳ୍ପ ଲେଖି ଖ୍ୟାତି ଅର୍ଜ୍ଜନ କରିଛନ୍ତି । ସରଳ ନିରାଡ଼ମ୍ବର ଭାଷା, ସ୍ୱଚ୍ଛ ଜୀବନଧର୍ମୀ ଦୃଷ୍ଟି; ତାଙ୍କ ଗଳ୍ପର ପ୍ରଧାନ ସମ୍ପଦ । ଲୋକକଥା ଓ ଉପରକଥାକୁ ସେ ନିଜ ଗଳ୍ପର ଆଙ୍ଗିକ ଓ କଥାବସ୍ତୁର ଉପକରଣ ଭାବରେ ବ୍ୟବହାର କରିଛନ୍ତି । କୁକୁର, ବିଲେଇ, ପାରା ଓ ଘରଚଟିଆ ପ୍ରଭୃତି ପଶୁପକ୍ଷୀ ଗଳ୍ପର ଚରିତ୍ର ଭାବରେ ବ୍ୟବହୃତ ହୋଇ ଜୀବନ୍ୟାସ ଲାଭ କରିଛନ୍ତି ।

 

ଏମାନଙ୍କ ବ୍ୟତୀତ ‘କେତୋଟି କଥା’ର ଲେଖିକା ନନ୍ଦିନୀ ଶତପଥୀ, ‘ପାଲଟା ଢେଉ’ର ପ୍ରଣେତା ବସନ୍ତ କୁମାରୀ ପଟ୍ଟନାୟକ ଏବଂ ‘ପଲାଶର କ୍ରନ୍ଦନ’ ଗଳ୍ପ ଗ୍ରନ୍ଥର ଗାଳ୍ପିକ ରାଜକିଶୋର ମହାନ୍ତି ପ୍ରମୁଖ ସ୍ୱାଧୀନୋତ୍ତର ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନିଜର ସୃଷ୍ଟି ସାଧନାଦ୍ୱାରା ସମୃଦ୍ଧ କରିଛନ୍ତି ।

 

ଏହି ସମୟରେ ଆଉ ତିନିଜଣ ବିଶିଷ୍ଟ କଥାଶିଳ୍ପୀ ହେଉଛନ୍ତି ବିଭୂତି ଭୂଷଣ ତ୍ରିପାଠୀ, ରଜନୀକାନ୍ତ ଦାସ ଓ ହରିହର ବାହିନୀପତି । ଏମାନେ ଧାରାବାହିକ ଭାବରେ ଗଳ୍ପ ରଚନା ଅଭ୍ୟାସ କରି ନଥିବା ହେତୁ ସମାଲୋଚକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରି ନାହାନ୍ତି । କିନ୍ତୁ ରଜନୀକାନ୍ତ ଦାସ (‘ମାଟିର ମୁକୁଟ’ ଗଳ୍ପ ଗ୍ରନ୍ଥ ଏବେ ପ୍ରକାଶିତ) ଓ ହରିହର ବାହିନୀପତିଙ୍କ ଗଳ୍ପରେ ସମାଜବାଦୀ ବାସ୍ତବତାବୋଧର ଚେତନା ଓ ବିଭୂତି ଭୂଷଣ ତ୍ରିପାଠୀଙ୍କ ଗଳ୍ପରେ ଜୀବନଧର୍ମୀ ବାସ୍ତବତା ରୁଚିଶୀଳ ପାଠକର ଦୃଷ୍ଟି ଏଡ଼ାଇ ପାରିନାହିଁ ।

 

ଷଷ୍ଠ ଦଶକ : ଓଡ଼ିଆ କ୍ଷୁଦ୍ରଗଳ୍ପର କ୍ରାନ୍ତିକାଳ

ସ୍ୱାଧୀନତା ପରବର୍ତ୍ତୀ କାଳର ଦ୍ୱିତୀୟ ପ୍ରଜନ୍ମର କଥାଶିଳ୍ପୀମାନଙ୍କ ମଧ୍ୟରେ ମନୋଜ ଦାସ, କିଶୋରୀ ଚରଣ ଦାସ, ଶାନ୍ତନୁ କୁମାର ଆଚାର୍ଯ୍ୟ, ରବି ପଟ୍ଟନାୟକ, କୃଷ୍ଣ ପ୍ରସାଦ ମିଶ୍ର, ବାମାଚରଣ ମିତ୍ର ଓ ବୀଣାପାଣି ମହାନ୍ତି ପ୍ରମୁଖ ନିଜସ୍ୱ ସ୍ୱତନ୍ତ୍ର ରଚନା ରୀତି ଓ ଗଳ୍ପ ଭାବନା ଯୋଗୁ ପ୍ରତିଷ୍ଠା ଅର୍ଜ୍ଜନ କରିଛନ୍ତି । ଚଳିତ ଶତାବ୍ଦୀର ଷଷ୍ଠ ଦଶକ ଆମର ଅର୍ଥନୈତିକ ଓ ସମାଜିକ ଜୀବନରେ ଏକ କ୍ରାନ୍ତିକାଳ । ସ୍ୱାଧୀନତାର କାମଧେନୁ ସମସ୍ତଙ୍କ ମନୋବାଞ୍ଛା ପୂରଣ କରିବ ବୋଲି ପଞ୍ଚମ ଦଶକରେ ଲୋକମାନଙ୍କ ମନରେ ଯେଉଁ ବୃଥା-ଆଶା ସଞ୍ଚାରିତ ହୋଇଥିଲା, ଏହି ଦଶକରେ ସେହି ଆଶାର ମୋହମୁକ୍ତି ଏବଂ ତଜ୍ଜନିତ ଅସନ୍ତୋଷ, ଅତୃପ୍ତିର ଦୀର୍ଘଶ୍ୱାସରେ ପରିବେଶ ତିକ୍ତ ଓ ସଂଘର୍ଷମୟ ହୋଇ ଉଠିଥିଲା । ସ୍ୱାଧୀନତାର ଈଶ୍ୱର ବର ଦେବାରେ ବ୍ୟର୍ଥ ହେବା ଫଳରେ ଏଇ ଦଶକରେ ଦରିଦ୍ର ନାରାୟଣମାନେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହର ରାସ୍ତା ଛାଡ଼ି ‘ଘେରାଓ’ ନାମକ ଏକ ନୂତନ ଆୟୁଧ ବ୍ୟବହାର କରି ଶିଖିଥିଲେ । ମିଶ୍ର-ଅର୍ଥନୀତିର ଗୋପନ ଛିଦ୍ରପଥ ଦେଇ ବହୁ ବାଙ୍ଗର ଲୋକ ଯେପରି ଡେଙ୍ଗା ହୋଇ ଯାଇଥିଲେ, ଅର୍ଥ-ନିର୍ଭର ନିର୍ବାଚନ ରାଜନୀତିର ଅନ୍ଧପୁଟୁଳି ଖେଳରେ ସେହିପରି ଅନେକ ବଡ଼ ମାପର ମଣିଷ ଖାଲି ଆଖିକୁ ଛୋଟ ଦେଖା ଯାଉଥିଲେ । ଶିକ୍ଷାର ପ୍ରସାର ସହିତ ଶିକ୍ଷିତ ବେକାରମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିଲା-। ଫଳରେ ବିକ୍ଷୁବ୍ଧ ତାରୁଣ୍ୟ ଉତ୍ତାଳ ତରଙ୍ଗ ଭଳି ସ୍ଥାଣୁ ସମାଜର ମଲା ବାଲୁସ୍ତୂପ ଉପରେ ଲୋଟି ପଡ଼ୁଥିଲା । ଏଇ ବିକ୍ଷୁବ୍ଧ ସମୟ, ଅସ୍ଥିର ସମାଜର କଳାରୂପ ଏହି ସମୟର କଥାଶିଳ୍ପୀମାନେ ନିଜସ୍ୱ ଦୃଷ୍ଟିଭଙ୍ଗୀର ଦର୍ପଣରେ ଧରି ରଖିବାକୁ ଚେଷ୍ଟା କରିଛନ୍ତି ।

 

ମନୋଜ ଦାସ ପଞ୍ଚମ ଦଶକର ଗଳ୍ପ ଲେଖକ, କିନ୍ତୁ ଷଷ୍ଠ ଦଶକରେ ହିଁ ତାଙ୍କ ଗାଳ୍ପିକ ବ୍ୟକ୍ତିତ୍ୱର ପରିପୂର୍ଣ୍ଣ ବିକାଶ ଘଟିଛି । ‘ସମୁଦ୍ରର କ୍ଷୁଧା’ ଓ ‘ବିଷକନ୍ୟାର କାହାଣୀ’ରେ ଯେଉଁ ସାମନ୍ତବାଦୀ, ଅତ୍ୟାଚାରୀମାନଙ୍କ ଶୋଷଣ ଅତ୍ୟାଚାର ବିରୁଦ୍ଧରେ ସେ ନିଜର କ୍ରୋଧ, ପ୍ରକାଶ କରିଥିଲେ, ‘ଆରଣ୍ୟକ ଓ ‘ଲକ୍ଷ୍ମୀର ଅଭିସାର’ର ଅନେକ ଗଳ୍ପରେ ସେ ସେଇ ସମାଜର ପ୍ରତିପତ୍ତିଶାଳୀ, ବିତ୍ତବାନ୍ ମଣିଷର ଅସହାୟତାକୁ ଆବିଷ୍କାର କରିଛନ୍ତି । ତାଙ୍କର ବ୍ୟଙ୍ଗାତ୍ମକ ତୀର୍ଯ୍ୟକ ଦୃଷ୍ଟିରେ ଆଧୁନିକ ମଣିଷର ଅସହାୟତା, ବିଷଣ୍ଣତା ବଡ଼ କରୁଣଭାବରେ ଧରା ପଡ଼ିଛି; ମୁହଁରୁ ଖସି ପଡ଼ିଛି ମୁଖା । ସଂକ୍ଷିପ୍ତ ବର୍ଣ୍ଣନା, ଆଭାସ ଇଙ୍ଗିତରେ ସ୍ୱାଧୀନତା-ଉତ୍ତରକାଳରେ ରାଜନୈତିକ ଶଠତା, ସାମାଜିକ ବ୍ୟଭିଚାରର ଚିତ୍ର ନଗ୍ନ ରୂପ ସେ ଉଦ୍‌ଘାଟନ କରିଛନ୍ତି । ଲୋକକଥା, ପ୍ରାଚୀନ କାହାଣୀର ଅନୁବର୍ତ୍ତନ ତାଙ୍କ କ୍ଷୁଦ୍ରଗଳ୍ପର ଅନ୍ୟତମ ବୈଶିଷ୍ଟ୍ୟ । ଅଳ୍ପ ଶିକ୍ଷିତ ପାଠକମାନଙ୍କ ପାଖରେ ନିଜ ଗଳ୍ପର ଭାବ ବସ୍ତୁକୁ ପହଞ୍ଚାଇ ଦେବା ପାଇଁ ଟଲଷ୍ଟୟ ମଧ୍ୟ ଏଇ ଭଳି ଲୋକକଥାକୁ (Folk Tales retold) ନିଜ ଗଳ୍ପର ଅଙ୍ଗୀଭୂତ କରିଥିଲେ ।

 

କିଶୋରୀ ଚରଣ ଦାସଙ୍କ ‘ମଣିହରା’ ‘ଠାକୁର ଘର’ ‘ନାଲି ଗୁଲୁ ଗୁଲୁ ସାଧବବୋହୂ’ ପ୍ରଭୃତି ଗଳ୍ପ ଗ୍ରନ୍ଥରୁ ଗଳ୍ପରେ ଉଚ୍ଚ ଶିକ୍ଷିତ, ଉଚ୍ଚ ମଧ୍ୟବିତ୍ତ ଜୀବନଚର୍ଯ୍ୟାର ଅନ୍ତରଙ୍ଗ ଅନୁଭୂତି ପ୍ରକଟିତ ହୋଇଛି । ଚେତନା ପ୍ରବାହର ଆଙ୍ଗିକରେ, ଏକ ସ୍ନିଗ୍‌ଧ-ଶାଣିତ ଭାଷାରେ ରଚିତ ତାଙ୍କର ଗଳ୍ପ ଗୁଡ଼ିକ ଆଧୁନିକ ମଣିଷର ନିଃସଙ୍ଗତା, ସ୍ୱାର୍ଥପରତା ଓ ସବୁ ପାଇ କିଛି ପାଇ ନଥିବାର ଅସହାୟତା ମାର୍ମିକ ବେଶ୍‌ ମର୍ମସ୍ପର୍ଶୀ ଭାବରେ ଫୁଟି ଉଠିଛି । ‘ଗମନ’ ଓ ‘ତୁ’ କଅଣ ରାମକୃଷ୍ଣ ? ପ୍ରଭୃତି ଗଳ୍ପରେ କିଶୋରୀବାବୁ ଆଧୁନିକ ସଭ୍ୟତାରେ ମଣିଷର ଆଧ୍ୟାତ୍ମିକ ନିଃସଙ୍ଗତାର ଚିତ୍ର ମଧ୍ୟ ଅଙ୍କନ କରିଛନ୍ତି ।

 

ଷଷ୍ଠ ଦଶକର ଅନ୍ୟତମ ଶକ୍ତିଶାଳୀ ଗାଳ୍ପିକ ହେଉଛନ୍ତି ଶାନ୍ତନୁ କୁମାର ଆଚାର୍ଯ୍ୟ । ଗଳ୍ପର ଭାବବସ୍ତୁରେ ସେ ବାସ୍ତବବାଦୀ କିନ୍ତୁ ଗଳ୍ପର ଭାଷା ଓ ବର୍ଣ୍ଣନାରେ ସେ ପ୍ରକୃତିବାଦୀ (Naturalistic) ପ୍ରତୀକ ଓ ଫାଣ୍ଟାସିକୁ ସେ ଗଳ୍ପର ଆଙ୍ଗିକ ଭାବରେ ଯେପରି ବ୍ୟବହାର କରିଛନ୍ତି; ଭାଷାରେ ଗତି ସଞ୍ଚାର କରିବାପାଇଁ ଆବଶ୍ୟକ ସ୍ଥଳେ ଶ୍ଲାଠ ବ୍ୟବହାର କରିବାରେ ସେ କୁଣ୍ଠିତ ହୋଇ ନାହାନ୍ତି । ବ୍ୟକ୍ତି ଓ ସାମାଜିକ ସମସ୍ୟା ପ୍ରତି ବୈଜ୍ଞାନିକ ଦୃଷ୍ଟି କୋଣ, ସାମାଜିକ ଆଚରଣରେ ଅପାତ-ବିରୋଧୀ ମନୋଭାବକୁ ଆଘାତ କରିବାପାଇଁ ତାଙ୍କର ଶ୍ଲେଷାତ୍ମକ କଟାକ୍ଷ ‘ଦୁର୍ବାର’ ‘ହୃଦକୋଲପ’ ‘ଶାଶୁଘର’ ପ୍ରଭୃତି ଗଳ୍ପରେ ଚମତ୍କାର ଭାବରେ ଉତ୍‌କୀର୍ଣ୍ଣ ହୋଇଛି ।

 

ପ୍ରଥାସିଦ୍ଧ ଶୈଳୀ, ଆବେଗହୀନ ଭାଷାରେ ଲୋକପ୍ରିୟ ଗଳ୍ପ ରଚନା କରିବାରେ କୃଷ୍ଣପ୍ରସାଦ ମିଶ୍ର ଜଣେ ଯଶସ୍ୱୀ ଗାଳ୍ପିକ। ବିଦେଶୀ ଚରିତ୍ର ଓ ପୃଷ୍ଠଭୂମିକୁ ସେ ଗଳ୍ପରେ ବ୍ୟବହାର କରି ପାଠକମାନଙ୍କ ମନରେ ମଧ୍ୟ ଚମକ ସୃଷ୍ଟି କରିପାରନ୍ତି । ‘ଅରଣ୍ୟ ଓ ଉପବନ’ ଓ ‘ପଶ୍ଚିମା’ ପ୍ରଭୃତି ଗଳ୍ପ ଗ୍ରନ୍ଥରେ ଅନ୍ତର୍ଭୁକ୍ତ ତାଙ୍କର ଗଳ୍ପଗୁଡ଼ିକ ଏହିଭଳି ଚିନ୍ତା, ଚେତନାର ଫଳଶ୍ରୁତି ।

 

ସମାଜ ବାସ୍ତବତାର କଷଟି ପଥରରେ ସମକାଳୀନ ସମାଜର ଘଟଣାକୁ ପରୀକ୍ଷା କରି ସେଇ ସତ୍ୟକୁ ଜଣେ ସମାଜ-ବିଜ୍ଞାନୀ ଭଳି ପ୍ରକାଶ କରିବା ରବି ପଟ୍ଟନାୟକଙ୍କ ଗଳ୍ପର ପ୍ରଧାନ ବୈଶିଷ୍ଟ୍ୟ । ସେଥିପାଇଁ ତାଙ୍କର ଅଧିକାଂଶ ଗଳ୍ପ ବକ୍ତବ୍ୟ-ଧର୍ମୀ, କାହାଣୀ ପ୍ରଧାନ ନୁହେଁ । ତାଙ୍କ ଗଳ୍ପରେ କାହାଣୀର ଚମତ୍କାରିତା କିମ୍ବା ଭାଷାର ଐନ୍ଦ୍ରଜାଲିକତା ନଥାଏ । ତଥାପି ଲକ୍ଷ୍ୟଭେଦୀ ତୀର ଭଳି ତାଙ୍କ ଗଳ୍ପର ଭାବବସ୍ତୁ ଠିକ୍‌ ପାଠକର ମର୍ମଭେଦ କରିଯାଏ । ‘ଅନ୍ଧଗଳିର ଅନ୍ଧକାର’ ଓ ‘ବହୁରୂପୀ’ ପ୍ରଭୃତି ଗଳ୍ପ ସଞ୍ଚୟନର ଗଳ୍ପଗୁଡ଼ିକରେ ସେ ନିଜ ଗାଳ୍ପିକ ପ୍ରତିଭାର ଅମ୍ଳାନ ସ୍ୱାକ୍ଷର ରଖିଛନ୍ତି ।

 

ସ୍ୱର୍ଗତ ବାମାଚରଣ ମିତ୍ର ଓ ଗାଳ୍ପିକା ବୀଣାପାଣି ମହାନ୍ତି ଏଇ ଦଶକର ଦୁଇଜଣ ପ୍ରତିଭାଶାଳୀ, ଲୋକପ୍ରିୟ କଥାଶିଳ୍ପୀ । ବାମାଚରଣଙ୍କ ଗଳ୍ପର ପରିଧି ସଭ୍ୟତାର ସଂକଟଠାରୁ ଆରମ୍ଭ କରି ସମାଜ ଜୀବନର ବିଭିନ୍ନ ସମସ୍ୟା ପର୍ଯ୍ୟନ୍ତ ପରିବ୍ୟାପ୍ତ । ରୁଗ୍‌ଣ ସମାଜ ଜୀବନକୁ ନିରାମୟ କରିବାର ନିଷ୍ଠା ନେଇ ବାମାଚରଣ ସମାଜ-ତାତ୍ତ୍ୱିକ ଓ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ନିଜର ଗଳ୍ପଗୁଡ଼ିକ ରଚନା କରି ଯାଇଛନ୍ତି । ‘ମିତକଳ୍ପ’ ଓ ‘ମିତ୍ରଗଳ୍ପ’ରେ ଅନ୍ତର୍ଭୁକ୍ତ ତାଙ୍କର ଗଳ୍ପଗୁଡ଼ିକ ଓଡ଼ିଆ କଥାସାହିତ୍ୟରେ ଦୁଇଟି ଉଲ୍ଲେଖନୀୟ ସଂଯୋଜନ ।

 

ବୀଣାପାଣି ମହାନ୍ତିଙ୍କ କ୍ଷୁଦ୍ରଗଳ୍ପରେ ପ୍ରେମ ଓ ପ୍ରତିବାଦର ସ୍ୱର ସମାନ ଭାବରେ ଉଚ୍ଚାରିତ । ‘ନବ ତରଙ୍ଗ’, ‘କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ’, ‘ମଧ୍ୟାନ୍ତର’ ଓ ‘ବସ୍ତ୍ର-ହରଣ’, ପ୍ରଭୃତି ଗଳ୍ପ ଗ୍ରନ୍ଥରେ ସେ ନାରୀ-ପୁରୁଷର ସମ୍ପର୍କକୁ ନିରୁତ୍ତେଜକ ଭାଷାରେ ଯେପରି ବ୍ୟକ୍ତ କରିଛନ୍ତି, ପୁରୁଷର ସ୍ୱାର୍ଥପରତା ପାଖରେ ନାରୀର ଅସହାୟ ଆତ୍ମସମର୍ପଣ ବିରୁଦ୍ଧରେ ସେହିପରି ନିଜର କଣ୍ଠସ୍ୱର ଉତ୍ତୋଳନ କରିଛନ୍ତି । କିନ୍ତୁ ତାଙ୍କର ଦୃଷ୍ଟି ସବୁବେଳେ ରୋମାଣ୍ଟିକ ନୁହେଁ; ତୀକ୍ଷ୍ଣ ସମାଜ ବାସ୍ତବତାବୋଧ ମଧ୍ୟ ତାଙ୍କ ବହୁ ଗଳ୍ପରେ ସମକାଳୀନ ସମାଜର ପ୍ରକୃତ ଚିତ୍ର ରୂପାୟନ କରିବାରେ ସମର୍ଥ ହୋଇଛି ।

 

ଫକୀରମୋହନ ଓ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଲେଖନୀରୁ ଯେଉଁ ବିମଳ ହାସ୍ୟରସର ଧାରା ଏକଦା ଉତ୍ସରିତ ହୋଇ ଓଡ଼ିଆ ଗଳ୍ପ-ସାହିତ୍ୟକୁ ରସସିକ୍ତ କରିଥିଲା; ପରବର୍ତ୍ତୀ କାଳରେ ଯନ୍ତ୍ରଣା-ଜଟିଳ ଜୀବନର ବିଶ୍ଲେଷଣ ମଧ୍ୟରେ ତାହା ନିଃଶେଷିତ ହୋଇ ଯାଇଥିବା ଭଳି ମନେହୁଏ-। ଯେଉଁ ଅଳ୍ପ କେତେଜଣ କଥାଶିଳ୍ପୀ ନିଜ ସୃଷ୍ଟି ସମ୍ଭାର ମଧ୍ୟରେ ଏହି ହାସ୍ୟରସର ଧାରାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରି ଅଛନ୍ତି, ସେମାନଙ୍କ ମଧ୍ୟରେ ଫତୁରାନନ୍ଦ ଓ ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ନାମ ଅବଶ୍ୟ ସ୍ମରଣୀୟ ।

 

‘ମଙ୍ଗଳବାରିଆ ସାହିତ୍ୟ ସଂସଦ’, ‘ହସକୁରା’ ପ୍ରଭୃତି ଗଳ୍ପ ଗ୍ରନ୍ଥର ସ୍ରଷ୍ଟା ଫତୁରାନନ୍ଦ ଷଷ୍ଠ ଦଶକର ପୂର୍ବବର୍ତ୍ତୀ ସମୟର ଗାଳ୍ପିକ ହେଲେ ମଧ୍ୟ ଏହି ଦଶକରେ ହିଁ ତାଙ୍କ ହାସ୍ୟରସାତ୍ମକ କ୍ଷୁଦ୍ରଗଳ୍ପର ବିପୁଳ ବିସ୍ଫୋରଣ ଘଟିଥିଲା । କଟକର କଥିତ ଭାଷାକୁ ସ୍ୱଚ୍ଛନ୍ଦରେ ବ୍ୟବହାର କରି ରାଜନୈତିକ ଅସାଧୁତା, ସମାଜ ଜୀବନ ଓ ସାହିତ୍ୟ ଜଗତର ବିଭିନ୍ନ ଅସଙ୍ଗତକୁ ସେ ନିଜ ଗଳ୍ପରେ ବ୍ୟଙ୍ଗ କରି ହାସ୍ୟରସ ସୃଷ୍ଟି କରି ପାରନ୍ତି ।

 

‘ନିଷିଦ୍ଧ ପୁସ୍ତକ’ ଓ ‘‘ଅଘଟଣ ସଂକଳନ’’ ଗ୍ରନ୍ଥ ଗୁଚ୍ଛର ପ୍ରଣେତା ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ବୁଦ୍ଧିଦୀପ୍ତ ବ୍ୟଙ୍ଗ ଓଡ଼ିଆ ସମକାଳୀନ କଥା-ସାହିତ୍ୟରେ ମୂଲ୍ୟବାନ ସଂପଦ । ଘଟଣାର ବର୍ଣ୍ଣନା ଅପେକ୍ଷା ବିଶ୍ଲେଷଣଦ୍ୱାରା ସେ ବିଭିନ୍ନ ଚରିତ୍ର ମଧ୍ୟରେ ଅନ୍ତର୍ନିହିତ ଦୋଷ ଦୁର୍ବଳତାକୁ ଆବିଷ୍କାର କରନ୍ତି ଏବଂ ତାଙ୍କର ଶ୍ଲେଷାତ୍ମକ କଟାକ୍ଷପାତ ଫଳରେ କାହାଣୀରେ ହାସ୍ୟରସ ସୃଷ୍ଟି ହୁଏ ।

 

ସପ୍ତମ ଦଶକ : ପ୍ରଥମ ପର୍ବ -

ଷଷ୍ଠ ଦଶକ ଯଦି ଥିଲା ଆମ ପାଇଁ ମୋହଭଙ୍ଗର ମୁହୂର୍ତ୍ତ; ସପ୍ତମ ଦଶକ ଆମର ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଥିଲା ସେହିପରି ଦ୍ୱନ୍ଦ୍ୱ ଓ ସଂଘର୍ଷର ସମୟ । ଏହି ଦଶକରେ ବଙ୍ଗଳା ଦେଶର ମୁକ୍ତି ଆନ୍ଦୋଳନରେ ଭାରତୀୟ ସୈନ୍ୟବାହିନୀର ଗୌରବମୟ ଭୂମିକା ଯେପରି ଆମର ଉପନିବେଶବାଦ ବିରୋଧୀ ଓ ଜାତୀୟବାଦୀ ଚେତନାକୁ ତୀକ୍ଷଣତର କରିଥିଲା, ଆମର ଅର୍ଥନୈତିକ ସଙ୍କଟ ଦରିଦ୍ର, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ସଂଗ୍ରାମୀ ଶକ୍ତିକୁ ସେହିପରି ଶାଣିତ କରିଥିଲା । ନାସନାଲ ସାମ୍ପଲ୍‌ ସର୍ଭେର ରିପୋର୍ଟ ଅନୁସାରେ ୧୯୬୦-୬୧ ମସିହାରେ ଗ୍ରାମର ଶତକଡା ୩୮ ଭାଗ ଲୋକଙ୍କ ଜୀବନ ଧାରଣର ମାନ ତଳସ୍ତରରେ ଥିଲାବେଳେ ୧୯୬୮-୬୯ ବେଳକୁ ଜୀବନ ଧାରଣମାନର ସର୍ବନିମ୍ନ ସ୍ତରରେ ଥିବା ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଶତକଡ଼ା ୫୪ ଭାଗରେ ପହଞ୍ଚିଥିଲା । ଫଳରେ ଗ୍ରାମଞ୍ଚଳର ଅର୍ଥନୈତିକ ଦୁରାବସ୍ଥାର ସୁଯୋଗ ନେଇ ଗୁଜୁରାଟ ଓ ବିହାରରେ ଯେଉଁ ଗଣଆନ୍ଦୋଳନ ଗଢ଼ି ଉଠିଥିଲା, ତା’ର ପରିଣତି ହେଲା ଜରୁରୀକାଳୀନ ଅବସ୍ଥାର ସୃଷ୍ଟି; ମୌଳିକ ଅଧିକାର ବାତିଲ ହେବାର ଦୁର୍ଭାଗ୍ୟ । ସାମାଜିକ ଜୀବନର ଏହି ଦ୍ୱନ୍ଦ୍ୱ ଏବଂ ରାଜନୈତିକ ସଂଘର୍ଷର ଅନ୍ତର୍ନିହିତ ସତ୍ୟ ଓ ସ୍ୱରୂପକୁ ନ ବୁଝିଲେ ସପ୍ତମ ଦଶକରେ ରଚିତ କ୍ଷୁଦ୍ରଗଳ୍ପର ସଫଳତା କିମ୍ୱା ବ୍ୟର୍ଥତା କଳନା କରିବା ସହଜ ନୁହେଁ । ଜରୁରୀକାଳୀନ ଅବସ୍ଥାର ପ୍ରତିବାଦ କରି ସୁରେନ୍ଦ୍ର ମହାନ୍ତିଙ୍କ ‘‘ପ୍ରତିନିଧି’’ଠାରୁ ଆରମ୍ଭ କରି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ‘‘ବାଘୁଣୀ ହତ୍ୟାକାଣ୍ଡ’’ ପର୍ଯ୍ୟନ୍ତ ବହୁ ପ୍ରବୀଣ ଓ ତରୁଣ ଗାଳ୍ପିକ କେତୋଟି ଇଙ୍ଗିତଧର୍ମୀ ସାର୍ଥକ ଗଳ୍ପ ରଚନା କରିଛନ୍ତି; କିନ୍ତୁ ଯେଉଁ ସାମାଜିକ ଦ୍ୱନ୍ଦ୍ୱ, ଅର୍ଥନୈତିକ ସଙ୍କଟ ଯୋଗୁ ଇମର୍ଜେନ୍‌ସି ଅବସ୍ଥା ସୃଷ୍ଟି ହୋଇଥିଲା, ସେ ସମ୍ପର୍କରେ ଗଭୀରତାସମ୍ପନ୍ନ କ୍ଷୁଦ୍ରଗଳ୍ପ ଖୁବ୍‌ବେଶୀ ଲେଖା ଯାଇନାହିଁ।

 

ଅପର ପକ୍ଷରେ ଆମର ବୀର ଜବାନ୍‌ମାନେ ବଙ୍ଗଳା ଦେଶର ମୁକ୍ତି ସଂଗ୍ରାମରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରି, ନିଜର ରକ୍ତ ଢାଳି ଯେତେବେଳେ ଏକ ନୂତନ ଇତିହାସ ରଚନା କରିଛନ୍ତି, ଶହ ଶହ ରାଜନୈତିକ କର୍ମୀ ଇମର୍ଜେନ୍‌ସର ପ୍ରତିବାଦରେ କାରାଗାରର ଅନ୍ଧକାରରେ ସଢ଼ିଛନ୍ତି, ଫଣୀନ୍ଦ୍ରନାଥ ରେଣୁଙ୍କ ଭଳି କଥାସାହିତ୍ୟିକ ନିଜ ଏକାଡେମୀ ପୁରସ୍କାର, ସରକାରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି; ଆମର ଶକ୍ତିଶାଳୀ ତରୁଣ କଥାଶିଳ୍ପୀମାନେ ସେତେବେଳେ ରାଜନୀତି-ନିରପେକ୍ଷତା ନାମରେ ସମାଜ ଜୀବନରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଅନୁଭୂତି-ବିହୀନ ଭଙ୍ଗୀସର୍ବସ୍ୱ ବ୍ୟକ୍ତିଗତ ଗଦ୍ୟକୁ କ୍ଷୁଦ୍ରଗଳ୍ପ ନାମରେ ସାହିତ୍ୟରେ ଚଳାଇବାକୁ ଉଦ୍ୟମ କରିଛନ୍ତି । ପ୍ରେମ ନାମରେ ଯୌନତା ଜୀବନ ବାସ୍ତବତା ନାମରେ କାମୁ, କାଫ୍‌କାଙ୍କ ଶୈଳୀର ଭ୍ରାନ୍ତ ଅନୁକରଣ ଫଳରେ କାଳ୍ପନିକ ନିଃସଙ୍ଗତା, କପଟ ବିଷର୍ଣ୍ଣତାର ଛବି ଆଙ୍କିଛନ୍ତି । ଫଳରେ ଫକୀର ମୋହନଙ୍କଠାରୁ ଆରମ୍ଭ କରି ଗୋପୀନାଥ, ମନୋଜ ଦାସଙ୍କ ଲେଖନୀ ଦେଇ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଯେଉଁ ସମାଜ-ବାସ୍ତବତାର ଧାରା ବେଗବତୀ ନଦୀ ଭଳି ଆମ କଥା-ସାହିତ୍ୟରେ ପ୍ରବାହିତ ହେଉଥିଲା; ସେ ରସଧାରା ପ୍ରାୟ ଶୁଷ୍କ ହୋଇ ଯିବାକୁ ବସିଛି ।

 

ଏହାର ଅର୍ଥ ନୁହେଁ ଯେ ସପ୍ତମ ଦଶକର ନୂତନ ଗାଳ୍ପିକମାନଙ୍କ ଗଳ୍ପରେ ଆଦୌ ସମାଜ ବିବର୍ତ୍ତନର ଧାରା ପ୍ରକାଶିତ ହୋଇନାହିଁ । ଭୂବନେଶ୍ୱର ବେହେରା, ଚନ୍ଦ୍ରଶେଖର ରଥ ଓ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଏ ବିଭ୍ରାନ୍ତି ମଧ୍ୟରେ ନୂତନ ଆଲୋକର ମଧ୍ୟ ସନ୍ଧାନ ଦେଇଛି ।

 

‘କଥା ଓ ଲଥା’, ‘ସହାବସ୍ଥାନ’ ଓ ‘‘ଫର ଫର ଉଡ଼େ’’ ଗଳ୍ପ ସଂଚୟନର ଗାଳ୍ପିକ ଭୂବନେଶ୍ୱର ବେହେରା ଏଇ ଦଶକରେ ଗଳ୍ପ ରଚନାରେ ହାତ ଦେଇ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପକୁ ନିଜର ନିବିଡ଼ ଅଭିଜ୍ଞତାର ଐଶ୍ୱର୍ଯ୍ୟରେ ସମୃଦ୍ଧ କରିଛନ୍ତି ।‘‘ନାଚେ ବେନୁଆ ନାଚେ’’ ଗଳ୍ପରେ ଆଧୁନିକ ଓଡ଼ିଶାର ନୂତନ କୌଣାର୍କ, ହୀରାକୁଦ ବନ୍ଧର ନିର୍ମାଣ ଅନ୍ତରାଳର ଯେଉଁ ଶତ ଶତ ବିନ୍ଧାଣୀଙ୍କର ଅଶ୍ରୁଳ କାହାଣୀ ଚାପା ପଡ଼ିଯାଇଛି, ସେମାନଙ୍କ ମଧ୍ୟରୁ ଜଣେ ବିନ୍ଧାଣୀ ସୋମବାରୁର ମର୍ମନ୍ତୁଦ ଜୀବନ କାହାଣୀ ଆଶ୍ଚର୍ଯ୍ୟ ଦକ୍ଷତାର ସହିତ ଏ ଗଳ୍ପରେ ବ୍ୟକ୍ତ କରିଛନ୍ତି । ହୀରାକୁଦ ବନ୍ଧ ନିର୍ମିତ ହେବା ଫଳରେ ବରଗଡ଼ ବରପାଲିର ବିସ୍ତୃତ ଅଞ୍ଚଳ ଶସ୍ୟଶ୍ୟାମଳା ହୋଇଛି । ବଡ଼ ବଡ଼ ଚାଷୀ ଧନ-କୁବେର ହୋଇଛନ୍ତି । ହୀରାକୁଦ ବନ୍ଧରେ କାମ କରୁଥିବା ଇଞ୍ଜିନିୟରମାନେ ଭୁବନେଶ୍ୱରରେ ବଡ଼ ବଡ଼ କୋଠାଘର ତୋଳିଛନ୍ତି । କିନ୍ତୁ ହୀରାକୁଦ ଅଞ୍ଚଳର ସେଇ ଆଦିବାସୀ ଲୋକଟି-ଯାହାର ଭିଟାମାଟି ହୀରାକୁଦ ଗର୍ଭରେ ଲୀନ ହୋଇଯାଇଛି; ଯେ ନିଜ ଜୀବନକୁ ବିପନ୍ନ କରି ବନ୍ୟାଜଳର ଦାଉରୁ ବନ୍ଧକୁ ଦିନେ ରକ୍ଷା କରିଥିଲା-ସେ ଆଜି ମାଙ୍କଡ଼ ନଚାଇ ପେଟ ପୋଷୁଛି...ନିଜେ ନର-ବାନରରେ ପରିଣତ ହୋଇଯାଇଛି ।

 

ଭୁବନେଶ୍ୱର ବାବୁ ନିଃସନ୍ଦେହରେ ଜଣେ ମାର୍କସବାଦୀ ଲେଖକ ନୁହନ୍ତି । କିନ୍ତୁ ତାଙ୍କର ନିଜସ୍ୱ ଅନୁଭୂତି ଏବଂ ସମାଜ ସଚେତନତା ତାଙ୍କ ଲେଖନୀରୁ ‘ନାଚେ ବେନୁଆ ନାଚେ’ ଭଳି ସମାଜବାଦୀ ବାସ୍ତବତାସଂପନ୍ନ କ୍ଷୁଦ୍ରଗଳ୍ପକୁ ଜନ୍ମ ଦେଇପାରିଛି ।

 

‘ଅଶ୍ୱାରୋହୀର ଗଳ୍ପ’, ‘ସମ୍ରାଟ ଓ ଅନ୍ୟମାନେ’ ଓ ‘ଅନ୍ୟ ଏକ ସକାଳ’ ଗଳ୍ପ ଗ୍ରନ୍ଥର କଥାଶିଳ୍ପୀ ଚନ୍ଦ୍ରଶେଖର ରଥ ମଧ୍ୟ ଏହି ସମୟର ଜଣେ ପ୍ରତିଷ୍ଠିତ ଗାଳ୍ପିକ । ସବୁ ହତାଶା ମଧ୍ୟରେ ବଞ୍ଚି ରହିବାର ମାୟାବୀ ସ୍ୱପ୍ନକୁ ସେ ଅନ୍ତରଙ୍ଗତାର ସହିତ ନିଜ କ୍ଷୁଦ୍ରଗଳ୍ପର ଚରିତ୍ର ଓ ଘଟଣା ମଧ୍ୟରେ ଫୁଟାଇଛନ୍ତି । ରାଜା ରାଓଙ୍କ ଗଳ୍ପ-ଉପନ୍ୟାସରେ ଭାରତୀୟ-ଦର୍ଶନ ଯେପରି ଏକ କେନ୍ଦ୍ରବିନ୍ଦୁ; କୃଷ୍ଣପ୍ରସାଦ ଓ ଶାନ୍ତନୁ କୁମାରଙ୍କ ଭଳି ଚନ୍ଦ୍ରଶେଖରଙ୍କ ଗଳ୍ପରେ ମଧ୍ୟ ଉପନିଷଦୀୟ ଦର୍ଶନ ସେହିଭଳି ପ୍ରଭାବଶାଳୀ ପ୍ରାଣଶକ୍ତି । ପ୍ରକୃତରେ ଚନ୍ଦ୍ରଶେଖରଙ୍କ ଗଳ୍ପରେ ଏହି ଉପନିଷଦୀୟ ଦର୍ଶନ ହିଁ ତାଙ୍କ ଆଶାବାଦର ପ୍ରଧାନ ହେତୁ । ଶାନ୍ତନୁ ବାବୁ ନିଜର ବୈଜ୍ଞାନିକ ଦୃଷ୍ଟିରେ ବେଳେ ବେଳେ ଭାରତୀୟ ଦର୍ଶନର ସୀମାରେଖାକୁ କ୍ଷୁଦ୍ରଗଳ୍ପରେ ଅତିକ୍ରମ କରି ଯାଆନ୍ତି । ତାଙ୍କର ଗଳ୍ପ ସମାଜତାତ୍ତ୍ୱିକ ହୋଇଯାଏ । ଦ୍ୱାରର ଲକେଟ ଭଳି ଦର୍ଶନ-ତତ୍ତ୍ୱ କେବଳ ଗଳ୍ପରେ ପ୍ରତୀକଟିଏ ହୋଇ ଓହଳିଥାଏ । କିନ୍ତୁ ଚନ୍ଦ୍ରଶେଖର ବାବୁ ଗଳ୍ପରେ ଚମତ୍କାରିତା ସୃଷ୍ଟି ପାଇଁ କୃଷ୍ଣପ୍ରସାଦଙ୍କ ଭଳି ଉପନିଷଦୀୟ ଚିନ୍ତାକୁ ବ୍ୟବହାର କରନ୍ତି ନାହିଁ; ଦାର୍ଶନିକତା ତାଙ୍କ ଗଳ୍ପରେ ଗଭୀରତା ଆଣିଦିଏ, ପଥଭ୍ରାନ୍ତ ନାବିକକୁ ବତୀ ଖୁଣ୍ଟ ଭଳି ମାର୍ଗ ନିର୍ଦ୍ଦେଶ କରେ ।

 

ରାମଚନ୍ଦ୍ର ବେହେରା କ୍ଷୁଦ୍ରଗଳ୍ପରେ ଜଣେ ଜୀବନଶିଳ୍ପୀ । ‘ଦ୍ୱିତୀୟ ଶ୍ମଶାନ’ ‘ଅଚିହ୍ନା ପୃଥିବୀ’ ଏବଂ ‘ଅବଶିଷ୍ଟ ଆୟୁଷ’ ଗଳ୍ପ ଗ୍ରନ୍ଥର କାହାଣୀଧର୍ମ ଗଳ୍ପଗୁଡ଼ିକ ସମସ୍ୟା କଣ୍ଟକିତ ଆଧୁନିକ ଜୀବନର ବିଭିନ୍ନ ଦିଗ ପାଠକ ସାମ୍ନାରେ ଉନ୍ମୋଚିତ କରିଦିଏ ।

 

ନାରୀ ପୁରୁଷର ଆଦିମ-ସମ୍ପର୍କକୁ ନେଇ ଏଇ ଦଶକରେ ଅଜସ୍ର ଗଳ୍ପ ଲେଖା ଯାଇଛି, କିନ୍ତୁ ‘ଅନେଶୋତ ରାଣୀ’ର ଗାଳ୍ପିକ ଅକ୍ଷୟ ମହାନ୍ତି ତାଙ୍କ ‘ଘର’ ‘ଗାର’ ‘ଓ୍ୱାଇପର୍‌’ ଓ ‘କଟକ’ ପ୍ରଭୃତି ଗଳ୍ପରେ, ଗୀତିକବିତାର ଆଙ୍ଗିକରେ, ଏକ ସଙ୍ଗୀତମୟ ଭାଷାରେ ଯେପରି ପ୍ରେମର ଅପୂର୍ବ ଆଲେଖ୍ୟ ଅଙ୍କନ କରିଛନ୍ତି, ତାହା ସମ୍ଭବତଃ ତାଙ୍କର ସମସାମୟିକ ଅନ୍ୟ ଗାଳ୍ପିକଙ୍କ ପକ୍ଷରେ ସମ୍ଭବ ହୋଇନାହିଁ ।

 

ସପ୍ତମ ଦଶକ : ଦ୍ୱିତୀୟ ପର୍ଯ୍ୟାୟ

ମୁଦ୍ରଣ ଯନ୍ତ୍ରର ପ୍ରସାର ଯୋଗୁଁ ସାମୟିକ ପତ୍ରପତ୍ରିକାର ବହୁଳ ପ୍ରକାଶନ ଫଳରେ ଗତ ସାତବର୍ଷ ମଧ୍ୟରେ ଓଡ଼ିଆ ଭାଷାରେ ବହୁସଂଖ୍ୟକ ଗଳ୍ପ ଲେଖକ ଆତ୍ମପ୍ରକାଶ କରିଛନ୍ତି । କାରଣ ପତ୍ରିକାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କବିତା ଏବଂ ଆଭିଜାତ୍ୟ ଲାଗି ଅଳ୍ପସଂଖ୍ୟକ ପ୍ରବନ୍ଧ ଛପା ଯାଉଥିଲେ ସୁଦ୍ଧା ପ୍ରତ୍ୟେକ ପତ୍ରପତ୍ରିକା ପାଠକମାନଙ୍କ ଚାହିଦା ମେଣ୍ଟାଇବା ପାଇଁ କ୍ଷୁଦ୍ରଗଳ୍ପ ଛାପିବାରେ ଅଧିକ ଆଗ୍ରହୀ । ଅନିୟମିତ, ସାମୟିକ ପତ୍ରପତ୍ରିକା ହିଁ କ୍ଷୁଦ୍ରଗଳ୍ପର ବର୍ତ୍ତମାନ ପ୍ରଧାନ ପୃଷ୍ଠପୋଷକ । ପୁଣି ନୂତନ ଗ୍ରନ୍ଥ କ୍ରୟ ପାଇଁ ପ୍ରକାଶନରେ ବିମୁଖ ପ୍ରକାଶକମାନେ ଗଳ୍ପଗ୍ରନ୍ଥ ଛାପିବାରେ ବର୍ତ୍ତମାନ ଅକୁଣ୍ଠିତ । ତେଣୁ ଏହି ସମୟ ମଧ୍ୟରେ ବହୁ ସଂଖ୍ୟକ କ୍ଷୁଦ୍ରଗଳ୍ପ ଗ୍ରନ୍ଥ ଓ ସଂକଳନ ପ୍ରକାଶ ପାଇଛି ।

 

ପରିମାଣାତ୍ମକ ଦୃଷ୍ଟିରୁ ବର୍ତ୍ତମାନ ଓଡ଼ିଆ କ୍ଷୁଦ୍ରଗଳ୍ପ ବିସ୍ଫୋରିତ ଅବସ୍ଥାକୁ ଆସିଥିଲେ ସୁଦ୍ଧା; ଗୁଣାତ୍ମକ ଦୃଷ୍ଟିରୁ ପଞ୍ଚମ ଓ ଷଷ୍ଠ ଦଶକର ଗଳ୍ପର ମାନ ଏମାନଙ୍କ ଗଳ୍ପରେ ବୃଦ୍ଧି ପାଇଛି ବୋଲି କହିହେବ ନାହିଁ । ସଦ୍ୟ-ତରୁଣ ଗଳ୍ପ ଲେଖକମାନଙ୍କ ଗଳ୍ପରେ ବହୁ ପରୀକ୍ଷା ନିରୀକ୍ଷା ଚାଲିଛି । ଭାଷା ବ୍ୟବହାର ଓ ଶୈଳୀ ପ୍ରକରଣରେ ସାଂପ୍ରତିକ ଓଡ଼ିଆ କ୍ଷୁଦ୍ରଗଳ୍ପ କିଛି ପରିମାଣରେ ଅଭିନବତ୍ୱ ଦାବୀ କଲେ ସୁଦ୍ଧା ଗଳ୍ପର ଭାବବସ୍ତୁ, ଯାହା ସ୍ୱଭାବତଃ କ୍ଷୁଦ୍ରଗଳ୍ପର ଆତ୍ମାସଦୃଶ, ତାହା ଦୁର୍ବଳ ଓ ଅସ୍ପଷ୍ଟ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଛି । ଏହାର ଦୁଇଟି କାରଣ ସ୍ପଷ୍ଟ । ପ୍ରଥମ : ଅନେକ ତରୁଣ ଲେଖକଙ୍କର ଧାରଣା, ଶୈଳୀ ବା ଭଙ୍ଗୀ ହେଉଛି କ୍ଷୁଦ୍ରଗଳ୍ପରେ ଆଧୁନିକତା । ଦ୍ୱିତୀୟ : ଗଳ୍ପରୁ ଗଳ୍ପାଂଶକୁ ବାଦ୍‌ ଦେଇ ଯଥାର୍ଥରେ ସାର୍ଥକ କ୍ଷୁଦ୍ରଗଳ୍ପ ଲେଖାଯାଇପାରେ । ଏ ଦୁଇଟି ଯାକ ଧାରଣା ହିଁ ବିଭ୍ରାନ୍ତିକର ଏବଂ କ୍ଷୁଦ୍ରଗଳ୍ପର ଧର୍ମ-ବିରୋଧୀ ।

 

ଗଳ୍ପରେ ପ୍ରାଣସ୍ପନ୍ଦନ ଓ ଗତି ସଞ୍ଚରଣ ପାଇଁ ନୂତନ ଶୈଳୀର ଆବଶ୍ୟକ ହୁଏ । ଶୈଳୀ ଗଳ୍ପକୁ ଅନୁସରଣ କରେ । କିନ୍ତୁ ଯେଉଁଠି ଶୈଳୀର ନୂତନତ୍ୱ ପାଇଁ ଗଳ୍ପର ଭାବବସ୍ତୁକୁ ବ୍ୟବ୍ୟହାର କରାଯାଏ; ସେଠାରେ ଗଳ୍ପ ବିକଳାଙ୍ଗ ହୋଇଯାଏ । ଶୈଳୀ ନୁହେଁ; ଗଳ୍ପର ଭାବବସ୍ତୁର ନୂତନତ୍ୱ ହିଁ କ୍ଷୁଦ୍ରଗଳ୍ପକୁ ଆଧୁନିକ କରେ । ଫକୀରମୋହନଙ୍କ କାଳରେ ସମାଜ-ସଂସ୍କାର ଆଭିମୁଖ୍ୟ ହିଁ ଆଧୁନିକତା ବୋଲି ପରିଗଣିତ ହେଉଥିଲା । ଗୋପୀନାଥ ଓ ସୁରେନ୍ଦ୍ର ମହାନ୍ତିଙ୍କ ସମୟରେ ସାମାଜିକ ବ୍ୟକ୍ତି ମଣିଷର ମାନସିକ ବିଶ୍ଳେଷଣ, କ୍ରିୟା ପ୍ରତିକ୍ରିୟାର ସଠିକ ରୂପାୟନକୁ ଗଳ୍ପରେ ଆଧୁନିକତାର ମାପକାଠି ବୋଲି ଗ୍ରହଣ କରାଯାଇଥିଲା । କିନ୍ତୁ ଏ ଶତାବ୍ଦୀର ସପ୍ତମ ଦଶକରେ ସେସବୁ ଆଧୁନିକତା ବାସି ହୋଇ ଯାଇଛି । ସାମାଜିକ ଜୀବନରେ ରାଜନୈତିକ ଚେତନା, ଅର୍ଥନୈତିକ ପ୍ରଗତି ଓ ସଂକଟର ପ୍ରଭାବ ପାଖରେ ସାମାଜିକ ମଣିଷର ବ୍ୟକ୍ତିତ୍ୱ ହୀନ-ପ୍ରଭ ହୋଇ ପଡ଼ିଛି । ତେବେ ରାଜନୈତିକ ଚେତନା ଓ ଅର୍ଥନୈତିକ ସଂକଟର ଆବର୍ତ୍ତ ମଧ୍ୟରେ ସମାଜ ଜୀବନ ଓ ବ୍ୟକ୍ତି ଜୀବନରେ ଯେଉଁସବୁ ସୁଦୂର ପ୍ରସାରୀ ପରିବର୍ତ୍ତନ ଘଟିଛି ତାକୁ ମାର୍କସବାଦୀ ଦୃଷ୍ଟିକୋଣରୁ ହେଉ ଅଥବା ସମାଜ ତାତ୍ତ୍ୱିକ, ବୈଜ୍ଞାନିକ ବିଚାର ଭଙ୍ଗୀରେ ହେଉ; ତାହା ଆବିଷ୍କାର କରି କଳାତ୍ମକ ଭାବରେ କ୍ଷୁଦ୍ରଗଳ୍ପରେ ରୂପାୟିତ କରିବା ହେଉଛି ଏହି ସମୟର ଆଧୁନିକତା ।

 

ଏକଦା ଚଳଚ୍ଚିତ୍ର ଓ ରେଡିଓରେ ପ୍ରଚାରିତ, ପ୍ରସାରିତ ସହସବୋଧ୍ୟ ଛନ୍ଦୋବଦ୍ଧ ଭାବଗର୍ଭକ ଗୀତି-କବିତା, ସଙ୍ଗୀତଠାରୁ ଆଧୁନିକ କବିତାକୁ ଅଲଗା କରି ଚିହ୍ନାଇ ଦେବାପାଇଁ ପାଶ୍ଚାତ୍ୟ କବିତାରେ ଇଚ୍ଛାକୃତ ଦୁର୍ବୋଧ୍ୟତା ଓ ଅସ୍ପଷ୍ଟତା ସୃଷ୍ଟି କରାଯାଇଥିଲା । ସେହିଭଳି ଏହି ଶତାବ୍ଦୀର ଦିତୀୟାର୍ଦ୍ଧରେ ୟୁରୋପ-ଆମେରିକାର ଦକ୍ଷ କ୍ଷୁଦ୍ରଗଳ୍ପ ଲେଖକମାନେ ଲୋକପ୍ରିୟତା ଓ ଅର୍ଥ ଉପାର୍ଜ୍ଜନ ଲକ୍ଷ୍ୟରେ କ୍ଷୁଦ୍ରଗଳ୍ପ ରଚନା ଛାଡ଼ି ଉପନ୍ୟାସ ଲେଖାରେ ମନୋନିବେଶ କରିବା ଫଳରେ ଗଳ୍ପ-ଭିତ୍ତିକ ଗଳ୍ପ-ଉପନ୍ୟାସ ବିରୁଦ୍ଧରେ ଏକ ପ୍ରତିକ୍ରିୟା ପ୍ରକାଶ ପାଇଲା । ହେମିଂୱେ ପ୍ରଥମେ କ୍ଷୁଦ୍ରଗଳ୍ପ ରଚନାରେ ବିଚକ୍ଷଣ ଦକ୍ଷତା ଦେଖାଇଥିଲେ ସୁଦ୍ଧା ପରବର୍ତ୍ତୀ କାଳରେ କ୍ଷୁଦ୍ରଗଳ୍ପକୁ ଅବହେଳା କରି ଉପନ୍ୟାସକୁ ନିଜ ଭାବ-ପ୍ରକାଶର ମାଧ୍ୟମ ଭାବରେ ଗ୍ରହଣ କରି ନେଇଥିଲେ । ଥରେ ଜଣେ ପତ୍ରିକା ସମ୍ପାଦକ ତାଙ୍କୁ ଗୋଟିଏ କ୍ଷୁଦ୍ରଗଳ୍ପ ପାଇଁ ଦଶହଜାର ପାରିଶ୍ରମିକ ଯାଚିଥିଲେ ସୁଦ୍ଧା ସେହି ଗଳ୍ପକୁ ବଢ଼ାଇ ଉପନ୍ୟାସ ଆକାରରେ ଆଉ ଜଣେ ପ୍ରକାଶକଙ୍କୁ ସେ ପଚସ୍ତରି ହଜାର ଡଲାର ବିନିମୟରେ ଦେଇ ଦେଇଥିଲେ । ଏହିସବୁ କାରଣରୁ ଗଳ୍ପଧର୍ମୀ ଉପନ୍ୟାସ ବିରୁଦ୍ଧରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଲା, ତା’ର ପରିଣତି ସ୍ୱରୂପ ଗଳ୍ପାଂଶକୁ ବାଦ୍‌ଦେଇ କ୍ଷୁଦ୍ରଗଳ୍ପ ରଚନାର ପ୍ରବଣତା ଏକଦା ୟୁରୋପୀୟ ଆମେରିକା ସାହିତ୍ୟରେ ଦେଖା ଦେଇଥିଲା । କିନ୍ତୁ ଗଳ୍ପହୀନ ଗଳ୍ପ ଆତ୍ମାହୀନ ଶରୀର ଭଳି । ଏହା ବେଶି ଦିନ ପାଠକମାନଙ୍କ ମନଯୋଗ ଆର୍କଷଣ କରିପାରି ନଥିଲା । ପୁଣି ପରିବର୍ତ୍ତିତ ରୂପରେ ଗଳ୍ପାଂଶ କ୍ଷୁଦ୍ରଗଳ୍ପରେ ଅଧିକ ପ୍ରଭାବଶାଳୀ ହୋଇ ଉଠିଲା । ତେଣୁ ପାଶ୍ଚାତ୍ୟ ସାହିତ୍ୟରେ ବାତିଲ୍ ହୋଇ ଯାଇଥିବା ଏକ ସାମୟିକ ଧାରଣାକୁ, କ୍ଷୁଦ୍ରଗଳ୍ପର ଆଧୁନିକ ଧର୍ମ ବୋଲି ଗ୍ରହଣ କରିବା ଅର୍ଥହୀନ । ଅବଶ୍ୟ ଯେଉଁମାନେ ନିଜର ସାର୍ଥକ ଗଳ୍ପ ରଚନାର ଅକ୍ଷମତାକୁ ପରୀକ୍ଷାମୂଳକ ଶୈଳୀ ମଧ୍ୟରେ ଘୋଡ଼ାଇ ରଖିବାକୁ ଚାହାନ୍ତି, ସେମାନଙ୍କ କଥା ଭିନ୍ନ ।

 

ନୂତନ ଶୈଳୀ ସହିତ ନୂତନ ଗଳ୍ପ ଭାବନାର ସମନ୍ୱୟ ସପ୍ତମ ଦଶକର ଯେଉଁ ଗାଳ୍ପିକମାନଙ୍କ ଗଳ୍ପରେ ମୂର୍ତ୍ତିମନ୍ତ ହୋଇ ଉଠିଛି ସେମାନଙ୍କ ମଧ୍ୟରେ ହରିହର ଦାସ (‘ଶେଷ ସଂଳାପ’) ପ୍ରଫୁଲ୍ଲ କୁମାର ତ୍ରିପାଠୀ (‘ନିଜ ସିଂହାସନ’), ବିଜୟକୃଷ୍ଣ ମହାନ୍ତି (‘ସ୍ୱରଭଙ୍ଗ’), ସତ୍ୟମିଶ୍ର (‘ବହୁ ବଚନ’), ଜଗଦୀଶ ମହାନ୍ତି (‘‘ଏକାକୀ ଅଶ୍ୱାରୋହୀ’’) ଓ ‘ଶତାଣ୍ଡି ପୁରୁଷ’ର ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ନାମ ସ୍ୱତଃ ମନକୁ ଆସିଯାଏ । ଏମାନଙ୍କ ବ୍ୟତୀତ ଖେଳ ଓ ଖେଳାଳୀମାନଙ୍କୁ ନେଇ ଅଲଗା ସ୍ୱାଦର କେତୋଟି ଗଳ୍ପ ରଚନା କରିଥିବା ଗାଳ୍ପିକ ବରେନ୍ଦ୍ର କୃଷ୍ଣ ଧଳ ପାଠକମାନଙ୍କର ଭାଷା ଓ ଶୈଳୀର ନୂତନତ୍ୱ ନେଇ ପରୀକ୍ଷା ନିରୀକ୍ଷାରେ ବ୍ୟସ୍ତ, କଥାଶିଳ୍ପୀ ପ୍ରଭାତ ମହାପାତ୍ର ( ଚିଠି : ନିଜ ଠିକଣା’ରେ ) ଓ ଶ୍ୟାମ ପ୍ରସାଦ ଚୌଧୁରୀ ( ‘ନିଜ ଠାରୁ ନିଜର ଦୁରତା’ ) ସମାଲୋଚକମାନଙ୍କର ସଶ୍ରଦ୍ଧ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି ।

 

ଦୀର୍ଘଦିନ ପାଠିକାର ଭୂମିକା ପାଳନ କରି ଆସିଥିବା ନାରୀ, ଲେଖିକାର ଦାୟିତ୍ୱ ପାଳନ କରିବା ପାଇଁ ଆଗେଇ ଆସିଥିବା ଏହି ଦଶକର ଏକ ଲକ୍ଷଣୀୟ ବୈଶିଷ୍ଟ୍ୟ । ଏହି ପ୍ରତିଭାମୟୀ ଲେଖିକାମାନଙ୍କ ଗଳ୍ପ ମଧ୍ୟରେ ବ୍ୟକ୍ତି ଓ ସମାଜ ଜୀବନର ବହୁ ଅଶ୍ରୁତ କାହାଣୀ ଯେପରି ଲିପିବଦ୍ଧ ହୋଇଛି, ସେହିପରି ମଣିଷ ଅନ୍ତର୍ଜଗତର ବହୁ ଅଦେଖା ଦୃଶ୍ୟ ମଧ୍ୟ ଆବିଷ୍କୃତ ହୋଇଛି ।

 

ଲୋକପ୍ରିୟ ଗଳ୍ପ ଲେଖିକା ଭାବରେ ଜ୍ୟୋସ୍ନା ରାଉତରାୟ, ସରୋଜିନୀ ସାହୁ, ସୁଧାଂଶୁବାଳା ପଣ୍ଡା, ପ୍ରତିଭା ରାୟ ବନଜ ଦେବୀ, ପ୍ରଫୁଲ୍ଲତା ମହାପାତ୍ର, ଅଞ୍ଜଳି ପାଢ଼ୀ, ଓ ଶକୁନ୍ତଳା ପଣ୍ଡା ପ୍ରମୁଖ ନିଜ ସୃଷ୍ଟି ଶକ୍ତିର ପରିଚୟ ପ୍ରଦାନ କରିଛନ୍ତି । ମାପିଚୁପି ଅଳ୍ପ ସଂଖ୍ୟକ ଗଳ୍ପ ଲେଖୁଥିଲେ ମଧ୍ୟ ଯଶୋଧାରା ମିଶ୍ର ଓ ପୁଷ୍ପାଞ୍ଜଳି ନାୟକଙ୍କ ଗଳ୍ପ ମନନଶୀଳତା ଓ ଗଭୀର ଅନ୍ତର୍ଦୃଷ୍ଟିର ପରିଚୟ ବହନ କରିଛି ।

 

ଏକଥା ସତ୍ୟ, ଏଇ ଦଶକର ବହୁ ତରୁଣ ଗାଳ୍ପିକ ସୃଜନଶୀଳତାର ଅନ୍ଧକାରାଛନ୍ନ ଟନେଲ୍‌ ମଧ୍ୟରେ ଏବେ ମଧ୍ୟ ଗତି କରୁଛନ୍ତି, ଆଲୋକିତ ନୂତନ ପୃଥିବୀ ସେମାନଙ୍କ ଗଳ୍ପରେ ଏ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇ ନାହିଁ ।

 

***

 

Unknown

‘ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା’

(ବୈଦିକ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ) ର ଏକ ପ୍ରତିବାଦ)

ନୀଳମାଧବ ପାଣିଗ୍ରାହୀ

 

ଗତ ୧୯୮୨ର ୪୮ଶ ସଂଖ୍ୟକ ‘କୋଣାର୍କ’ରେ ‘‘ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା (ବୈଦିକ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ)’’-ଏଇ ଶୀର୍ଷକରେ ଡକ୍ଟର ଗଙ୍ଗାଧର ବଳଙ୍କର ଲେଖାଟିଏ ପ୍ରକାଶିତ ହୋଇଚି । ଲେଖାଟି ଅଧିକାର କରିଚି ‘କୋଣାର୍କ’ର ଚବିଶ ପୃଷ୍ଠା । ଲେଖା ଶେଷରେ ସନ୍ନିବେଶିତ ଏକ ଟିପ୍‍ପଣୀରେ ଲେଖକ ଜଣାଇଛନ୍ତି ଯେ ତାହା ‘ଗୋପାଳକୃଷ୍ଣ ଓ ତାଙ୍କ ରଚନାବଳୀ : ଏକ ଅଧ୍ୟୟନ’ ନାମକ ତାଙ୍କର ଏକ ଗବେଷଣାମୂଳକ ସନ୍ଦର୍ଭର ଅଂଶବିଶେଷ । ସେଇ ଟିପ୍‌ପଣୀ ଆହୁରି କେତେକ ଅପ୍ରତ୍ୟାଶିତ ମନ୍ତବ୍ୟରେ ବେଶ୍‌ କୌତୁହଳଜନକ ହୋଇଛି । ଲେଖକଙ୍କ ସେଭଳି ମନ୍ତବ୍ୟ ଏଠାରେ ଉଦ୍ଧାର କରିବା ଦରକାର । ତେଣୁ ତଳେ ତାହା କରାଯାଉ-

 

‘‘ସଙ୍ଗୀତଶାସ୍ତ୍ର ବିଜ୍ଞାନସମ୍ମତ, ଅତି ଜଟିଳ ଓ ସାଧନସାପେକ୍ଷ । ଓଡ଼ିଶାରେ ସଙ୍ଗୀତଜ୍ଞ ଓ ସଙ୍ଗୀତ ଶାସ୍ତ୍ରବିତ୍‌ମାନଙ୍କ ମଧ୍ୟରେ ମତାନୈକ୍ୟ ଓ ପାରସ୍ପରିକ ଅସହିଷ୍ଣୁତାରେ ମୁଁ ବିସ୍ମିତ । ସଙ୍ଗୀତଶାସ୍ତ୍ର ସମ୍ପର୍କରେ ମୋର ବିଶେଷଜ୍ଞ ସୁଲଭ ଜ୍ଞାନ ନାହିଁ । ସାହିତ୍ୟର ଆଲୋଚନା ଦୃଷ୍ଟିରୁ ସଙ୍ଗୀତ ସମ୍ପର୍କରେ ସାଧାରଣ ଯେତୋଟି ବିଷୟ ଜାଣିବାର କଥା, ସେହି ସୀମିତ ବସ୍ତୁକୁ ପୁଞ୍ଜି କରି ସଙ୍ଗୀତଶାସ୍ତ୍ରର ପରମ୍ପରା ସମ୍ପର୍କରେ ଆଲୋଚନା କରିଛି । କୌଣସି ସଙ୍ଗୀତଜ୍ଞ ମୋର ଆଲୋଚନାର ତ୍ରୁଟି ପ୍ରଦର୍ଶନ କରି ଜଣାଇଲେ ମୁଁ ସାଦରେ ତାହା ସ୍ୱାଗତ କରିବି ।’’

–ଲେଖକ କୋଣାର୍କ-ସଂଖ୍ୟା ୪୮-ପୃ ୫୪

 

ସାହିତ୍ୟ ଆଲୋଚନା ଦୃଷ୍ଟିରୁ ସଙ୍ଗୀତ ସମ୍ପର୍କରେ ନିଜର ସାଧାରଣ ଓ ସୀମିତ ଜ୍ଞାନକୁ ଭିତ୍ତି କରି ଶଂସିତ ଲେଖାଟି ଠିଆ କରାଯାଇଥିବା କଥା ଲେଖକ କହିଛନ୍ତି; ମାତ୍ର ଲେଖାଟିରେ ଏପରି ଅନେକ ବିଷୟର ଅବତାରଣା ଓ ଚର୍ଚ୍ଚା କରାହୋଇଚି, ପୁଣି ଏପରି ଭାବରେ କରାହୋଇଚି ଯାହା କରିବାକୁ ସଙ୍ଗୀତକଳା ଓ ସଙ୍ଗୀତଶାସ୍ତ୍ରର ବିଶେଷଜ୍ଞମାନେ ସୁଦ୍ଧା ହୁଏତ କୁଣ୍ଠିତ ହୁଅନ୍ତେ ।

 

ଆହୁରି, ଓଡ଼ିଶାରେ ସଙ୍ଗୀତଜ୍ଞ ଓ ସଙ୍ଗୀତଶାସ୍ତ୍ରବିତ୍‌ମାନଙ୍କ ମଧ୍ୟରେ ମତାନୈକ୍ୟ ଓ ପାରସ୍ପରିକ ଅସହିଷ୍ଣୁତାରେ ଲେଖକ ବିସ୍ମିତ ହେବାର କାରଣ ଜଣାପଡ଼ୁନାହିଁ । ପୁଣି ସେଭଳି ମତାନୈକ୍ୟ ଦୂର କରିବା ଦୁରାଗ୍ରହ ଯେ ଲେଖକ ଦେଖାଇଛନ୍ତି ତାହା ବି କୁହାଯାଇ ପାରୁନାହିଁ । କାରଣ ମଧ୍ୟସ୍ଥତା କରିବା ଭଳି ଅଭିଜ୍ଞତା ତାଙ୍କର ନାହିଁ, ଏକଥା ମଧ୍ୟ ତାଙ୍କ ସ୍ୱୀକୃତିରୁ ଅନୁମେୟ । ଯାହାହେଉ, ତାଙ୍କ ଲେଖାରେ ଥିବା ତ୍ରୁଟିପ୍ରଦର୍ଶନ ତାଙ୍କର ସ୍ୱାଗତଯୋଗ୍ୟ ବୋଲି ଲେଖକ ଜଣାଇଥିବାରୁ ପ୍ରଥମେ ତାହା ହିଁ କରାଯାଉ । ତେବେ ତ୍ରୁଟି ପ୍ରଦର୍ଶନ କରି ନୀରବ ରହିଗଲେ କର୍ତ୍ତବ୍ୟ ଶେଷ ହେବ ନାହିଁ; ତେଣୁ ବାସ୍ତବତତ୍ତ୍ୱ ଓ ତଥ୍ୟ ମଧ୍ୟ ତା’ ସହିତ ଦେଖାଇବା ଦରକାର । ଏ ଉଭୟ କାର୍ଯ୍ୟ ‘ତ୍ରୁଟି’ ତଳେ ସନ୍ନିବେଶିତ ‘ମନ୍ତବ୍ୟ’ର ଅଙ୍ଗୀଭୂତ କରାଯାଉଚି, ଯଥା-

 

ତ୍ରୁଟି-୧

 

‘‘ଭାବ ତଥା ରସାନୁରୂପ ନାନାବିଧ ରାଗରାଗିଣୀ ଓ ତାଳର ନିର୍ଦ୍ଦେଶରୁ କବିଙ୍କର ନାନାବିଧ କାବ୍ୟ ଓ ଶାସ୍ତ୍ରଜ୍ଞାନ ସହିତ ସଙ୍ଗୀତଶାସ୍ତ୍ରରେ କବିସୂର୍ଯ୍ୟ ବଳଦେବଙ୍କ ପରି ଯେ ଅସାଧାରଣ ପ୍ରବେଶ ଥିଲା, ଏଥିରେ ଦ୍ୱିମତ ନାହିଁ।’’

କୋଣାର୍କ-ଏଜନ-ପୃ ୩୧

ମନ୍ତବ୍ୟ:- ଏଇ ଉଦ୍ଧୃତିର ତାତ୍ପର୍ଯ୍ୟ-ସଙ୍ଗୀତଶାସ୍ତ୍ରରେ କବିସୂର୍ଯ୍ୟଙ୍କର ଯେପରି ଅସାଧାରଣ ପ୍ରବେଶ ଥିଲା, ଗୋପାଳକୃଷ୍ଣଙ୍କର ମଧ୍ୟ ଅନୁରୂପ ଅସାଧାରଣ ପ୍ରବେଶ ଥିଲା । ଗୋପାଳକୃଷ୍ଣଙ୍କ ପ୍ରସଙ୍ଗରେ କବିସୂର୍ଯ୍ୟଙ୍କୁ ସାମିଲ୍‌ କରାହେବାଦ୍ୱାରା ସତ୍ୟ ନିରୂପଣର ଖୁବ୍‌ ସୁବିଧା କରାହୋଇଚି; କାରଣ, ‘ଝଙ୍କାର’ ପତ୍ରିକାର ୧୯ଶ ପ୍ରକାଶନରେ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଚମ୍ପୂ ଆଖ୍ୟା କାହିଁକି’ ଶୀର୍ଷକରେ ପ୍ରକାଶିତ ଗୋଟିଏ ଲେଖାରେ ପ୍ରତିପାଦନ କରାହୋଇ ଥିଲା ଯେ କବିସୂର୍ଯ୍ୟ ବଳଦେବ ଅନ୍ୟାନ୍ୟ ଶାସ୍ତ୍ରରେ ଅସାଧାରଣ ବ୍ୟୁତ୍ପତ୍ତି ଲାଭ କରି ପ୍ରଚଣ୍ଡ ପାଣ୍ଡିତ୍ୟ ରୂପେ ଖ୍ୟାତିଲାଭ କରିଥିଲେ ସୁଦ୍ଧା କୌଣସି ସଙ୍ଗୀତଶାସ୍ତ୍ର ଅଧ୍ୟୟନ କରିଥିବାର କୌଣସି ପ୍ରମାଣ ନାହିଁ । ସେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ସମେତ ବହୁସଂଖ୍ୟକ ଚଉପଦୀ ରଚନା କରିଯାଇଛନ୍ତି । ହୁଏତ ସେ ଥିଲେ ଜଣେ ସୁକଣ୍ଠ ଗାୟକ ଓ ନିଃସନ୍ଦେହରେ ଥିଲେ ଜଣେ କୁଶଳ କବି । ମାତ୍ର ଯେ କବି ସେ ଯେ ନିଶ୍ଚୟ ଗାୟକ କିମ୍ବା ଯେ ଉଭୟ କବି ଓ ଗାୟକ ସେ ଯେ ନିଶ୍ଚୟ ସଙ୍ଗୀତଶାସ୍ତ୍ରଦର୍ଶୀ-ଏପରି ସିଦ୍ଧାନ୍ତ ଯୁକ୍ତିସଙ୍ଗତ ନୁହେ । ତଥାପି ଯଦି କୁହାଯାଏ ଯେ ସଙ୍ଗୀତଶାସ୍ତ୍ରରେ କବିସୂର୍ଯ୍ୟଙ୍କର ‘ଅସାଧାରଣ’ ପ୍ରବେଶ ଥିଲା ତେବେ ଅନ୍ୟ କବି ଓ ଗୀତ ରଚୟିତାଙ୍କୁ ମଧ୍ୟ ବିନା ପ୍ରମାଣରେ ସଙ୍ଗୀତଶାସ୍ତ୍ରବେତ୍ତା ବୋଲି କୁହାଯାଇ ପାରିବ । କବିସୂର୍ଯ୍ୟଙ୍କ ପରି ଆହୁରି ବହୁସଂଖ୍ୟକ ଗୀତକାର କବିଙ୍କ ଶୁଭ ଅଭ୍ୟୁଦୟ ତ ଯୁଗେ ଯୁଗେ ଘଟିଚି ଆମ ଓଡ଼ିଶା ତଥା ଅନ୍ୟ ସବୁ ଦେଶରେ । ଯଦି ଓଡ଼ିଶାର ପ୍ରତ୍ୟେକ ଗୀତକାରଙ୍କ ଉପରେ ସଙ୍ଗୀତଶାସ୍ତ୍ରଜ୍ଞତା ଆରୋପ କରାଯାଏ ଓ ତାକୁ ‘ଅସାଧାରଣ’ ଶାସ୍ତ୍ର ପ୍ରବେଶ ବୋଲି ଲେଖାଯାଏ, ତେବେ ସଙ୍ଗୀଶାସ୍ତ୍ର ଅତି ଜଟିଳ ଓ ସାଧନାସାପେକ୍ଷ ବୋଲି କାହିଁକି କୁହାଯାଇଚି ?

 

ଗୋପାଳକୃଷ୍ଣଙ୍କ ସମ୍ପର୍କରେ ମଧ୍ୟ ସେହିପରି ଶଙ୍କା ଅନିବାର୍ଯ୍ୟ । କବିସୂର୍ଯ୍ୟ ଯେପରି ଗୋପାଳକୃଷ୍ଣ ବି ସେହିପରି କୌଣସି ସଙ୍ଗୀତ ଗ୍ରନ୍ଥ ରଚନା କରିଯାଇଥିବା ପ୍ରମାଣ ମିଳିନାହିଁ, ଏ ଦୁଇ କବି ନିଜ କାବ୍ୟକୃତି ଭିତରେ ସଙ୍ଗୀତଶାସ୍ତ୍ରଦର୍ଶିତାର କୌଣସି ନିଦର୍ଶନ ରଖିଯାଇ ନାହାନ୍ତି । ତେଣୁ ଏଇ ନମସ୍ୟ କବି ଦ୍ୱୟଙ୍କୁ କେବଳ କବିତ୍ୱର ତୁଙ୍ଗ ଆସନରେ ବସାଇବା ଉଦ୍ୟମ କରନ୍ତୁ, ଆମର ବିଜ୍ଞ କୋବିଦମାନେ । ପ୍ରମାଣ ନ ଥାଇ, ସେମାନଙ୍କୁ ସଙ୍ଗୀତଶାସ୍ତ୍ରବେତ୍ତା ଭାବରେ ଉପସ୍ଥାପିତ କରିବାକୁ ଗଲେ, ଇତିହାସ ଓ ସତ୍ୟ ବିଡ଼ମ୍ବିତ ହେବ । ଗବେଷଣାତ୍ମକ ସନ୍ଦର୍ଭରେ ଶୁଣା କଥାକୁ ଭିତ୍ତି କରି କୌଣସି ସିଦ୍ଧାନ୍ତ ଗ୍ରହଣ କରିବା, ଏକ ଦୁର୍ବଳତାର ଲକ୍ଷଣ ପୁଣି ‘ଝଙ୍କାର’ରେ ପ୍ରକାଶିତ ପୂର୍ବୋକ୍ତ ପ୍ରବନ୍ଧର ପୃଷ୍ଠଭୂମିରେ ଗୋପାଳକୃଷ୍ଣଙ୍କ ସଙ୍ଗୀତଶାସ୍ତ୍ରରେ ଅସାଧାରଣ ପ୍ରବେଶ ଥିବା ସମ୍ପର୍କରେ ‘ଦ୍ୱିମତ’ ନାହିଁ ବୋଲି ଡକ୍ଟର ବଳ ଯେ ବଳାତ୍କାର କରୁଛନ୍ତି-ଏହା ସୁସ୍ଥ ଦୃଷ୍ଟିର ପରିଚାୟକ ନୁହେ ।

 

ପୁଣି କବିସୂର୍ଯ୍ୟ ଓ ଗୋପାଳକୃଷ୍ଣଙ୍କ ଗୀତମାନଙ୍କ ଶିରୋଦେଶରେ ନାନାବିଧ ରାଗରାଗିଣୀ ଓ ତାଳର ‘ନାମ’ ବ୍ୟବହୃତ ହୋଇଥିବାରୁ ସେଗୁଡ଼ିକୁ ‘ଭାବ ତଥା ରସାନୁରୂପ’ ବୋଲି କେବଳ ସେପରି ବିଶେଷଜ୍ଞ କହିପାରିବେ ଯେ ଉଭୟ କାବ୍ୟ ଓ ରସତତ୍ତ୍ୱ, ବିଶେଷରେ ରାଗରାଗିଣୀ ଓ ତାଳ ସହିତ ରସ ଓ ଭାବର ସମ୍ପର୍କ ବୁଝିଲା ଭଳି ଗଭୀର ଜ୍ଞାନ, ସଙ୍ଗୀତରେ ପ୍ରୟୋଗ ଦକ୍ଷତା ତଥା ସଙ୍ଗୀତଶାସ୍ତ୍ରଗୁଡ଼ିକର ବିଦଗ୍‌ଧ ଅନୁଶୀଳନ କରିଛନ୍ତି । ଶଂସିତ ସନ୍ଦର୍ଭକାର ନିଜେ ସ୍ୱୀକାର କରିଛନ୍ତି ଯେ ସଙ୍ଗୀତଶାସ୍ତ୍ର ସମ୍ପର୍କରେ ତାଙ୍କର କିଛି ସାଧାରଣ ଜ୍ଞାନମାତ୍ର ଅଛି । ତଥାପି ସେ ଯେ ସଂପୃକ୍ତ ରାଗରାଗିଣୀ ଓ ତାଳଗୁଡ଼ିକୁ ‘ଭାବ ତଥା ରସାନୁରୂପ’ କହିପାରୁଛନ୍ତି ଏହା ମୋ’ ପକ୍ଷରେ ଅସୂୟାଜନକ; କାରଣ ଗତ ପ୍ରାୟ ୩୫ ବର୍ଷ ହେଲା ସଙ୍ଗୀତ କ୍ଷେତ୍ରରେ ରହିଆସିଥିଲେ ସୁଦ୍ଧା ମୁଁ ଏ ସମ୍ପର୍କରେ ଅଜ୍ଞ । ତେବେ, ଆଶାର ସଞ୍ଚାର ହେଉଚି ଯେ ଆମ ଓଡ଼ିଶାରେ ଏପରି ପ୍ରତିଭାଧରଙ୍କ ଅଭ୍ୟୁଦୟ ହେଲାଣି ଯେଉଁମାନେ ଅଳ୍ପ ସମୟ ଭିତରେ ବହୁ ଅଭିଜ୍ଞତା ଓ ସୂକ୍ଷ୍ମ ଦର୍ଶନ ହାସଲ କରିପାରୁଛନ୍ତି । ଅଧୀତି, ବୋଧ, ଆଚରଣ-ଏସବୁ ଶ୍ରମସାପେକ୍ଷ କାର୍ଯ୍ୟ ଯେ ଅନାବଶ୍ୟକ ଏହାର ପ୍ରମାଣ ଯୋଗାଇ ଏଇ ଆଶୁସିଦ୍ଧ ଜ୍ଞାନତପସ୍ୱୀମାନେ ଦେଶର ବଧେଇ ପାଇବାର ହକ୍‌ଦାର୍‌ ! ହେଲେ, ଗତାନୁଗତିକ ଭାବରେ ଶଂସିତ ନିବନ୍ଧରେ ଯେଉଁସବୁ ନିର୍ଭିତ୍ତିକ ମନ୍ତବ୍ୟ ବା ବିଚାର ବ୍ୟକ୍ତ କରାହୋଇଛି ସେସବୁ ଯେଉଁମାନଙ୍କଦ୍ୱାରା ନିର୍ବିଚାରରେ ଗୃହୀତ ହେବ, ସେମାନେ କେବଳ କ୍ଷତିଗ୍ରସ୍ତ ହେବେ । ତେଣୁ ଗବେଷଣା ନାମରେ ଏଣୁତେଣୁ ଆହରଣ କରିବା ଅପେକ୍ଷା ଗବେଷଣାକାରୀ ମୂଳ ଓ ପ୍ରାମାଣିକ ଗ୍ରନ୍ଥମାନ ଆଖି ଫିଟାଇ ଅଧ୍ୟୟନ କଲେ, ମନନ କଲେ ଓ ତା’ପରେ ବିଷୟ ବିଶେଷରେ ଯଥାର୍ଥ ଆତ୍ମପ୍ରତ୍ୟୟପୂର୍ଣ୍ଣ ଦକ୍ଷତା ହାସଲ କରି ସାହିତ୍ୟ ଫସଲ ଫଳାଇବା ଆଗ୍ରହ ପୋଷଣ କଲେ ଲେଖା ଯଥାସମ୍ଭବ ତ୍ରୁଟିହୀନ ହେବ, ପ୍ରୌଢ଼ତ୍ୱଯୁକ୍ତ ହେବ । ତାହା ନ କରି ଏ ବହିରୁ ବାକ୍ୟଟିଏ, ସେ ବହିରୁ ଶ୍ଲୋକଟିଏ, ଆଉ କାହିଁରୁ କାକଟିଏ ଓ ଅନ୍ୟ କାହିଁରୁ ବକଟିଏ ଆଣି, ସବୁ ମୋଡ଼ି, ଯୋଡ଼ି କିଛି ରଚନା କଲେ ତାହା ପ୍ରବଞ୍ଚନା ହେବ ।

 

ତ୍ରୁଟି-(୨)

 

‘‘ଶାର୍ଙ୍ଗଦେବଙ୍କର ‘ସଙ୍ଗୀତ ରତ୍ନାକର’ର ଟୀକାକାର କଲ୍ଲିନାଥ (୧୪ଶ ଶତକ) କହିଛନ୍ତି–ସାମବେଦାଦିତଂ ଗୀତଂ ସଂଜଗ୍ରାହ ପିତାମହଃ ଅର୍ଥାତ୍‌ ପିତାମହ ବ୍ରହ୍ମା ଋକ୍‌, ସାମ, ଯଜଃ ଓ ଅଥର୍ବ ଏହି ଚାରିବେଦରୁ ସାଙ୍ଗୀତିକ ଉପାଦାନ ସଂଗ୍ରହ କରି ପଞ୍ଚମ ବେଦ ରୂପକ ସଙ୍ଗୀତର (ମାର୍ଗ ଓ ଦେଶୀ) ପ୍ରଚାର କଲେ ।

 

(୧)

ଶ୍ରୀ ହରେକୃଷ୍ଣ ମୁଖୋପାଧ୍ୟାୟ, କବି ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ, ୪ର୍ଥ ସଂ, ୧୩୭୨ ସାଲ, ମୁଖବନ୍ଧ, ପୃ-୬୬/୬୭ ।

 

ମନ୍ତବ୍ୟ:–ଏଇ ଉଦ୍ଧୃତିଟି ସଙ୍ଗୀତର ଇତିହାସ ସହିତ ସଂପୃକ୍ତ, ମାତ୍ର ଯାହାଙ୍କ ପୁସ୍ତକରୁ ଏଇ ଅନାବଶ୍ୟକ ଉଦ୍ଧୃତିଟି ଅଣା ହୋଇଚି ସେ ମହାଶୟ ଜଣେ ମାନ୍ୟତାପ୍ରାପ୍ତ ସଙ୍ଗୀତ ଶାସ୍ତ୍ରବେତ୍ତା ନୁହନ୍ତି; ବରଂ ଉଦ୍ଧୃତ ଉକ୍ତିଟି ପ୍ରତିପାଦ୍ୟ ବିଷୟରେ ଚରମ ଅଜ୍ଞତାର ପରମ ନିଦର୍ଶନ; କାରଣ–

 

(କ)

(କ) ‘ସାମବେଦାଦିଦଂ ଗୀତଂ ସଂଜଗ୍ରାହ ପିତାମହଃ’–ଏହା ସଙ୍ଗୀତ ରତ୍ନାକରର ଟୀକାକାର କଲ୍ଲିନାଥ କହି ନାହାନ୍ତି । ଶାର୍ଙ୍ଗଦେବଙ୍କ ‘ସଙ୍ଗୀତ ରତ୍ନାକର’ ଗ୍ରନ୍ଥରେ ହିଁ ଏ ଶ୍ଲୋକାର୍ଦ୍ଧ ରହିଚି । କଲ୍ଲିନାଥ ଓ ସିଂହଭୂପାଳକୃତ ଟୀକାଦ୍ୱୟ ସମନ୍ୱିତ, ମାଡ଼୍ରାସ ଆଡ଼୍‌ୟାର୍‌ ଲାଇବ୍ରେରୀଦ୍ୱାରା ଖ୍ରୀ: ୧୯୪୩ରେ ପ୍ରକାଶିତ ‘ସଙ୍ଗୀତ ରତ୍ନାକର’-ଅଧ୍ୟାୟ ୧ମ, ପଦାର୍ଥ ସଂଗ୍ରହ ପ୍ରକରଣ, ପୃ-୧୫, ଶ୍ଲୋକ ୨୫ଶର ଉତ୍ତରାର୍ଦ୍ଧ ରୂପେ ତାହା ଦେଖିବାକୁ ମିଳେ ।

 

ଏକ ଗବେଷଣାମୂଳକ ସନ୍ଦର୍ଭରେ ଆରୋପିତ ହେଲେ ସେଇ ଭ୍ରାନ୍ତ ତଥ୍ୟ ଉତ୍ତର କାଳୀନ ଗବେଷକ ତଥା ଅନ୍ୟମାନେ ନିଜ ନିଜ ଲେଖାରେ ଉଦ୍ଧାର କରିବେ; ମିଥ୍ୟା ସତ୍ୟରେ ପରିଣତ ହେବ । ଏ ପରିଣତି ମାରାତ୍ମକ ।

 

ପୁଣି, ଶଂସିତ ‘କୋଣାର୍କୀୟ’ ଲେଖାରେ ଥିବା ‘‘ଭାରତୀୟ ସଙ୍ଗୀତ ବେଦ-ସଂଭୂତ ଓ ବେଦପରି ଅପୌରୁଷେୟ’’–ଏଇ ମଧ୍ୟଯୁଗୀୟ ଅନ୍ଧବିଶ୍ୱାସ ପ୍ରସୂତ ଓ ଚର୍ବିତ ଚର୍ବଣଧର୍ମୀ ସାମାନ୍ୟ ତଥ୍ୟର ପୁଷ୍ଟିସାଧନ ଅନାବଶ୍ୟକ । ମାତ୍ର ସେଭଳି ପୁଷ୍ଟିସାଧନ ଉଦ୍ଦେଶ୍ୟରେ ମଧ୍ୟ ଖାଦ୍ୟସାମଗ୍ରୀ ଆହରଣ କରିବାପାଇଁ ଶରଣାର୍ଥୀ ରୂପେ ଶ୍ରୀ ହରେକୃଷ୍ଣ ମୁଖୋପାଧ୍ୟାୟଙ୍କ ଦ୍ୱାରସ୍ଥ ହେବା ଓଡ଼ିଶାର ଲେଖକ ପକ୍ଷରେ ତଥା ଓଡ଼ିଶା ପକ୍ଷରେ ଲଜ୍ଜାଜନକ । ଏହାର ପ୍ରଥମ କାରଣ, ଶ୍ରୀ ମୁଖୋପାଧ୍ୟାୟ ବଙ୍ଗଳାର ମୁଖ ଉଜ୍ଜ୍ୱଳ କରିବାପାଇଁ, ଓଡ଼ିଶାର ମହାକବି ଗୀତ ଗୋବିନ୍ଦକାର ଜୟଦେବଙ୍କୁ ବଙ୍ଗ ସନ୍ତାନ ବୋଲି ସାବ୍ୟସ୍ତ କରିବା ଦୁରୁଦ୍ଦେଶ୍ୟ ଘେନି କବି ‘ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ’ ପୁସ୍ତକଟି ଲେଖିଛନ୍ତି । ତେଣୁ ସେପରି ପୁସ୍ତକର ସାହାଯ୍ୟ ନେଇ ସଙ୍ଗୀତରେ ଶ୍ରୀ ଜୟଦେବଙ୍କ ଉତ୍କଳୀୟ ଉତ୍ତରସାଧକ କବି ଗୋପାଳକୃଷ୍ଣଙ୍କୁ ଘେନି ରଚିତ ହୋଇଥିବା ସନ୍ଦର୍ଭରେ ପାଣ୍ଡିତ୍ୟ ପ୍ରଦର୍ଶନ କରିବା ଯାହା, ଓଡ଼ିଶା ଏକ ବିଦ୍ୟାହୀନ ଭାରବାହକମାନଙ୍କ ବାସଭୂମି ବୋଲି ସ୍ୱୀକୃତି ଦେବା ମଧ୍ୟ ତାହା । ଏପରି ଉତ୍କଟ ମନ୍ତବ୍ୟ ଏଠାରେ ଦିଆଯାଉ ଥିବାର ଯଥାର୍ଥ୍ୟ ଓ ଆବଶ୍ୟକତା ଏହାର ପରବର୍ତ୍ତୀ (ଖ) ଚିହ୍ନିତ ଅଂଶରେ ପ୍ରତିପାଦନ କରାଯିବ ଓ ପ୍ରୋକ୍ତ ପୁସ୍ତକ ଲେଖକ ଶ୍ରୀ ମୁଖୋପାଧ୍ୟାୟଙ୍କ ଦ୍ୱାରସ୍ଥ ହେବାର ଲଜ୍ଜାକରତ୍ୱ ବିଷୟକ ଅନ୍ୟତମ କାରଣଟି ମଧ୍ୟ ସେଇ (ଖ) ଅଂଶରେ ଦିଆଯିବ ।

 

(ଖ)

ଶଂସିତ ବଙ୍ଗଳା ପୁସ୍ତକରୁ ଉଦ୍ଧୃତି ଆଣି କୌଣସି ବିଷୟ ପ୍ରତିପାଦନ କରିବା ଓଡ଼ିଆ ସାହିତ୍ୟାଲୋଚକମାନଙ୍କ ପକ୍ଷରେ ଲଜ୍ଜାକର ବୋଲି ମନ୍ତବ୍ୟ ଦେବାର ଦ୍ୱିତୀୟ କାରଣ ଏହି ଯେ ଶଂସିତ ଉଦ୍ଧୃତିରେ ଯେଉଁ ତଥ୍ୟ ବା ଅପତଥ୍ୟ ଅଛି, ତାହା ନିବନ୍ଧଗତ ବିଷୟ ଦୃଷ୍ଟିରୁ ସେପରି ପ୍ରାସଙ୍ଗିକ ହୋଇ ନ ଥିଲେ ସୁଦ୍ଧା ଲେଖକ ତାହାର ଅବତାରଣା ଯଦି ଆବଶ୍ୟକ ମନେ କଲେ ତେବେ ତାହା ତ ଓଡ଼ିଶାରେ ପ୍ରଣୀତ ଗ୍ରନ୍ଥରେ ମିଳିପାରି ଥାଆନ୍ତା ଅନାୟାସରେ ! ଅପ୍ରକାଶିତ ପୋଥି ରୂପେ ମଧ୍ୟ Oxford Bodleian Library, କାଶ୍ମୀର ରାଜପ୍ରାସାଦୀୟ ଗ୍ରନ୍ଥାଗାର, କଲିକତାର Asiatic Society Library, ମାଡ଼୍ରାସର Oriental Govt. Mss. Library ଓ ଅନ୍ୟ ଅନେକତ୍ର ସାଦର ସଂରକ୍ଷିତ ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ସଙ୍ଗୀତ ନାଟକ ଅକାଦମୀଦ୍ୱାରା ୧୯୬୬ରେ ପ୍ରକାଶିତ, ସୁବିଖ୍ୟାତ ଓ ସୁଲଭ ‘ସଙ୍ଗୀତ ନାରାୟଣ’ ଗ୍ରନ୍ଥର ଠିକ୍‌ ପ୍ରଥମ ପୃଷ୍ଠାଟିରୁ ଲେଖକ ତାହା ଉଦ୍ଧାର କରିପାରି ଥାଆନ୍ତେ । ତାହାହେଲେ ନିଜ ଦେଶର ଅଧ୍ୟାପକ ତାଙ୍କ ସ୍ମରଣ କରୁଛନ୍ତି ବୋଲି (ନିଜ ଶିଷ୍ୟ ପାରଳାଖେମୁଣ୍ଡି ରାଜାଙ୍କ ନାମରେ କର୍ତ୍ତୃତ୍ୱ ଆରୋପଣ କରି ଯାଇଥିବା) ରାଜ ଅଧ୍ୟାପକ, ପ୍ରଖ୍ୟାତି ବଞ୍ଚିତ ମାତ୍ର ପ୍ରଚଣ୍ଡ ପାଣ୍ଡିତ୍ୟବନ୍ତ କବିରତ୍ନ ପୁରୁଷୋତ୍ତମ ମିଶ୍ରଙ୍କ ଓଡ଼ିଆ-ଉପେକ୍ଷିତ, ପ୍ରପୀଡ଼ିତ ପ୍ରେତାତ୍ମା ଟିକିଏ ପ୍ରୀତ ହୋଇ ଥାଆନ୍ତା ।

 

ପ୍ରୋକ୍ତ ସଙ୍ଗୀତ ନାରାୟଣରେ ଅଛି-

‘‘ପୁରା ଚତୁର୍ଣାଂ ବେଦାନାଂ ସାରମାକୃଷ୍ୟ ପଦ୍ମଭୂଃ ।

ଇଦଂ ତୁ ପଞ୍ଚମଂ ବେଦଂ ସଙ୍ଗୀତାଖ୍ୟମକଳ୍ପୟତ୍‌।।୩।।

ଋଗ୍‌ଭ୍ୟଃ ପାଠ୍ୟମଭୂଦ୍‌ଗୀତଂ ସାମଭ୍ୟଃ ସମପଦ୍ୟତ ।

ଯଜୁର୍ଭ୍ୟୋଽଭିନୟା ଜାତା ରସାଶ୍ଚାଥର୍ବଣଃ ସ୍ମୃତାଃ ।।୪।।

 

ବିଜ୍ଞ ପାଠକେ ନିଶ୍ଚୟ ଦେଖି ପାରିବେ, ‘‘ସାମବେଦାଦିତଂ ଗୀତଂ ସଂଜଗ୍ରାହ ପିତାମହଃ’’-ଏଇ ଅର୍ଦ୍ଧଶ୍ଲୋକରେ ନିହିତ ତଥ୍ୟ ସଙ୍ଗୀତ ନାରାୟଣରୁ ଉପରି ଉଦ୍ଧୃତ ଶ୍ଲୋକ ଦ୍ୱୟରେ ରହିଚି ।

 

(ଗ)

ପିତାମହ ଅର୍ଥାତ୍‌ବ୍ରହ୍ମା ସାମବେଦରୁ ଏଇ ଗୀତ ସଂଗ୍ରହ କଲେ-ଠିକ୍‌ଏତିକି ଓ ଏହାହିଁ ‘‘ସାମବେଦାଦିଦଂ ଗୀତଂ ସଂଜଗ୍ରାହ ପିତାମହଃ’’ ଶ୍ଲୋକାର୍ଦ୍ଧଟିର ଅର୍ଥ । ମାତ୍ର ଏହାର ଠିକ୍‌ପରେ ‘ଅର୍ଥାତ୍‌’ ଲେଖାଯାଇ ଯାହାସବୁ କୁହା ହୋଇଛି ସେସବୁ ମୂଳ ଗ୍ରନ୍ଥକାରଙ୍କ ଅନଭିପ୍ରେତ ଅତ୍ୟ ଓ ଅନର୍ଥ, ଯଦିଓ ‘କୋଣାର୍କ’ରେ ପ୍ରକାଶିତ ଲେଖାଟି ଅର୍ଥକର ।

 

ବିଜ୍ଞ ପାଠକେ ହୁଏତ ଜାଣନ୍ତି ଯେ ଋଗ୍‌ବେଦରେ ଥାଏ ପାଠ୍ୟ, ଯଜୁର୍ବେଦରେ ଥାଏ ଅଭିନୟାତ୍ମକ ସାମଗ୍ରୀ ବା ଅଭିନୟର କେତେକ ପ୍ରାଥମିକ ତତ୍ତ୍ୱ, ଯାହା ପରବର୍ତ୍ତୀ କାଳରେ ଅଭିନୟ ବିଜ୍ଞାନ ଓ ଅଭିନୟ କଳାର ବିକାଶରେ ସାହାଯ୍ୟ କରିଥିବ । ମାତ୍ର, ଗୀତ ସହିତ ଋଗ୍‌ବେଦ ଓ ଯଜୁର୍ବେଦର ସମ୍ପର୍କ ନାହିଁ କହିଲେ ଚଳେ । ସେଥିପାଇଁ ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ବ୍ରହ୍ମାଙ୍କଦ୍ୱାରା ଗୀତ ସୃଷ୍ଟି ପ୍ରସଙ୍ଗରେ ଋଗ୍‌ବେଦ, ଯଜୁର୍ବେଦ-ଏପରିକି ରସତତ୍ତ୍ୱର ମୂଳ ବୋଲି କୁହାଯାଉଥିବା ଅଥର୍ବ ବେଦର ବି ଉଲ୍ଲେଖ କରା ନ ଯାଇ କେବଳ ସାମବେଦକୁ (ଭୁଲ୍‌ରେ ହେଉ ବା ବାସ୍ତବରେ ହେଉ) ଗୀତର ମୂଳ ବୋଲି କୁହା ହୋଇଚି । ତେଣୁ ଋଗ୍‌ବେଦ ପରି ପାଠ୍ୟବେଦରୁ ସାଙ୍ଗୀତିକ ଉପାଦାନ ସଂଗ୍ରହ କରିବା ଭଳି ଅଜ୍ଞତା ଓ ମୂଢ଼ତା ବୁଢ଼ା ଅଜା ବ୍ରହ୍ମାଙ୍କ ଉପରେ ଆରୋପ କରିବାହିଁ ଏକପ୍ରକାର ଅଜ୍ଞତା ଓ ମୂଢ଼ତା କୁହାଗଲେ ରୂଢ଼ତା ଦୋଷ ଘଟିବ କି ?

 

ଅବଶ୍ୟ, ସଙ୍ଗୀତ ନାରାୟଣ ଗ୍ରନ୍ଥରେ ସଙ୍ଗୀତକୁ ସମ୍ପ୍ରସାରିତ ଅର୍ଥରେ ଗୀତ, ବାଦ୍ୟ ଓ ନୃତ୍ୟର ସମାହାର ରୂପରେ ଦେଖାଯାଇଛି । ନୃତ୍ୟରେ ଅଭିନୟ ସ୍ୱୀକୃତ । ତେଣୁ ‘ସଙ୍ଗୀତ ନାରାୟଣ’ରେ ସମୂହ ଭାବରେ ସଙ୍ଗୀତକୁ ‘ନାଟ୍ୟ’ ଅର୍ଥରେ ଗ୍ରହଣ କରାଯାଇଛି ଓ ତାହାର ଉତ୍ପତ୍ତି ସମ୍ପର୍କରେ ଯେଉଁ ଶ୍ଲୋକଦ୍ୱୟ ଦିଆ ହୋଇଚି ତହିଁରେ ଭାରତନାଟ୍ୟଶାସ୍ତ୍ରର ସଂପୃକ୍ତ ଅଂଶରୁ ସାରୋଦ୍ଧାର କରାହୋଇଛି । ସେ ସମ୍ପର୍କରେ ଭରତନାଟ୍ୟଶାସ୍ତ୍ରର ବାଣୀ ହେଉଚି-

 

ଏବଂ ସଙ୍କଳ୍ପ୍ୟ ଭଗବାନ୍‌ ସର୍ବବେଦାନନୁସ୍ମରନ୍‌।

ନାଟ୍ୟବେଦଂ ତତଶ୍ଚତ୍ରେ ଚତୁର୍ବେଦାଙ୍ଗ ସମ୍ଭବମ୍‌।।୧୬।।

ଜଗ୍ରାହ ପାଠ୍ୟମୃଗ୍‌ବେଦାତ୍‌ ସାମଭ୍ୟୋ ଗୀତମେବ ଚ ।

ଯଜୁ ର୍ବେଦାଦଭିନୟାନ୍‌ ରସାନାଥର୍ବଣାଦପି ।।୧୭।।

(ଭରତନାଟ୍ୟଶାସ୍ତ୍ର-କାଶୀ ସଂସ୍କରଣ-୧ମ ଅଧ୍ୟାୟ)

 

ମାତ୍ର ଯଥାର୍ଥ ବିଚାର ପ୍ରତିପାଦନ କରେ ଯେ ‘ନାଟ୍ୟ’ ଓ ‘ସଙ୍ଗୀତ’ ସର୍ବତୋଭାବେ ସମାନ ନୁହେ ଏବଂ ‘ସଙ୍ଗୀତ’ର ‘ଗୀତ’ ଅଂଶର ଉତ୍ପତ୍ତି ସହିତ କେବଳ ସାମବେଦକୁ ସଂପୃକ୍ତ କରାଯାଇପାରେ । ତେଣୁ ‘ସଙ୍ଗୀତ ରତ୍ନାକର’ ଗ୍ରନ୍ଥର ପ୍ରାଜ୍ଞ ପ୍ରଣେତା ଲେଖିଥିଲେ ।

 

‘‘ସାମବେଦାଦିଦଂ ଗୀତଂ ସଂଜଗ୍ରାହ ପିତାମହଃ’’

 

ଏତକ ଉଦ୍ଧାର କରି, ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଯଦି ଏହାର ବ୍ୟାଖ୍ୟା କରାଯାଏ ‘‘ଅର୍ଥାତ୍‌ପିତାମହ ବ୍ରହ୍ମା ଋକ୍‌, ସାମ, ଯଜୁଃ ଓ ଅଥର୍ବ ଏହି ଚାରି ବେଦରୁ ସଙ୍ଗୀତିକ ଉପାଦାନ ସଂଗ୍ରହ କରି ପଞ୍ଚମ ବେଦରୂପକ ସଙ୍ଗୀତର (ମାର୍ଗ ଓ ଦେଶୀ) ପ୍ରଚାର କଲେ-।’’ ...ତେବେ ଯେଉଁ ଅଧ୍ୟାପକମାନଙ୍କ ମଙ୍ଗଳ ପାଇଁ ନିବନ୍ଧଟି ଉଦ୍ଦିଷ୍ଟ, ‘ଅଧୀତି ବୋଧାଚରଣ ପ୍ରଚାରଣ’ର ଗୁରୁଦାୟିତ୍ୱ ବହନ କରୁଥିବା ସେଇ ଶ୍ରଦ୍ଧେୟ ବନ୍ଧୁମାନଙ୍କର ତଥା ସେମାନଙ୍କ ଜ୍ଞାନ ଉପରେ ନିର୍ଭରଶୀଳ ବିଦ୍ୟାର୍ଥୀମାନଙ୍କ ଜ୍ଞାନ ବିଚାରମାର୍ଜିତ ହେବ ନା’ ବିଚାରବର୍ଜିତ ହେବ, ତାହା ସୁଧୀବୃନ୍ଦଙ୍କ ବିଚାର୍ଯ୍ୟ ।

 

(ଘ)

ପିତାମହ ବ୍ରହ୍ମା ପଞ୍ଚମବେଦରୂପକ ‘‘ସଙ୍ଗୀତର (ମାର୍ଗ ଓ ଦେଶୀ) ପ୍ରଚାର କଲେ ବୋଲି ବ୍ୟାଖ୍ୟା କରାହେବାଦ୍ୱାରା ଅତିଥ୍ୟବିତରଣରେ ଆହୁରି ଅଧିକ ପଟୁତା ପ୍ରଦର୍ଶନ କରାହୋଇଚି । ଏହା ଆହୁରି ନିଃସନ୍ଦେହରେ କୁହା ଯାଇ ପାରିବ ଏଇ ହେତୁରୁ ଯେ ବ୍ରହ୍ମା ଯେଉଁ ସଙ୍ଗୀତ ତାହା ଥିଲା ‘କେବଳ’ ମାର୍ଗ ସଙ୍ଗୀତ । ‘ଦେଶରେ’, ସାଧାରଣ ଜନତା ମଧ୍ୟ ଯେଉଁ ଅନତିମାର୍ଜିତ, ଭାବପ୍ରଧାନ ତଥା ଅନଭିଜାତ ( Unsophisticated ) ସଙ୍ଗୀତ ବୋଲନ୍ତି ତାହାକୁ ସଙ୍ଗୀତାଚାର୍ଯ୍ୟମାନେ ‘‘ଦେଶୀ’’ ସଂଜ୍ଞା ଦେଇ ଯାଇଛନ୍ତି ସେହିଭଳି ସଙ୍ଗୀତରେ ସେପରି କିଛି ସୂକ୍ଷ୍ମ ବା ଅତି ଉଚ୍ଚସ୍ତରୀୟ କଳା କୌଶଳ ପ୍ରାୟ ଆବଶ୍ୟକ ହୁଏ ନା; ସବୁ ଦେଶରେ ପ୍ରାୟ ସବୁ ବୟସର ନରନାରୀ ବୋଲି ପାରୁଥିବାରୁ ତାହା ସୁପ୍ରଚଳିତ; ତେଣୁ ତାହା କାହାରି ପ୍ରଚାରସାପେକ୍ଷ ନୁହେ ତେଣୁ ପିତାମହ ବ୍ରହ୍ମା ସେଇ ‘ଦେଶୀ’ ସଙ୍ଗୀତ ମଧ୍ୟ ପ୍ରଚାର କଲେ ବୋଲି କୁହାଗଲେ ବ୍ରହ୍ମାଙ୍କ ପ୍ରତି ଅବିଚାର କରାଯାଏ ।

 

ମନେ ରଖିବା ଦରକାର, ବୈଦିକ ସାହିତ୍ୟରେ, ଏପରି କି ଭରତନାଟ୍ୟଶାସ୍ତ୍ରରେ ମଧ୍ୟ ମାର୍ଗ ଓ ଦେଶୀ ଏ ଦୁଇଟି ଭେଦ ସ୍ୱୀକୃତ ହୋଇ ନାହିଁ । ଖ୍ରୀ: ୫ମ ଓ ଖ୍ରୀ: ୯ମ ଶତାବ୍ଦୀର ମଧ୍ୟବର୍ତ୍ତୀ କୌଣସି ଏକ ଅନିର୍ଦେଶ୍ୟ ସମୟରେ ଆବିର୍ଭୂତ ‘ମତଙ୍ଗ’ ନାମକ ଏକ ସଙ୍ଗୀତଶାସ୍ତ୍ରକାର ତାଙ୍କ ‘ବୃହଦ୍ଦେଶୀ’ ନାମକ ଶାସ୍ତ୍ରରେ ସଙ୍ଗୀତରେ ‘ମାର୍ଗ’ ଓ ‘ଦେଶୀ’ ଏପରି ଦୁଇଟି ଭେଦ ଦର୍ଶାଇ ଥିଲେ । ଭରତ ନାଟ୍ୟଶାସ୍ତ୍ର, ଦତ୍ତିଳପ୍ରଣୀତ ଗାନ୍ଧର୍ବଶାସ୍ତ୍ର ପ୍ରଭୃତି କେତେକ ପ୍ରାକ୍ତନ ରଚନାରେ ଆଲୋଚିତ ମାର୍ଗ ସଙ୍ଗୀତ ରାଗର ଚର୍ଚ୍ଚା ଓ ଆଲୋଚନା ସହିତ ଭାରତର ବିଭିନ୍ନ ଦେଶରେ, ବିଭିନ୍ନ ମାନବ ଗୋଷ୍ଠୀରେ ପ୍ରଚଳିତ ଓ ଲୋକପ୍ରିୟ ‘ଧୁନ୍‌’ (Tune) ଗୁଡ଼ିକରୁ ଅନେକଟିର ପରିଚୟ ଦେଇ, ହୁଏତ ସେଗୁଡ଼ିକୁ ଟିକିଏ ମାର୍ଜିତ କରି ସେ ତାଙ୍କ ‘ବୃହଦ୍ଦେଶୀ’ରେ ସ୍ଥାନ ଦେଲେ ଓ ସେଗୁଡ଼ିକୁ ‘ରାଗ’ ସ୍ତରକୁ ଉନ୍ନୀତ କଲେ । ଏହା ହିଁ ‘ମାର୍ଗ’ ଓ ‘ଦେଶୀ’ ସଙ୍ଗୀତ ବା ରାଗ ସମ୍ପର୍କରେ ବାସ୍ତବ ଐତିହାସିକ ତଥ୍ୟ । ଏ ସମ୍ପର୍କରେ ଆହୁରି ଉଲ୍ଲେଖଯୋଗ୍ୟ ଯେ ପୁରାଣପ୍ରଭାବିତ ‘ଗୁପ୍ତ’ ଯୁଗ ଓ ମଧ୍ୟଯୁଗରେ ମତଙ୍ଗ ‘ମୁନି’ ରୂପେ ପରିଚିତ କରି ନିଜ ମତବାଦ ଜନସାଧାରଣରେ ଓ କଳାକାରମାନଙ୍କ ମଧ୍ୟରେ ଗୃହୀତ ପ୍ରତିଷ୍ଠିତ କରାଇ ନେଇଥିବା ସମ୍ଭବପର ।

 

ଏପରି ପୃଷ୍ଠଭୂମିରେ ‘ବ୍ରହ୍ମା’ ଚତୁର୍ବେଦରୁ ଖୋଜି, ବାହାର କରି ଦେଶୀ ସଙ୍ଗୀତର ପ୍ରଚାର କଲେ ବୋଲି କୁହାଗଲେ ତାହା ଗ୍ରହଣୀୟ ବା ସହନୀୟ ହେବ କି ?

 

ଯେଉଁ ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ‘‘ସାମବେଦାଦିଦଂ ଗୀତଂ ସଂଜଗ୍ରାହ ପିତାମହଃ’’–ଏଇ ବାଣୀ ଅଛି, ତହିଁରେ ମଧ୍ୟ ଅଛି–

 

ଗୀତଂ ବାଦ୍ୟଂ ତଥା ନୁତ୍ତଂ ତ୍ରୟଂ ସଙ୍ଗୀତମୁଚ୍ୟତେ ।।୨୧।।

ମାର୍ଗୋ ଦେଶୀତି ତଦ୍‌ଦ୍ୱେଧା ତତ୍ର ମାର୍ଗଃ ସ ଉଚ୍ୟତେ ।

ଯୋ ମାର୍ଗିତୋ ବିରିଞ୍ଚ୍ୟାଦ୍ୟୈଃ ପ୍ରଯୁକ୍ତୋ ଭରତବାଦିଭିଃ ।।୨୨।।

ଦେବସ୍ୟ ପୁରତଃ ଶମ୍ଭୋର୍ନିୟତାଭ୍ୟୁଦୟପ୍ରଦଃ ।

ଦେଶେ ଦେଶେ ଜନାନାଂ ଯଦ୍ରୁଚ୍ୟା ହୃଦୟରଞ୍ଜକମ୍‌।।୨୩।।

ଗୀତଂ ଚ ବାଦନଂ ନୃତ୍ତଂ ତଦ୍ଦେଶୀତ୍ୟଭିଧୀୟତେ

ଇତ୍ୟାଦି

(ସଂ: ର: ୧ମ ସ୍ୱରଗତାଧ୍ୟାୟଃ-ଆଡ଼୍‌ୟାର୍‌ ସଂସ୍କରଣ ପୃ: ୧୫)

 

ଆଜିକୁ ପ୍ରାୟ ପଚିଶ ବର୍ଷ ପୂର୍ବେ ‘ଝଙ୍କାର’ ପତ୍ରିକାରେ ପ୍ରକାଶିତ କେତେକ ଲେଖାରେ ତଥା ଅନ୍ୟତ୍ର ଓ ୧୯୬୫ରେ ପ୍ରକାଶିତ (ଓ, ବିନୟପୂର୍ବକ କହିବାକୁ ବାଧ୍ୟ ହେଉଛି, ୧୯୭୦ରେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ) ମୋର ‘ଭାରତୀୟ ସଙ୍ଗୀତ’ ବହିର ୩୧ରୁ ୪୩ ପୃଷ୍ଠା ବ୍ୟାପୀ ଅଂଶରେ ‘ରାଗସଙ୍ଗୀତରେ ସ୍ତରଭେଦ-ମାର୍ଗ ଓ ଦେଶୀ’ ଶୀର୍ଷକରେ ଯଥାଶକ୍ତି ବିଶଦ ଆଲୋଚନା କରିଥିଲି । ଅନ୍ୟ ସଙ୍ଗୀତ ବିଦ୍ୱାନମାନେ ମଧ୍ୟ ଏ ସମ୍ପର୍କରେ ଯଥାର୍ଥ ସତ୍ୟାଶ୍ରିତ ତଥ୍ୟ ଦେଇ ଆଲୋଚନା କରିଥିବେ । ତେଣୁ ଦୁଃଖ ହେଉଚି, ଆଜି ମଧ୍ୟ ଆମ ଓଡ଼ିଶାର ଜଣେ ଡକ୍ଟର ଡିଗ୍ରୀଧାରୀ ବିଦ୍ୱାନ୍‌ ଗୋଟିଏ ବଙ୍ଗଳା ବହିରୁ ସଙ୍ଗୀତ ସମ୍ପର୍କରେ ଗୋଟିଏ ଅପତଥ୍ୟ ଉତ୍ତାରି ଦେଲେ ତାଙ୍କର ଗୋଟିଏ ତଥାକଥିତ ଗବେଷଣାତ୍ମକ ନିବନ୍ଧରେ ! ନିବନ୍ଧରେ ବହୁ ଗ୍ରନ୍ଥ ଦର୍ଶିତା ପ୍ରଦର୍ଶନ ଆବଶ୍ୟକ ମନେ ହେଲେ ସଂପୃକ୍ତ ବିଷୟରେ ତଦ୍‌ବିଦ୍‌ ପ୍ରଣୀତ ଗ୍ରନ୍ଥରୁ ଉଦ୍ଧୃତି ନ ଦେଇ ଇତରବ୍ୟକ୍ତିଙ୍କ ଉକ୍ତିରେ ଅନୁରକ୍ତି ଦେଖାଇବା ଓ ଇତର ଗ୍ରନ୍ଥରୁ ଉଦ୍ଧୃତି ଦେବା ଅଶୋଭନୀୟ ପଲ୍ଲବଗ୍ରାହିତା ବୋଲି ପ୍ରତିଷ୍ଠିତ ବା ପ୍ରତିଷ୍ଠାକାମୀ ଲେଖକ ଓ ଶିକ୍ଷକମାନେ ଉପଲବ୍ଧି ନ କଲେ ଆମ ବିଦ୍ୟାଚର୍ଚ୍ଚାର ଗତି ଓ ପରିଣତି ଶୋଚନୀୟ ହେବ କି ନା’ ତାହା ସୁଧୀବୃନ୍ଦଙ୍କର ବିଚାର୍ଯ୍ୟ ।

 

(ଙ)

ସମାଲୋଚ୍ୟମାନ ଉଦ୍ଧୂତିରେ ‘‘ସଙ୍ଗୀତ ରତ୍ନାକର’’ ଟୀକାକାର କଲ୍ଲିନାଥ (୧୪ଶ ଶତକ)’’–ଏପରି ଭାବରେ କଲ୍ଲିନାଥ ୧୪ଶ ଶତକର ଗୁଣୀ ରୂପେ ଉପସ୍ଥାପିତ ହୋଇଛନ୍ତି । ଏହା ମଧ୍ୟ ଭ୍ରାନ୍ତ ଓ କ୍ଷତିକାରକ ।

 

ନିଜର ‘କଳାନିଧି’ ବ୍ୟାଖ୍ୟାରେ ମଙ୍ଗଳାଚରଣ ଓ ନିଜ ପରିଚୟ ପ୍ରସଙ୍ଗରେ କଲ୍ଲିନାଥ ଯେଉଁ ଚଉଦଗୋଟି ପଦ୍ୟ ଥୋଇ ଯାଇଛନ୍ତି ତହିଁରେ ଦାକ୍ଷିଣାତ୍ୟର ବିଜୟନଗର ସାମ୍ରାଜ୍ୟର ଯାଦବବଂଶୀୟ ସମ୍ରାଟ୍ ବା ରାଜା ବିଜୟ, ପ୍ରୌଢ଼ ଦେବରାୟ ଓ ଶେଷରେ ଇମ୍ମର୍ଡ଼ ଦେବରାୟଙ୍କ ନାମ ଉଲ୍ଲେଖ କରିଛନ୍ତି ଓ ଶେଷୋକ୍ତ ରାଜାଙ୍କ ଆଦେଶରେ ପ୍ରୋକ୍ତ ବ୍ୟାଖ୍ୟା ରଚନା କରିଥିବା କଥା କହିଛନ୍ତି । ତହିଁରୁ ନିଶ୍ଚିତ ଭାବେ ଜଣାପଡ଼େ ଯେ କଲ୍ଲିନାଥଙ୍କୁ ୧୪ଶ ଶତକର ଗୁଣୀ ବୋଲି ଚିହ୍ନାଇବା ଭ୍ରମାତ୍ମକ । ବିଜୟନଗର ଇତିହାସ ଦେଖିଲେ ଯାହା ଜଣାପଡ଼େ, ତଦନୁସାରେ କଲ୍ଲିନାଥଙ୍କୁ ୧୫ଶ ଶତକର ଗୁଣୀ ବୋଲି କହିବା ଠିକ୍‌ ।

 

ତ୍ରୁଟି-(୩)

 

‘‘ଭାରତୀୟ ସଙ୍ଗୀତର ଦୁଇଟି ରୂପ, ଯଥା-ମାର୍ଗ ଓ ଦେଶୀ । ଏହା ପୂର୍ବରୁ ଗାନ୍ଧର୍ବ ସଙ୍ଗୀତର ପ୍ରଚଳନ ଭାରତରେ ଥିଲା । ଆଚାର୍ଯ୍ୟ ଭରତ ଓ ମତଙ୍ଗ ଋଷି ମାର୍ଗ ଓ ଦେଶୀ ସଙ୍ଗୀତର ଅନୁଶୀଳନ କରି ତା’ର ପ୍ରଚାର କରିଥିଲେ । ଆଚାର୍ଯ୍ୟ ମତଙ୍ଗ ତାଙ୍କର ସଙ୍ଗୀତ ଶାସ୍ତ୍ର ସମ୍ପର୍କୀୟ ଗ୍ରନ୍ଥ ବୃହଦ୍ଦେଶୀରେ କହିଛନ୍ତି ।

 

ଆଳାପାଦି ସନ୍ନିବଦ୍ଧୋ ଯଃ ସ ମାର୍ଗ ପ୍ରକୀର୍ତ୍ତିତଃ ।

ଆଳାପାଦି ବିହୀନସ୍ତୁ ସ ଚ ଦେଶୀ ପ୍ରକୀର୍ତ୍ତିତଃ ।।

(କୋଣାର୍କ-ଏଜନ-ପୃ: ୩୨)

 

(କ)

ଉଦ୍ଧୃତ ବାକ୍ୟମାନଙ୍କରେ ଭରତଙ୍କୁ ଆଚାର୍ଯ୍ୟ ଓ ମତଙ୍ଗଙ୍କୁ ପ୍ରଥମେ ଋଷି କୁହାଯାଇ ପରବର୍ତ୍ତୀ ବାକ୍ୟରେ ଆଚାର୍ଯ୍ୟ କୁହାଯାଇଛି । ମାତ୍ର ସଙ୍ଗୀତଶାସ୍ତ୍ରର ପରମ୍ପରାରେ ଉଭୟଙ୍କୁ ‘ମୁନି’ କୁହାଯାଏ । ମୁନି ବା ଋଷି ଶାସ୍ତ୍ର ପ୍ରଣୟନ କରନ୍ତି, ଆଚାର୍ଯ୍ୟ ତାହାର ମର୍ମ ଉଦ୍‌ଘାଟନ କରନ୍ତି, ହୁଏତ ତାହାର ପ୍ରତିଷ୍ଠା ଓ ପ୍ରଚାର କରନ୍ତି । ନାଟ୍ୟଶାସ୍ତ୍ରର ପ୍ରଣେତା ବୋଲି ସ୍ୱୀକୃତି ହୁଅନ୍ତି ଭରତ ମୁନି; ସେଇ ଶାସ୍ତ୍ରର ବ୍ୟାଖ୍ୟାକାର ରୂପେ ସ୍ୱୀକୃତ ହୁଅନ୍ତି ଉଦ୍‌ଭଟ ଲୋଲ୍ଲଟ, ଶଙ୍କୁଳ, ଅଭିନବ ଗୁପ୍ତାଦି ‘ଆଚାର୍ଯ୍ୟ’ ଭରତ ଓ ମତଙ୍ଗ ମୁନିଦ୍ୱୟଙ୍କୁ ‘ଆଚାର୍ଯ୍ୟ’ କହିବାଦ୍ୱାରା ସେମାନଙ୍କ ମାନହାନି ହୁଏ । ଆଚାର୍ଯ୍ୟଙ୍କ ସଜ୍ଞା ହେଉଚି–

 

ଆଚିନୋତି ଚ ଶାସ୍ତ୍ରାର୍ଥଂ ଆଚାରେ ସ୍ଥାପୟତ୍ୟପି ।

ସ୍ୱୟମାଚରତେ ଯସ୍ତୁ ତମାଚାର୍ଯ୍ୟଂ ପ୍ରଚକ୍ଷତ ।।

(ଗୀତ ଗୋବିନ୍ଦର ‘ଶ୍ରୁତିରଞ୍ଜନୀ’ ନାମକ ଲକ୍ଷ୍ମଣସୂରୀକୃତ ଟୀକାରୁ ଉଦ୍ଧୃତ ।)

 

(ଖ)

ମତଙ୍ଗକୃତ ବୃହଦ୍ଦେଶୀ ‘ସଙ୍ଗୀତ ଶାସ୍ତ୍ର ସମ୍ପର୍କୀୟ ଗ୍ରନ୍ଥ’ କୁହାଯିବା ଅନୁଚିତ ଶାସ୍ତ୍ର ଓ ଗ୍ରନ୍ଥ ମଧ୍ୟରେ କିଛି ପାର୍ଥକ୍ୟ ଅବଶ୍ୟ ଅଛି । ଶାସ୍ତ୍ର ଆର୍ଷ, ଗ୍ରନ୍ଥ ସାଧାରଣତଃ ଅନାର୍ଷ । ବୃହଦ୍ଦେଶୀ ଗୋଟିଏ ସଙ୍ଗୀତ ଶାସ୍ତ୍ର; ତାକୁ ‘ସଙ୍ଗୀତ’ ଶାସ୍ତ୍ର ସମ୍ପର୍କୀୟ ଗ୍ରନ୍ଥ’ କୁହାଗଲେ ହାସ୍ୟୋଦ୍ରେକ ହୁଏ ।

 

 

(ଗ)

‘‘ଆଚାର୍ଯ୍ୟ ମତଙ୍ଗ ତାଙ୍କର ସଙ୍ଗୀତଶାସ୍ତ୍ର ସମ୍ପର୍କୀୟ ଗ୍ରନ୍ଥ ବୃହଦ୍ଦେଶୀରେ କହିଛନ୍ତି’’ ବୋଲି ଲେଖକ ମହାଶୟ ଶ୍ଲୋକାକାରରେ ଯାହା ଉଦ୍ଧାର କରିଛନ୍ତି ତାହାର ପ୍ରାମାଣିକତା ସୂଚିତ ହୋଇ ନାହିଁ ଲେଖକ ବୃହଦ୍ଦେଶୀ ଅଧ୍ୟୟନ କରି ତହିଁରୁ ଯେ ତାହା ଉଦ୍ଧାର କରି ନାହାନ୍ତି ଏଥିରେ ସନ୍ଦେହ ଅଛି; କାରଣ, ମତଙ୍ଗକୃତ, ଯେଉଁ ବୃହଦ୍ଦେଶୀ ଶ୍ରୀ କେ: ଶାମ୍ବଶିବ ଶାସ୍ତ୍ରଙ୍କଦ୍ୱାରା ସମ୍ପାଦିତ ହୋଇ Trivandrum Sanskrit Seriesର No X CIV ଗ୍ରନ୍ଥ ରୂପେ ଖ୍ରୀ: ୧୯୨୮ରେ ପ୍ରକାଶିତ ହୋଇଥିଲା (*) ତାହାର ୨ୟ ପୃଷ୍ଠାରେ ଅଛି, ଟିକିଏ ଭ୍ରଷ୍ଟ ରୂପରେ–

 

‘ଆପ୍ଲାପାଦି (?) ନିବଦ୍ଧୋ ଯଃ ସ ଚ ମାର୍ଗଃ ପ୍ରକୀର୍ତ୍ତିତଃ ।।୧୪।।

 

(*) ଗବେଷକମାନଙ୍କ ଅଧ୍ୟୟନର ସୁବିଧା ପାଇଁ ଆମେ ଏଇ ବିରଳ ଗ୍ରନ୍ଥଟିକୁ ଆମର Orissa State Archives କୁ ଦାନ କରିଛୁଁ ।

 

ମାତ୍ର ‘ଆଳାପାଦି ବିହୀନସ୍ତୁ ସ ଚ ଦେଶୀ ପ୍ରକୀର୍ତ୍ତିତଃ’–ଏଇ ଶ୍ଲୋକାର୍ଦ୍ଧଟି ନାହିଁ । ତେଣୁ ଲେଖକ ଯେଉଁ ସୂତ୍ରରୁ ତାହା ଉଦ୍ଧାର କରିଛନ୍ତି ତାହାର ଉଲ୍ଲେଖ ନ କରିବା ଅଶୋଭନୀୟ ।

 

ତ୍ରୁଟି-(୪)

 

‘‘ଭାରତୀୟ ସଙ୍ଗୀତର ତଥ୍ୟ ଓ ତତ୍ତ୍ୱ ବିଷୟରେ ଅନ୍ୟ ଏକ ପ୍ରାମାଣିକ ଗ୍ରନ୍ଥର ନାମ ‘ସଙ୍ଗୀତ ମକରନ୍ଦ’ । ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଏହା ସଙ୍କଳିତ ହୋଇଥିଲା । ଏ ଗ୍ରନ୍ଥର ପ୍ରଣେତା ହେଉଛନ୍ତି ନାରଦ ନାମଧାରୀ ଜଣେ ଅର୍ବାଚୀନ ଆଚାର୍ଯ୍ୟ ।’’

(କୋଣାର୍କ-ଏଜନ-ପୃ:୩୩)

 

ମନ୍ତବ୍ୟ-ଯେଉଁ ଗ୍ରନ୍ଥ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ସଙ୍କଳିତ ହୋଇଥିଲା ବୋଲି ଲେଖକ ଏକ ଭିତ୍ତିହୀନ, କପୋଳକଳ୍ପିତ ଉକ୍ତି ପ୍ରକାଶ କରିଛନ୍ତି, ତାହାର ପ୍ରଣେତା ନାରଦଙ୍କୁ ପୁଣି ‘ଅର୍ବାଚୀନ ଆଚାର୍ଯ୍ୟ’ କହିବାରେ ପରସ୍ପର ବିରୋଧ ସ୍ପଷ୍ଟ । ନାରଦକୃତ ‘ସଙ୍ଗୀତ ମକରନ୍ଦ’ ଏମ: ଆର୍‌: ତେଲାଙ୍ଗ ମହାଶୟଙ୍କଦ୍ୱାରା ସମ୍ପାଦିତ ହୋଇ ଖ୍ରୀ: ୧୯୨୦ରେ ପ୍ରଥମେ ପ୍ରକାଶିତ ହୋଇଥିଲା । ତାଙ୍କ ମତରେ ତାହାର ରଚନାକାଳ ଖ୍ରୀ: ୭ମରୁ ଖ୍ରୀ: ୧୧ଶ ଶତାବ୍ଦୀର ମଧ୍ୟବର୍ତ୍ତୀ । ପୁଣି, ଖ୍ରୀ: ୧୨୫୦ ପାଖାପାଖି ପ୍ରଣୀତ ସଙ୍ଗୀତ ରତ୍ନାକାର ଓ ସଙ୍ଗୀତ ମକରନ୍ଦର ଅନ୍ତର୍ଗତ କେତେକ ବିଷୟରେ ସାମ୍ୟ ଦୃଷ୍ଟିରୁ କୌଣସି କୌଣସି ପଣ୍ଡିତ ଏହା ମଧ୍ୟ ଅନୁମାନ କରନ୍ତି ଯେ ସଙ୍ଗୀତ ମକରନ୍ଦ ପ୍ରଣେତା ହିଁ ସଙ୍ଗୀତ ରତ୍ନାକାରଠାରେ ସେଇ ସାମ୍ୟ ପାଇଁ ଋଣୀ ଓ ସେଥିପାଇଁ ସେ ପୌରାଣିକ ନାରଦ ନାମ ତଳେ ଆତ୍ମଗୋପନ କରି ନିଜ ରଚନାକୁ ପ୍ରାଚୀନ ବୋଲି ଗୃହୀତ କରାଇ ନେବା ଉଦ୍ୟମ କରିଛନ୍ତି । ମାତ୍ର ତୁରୁଷ୍କତୁଣ୍ଡି (ତୋଡ଼ୀ) ପରି ରାଗର ନାମକରଣରେ ବ୍ୟବହୃତ ‘ତୁରୁଷ୍କ’ ଶବ୍ଦଟିରୁ ଗ୍ରନ୍ଥକାର ଓ ତାଙ୍କ ସଙ୍ଗୀତ ମକରନ୍ଦ ତ୍ରୟୋଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ହେବା ସନ୍ଦେହଜନକ ।

 

ମନେ ରଖିବା କଥା ଯେ ଖ୍ରୀ: ୧୨ଶ ଶତକ ପୂର୍ବରୁ ଗୀତ, ବାଦ୍ୟ ଓ ନୃତ୍ତ ବା ନୃତ୍ୟକୁ ସଙ୍ଗୀତ ରୂପେ ଦେଖିବା ଧାରଣା ନ ଥିଲା । ପୁଣି, ସଙ୍ଗୀତ ଶବ୍ଦଟି ପର୍ଯ୍ୟନ୍ତ ପୂର୍ବେ କାଁ ଭାଁ ବ୍ୟବହୃତ ହୋଇଥିଲେ ସୁଦ୍ଧା ଗୋଟିଏ ଗ୍ରନ୍ଥର ନାମରେ ତାହା ଖ୍ରୀ: ୧୨ଶ ଶତାବ୍ଦୀ ପୂର୍ବରୁ କେହି ବ୍ୟବହାର କରିଥିବା ଜଣାଯାଏ ନାହିଁ ।

 

ସବୁଠୁ ବଡ଼ କଥା ନାରଦକୃତ ସଂଗୀତ ମକରନ୍ଦରେ ଯେଉଁ ରାଗରାଗିଣୀ ପଦ୍ଧତି ଅନୁସୃତ ହୋଇଛି ଓ ସ୍ତ୍ରୀ,-ପୁରୁଷ-ନପୁଂସକ ଭେଦରେ ରାଗମାନମାନଙ୍କର ବର୍ଗୀକରଣ କରା ହୋଇଛି ସେପରି ପଦ୍ଧତି କଥା ଦୂରେ ଥାଉ, ଦୁଇ ହଜାର ବର୍ଷ ପୂର୍ବେ ‘ରାଗ’ର ବ୍ୟାପକ ବ୍ୟବହାର ମଧ୍ୟ ହେଉ ନଥିଲା ।

 

ତେଣୁ ସଙ୍ଗୀତ ମକରନ୍ଦ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ସଙ୍କଳିତ ହେଇଥିଲା ବୋଲି କହିବା ସମ୍ପୂର୍ଣ୍ଣ ଭ୍ରାନ୍ତ ।

 

ତ୍ରୁଟି-(୫)

 

ଲେଖାଟିରେ ନିବଦ୍ଧ ଗୀତର ଶୁଦ୍ଧ, ସାଲଗ (ଛାୟାଲଗ) ଓ ସଂକୀର୍ଣ୍ଣ ଭେଦକୁ ଯଥାକ୍ରମେ ପ୍ରବନ୍ଧ, ବସ୍ତୁ ଓ ରୂପକର ପ୍ରର୍ଯ୍ୟାୟଭୁକ୍ତ କରା ହୋଇଛି (କୋଣାର୍କ-ଏଜନ-ପୃ:-୩୪) ଏହା ଭିତ୍ତିହୀନ ଓ ଭ୍ରମାତ୍ମକ ।

 

ତ୍ରୁଟି-(୬)

 

ପ୍ରବନ୍ଧର ଛଅଟି ଅଙ୍ଗର ନାମକରଣରେ ‘ପାଟ’ର ବିକଳ୍ପ ରୂପେ ‘ପାଠ’ ଶବ୍ଦଟି ପ୍ରଯୁକ୍ତ ହୋଇଛି ଓ ୩୫ଶ ପୃଷ୍ଠାରେ ଲେଖା ହୋଇଛି, ‘‘ସଙ୍ଗୀତରେ ବ୍ୟବହୃତ ବାଦ୍ୟର ବୋଲ ହେଉଚି ପାଠ ।’’

 

‘ପାଟ’ ହିଁ ଏଥିପାଇଁ ଏକମାତ୍ର ଓ ନିର୍ବିକଳ୍ପ ଶବ୍ଦ । ତାକୁ ‘ପାଠ’ ଲେଖିବା ଅପାଠୁଆ ପୋଥି ନକଲକାରମାନଙ୍କ ପକ୍ଷରେ କ୍ଷମଣୀୟ, ଅନ୍ୟମାନଙ୍କ ପକ୍ଷରେ ନୁହେଁ ।

 

ତ୍ରୁଟି-(୭)

 

ସଙ୍ଗୀତଜ୍ଞମାନଙ୍କ ମତରେ ଗୀତଗୋବିନ୍ଦର ଗାନ ପଞ୍ଚଧାତୁ ଓ ଛଅ ଅଙ୍ଗଯୁକ୍ତ ‘ମେଦିନୀ’ ଜାତିର ଅନ୍ତର୍ଭୁକ୍ତ (୯)।

 

(୯)

ଶ୍ରୀ ହରେକୃଷ୍ଣ ମୁଖୋପାଧ୍ୟାୟ, କବି ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ ଭୂମିକା ପୃ.୭୬-୮୮ ।’’ (କୋଣାର୍କ-ଏଜନ-ପୃ:୩୫)

 

ମନ୍ତବ୍ୟ–ଗୀତଗୋବିନ୍ଦର କୌଣସି ଗୀତରେ ‘ପଦ’ ଓ ‘ତାଳ’ ଛଡ଼ା ଅନ୍ୟ କୌଣସି ପ୍ରବନ୍ଧାଙ୍ଗ ନାହିଁ । ତେଣୁ କେବଳ ବିଦ୍ୟାଶୂନ୍ୟ ଭଟ୍ଟାଚାୟ ବା ମୂର୍ଖ ଉପାଧ୍ୟାୟମାନେ ଗୀତଗୋବିନ୍ଦର ଗାନ ‘ମେଦିନୀ’ ଜାତି ପ୍ରବନ୍ଧର ଅନ୍ତର୍ଭୁକ୍ତ ବୋଲି କହି ପାରିବେ ।

 

ପୁଣି, ଯେ କୌଣସି ଦୁଇଟି ଅଙ୍ଗ ଘେନି ପ୍ରବନ୍ଧ ରଚିତ ହୋଇ ପାରେ, ମାତ୍ର ପ୍ରବନ୍ଧ ନିବନ୍ଧ ଗୀତ ହୋଇଥିବାରୁ ‘ତାଳ’ ତାହାର ଏକ ଅନିବାୟ୍ୟ ରୂପେ ସ୍ୱୀକାର୍ଯ୍ୟ । ପ୍ରବନ୍ଧ ଏକ ‘ଗେୟ’ ରଚନା, ‘ଗୀତ’, ଯହିଁରେ ‘ସ୍ୱର ନିଶ୍ଚୟ ରହିବ ଅର୍ଥାତ୍‌ ରଚନାଟି ସ୍ୱରବଦ୍ଧ ହେବ । ସ୍ୱର ଯେତେବେଳେ ସ୍ୱତନ୍ତ୍ର ଭାବରେ (ସରଗମ୍‌’ ଭାବରେ) ବୋଲାଯାଏ ସେତେବେଳେ ତାହା ଏକ ସ୍ୱତନ୍ତ୍ର ‘ଅଙ୍ଗ’ର ମର୍ୟଦା ପାଏ । ସେହିପରି କେବଳ ସ୍ୱର, ପଦ ଓ ତାଳଯୁକ୍ତ ପ୍ରବନ୍ଧକୁ ‘ପାବନୀ’ ବା ସ୍ୱର, ପଦ, ତେନ ଓ ତାଳଯୁକ୍ତ ପ୍ରବନ୍ଧକୁ ‘ଦୀପନୀ’ କୁହାଯାଏ ବୋଲି ଲେଖକ ଯାହା ନିର୍ବିଚାରରେ ଲେଖି ପକାଇଛନ୍ତି ତାହା ମଧ୍ୟ ଭିତ୍ତିହୀନ; କାରଣ, ସ୍ୱର, ପଦ, ତାଳ, ପରିବର୍ତ୍ତେ ସ୍ୱର, ପାଟ ଓ ତାଳଯୁକ୍ତ ପ୍ରବନ୍ଧ ମଧ୍ୟ ‘ପାବନୀ’ ଜାତିର ଅନ୍ତର୍ଭୁକ୍ତ ହୋଇପାରେ ଏବଂ ସ୍ୱର, ପଦ, ତେନ ଓ ତାଳ ପରିବର୍ତ୍ତେ ସ୍ୱର, ପଦ, ବିରୁଦ ଓ ତାଳଯୁକ୍ତ ପ୍ରବନ୍ଧ ମଧ୍ୟ ‘ଦୀପନୀ’ ଜାତିର ଅନ୍ତର୍ଭୁକ୍ତ ହୋଇପାରେ ।

 

ଏଇ ଦୃଷ୍ଟିରୁ କୋଣାର୍କ ୩୫ଶ ପୃଷ୍ଠାର ୨ୟ ପାରାରେ ଲେଖକ ଯାହା ସବୁ ଲେଖିଛନ୍ତି, ସେ ସବୁ ଭ୍ରାନ୍ତ ।

 

ତ୍ରୁଟି-(୮)

 

‘କୋଣାର୍କ’ ୩୫ଶ ପୃଷ୍ଠାସ୍ଥିତ (୮) ସଂଖ୍ୟକ ଟିପ୍‌ପଣୀ ବା ପାଦଟୀକାରେ ସେ ‘‘ଝଙ୍କାର ୯୧ ବର୍ଷ ୯ମ ସଂଖ୍ୟାରେ ‘‘ଦୀନକୃଷ୍ଣଙ୍କ ‘ଛାୟା ଲାଗେ ପ୍ରୀତି’ର ପ୍ରକୃତ ଅର୍ଥ’’ ଶୀର୍ଷକରେ ପ୍ରକାଶିତ ମୋର ଗୋଟିଏ ଲେଖାରୁ ଯେଉଁ ଉଦ୍ଧୃତି ଦେଇଛନ୍ତି ସେ ସମ୍ପର୍କରେ ମୋର କିଛି ବକ୍ତବ୍ୟ ଅଛି । ମୁଁ ଲେଖିଥିଲି, ‘‘ଚତୁର୍ଦ୍ଦଣ୍ଡୀକାରଙ୍କ ମତରେ ଉଦ୍‌ଗ୍ରାହ ଓ ଧ୍ରୁବ ପ୍ରବନ୍ଧ’ର ଅପରିହାର୍ଯ୍ୟ ଧାତୁ-ଅନ୍ୟ ପକ୍ଷରେ ଯେକୌଣସି ଦୁଇଟି ଅଙ୍ଗଦ୍ୱାରା ପ୍ରବନ୍ଧ ଗଠିତ ହୋଇପାରେ ବୋଲି ମନେ ହେଉ ଥିଲେ ହେଁ ବିନା ସ୍ୱର ଓ ବିନା ତାଳରେ ପ୍ରବନ୍ଧ ରଚନା କଥା ଚିନ୍ତା କରି ହୁଏ ନାହିଁ ।’’ (ପ୍ରୋକ୍ତ ‘ଝଙ୍କାର’-ପୃ: ୮୬୦) ମାତ୍ର ମୋର ଲେଖାକୁ ଲେଖକ ବିକୃତ ଭାବରେ ଉଦ୍ଧାର କରିଛନ୍ତି, ଯଥା–

 

‘‘ଚତୁର୍ଦ୍ଦଣ୍ଡୀକାରଙ୍କ ମତରେ ଉଦ୍‌ଗ୍ରାହ ଓ ଧ୍ରୁବ ହେଉଛି ପ୍ରବନ୍ଧର ଦୁଇଟି ଅପରିହାର୍ଯ୍ୟ ଧାତୁ । ବିନା ସ୍ୱର ଓ ତାଳରେ ପ୍ରବନ୍ଧ ରଚନା ହୋଇ ପାରେ ନାହିଁ ।

ଏଜନ, ପୃ: ୮୫୭’’

 

ପ୍ରବନ୍ଧ ରଚନା କଥା ଚିନ୍ତା କରି ହୁଏନାହିଁ ।’’–ଏହାକୁ ‘‘ପ୍ରବନ୍ଧ ରଚନା ହୋଇ ପାରେନାହିଁ’’ ବୋଲି ଲେଖି ଉଦ୍ଧାର କରିବା ଯାହା, ମୋତେ ବିପଦକୁ ଠେଲି ଦେବା ତାହାବୋଲି ମୋର ମନେହୁଏ । ବରଂ କହେଁ ମୋତେ ଉଦ୍ଧାର (?) କରି ଲେଖକ ତାଙ୍କରି ତ୍ରୁଟି ଆବର୍ତକୁ ଠେଲି ଦେଇଛନ୍ତି ।

 

ତ୍ରୁଟି-(୯)

 

‘କୋଣାର୍କ’ ୪୧ଶ ପୃଷ୍ଠାସ୍ଥିତ (୧୮) ସଂଖ୍ୟକ ପାଦଟୀକାରେ ଲେଖକ ମୋର ପ୍ରୋକ୍ତ ଲେଖାରୁ କେତେକାଂଶ ଉଦ୍ଧାର କରି ‘‘(ଗଜପତି ଜଗନ୍ନାଥ ନାରାୟଣ ଦେବଙ୍କର ଏକ ସଂଗ୍ରହ ଗ୍ରନ୍ଥ ସହାୟତାରେ) ।’’–ଏଇ ବନ୍ଧନୀ ମଧ୍ୟରୁ ଅଂଶଟି ନିଜ ଇଚ୍ଛାନୁସାରେ ତହିଁରେ ଯୋଗ କରି ଦେଇଛନ୍ତି–ସତେ ଯେପରି ତାହା ମୋର ଲେଖାର ଅଂଶ । ମାତ୍ର ଏହି ଅନଭିପ୍ରେତ ଓ ଅନାବଶ୍ୟକ ଅଂଶ ମୋ’ ଲେଖାରେ ନ ଥିଲା । ଏପରି ସଂଯୋଗ ବିଯୋଗ ଅତ୍ୟନ୍ତ ଗର୍ହିତ ଓ ଅକ୍ଷମଣୀୟ ।

 

ତ୍ରୁଟି (୧୦)

 

‘‘କିନ୍ତୁ ଗୀତଗୋବିନ୍ଦ ଗୀତଗୁଡ଼ିକର ଛନ୍ଦ ପ୍ରକୃତ ଅଳଙ୍କାର ସାହିତ୍ୟର ଅନୁଗାମୀ, ସଂସ୍କୃତର ନୁହେ; ଏପରିକି ଗୀତିଗୋବିନ୍ଦର ଭାଷା ଅବିମିଶ୍ର ସଂସ୍କୃତ ନୁହେଁ, ଏଥିରେ ଅନେକ ପ୍ରାକୃତ ଶବ୍ଦ ସ୍ଥାନ ପାଇଛି (୧୦) ।

 

(୧୦)

ଶ୍ରୀ ଦୀନେଶ ଚନ୍ଦ୍ର ସେନ ଓଗେର ସଂପାଦିତ ‘ବୈଷ୍ଣବ ପଦାବଳୀ’ (ଚୟନ), ୧ମ ସଂସ୍କରଣର ଭୂମିକା, ପୃ:ଟ ୩ ।’

(କୋଣାର୍କ-ଏଜନ-ପୃ:୩୬)

 

‘‘ଗୀତଗୋବିନ୍ଦରେ ଅଶୀଟି ଶ୍ଳୋକ ଓ ଚବିଶିଟି ଗୀତ ଅଛି । ୭୭ଟି ଶ୍ଳୋକ ବିଭିନ୍ନ ବୃତ୍ତ ଛନ୍ଦରେ, ଗୋଟିଏ ଶ୍ଳୋକ ଜାତି ଛନ୍ଦରେ ଏବଂ ଅବଶିଷ୍ଟ ଦୁଇଟି ଶ୍ଳୋକ ଓ ଚବିଶିଟି ଗୀତ ଅପଭ୍ରଂଶ ଛନ୍ଦରେ ରଚିତ ହୋଇଛି ।’’

(କୋଣାର୍କ-ଏଜନ-ପୃ:୩୬)

 

ମନ୍ତବ୍ୟ:-ଗୀତଗୋବିନ୍ଦର ଭାଷାରେ ଅନେକ ପ୍ରାକୃତ ଶବ୍ଦ ସ୍ଥାନ ପାଇଛି; ଏପରିକି ତାହାର ଗୀତଗୁଡ଼ିକ ପ୍ରଥମେ ‘ଅପଭ୍ରଂଶରେ ରଚିତ ହୋଇଥିଲା ବୋଲି କେହି କେହି ସନ୍ଦେହ କରନ୍ତି ।* ଉତ୍ତର-ପୂର୍ବ ଭାରତରେ ଯେଉଁ ସହଜିଆ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ଚର୍ୟା ପଦାବଳୀ ରଚନା କରିଥିଲେ ଜୟଦେବ ସେହିମାନଙ୍କର ଜଣେ ଉତ୍ତର ସାଧକ ହୋଇ ପାରନ୍ତି । ଗୀତଗୋବିନ୍ଦର କେତେକ ଗୀତରେ ସଙ୍ଗୀତ ଗ୍ରନ୍ଥୋକ୍ତ ଚର୍ୟା ପ୍ରବନ୍ଧର ଲକ୍ଷଣର ଅବିକଳ ଅସ୍ତିତ୍ୱ ମଧ୍ୟ ଦୃଷ୍ଟିଗୋଚର ହୁଏ । ତହିଁରେ ବ୍ୟବହୃତ ଛନ୍ଦ ମଧ୍ୟ ପଜଝଟି ବା ପଦ୍ଧଡ଼ୀ । ମାତ୍ର ସେଇ ଛନ୍ଦ କେବେ, କେଉଁ କାଳରେ ହୁଏତ ପ୍ରଥମେ ‘ଅପଭ୍ରଂଶ କବିତାରେ ବ୍ୟବହୃତ ହୋଇଥିବା ସମ୍ଭାବନା ଅମୂଳକ ନ ହେଲେ ସୁଦ୍ଧା ସେଇ ଛନ୍ଦରେ ଜୟଦେବଙ୍କ ଆବିର୍ଭାବର ଶହ ଶହ ବର୍ଷ ପୂର୍ବରୁ ସଂସ୍କୃତରେ ମଧ୍ୟ କବିତା ରଚନା ତାହାର ପ୍ରମାଣ ।

 

* More than one has scholar has suspected that the songs were originally in Apabhrams ’a or Old Bhasa (Old Bengali in this case).

x                  x                        x                  x

There is a theory noted above that in the Gitagovinda we have a trasformation, by a sight a alteration of some of the language, from Apabharam s or Apabhams a or Avahattha or early Vernacular into Sanskrit, in order to give a greater prestige to these vernacular composition.’’

Jayadeva (suniti kumar Chattery)-P F 31-33.

Sahitya Akademi, New Delhi

 

କାଳିଦାସଦି ପ୍ରାଚୀନ କବିମାନଙ୍କ କାଳରେ କଣ୍ଠ ସଙ୍ଗୀତ ଚର୍ଚ୍ଚା ବିଶେଶତଃ ନାରୀମାନଙ୍କ ମଧ୍ୟରେ ଚଳୁଥିବାରୁ ଓ ନାରୀମାନଙ୍କ ଭାଷା ସାଧାରଣତଃ ପ୍ରକୃତ ଥିବାରୁ ସେଇଥିରେ ଗୀତ ରଚିତ ହେଉଥିଲା । ସଂସ୍କୃତ ନାଟକମାନଙ୍କରେ ସେଥିପାଇଁ ସାଧାରଣତଃ ପ୍ରକୃତ ଗୀତ ସନ୍ନିବେଶିତ ହୋଇଥିବା ଦେଖାଯାଏ । ମାତ୍ର ସଂସ୍କୃତରେ ଗୀତ ରଚିତ ହେଉ ନ ଥିଲା ବୋଲି କୁହାଯାଇ ପାରିବ ନାହିଁ । ଯଦିଓ ସଂସ୍କୃତ କାବ୍ୟମାନଙ୍କରେ ବ୍ୟବହୃତ ଛନ୍ଦଗୁଡ଼ିକ ମୁଖ୍ୟତଃ ‘ଆବୃତ୍ତି’ ପାଇଁ ଉଦ୍ଦିଷ୍ଟ, ସେଗୁଡ଼ିକରେ ମଧ୍ୟ ଗୀତର ଛନ୍ଦ ଅନ୍ତର୍ନିହିତ–ଏହା ଖୁବ୍ କମ୍‌ଲୋକ ଜାଣନ୍ତି ବା ବୁଝନ୍ତି । ଲୌକିକ ସଂସ୍କୃତି ପୂର୍ବରୁ ବୈଦିକ ଭାଷାରେ ମଧ୍ୟ ‘ଗେୟପଦ’ ଥିଲା ।

 

ଯାହାହେଉ, ଜୟଦେବଙ୍କ ସମୟରେ ସଂସ୍କୃତ ଭାଷାରେ ମଧ୍ୟ ‘ଗେୟପଦ’ ଓ ତାଳଭିତ୍ତିକ ଛନ୍ଦର ପ୍ରଚଳନ ଥିଲା । ତେଣୁ ଗୀତଗୋବିନ୍ଦରେ ଥିବା ଗୀତଗୁଡିକର ଛନ୍ଦ ପାଇଁ ଜୟଦେବଙ୍କ ପକ୍ଷରେ ‘ଅପଭ୍ରଂଶା’ଭିମୁଖୀ ହେବା ଅନିବାର୍ୟ ନ ଥିଲା ।

 

ସଂସ୍କୃତ କାବ୍ୟମାନଙ୍କରେ ତାଳଭିତ୍ତିକ ଛନ୍ଦମାନ ବ୍ୟବହୃତ ହୋଇ ନ ଥିବାରୁ ଛନ୍ଦମଞ୍ଜରୀ, ବୃତ୍ତ ରତ୍ନାକର ପ୍ରଭୃତି ଓ ଏ ଗୁଡ଼ିକର ପୂର୍ବବର୍ତ୍ତୀ ଅଗ୍ନିପୁରାଣ, ବୃହତ୍ ସଂହିତା, ଶ୍ରୁତବୋଧ, ସୁବୃତ୍ତତିଳକ, ବାଙ୍‌ମୟବିବେକ ପ୍ରଭୃତିରେ ଏବଂ ନାଟକାଦିରେ ପ୍ରକୃତ ଧ୍ରବାଗାନର ପ୍ରଚଳନ ଥିବାରୁ ଭରତ ନାଟ୍ୟଶାସ୍ତ୍ରଦିରେ ସେଇ ତାଳଭିତ୍ତିକ ଛନ୍ଦଗୁଡ଼ିକର ବିଶଦ ଅନୁଶୀଳନ ବର୍ଜିତ ହୋଇଥିବା ଅନୁମାନ କରାଯାଇ ପାରେ ।

 

ଯାହାହେଉ, ମନେ ରଖିବା ଉଚିତ ଯେ ଗୀତଗୋବିନ୍ଦର ୨୪ଟି ଗୀତ ‘ପାଠ୍ୟ’ ବା ‘ଆବୃତ୍ତି’ ର ସାମଗ୍ରୀ ନୁହେ । ସେଗୁଡ଼ିକ ନିବଦ୍ଧ ଗୀତ, ପ୍ରବନ୍ଧ, ଅର୍ଥାତ୍ ‘ଗେୟ’ ରଚନା । ସେଇ ‘ଗେୟ’ ରଚନାରେ ମୁଖ୍ୟତଃ ‘ଆବୃତ୍ତି’ ଧର୍ମୀ କାବ୍ୟ ଛନ୍ଦଗୁଡ଼ିକର ଅସ୍ତିତ୍ୱ ଓ ପ୍ରୟୋଗ ପ୍ରତ୍ୟାଶା କରିବା ଅନଭିଜ୍ଞତା । ଯହିଁରେ କାବ୍ୟ ଛନ୍ଦ ଅନୁସୃତ ହୋଇଥିବା ଅପ୍ରତ୍ୟାଶିତ ତହିଁରେ ସେଇ ଛନ୍ଦର ବିଧିନିଷେଧ ଖୋଜିବା ଓ କାବ୍ୟଛନ୍ଦର ଦୃଷ୍ଟିରୁ ତାହାର ଅନୁଶୀଳନ କରିବା ବୃଥା । ଗୀତଗୋବିନ୍ଦର ଗୀତିଗୁଡ଼ିକର ପ୍ରକୃତି ଓ ଧର୍ମ ନ ବୁଝି ଅନେକ ଅସଙ୍ଗୀତଜ୍ଞ ସାହିତ୍ୟିକସୁଧୀ ଅନେକ ଅବାନ୍ତର କଥା କହିଥିବା ଦେଖାଯାଏ । ଆହୁରି ଥରେ ସ୍ମରଣୀୟ-ବରଂ ସର୍ବଦା ସ୍ମରଣୀୟ ବୋଲି ଆମେ କହିବୁଁ ଯେ ଗୀତଗୋବିନ୍ଦର ଗୀତଗୁଡ଼ିକର ଛନ୍ଦ ସଙ୍ଗୀତର ତାଳଭିତ୍ତିକ; ତେଣୁ ସେଇ ଦୃଷ୍ଟିରୁ ସେଗୁଡ଼ିକର ଅନୁଶୀଳନ ସ୍ପୃହଣୀୟ ।

 

‘‘ଗୀତଗୋବିନ୍ଦର ଚବିଶିଟି ଗୀତ ଅପ୍ରଭ୍ରଂଶ ଛନ୍ଦରେ ରଚିତ ହୋଇଛି’’ ବୋଲି ଯେପରି ଦୃଢ଼ ଭାବରେ ଶଂସିତ ‘କୋଣାର୍କ’ ଲେଖାରେ କୁହାଯାଇଛି ତାହାର ମୂଲ୍ୟ ଖୁବ୍‌କମ୍ ଓ ତା’ ପଛରେ ଅଧିକ ରହିଛି–‘ପର ପ୍ରତ୍ୟୟନେୟ ବୁଦ୍ଧିଃ ।’

 

ସେହିପରି, ଗୀତଗୋବିନ୍ଦରେ ଅଶୀଟି ଶ୍ଳୋକ ଅଛି ବୋଲି କହିବାରେ ଅଭିଜ୍ଞତାର ଅଭାବ । ଗୀତଗୋବିନ୍ଦ ପ୍ରଣୀତ ହେବାର ଅଳ୍ପକାଳ ପରଠାରୁ ଏପରି କି ମହାକବି ଜୟଦେବଙ୍କ ଜୀବଦ୍ଦଶାରୁ, ପ୍ରକ୍ଷେପ ପ୍ରକିୟା ଆରମ୍ଭ ହୋଇ ଖ୍ରୀ: ୧୫ଶ ଶତାବ୍ଦୀ ଶେଷଯାଏ ଚାଲିଥିବାର କିମ୍ବଦନ୍ତୀ ଓ ଐତିହାସିକ ପ୍ରମାଣ ଅଛି । ଗୀତଗୋବିନ୍ଦର ବିଭିନ୍ନ ଭାଷାଲିପିରେ ପ୍ରକାଶିତ ବିଭିନ୍ନ ମୁଦ୍ରିତ ସଂସ୍କରଣ, ଜଗଦ୍ଧର, ମାନାଙ୍କ, ନାରାୟଣ ଦାସ, ଧୃତି ଦାସ ପ୍ରଭୃତିଙ୍କ ଏବଂ ବିଶେଷତଃ ରାଣାକୁମ୍ଭଙ୍କ ଟୀକା ତଥା ଧରଣୀଧର, ବଜରୀ ପ୍ରଭୃତିଙ୍କ ଓଡ଼ିଆ ଅନୁବାଦ ଦେଖିଲେ ସେଇ ପ୍ରକ୍ଷେପ ବିଷୟରେ କୌଣସି ସନ୍ଦେହ ରହେ ନାହିଁ । ଆହୁରି ଦେଖାଯାଏ ଏ ସବୁରେ ଗୀତଗୋବିନ୍ଦର ଶ୍ଳୋକ ସଂଖ୍ୟାରେ ଘୋର ତାରତମ୍ୟ । ତେବେ, ଓଡ଼ିଶାର ଗୋଟିଏ ପରମ୍ପରା ଅନୁସାରେ ଗୀତଗୋବିନ୍ଦ ସର୍ଗ ସଂଖ୍ୟା ୧୨, ଗୀତ ସଂଖ୍ୟା ସେଇ ସର୍ଗ ସଂଖ୍ୟାର ଦୁଇଗୁଣ ଅର୍ଥାତ୍ ଚବିଶ ଓ ଶ୍ଳୋକ ସଂଖ୍ୟାର ଛଅଗୁଣ ଅର୍ଥାତ୍ ୭୨ ।

 

ଏଇ ସ୍ଥିତିରେ ଗୀତଗୋବିନ୍ଦର ଶ୍ଳୋକ ସଂଖ୍ୟା ଅଶୀ ବୋଲି ଯେଉଁ ବି ବିଚାରହୀନ ଉକ୍ତି ପ୍ରକାଶ କରିଛନ୍ତି ତାହା ମୂଲ୍ୟହୀନ ।

 

ତ୍ରୁଟି (୧୧)

 

‘‘ଚତୁର୍ଥ ଶ୍ରେଣୀର ଅପଭ୍ରଂଶ ଛନ୍ଦଗୁଡ଼ିକ ବିଭିନ୍ନ ମାତ୍ରା ଦୈର୍ଘ୍ୟର ଗଣଦ୍ୱାରା ଗଠିତ ହୋଇଥିବାରୁ ଏଗୁଡ଼ିକ ‘ମିଶ୍ରଛନ୍ଦ’ କୁହାଯାଏ । ଏଥିମଧ୍ୟରୁ ଚତୁଷ୍ପାଦ ଛନ୍ଦ ପ୍ରୟୋଗରେ କବିଙ୍କର ଅପୂର୍ବ କୁଶଳତା ପରିଲକ୍ଷିତ ହୁଏ । ଏଥିରେ କ-ଖ-କ-ଖ ଏହି ଭାବରେ ମିତ୍ରାକ୍ଷରର ବିନ୍ୟାସ ହୋଇଛି (୧୨); ଏହାକୁ ଅକ୍ଷର ଛନ୍ଦ ମଧ୍ୟ କୁହାଯାଇପାରେ ।’’ (କୋଣାର୍କ ଏଜନ- ପୃ ୩୭)

 

ଉପରେ ଉଦ୍ଧୃତ ହୋଇଥିବା ବାକ୍ୟାବଳୀସ୍ଥିତ ଅପତଥ୍ୟର ଦୃଷ୍ଟାନ୍ତ ରୂପେ (୧୨) ସଂଖ୍ୟକ ପାଦ ଟିପ୍‌ପଣୀରେ ଗୀତଗୋବିନ୍ଦରୁ ଯାହ ଉଦ୍ଧୃତ ହୋଇଛି, ତାହା ଏଠାରେ ଅବିକଳ ଉଦ୍ଧାର କରୁଛି, ଯଥା–

 

‘‘ଦହତି । ଶିଶିର । ମୟୂଖେ ।(୩+୩+୫=୧୧ମାତ୍ର)

ମରଣ । ମନୁକ । ରୋତି ।(୩+୩+୩=୯ମାତ୍ର)

ପତତି । ମଦନ । ବିଶି- । ଖେ ।(୩+୫+୨=୧୦ମାତ୍ର)

ବିଏପତି ।ବିକଳତି । ରୋଽତି ।(୪+୪+୫=୧୩ମାତ୍ର)

ଗୀ: ଗୋ:୫।୧୦।୩’’

(‘କୋଣାର୍କ’–ଏଜନ ପୃ:୩୭/୨ ପାଦ ଟିପ୍‌ପଣୀ ସହିତ ଦ୍ରଷ୍ଟବ୍ୟ)

 

ମୋ ଲେଖାର ବର୍ଦ୍ଧମାନ ବପୁ ମୋତେ ନିଜକୁ ବନ୍ଧହୀନ କରିବାକୁ ଯାଇଚି । ତେଣୁ ମୁଁ ଏହି ୧୧ଶ ସଂଖ୍ୟକ ତ୍ରୁଟିର ଟିଖ୍‌ନିକ୍‌ ସମାଲୋଚନାପୂର୍ବକ ଏ ସମ୍ପର୍କରେ ନିବନ୍ଧକାର ମହାଶୟ ପରିବେଷଣ କରିଥିବା ତଥ୍ୟର ଖଣ୍ଡନ କରିଥିଲେ ସୁଦ୍ଧା ତାହା ପ୍ରତ୍ୟାହାର କରିନେଉଛି ।

 

ତ୍ରୁଟି(୧୨)

 

‘‘ଓଡ଼ିଆ କାବ୍ୟକବିତା ଓ ସଙ୍ଗୀତରେ ସଂସ୍କୃତ ଛନ୍ଦ ଅପେକ୍ଷା ପ୍ରକୃତ ଓ ଅପଭ୍ରଂଶ ରାଗ ରାଗିଣୀର ପ୍ରଭାବ ଅଧିକ ପରିଦୃଷ୍ଟ ହୁଏ ।’’

(କୋଣାର୍କ-ଏଜନ-ପୃ: ୩୮, ପାରା -୧ମ)

 

ମନ୍ତବ୍ୟ-ଦୀର୍ଘକାଳବ୍ୟାପୀ ସଙ୍ଗୀତ ତତ୍ତ୍ୱନ୍ୱେଷଣ ଓ ସଙ୍ଗୀତ ଶାସ୍ତ୍ରାଧ୍ୟୟନ ମଧ୍ୟରେ କୁତ୍ରପି, କଦାପି ‘ପ୍ରାକୃତ ଓ ଅପଭ୍ରଂଶ ରାଗରାଗିଣୀ’ ବୋଲି ଲେଖିଥିବା ବା କାହିଥିବା ଆମର ଦୃଷ୍ଟିଗୋଚର ବା ଶ୍ରୁତିଗୋଚର ହୋଇନାହିଁ । ଏବେ ଏଇ ଅଭିନବ କଥାଟି ଶୁଣି ଓଡ଼ିଶାର ସଙ୍ଗୀତ ପ୍ରେମୀବୃନ୍ଦ ଓ ଆମେ କି ପରିମାଣରେ ଧନ୍ୟ ହେଲୁଁ ତାହା ଅନୁମେୟ ଏବଂ ଓଡ଼ିଶାର ଅପରିଣତ ସଙ୍ଗୀତ ବାଙ୍‌ମୟକୁ ଏହି ଅବଦାନ କିପରି ସଂବୃଦ୍ଧ କରିବ ତାହା ବିଚାର୍ଯ୍ୟ ।

 

ତ୍ରୁଟି (୧୩)

 

‘କୋଣାର୍କ’ ୩୮ଶ ପୃଷ୍ଠାର ୨ୟ ପାରାରେ ‘‘ପୁରୁଷୋତ୍ତମ ମିଶ୍ରଙ୍କର ସଙ୍ଗୀତ ନାରାୟଣ (୧୮ଶ ଶତକର ମଧ୍ୟଭାଗ)’’-ଏଇ ଭାଗରେ ଖ୍ରୀ: ପ୍ରାୟ ୧୬୫୦ ପାଖାପାଖି ପ୍ରଣୀତ ଗ୍ରନ୍ଥକୁ ଯାହା ଚିହ୍ନିତ କରାହୋଇଛି ତାହା ଭ୍ରାନ୍ତ ।

 

ତ୍ରୁଟି (୧୪)

 

ପୁଣି, ତତ୍ରୌବ, ‘‘ପାରଳ ରାଜା ଜଗନ୍ନାଥ ନାରାୟଣ ଦେବଙ୍କ ‘ସଂଙ୍ଗୀତ ରତ୍ନାକର’ ବୋଲି ଯାହା କୁହାହୋଇଛି ତାହା ମଧ୍ୟ ଭ୍ରାନ୍ତ । ‘ସଙ୍ଗୀତ ରତ୍ନାକର’ ନାମକ ଗ୍ରନ୍ଥ ଖ୍ରୀ:୧୨୫୦ ପାଖାପାଖି ଶାଙ୍ଗଦେବଙ୍କ ଛଡ଼ା ଅନ୍ୟ କେହି କେବେ ରଚନା କରିଥିବା ଜଣାଶୁଣା ନୁହେଁ ।

 

ପ୍ରସଙ୍ଗତଃ, ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ପାରଳାଖେମୁଣ୍ଡିର ଗଜପତି ଜଗନ୍ନାଥନାରାୟଣଦେବ (ଖ୍ରୀ: ୧୭୧୮-୧୭୬୭)ଙ୍କଦ୍ୱାରା ସଂକଳିତ ହୋଇଥିବା କଥା ଓଡ଼ିଶା ସଂଙ୍ଗୀତ ନାଟକ ଏକାଡେମୀରୁ ୧୯୬୬ରେ ପ୍ରକାଶିତ ‘ସଙ୍ଗୀତ ନାରାୟଣ’ ଗ୍ରନ୍ଥର ପ୍ରକ୍‌କଥନମ୍ ଓ Forward ମଧ୍ୟରେ ଏକାଡେମୀର ତତ୍କାଳୀନ ଯଥାକ୍ରମେ ସେକ୍ରେଟେରୀ ଓ ପ୍ରେସିଡ଼େଣ୍ଟ ଯାହା ଲେଖିଛନ୍ତି ତାହା ମଧ୍ୟ ଭ୍ରାନ୍ତ; କାରଣ, ‘ଝଙ୍କାର’ ୧୩ଶ ବର୍ଷ ୧ମ ସଂଖ୍ୟା (୧୭୬୨)ରେ ‘‘ଗଜପତି ନାରାୟଣ ଦେବଙ୍କ ‘ସଙ୍ଗୀତ ନାରାୟଣ’ ଶୀର୍ଷକ ଲେଖାରେ ଐତିହାସିକ କେଦାରନାଥ ମହାପାତ୍ର ପ୍ରମାଣିତ କରିଥିଲେ ଯେ ସଙ୍ଗୀତ ଗ୍ରନ୍ଥଟି ଖ୍ରୀ: ୧୬୫୦ ପାଖାପାଖି ଲେଖା ହୋଇଥିଲା ଗଜପତି ନାରାୟଣଙ୍କ ନାମରେ । ତାହା ପ୍ରକୃତରେ ଲେଖିଥିଲେ କବିରତ୍ନ ପୁରୁଷୋତ୍ତମ ମିଶ୍ର ।

 

ତ୍ରୁଟି (୧୪-ଖ)

 

‘କୋଣାର୍କ’ରେ ତତ୍ରୈବ କୁହାହୋଇଛି- ‘‘ହରି ନାୟକଙ୍କର ‘ସଙ୍ଗୀତ ରତ୍ନମାଳା’ ଏହା ଭ୍ରାନ୍ତ ।‘ସଙ୍ଗୀତସାର’ ନାମକ ଗ୍ରନ୍ଥ ହିଁ ହରି ନାୟକ ପ୍ରଣୀତ ଏକମାତ୍ର ଗ୍ରନ୍ଥ । ‘ସଙ୍ଗୀତ ରତ୍ନମାଳା’ ଲେଖିଥିଲେ ଜନୈକ ମମ୍ମଟାଚର୍ଯ୍ୟ ଯେ ‘କାବ୍ୟପ୍ରକାଶ’ ନାମକ ପ୍ରଖ୍ୟାତ ଅଳଙ୍କାର ଗ୍ରନ୍ଥ ପ୍ରଣେତାଙ୍କଠାରୁ ଭିନ୍ନ ଜଣେ ପରବର୍ତ୍ତୀକାଳୀନ ଗୁଣୀ । ‘ଝଙ୍କାର’ ୧୩ଶ ବର୍ଷ ୩ୟ ସଂଖ୍ୟାରେ ଆମର ‘ସଙ୍ଗୀତସାର ଓ ସଙ୍ଗୀତ ଦାମୋଦର’ ଶୀର୍ଷକ ଲେଖାରେ ଏ ବିଷୟରେ ଉପୁଜିଥିବା ଭ୍ରାନ୍ତି ନିରାକୃତ ହୋଇଥିଲା ।

 

ତ୍ରୁଟି(୧୫)

 

‘କୋଣାର୍କ’ରେ ତତ୍ରୈବ କୁହାହୋଇଛି ‘‘ତିଗିରିଆର ରାଜା ଯଦୁନାଥ ରାୟସିଂହଙ୍କର ‘ଅଭିନୟ ଦର୍ପଣ’ ।’’ ଏହା ଭ୍ରାନ୍ତ । ‘ଅଭିନୟ ଦର୍ପଣ’ ଲେଖିଥିଲେ ନନ୍ଦିକେଶ୍ୱର । କୁହାଯାଏ, ତିଗିରିଆର ପ୍ରୋକ୍ତା ରାଜା ଲେଖିଛନ୍ତି ‘ଅଭିନୟ ଦର୍ପଣ ପ୍ରକାଶ’ । ଏ ଗ୍ରନ୍ଥଟି ବର୍ତ୍ତମାନ ଆମର ସମ୍ପାଦନାଧୀନ । ଗ୍ରନ୍ଥର ପ୍ରକୃତ କର୍ତ୍ତୃତ୍ୱ ନିର୍ଣ୍ଣୟ ବିଚାର ସାପେକ୍ଷ ।

 

ତ୍ରୁଟି(୧୬)

 

‘‘ସାଧାରଣରେ ଗଦ୍ୟଠାରୁ ଭିନ୍ନ ଭାବରେ ଯାହା ରଚିତ ହୁଏ, ଆବୃତ୍ତି କାଳରେ ମଧୁର ସ୍ୱର ସଂଯୋଗ ହେତୁ ଯାହା ମନରେ ଆହ୍ଲାଦନ ସୃଷ୍ଟି କରେ ତାହା ହିଁ ଛନ୍ଦ ।’’

(‘କୋଣାର୍କ’-ଏଜନ-ପୃ: ୪୩-ପାରା ୨ୟ)

 

ଏହା ପୂର୍ବରୁ ତତ୍ରୈବ ଅଛି । ‘‘ଅଧ୍ୟାପକ ବ୍ରହ୍ମା କହନ୍ତି-ଛନ୍ଦ ଶବ୍ଦଟି ‘ଚଦି ଆହ୍ଲାଦନେ’ ଧାତୁରୁ ନିଷ୍ପନ୍ନ ।’’

 

ମନ୍ତବ୍ୟ-ସ୍ୱର ସଂଯୋଗ ଛନ୍ଦର ଅନିବାର୍ଯ୍ୟ ସହଚର ନୁହେଁ । ‘‘ତେଣୁ ମଧୁର ସ୍ୱର ସଂଯୋଗ ଛନ୍ଦର ଆହ୍ଲାଦିକା କ୍ଷମତା ହେତୁ ନୁହେଁ । ପଦୋଚ୍ଚାରଣରେ (ଉଚ୍ଚାରଣ କ୍ରିୟାରେ) ବିନିଯୁକ୍ତ ‘କାଳ’କୁ ବିଭିନ୍ନ କରି, ଭାଗ ଭାଗ କରି, ବିଭିନ୍ନ ଢାଞ୍ଚା (Pattern)ରେ ସଜାଇ ଶ୍ରୁତିସୁଖ ଉତ୍ପନ୍ନ କରିବାର ବିଜ୍ଞାନ ବା କୌଶଳକୁ ‘ଛନ୍ଦ’ କୁହାଯାଏ ବା କୁହାଯାଇ ପାରେ । ଉଚ୍ଚାରଣ କ୍ରିୟାରେ ଅଂଶକିତ ତ୍ରୁଟି ବା ଦୋଷ ନିବାରଣ ଆଚ୍ଛାଦନ ମଧ୍ୟ ସେହି ବିଜ୍ଞାନ ବା କୌଶଳର ଏକ ପ୍ରଧାନ ଅଙ୍ଗ । ତେଣୁ କେହି କେହି ଆଚ୍ଛାଦନ କରିବା ଅର୍ଥରେ ‘ଛନ୍ଦ’ ଧାତୁରୁ ‘ଛନ୍ଦ’ ଶବ୍ଦର ଉତ୍ପତ୍ତି ନିର୍ଣ୍ଣୟ କରିଛନ୍ତି ।* (ଦ୍ରଷ୍ଟବ୍ୟ-ରାଣା କୁମ୍ଭକର୍ଣ୍ଣ ପ୍ରଣୀତ ‘ସଂଙ୍ଗୀତ ରାଜ’ ସଂଜ୍ଞା ପରୀକ୍ଷଣ) । ‘ଚଦି-ଆହ୍ଲାଦନେ’ରୁ ‘ଛନ୍ଦ’ ଶବ୍ଦର ଉତ୍ପତ୍ତି ନିର୍ଣ୍ଣୟ ଏହି ପରବର୍ତ୍ତୀ ନିର୍ଣ୍ଣୟ ତୁଳନାରେ କେଡ଼େ ହେୟ ତାହା ସୁଧୀବିଚାର୍ଯ୍ୟ ।

 

ଅନୁଭବୀ ମାତ୍ରେ ସ୍ୱୀକାର କରିବେ ଯେ ଛନ୍ଦୋବଦ୍ଧ ରଚନାକୁ ମନେ ମନେ ନୀରବ ଭାବରେ ଆବୃତ୍ତି କଲେ ମଧ୍ୟ ଛନ୍ଦୋଗତ ଆନନ୍ଦ କେତେକାଂଶରେ ଉପଲବ୍‍ଧ ହୁଏ । ତେଣୁ ‘ଆବୃତ୍ତି କାଳରେ ମଧୁର ସ୍ୱର ସଂଯୋଗ ହେତୁ ଯାହା ମନରେ ଆହ୍ଲାଦନ ସୃଷ୍ଟି କରେ ତାହାହିଁ ଛନ୍ଦ’ ବୋଲି କହିବା ମନ୍ଦ-ଚିନ୍ତା ଶକ୍ତିର ପରିଚାୟକ ।

 

ପଦ୍ୟରେ ଯାହା ‘ଛନ୍ଦ’, ବାଦ୍ୟରେ ତାହା ‘ତାଳ’ । ଉଭୟ ‘ଛନ୍ଦ’ ଓ ‘ତାଳ’ ସେଇ ‘କାଳକ୍ରିୟାମାନ’, ଯହିଁରେ ‘ମଧୁର ସ୍ୱର ଯୋଗଦାନ’ ମୋଟେ ଅପେକ୍ଷିତ ନୁହେ ।

 

ତ୍ରୁଟି (୧୭)

 

‘‘ପ୍ରଧାନତଃ ଛଅଗୋଟି ରାଗର ଉଲ୍ଲେଖ ରହିଛି, ଯଥା- ହିନ୍ଦୋଳ, ଦୀପକ, ମେଘ, ଭୈରବ, ଶ୍ରୀ ଓ ମାଲକସ୍ ।xx ପ୍ରତ୍ୟେକ ରାଗର ପାଞ୍ଚଟି ରାଗିଣୀ, ଆଠଟି ଉପରାଗିଣୀ ଅଛି । ରାଗ, ରାଗିଣୀର ନାମକରଣ ସମ୍ପର୍କରେ ଶାସ୍ତ୍ରକାରଙ୍କ ମଧ୍ୟରେ ମତର ସମତା ଦେଖାଯାଏ, କିନ୍ତୁ ଉପରାଗ ଓ ଉପରାଗିଣୀଗୁଡ଼ିକର ନାମକରଣ ସମ୍ପର୍କରେ ମତାନୈକ୍ୟ ଲକ୍ଷିତ ହୁଏ; ସେଥିପାଇଁ ଏ କ୍ଷେତ୍ରରେ ବିଭିନ୍ନ ଦେଶରେ ପ୍ରଚଳିତ ପରାମ୍ପରା ଗ୍ରହଣ କରିବାକୁ ହେବ । (୨୫)....(୨୫) ଲାବଣ୍ୟବତୀ, ମୁଖବନ୍ଧ, ପୃ:୧୪୭’’

(କୋଣାର୍କ-ଏଜନ-ପୃ:୪୪-ପରା ୨ୟ)

 

ମନ୍ତବ୍ୟ-ଏଥିରୁ କେଉଁତକ ‘ଲବଣ୍ୟବତୀ ମୁଖବନ୍ଧ’ର ଓ କେଉଁତକ ଲେଖକଙ୍କର ସ୍ୱକୀୟ ତାହା ଚିହ୍ନିତ ହୋଇ ନାହିଁ । ଯାହାହେଉ ଲାବଣ୍ୟବତୀ ମୁଖବନ୍ଧଟି ଲେଖା ହୋଇଥିଲା ଖ୍ରୀ.୧୯୪୪ ରେ । ମୁଖବନ୍ଧ-ଲେଖକ ଜଣେ ସୁବିଜ୍ଞ ସାହିତ୍ୟିକ ଥିଲେ; ମାତ୍ର ସଙ୍ଗୀତ ବିଷୟରେ ସେ ଯାହା ଲେଖିଥିଲେ ତାହାକୁ ପ୍ରମାଣିତ ବୋଲି ବିଚାରି ପ୍ରାୟ ଚାଳିଶ ବର୍ଷ ପରେ ତାହା ହିଁ ନିର୍ବିଚାରରେ ଉଦ୍ଧାର କରିବା ଉଚିତ ନୁହେଁ । ତେଣୁ ‘ପ୍ରଧାନତଃ ଛଅଗୋଟି ରାଗର ଉଲ୍ଲେଖ ଅଛି, ବୋଲି ସେ ଯାହା ଲେଖି ଯାଇଥିଲେ ତାହାର ମୂଲ୍ୟ କେତେ ସେ କଥା ନିର୍ଣ୍ଣୀତ ହେବା ଆବଶ୍ୟକ-

 

ସଙ୍ଗୀତ ଗ୍ରନ୍ଥମାନଙ୍କରେ ରାଗିଣୀମାନଙ୍କର ନାମ, ସଂଖ୍ୟା ଓ ବର୍ଗୀକରଣରେ ଯେଉଁ ବହୁ ମତ ଅଛି ତହିଁରେ ପ୍ରଧାନତଃ ଛଅଗୋଟି ରାଗର ଉଲ୍ଲେଖ ଦର୍ଶାଇ ଯେଉଁ ଛଅଗୋଟି ରାଗର ନାମ ‘ଲାବଣ୍ୟବତୀ ମୁଖବନ୍ଧ’ରେ ଦିଆଯାଇଛି ତାହା ଠିକ୍ ବୋଲି କୁହାଯାଇ ନ ପାରେ; କାରଣ-‘ରାଗାର୍ଣ୍ଣବ’ ମତରେ ସେଇ ନାମଗୁଡ଼ିକ ହେଉଚି- (୧) ଭୈରବ (୨) ପଞ୍ଚମ (୩) ନାଟ (୪) ମଲ୍ଲାର (୫)ଗୌଡ଼ମାଲବ (୬) ଦେଶାଖ୍ୟ । ଓଡ଼ିଶାର ସଙ୍ଗୀତ କୌମୁଦୀରେ ଆଠଗୋଟି ମୁଖ୍ୟରାଗ ସ୍ୱୀକୃତ, ଯଥା-୧-ଭୈରବ ୨-ଭୂପତି ୩-ଶ୍ରାରା ରାଗ ୪-ପଡ଼ମଞ୍ଜର ୫-ବାସ୍ତନ୍ତିକ ୬-ଭୂପାଳ ୭-ସାଲଙ୍ଗ ୮-ମାଲବ ।

 

‘ଦାକ୍ଷିଣାତ୍ୟନିବନ୍ଧ’ ଅନୁସାରେ ସେଗୁଡ଼ିକର ନାମ ୧-ଭୈରବ ୨-ଭୂପାଳ ୩-ଶ୍ରୀରାଗ ୪-ପଡ଼ମଞ୍ଜରୀ ୫-ବସନ୍ତ ୬-ମାଲବ ୭-ବଙ୍ଗାଳ ୮-ନାଟ (କ) ‘ଦାମୋଦର’ ଅନୁସାରେ ୧-ଭୈରବ ୨-ବସନ୍ତ ୩-ମାଲବ କୌଶିକ ୪-ଶ୍ରୀରାଗ ୫-ମେଘରାଗ ୬-ନଟନାରାୟଣ, ‘ପଞ୍ଚମସାର ସଂହିତା’ ଅନୁସାରେ ୧-ମାଲବ ୨-ମଲ୍ଲାର ୩-ଶ୍ରୀରାଗ ୪-ବସନ୍ତ(କ) ୫-ହିନ୍ଦୋଳ ୬-କର୍ଣ୍ଣାଟ, ମମ୍ମଟାଚାୟକୃତ ‘ସଙ୍ଗୀତ ରତ୍ନମାଳା’ ଅନୁସାରେ ୧-କର୍ଣ୍ଣାଟ ୨-ନାଟ ୩-ମଲ୍ଲାର ୪-ଦେଶାଖ୍ୟ ୫-ମାଲବ ୬-ବସନ୍ତ । ପୁଣି ନାରଦକୃତ ‘ରାଗ ନିରୂପଣ’ ଅନୁସାରେ ରାଗ ସଂଖ୍ୟା ୧୦-ଯଥା ୧-ଶ୍ରୀରାଗ ୨-ବସନ୍ତ ୩-ପଞ୍ଚମ ୪-ଭୈରବ ୫-କୌଶିକ ୬-ମେଘ ୭-ନଟନାରାୟଣ ୮-ହିନ୍ଦୋଳ ୯-ଦୀପକ ୧୦-ହଂସକ । ସଙ୍ଗୀତୋପନିଷତ୍‌ ସାରୋଦ୍ଧାର, ସଙ୍ଗୀତ ମକରନ୍ଦ, ରାଗମାଳା ପ୍ରଭୃତି ଅନ୍ୟାନ୍ୟ ଗ୍ରନ୍ଥରେ ଆହୁରି ଭିନ୍ନ ଭିନ୍ନ ମତ ପ୍ରକାଶିତ ।

 

ଆଉ ରାଗିଣୀ ନାମକରଣ ଓ ବର୍ଗୀକରଣରେ ଭିନ୍ନତା ଅଶେଷ । ଏଠାରେ ସେସବୁର ଉଲ୍ଲେଖ ପାଇଁ ସ୍ଥାନ ନାହିଁ, ଆବଶ୍ୟକତା ବି ନାହିଁ ।

 

ଯଦି ଆମ ଓଡ଼ିଶାରେ ପ୍ରଚଳିତ ପରମ୍ପରା କଥା ଉଠେ, ତେବେ ଆମର ଏଠି ‘ପ୍ରତ୍ୟେକ ରାଗର ପାଞ୍ଚଟି ରାଗିଣୀ’ ଅପ୍ରଚଳିତ ବୋଲି ଜାଣିବା ଦରକାର । ଏଠିକାର ପରମ୍ପରା ହେଉଛି ‘ଛଅରାଗ ଛତିଶ ରାଗିଣୀ ’।

 

ତ୍ରୁଟି-(୧୮)

 

‘‘ଏଥିରୁ ଜଣାପଡ଼େ ଯେ ସଂସ୍କୃତ ସଙ୍ଗୀତ ଶାସ୍ତ୍ରର ରାଗ ଓ ଓଡ଼ିଆ ରଚନା ବିଶେଷତଃ ଛାନ୍ଦ-ସାହିତ୍ୟର ରାଗ ଏକ ନୁହେଁ । ବରଂ ସଂସ୍କୃତରେ ‘ବୃତ୍ତ’ ଶବ୍ଦ ଯେପରି ବ୍ୟାପକ ଅର୍ଥରେ ବ୍ୟବହୃତ । ସେହି ଅର୍ଥରେ ଓଡ଼ିଆ ସାହିତ୍ୟରେ ‘ରାଗ’ ଶବ୍ଦର ପ୍ରୟୋଗ ହୋଇଛି ବୋଲି ବୁଝିବାକୁ ହେବ । ତେଣୁ ଓଡ଼ିଆ ସାହିତ୍ୟର ରାଗ ସଂସ୍କୃତ ସାହିତ୍ୟର ବୃତ୍ତ ବା ଛନ୍ଦ ଏକାର୍ଥବାଚକ ।’’

(‘‘କୋଣାର୍କ’’-ଏଜନ-ପୃ: ୪୫-ପାରା -୧)

 

‘‘ଉପେନ୍ଦ୍ର ଭଞ୍ଜ ପ୍ରଭୃତି ବିଭିନ୍ନ କବିମାନଙ୍କର କାବ୍ୟ କବିତା ଓ ଚଉପଦୀମାନଙ୍କ ମୂଳରେ ରାଗ, ବାଣୀ ଓ ବୃତ୍ତର ନିର୍ଦ୍ଦେଶ ପରିଲକ୍ଷିତ ହୁଏ । ସ୍ଥାନେ ସ୍ଥାନେ ତାଳର ଉଲ୍ଲେଖ ମଧ୍ୟ ଥାଏ । ରାଗ ଯାହା ବାଣୀ ଓ ବୃତ୍ତ ତାହା ନୁହେଁ, ଯଦିଓ କେତେକ କବି ଓ ପ୍ରକାଶକ ବାଣୀ ଓ ବୃତ୍ତିକୁ ରାଗ ବୋଲି ମନେ କରି ପାଠକମାନଙ୍କୁ ଦିଗ୍‌ଭ୍ରାନ୍ତ କରିଛନ୍ତି ।’’

(‘‘କୋଣାର୍କ’’-ଏଜନ-ପୃ: ୪୫ ପାରା -୩)

 

ମନ୍ତବ୍ୟ:- ଏ ଦୁଇଟି ଉଦ୍ଧୃତିରେ ବିଶେଷତଃ ରେଖାରୁଢ଼ ଅଂଶରେ ଥିବା ଚିନ୍ତା ବିକୃତି ମଧ୍ୟ ବହୁ ବିଭ୍ରାନ୍ତି ହେତୁ ପାଠକମାନଙ୍କୁ କମ୍‌ ଦିଗ୍‍ଭ୍ରାନ୍ତ କରିବ ନାହିଁ । ଏ ସଂପର୍କରେ ଖ୍ରୀ:୧୯୬୯ରେ ‘ପ୍ରଜାତନ୍ତ୍ର’ର ସାହିତ୍ୟ ବିଭାଗରେ ପ୍ରକାଶିତ ଗୋଟିଏ ଲେଖାରେ ମୁଁ ଯାହା ଆଲୋଚନା କରିଥିଲି ତାହା ଦେଖାଯାଇପାରେ ।

 

ତ୍ରୁଟି (୧୯)

 

‘‘ଓଡ଼ିଶାରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ ସମୟରେ ବହୁ ରାଗରାଗିଣୀର ସୃଷ୍ଟି ହୋଇଥିଲା । ଏ ରାଜାମାନେ ଦକ୍ଷିଣ ଦେଶରୁ (ବିଜୟ ନଗର) ଆସିଥିବାରୁ ଏବଂ ବିଦ୍ୟାନଗର ବା ବିଜୟନଗର ପୁରୀ, ବାରାଣାସୀ ଓ ମିଥିଲା ପରି ସଂସ୍କୃତ ସାହିତ୍ୟ ଚର୍ଚ୍ଚା ପାଇଁ ବିଶେଷ ପ୍ରସିଦ୍ଧ ଥିବାରୁ ଓଡ଼ିଆ ସଂଙ୍ଗୀତର ରାଗରାଗିଣୀ ଓ ସାହିତ୍ୟ ଉପରେ କର୍ଣ୍ଣାଟକ ସଙ୍ଗୀତ ପଦ୍ଧତି ଓ ଦକ୍ଷିଣ-ସଂସ୍କୃତିର ପ୍ରଭାବ ପଡ଼ିବା ଅତି ସ୍ୱାଭାବିକ ।

(‘କୋଣାର୍କ’,-ଏଜନ-ପୃ:୪୭ -ପାରା ୩)

 

ମନ୍ତବ୍ୟ:-

(କ)

ଓଡ଼ିଶାରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ ଆରମ୍ଭ ହୋଇଥିଲା (ମୋଟା ମୁଟି ଭାବରେ) ଖ୍ରୀ. ୧୨ଶ ଶତାବ୍ଦୀର ଆରମ୍ଭରେ । ତାହା ଶେଷ ହୋଇଥିଲା (ମୋଟାମୁଟି ଭାବରେ ) ଖ୍ରୀ:୧୫ଶ ଶତାବ୍ଦୀର ମଧ୍ୟ ଭାଗରେ

 

 

ଏହି ଅଢ଼େଇ ଶହ ବର୍ଷ ଭିତରେ କି ଓଡ଼ିଆ ସାହିତ୍ୟ ସୃଷ୍ଟି ହୋଇଥିଲା ତାହା ଅଦ୍ୟାପି ଅଜ୍ଞାତ । ତେଣୁ ତା ଉପରେ କର୍ଣ୍ଣାଟକ ସଙ୍ଗୀତ ପଦ୍ଧତି ଓ ଦକ୍ଷିଣୀ ସଂସ୍କୃତିର ପ୍ରଭାବ ପଡ଼ିଥିଲା ବୋଲି କହିବା ମୂଲ୍ୟହୀନ ଅନୁମାନ ମାତ୍ର ।

 

ଠିକ୍ ଦେଖିବାକୁ ଗଲେ ଓ ଉପଲବ୍‍ଧ ସାମଗ୍ରୀକୁ ଘେନି ବିଚାର କରିବାକୁ ଗଲେ ସାରଳାଙ୍କ ମହାଭାରତ ଅନ୍ୟାନ୍ୟ ସାରଳାକୃତି ଓଡ଼ିଆ ସାହିତ୍ୟର ଯଥାର୍ଥ ଆଦ୍ୟ ସୃଷ୍ଟି ଯାହାକୁ ଆଖି ଆଗରେ ରଖି, ଚିନ୍ତା କରି କିଛି ନିର୍ଣ୍ଣୟ କରି ହୁଏ । ମାତ୍ର ଏଇ ସାହିତ୍ୟର ସୃଷ୍ଟି ଗଙ୍ଗବଂଶୀୟ ରାଜତ୍ୱର ଅବସାନରେ ପ୍ରାୟ ସମକାଳୀନ । ତହିଁରେ କର୍ଣ୍ଣାଟକ ସଙ୍ଗୀତ ପଦ୍ଧତି ଓ ଦକ୍ଷିଣୀ ସଂସ୍କୃତିର କି ପ୍ରଭାବ ଦେଖାଯାଏ ? ବରଂ ଯାହାକୁ ଖାଣ୍ଟି ଓଡ଼ିଆ ସଂସ୍କୃତି କୁହାଯାଇପାରେ ତାହାରି ନିର୍ଭରଯୋଗ୍ୟ ଅଭିବ୍ୟକ୍ତି ଘେନି ସେ ସାହିତ୍ୟ ଦେଦୀପ୍ୟମାନ ।

 

(ଖ)

ଦକ୍ଷିଣ ଦେଶରେ ବିଜୟନଗର ରାଜ୍ୟର ଆରମ୍ଭ ହୋଇଥିଲା ମୋଟାମୁଟି ଭାବରେ ଖ୍ରୀ. ୧୪ଶ ଶତକର ମଧ୍ୟ ଭାଗରେ । ହରିହର ୧ମ (୧୩୩୬-୧୩୫୬) ଓ ବୁକ୍‌କ (୧୩୫୬-୧୩୭୭) ଏ ଦୁଇଜଣ ହିଁ ତାହାର ଶିଳାନ୍ୟାସ କରିଥିଲେ-ବିଖ୍ୟାତ ମାଧବ ବିଦ୍ୟାରଣ୍ୟ ଓ ତାଙ୍କ ଭାଇ ସୟନଙ୍କ ପ୍ରେରଣା ଓ ପରାମର୍ଶରେ ।

 

ବିଜୟନଗର ରାଜ୍ୟ ସ୍ଥାପିତ ହେବାର ବହୁ ପୂର୍ବରୁ ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଦେବ ଓଡ଼ିଶାରେ ଗଙ୍ଗବଂଶୀୟ ରାଜତ୍ୱ ପ୍ରତିଷ୍ଠିତ କରିଥିଲେ ।

 

(ଗ)

ଗଙ୍ଗବଂଶୀୟ ରାଜାମାନେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସ୍ୱୀକୃତି ଦେବାରେ ପରାଙ୍‌ମୁଖ ଥିବାର ଅନୁମିତ ହୁଏ । ସେତେବେଳେ ‘ଓଡ଼ିଆ ସଙ୍ଗୀତର ରାଗରାଗିଣୀ’ କଥାଟି ମଧ୍ୟ ଅବାନ୍ତର ଥିଲା । ଓଡ଼ିଶାରେ ସଙ୍ଗୀତଚର୍ଚ୍ଚା ବହୁ ପ୍ରାଚୀନ କାଳରୁ ଚଳି ଆସୁଥିଲା; ମାତ୍ର ‘ଓଡ଼ିଆ ସଙ୍ଗୀତର ରାଗରାଗିଣୀ’ କହିଲେ ଯେଉଁ ଅସ୍ପଷ୍ଟ ଭାବଚିତ୍ର ମାନସପଟ୍ଟରେ ଦେଖାଦିଏ, ଗଙ୍ଗବଂଶୀୟ ରାଜତ୍ୱ କାଳରେ ତାହାର ରୂପରେଖ କିପରି ଥିଲା- ତାହାର ଆଭାସ ମଧ୍ୟ ବର୍ତ୍ତମାନ ଅକଳ୍ପନୀୟ; କାରଣ ରାଗରାଗିଣୀ ସଞ୍ଚରଣଶୀଳ ଓ ଉଡ଼୍‌ଡ଼ୀୟମାନ ଧ୍ୱନିବିଶେଷ, ଯାହାର ରୂପ କାଳ୍ପନିକ, ତେଣୁ ରେଖା ଓ ଲେଖାର ଅତୀତ-

 

 

(ଘ)

କର୍ଣ୍ଣାଟକ ସଙ୍ଗୀତ ଓ ପଦ୍ଧତି କହିଲେ ଯାହା ବୁଝାଏ, ସେ ‘ପଦ୍ଧତି’ର ଆରମ୍ଭ ମଧ୍ୟ ଚତୁର୍ଦ୍ଦଶ ଶତାବ୍ଦୀର ତ ପୂର୍ବବର୍ତୀ ମୋଟେ ନୁହେଁ, ବରଂ ଖ୍ରୀ. ୧୫ଶ-୧୬ଶ ଶତାବ୍ଦୀ କହିବା ପାଇଁ ପ୍ରମାଣ ଅଛି ।

 

 

(ଙ)

ତା’ ଛଡ଼ା ଚଉପଦୀ ଓ ଚମ୍ପୂର ରାଗରାଗିଣୀ ଉପରେ ଦକ୍ଷିଣୀ କର୍ଣ୍ଣାଟକ ସଂଙ୍ଗୀତ ପଦ୍ଧତିର ପ୍ରଭାବ କିଛି କମ୍‌ ନୁହେଁ (କୋଣାର୍କ-ଏଜନ-ପୃ.୪୭-ପାରା୩) ବୋଲି ଲେଖକ ଯାହା କହିଛନ୍ତି ଖୁବ୍ ସହଜରେ ଓ ଦମ୍ଭରେ, ତାହାର ପ୍ରମାଣ ସେତେ ସହଜରେ କରି ହେବନାହିଁ

 

ତ୍ରୁଟି (୨୦)

 

‘‘ସଙ୍ଗୀତଶାସ୍ତ୍ରର ବିଧିବିଧାନ ଉପରେ ପ୍ରତିଷ୍ଠିତ ଓଡ଼ିଶୀ ସଙ୍ଗୀତ ଏକ ବିଶିଷ୍ଟ ପଦ୍ଧତିର ସଙ୍ଗୀତ ରୂପେ ସର୍ବଭାରତୀୟ ମର୍ଯ୍ୟାଦା ଲାଭ କରିଛି । ଏ ସଙ୍ଗୀତ ଗୁଡ଼ିକର ଏକ ଦିଗରେ ଯେପରି ରହିଛି ସ୍ୱର ମାଧୁର୍ଯ୍ୟ, ଅନ୍ୟ ଦିଗରେ ରହିଛି ସେପରି ଭାବର ଗୁମ୍ଫନ । ଏହାର ଭାବସମ୍ପଦ ଓ ଅନୁପ୍ରାସ-ମଞ୍ଜୁଳ ଶ୍ରବଣ ସୁଖକର ଭାଷା ଏହାକୁ ସାହିତ୍ୟିକ ମର୍ଯ୍ୟାଦା ଦାନ କରିଛି-। ଭାରତର କର୍ଣ୍ଣାଟକ କିମ୍ୱା ହିନ୍ଦୁସ୍ଥାନୀ ସଙ୍ଗୀତରେ ଏ ପ୍ରକାର ସାହିତ୍ୟିକ ମର୍ଯ୍ୟାଦା କ୍ୱଚିତ ପରିଲକ୍ଷିତ ହୁଏ ।’’

(କୋଣାର୍କ-ଏଜନ-ପୃ:୫୦-ପାରା-୩)

 

ମନ୍ତବ୍ୟ:- ଅନେକ ସଙ୍ଗୀତର ‘ସ’ ନ ଜାଣି ସମାଲୋଚନା ସମୁଦ୍ରରେ ସନ୍ତରଣଶୀଳ ହେବାକୁ ଯାଇ ଏପରି ଅନଧିକାର ଚର୍ଚ୍ଚା ସହଜରେ କରିଥାଆନ୍ତି ।

 

ଓଡ଼ିଶୀ ସଙ୍ଗୀତର ‘ପଦ୍ଧତି’ ଏ ପର୍ଯ୍ୟନ୍ତ ଅନିର୍ଦ୍ଧାରିତ । ‘ପଦ୍ଧତି’ ନିର୍ଦ୍ଧାରଣ ନିମନ୍ତେ ନିକଟରେ ପୁରୀଠାରେ ‘ଓଡିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି-। ଓଡିଶାର ସଙ୍ଗୀତ ବା ଓଡିଶୀ ସଙ୍ଗୀତ ଶାସ୍ତ୍ରର ବିଧିବିଧାନ ଉପରେ ପ୍ରତିଷ୍ଠିତ ବା ନୁହେଁ ତାହା ମଧ୍ୟ ବିଚାରଣୀୟ ।

 

ସାହିତ୍ୟିକ ମର୍ଯ୍ୟାଦା ଲାଭ ଅପେକ୍ଷା ସାଙ୍ଗୀତିକ ମର୍ଯ୍ୟାଦା ଲାଭ ସଙ୍ଗୀତ ପକ୍ଷରେ ବାଞ୍ଛନୀୟ ।

ଭାରତର କର୍ଣ୍ଣାଟକୀ ସଙ୍ଗୀତରେ ସାହିତ୍ୟିକ ମର୍ଯ୍ୟାଦା କ୍ୱଚିତ୍ ପରିଲକ୍ଷିତ ହୁଏ ବା ହୁଏ ନାହିଁ ଏହା କେବଳ ସେଇମାନେ କହିବାର ସାଜେ, ଯେଉଁମାନେ ସଙ୍ଗୀତ ବୁଝନ୍ତି, ସାହିତ୍ୟ ବୁଝନ୍ତି, କର୍ଣ୍ଣାଟକ ସଙ୍ଗୀତ ଓ ସାହିତ୍ୟ ବୁଝନ୍ତି ଓ ବୁଝି ଏପରି ମତ ଦେବା ଭଳି ଅଭିଜ୍ଞତା ଲାଭ କରିଛନ୍ତି । ମୁଁ ଯେତେଦୂର ଜାଣେ କର୍ଣ୍ଣାଟକ ସଙ୍ଗୀତର ସାହିତ୍ୟ ଦିଗଟି ଓଡିଶୀ ସଙ୍ଗୀତର ସାହିତ୍ୟଦିଗ ଅପେକ୍ଷା ଉଜ୍ଜ୍ୱଳତର ଏବଂ ସେଇ ସାହିତ୍ୟିକ ଔଜ୍ଜଲ୍ୟ ହିଁ ଉଭୟର ସାଙ୍ଗୀତିକ ଉତ୍କର୍ଷ ପକ୍ଷରେ ଅଶଂତଃ ଅନ୍ତରାୟ ।

 

ହିନ୍ଦୁସ୍ତାନୀ ସଙ୍ଗୀତ ମଧ୍ୟ ଦିନେ ସେଇ ମର୍ଯ୍ୟାଦାଗ୍ରସ୍ତ ଥିଲା; ପ୍ରାୟ ଦୁଇଶହ ବର୍ଷ ହେଲା ସେଇ ଅବାଞ୍ଛନୀୟ ମର୍ଯ୍ୟାଦାର ମୋହରୁ ମୁକ୍ତିଲାଭ କରି ତାହା ସ୍ୱରର ସ୍ୱଧୀନ ଓ ସ୍ୱଚ୍ଛନ୍ଦ ବିଳାସରେ ଲୀଳାୟମାନ ଓ ସାଙ୍ଗୀତିକ ଉତ୍କର୍ଷର ସମୁନ୍ନତ ସ୍ତରରେ ବିଦ୍ୟମାନ ।

 

ତ୍ରୁଟି (୨୧)

 

‘‘ଦକ୍ଷିଣାଞ୍ଚାଳର ଗାୟିକାମାନେ ସୁରଟ ଓ ବେହାଗ ରାଗିଣୀର ଗୀତମାନ ଗାଇବାରେ କୃତିତ୍ୱ ଅର୍ଜନ କରିଥିଲେ ।’’

(‘କୋଣାର୍କ’-ଏଜନ-ପୃ: ୫୧-ପାରା-୧)

 

ମନ୍ତବ୍ୟ:- ସତେ ଯେପରି ସୁରାଟ ଓ ବେହାଗ ଗୋଟିଏ ଗୋଟିଏ ଦୁଃସାଧ୍ୟ ରାଗିଣୀ ! ସତେ ଯେପରି ଅନ୍ୟ ରାଗରାଗିଣୀ ପ୍ରତି ସେମାନେ ଥିଲେ ବିରାଗିଣୀ । ମନେହୁଏ ସେମାନେ ‘ସୁରତ’ ରାଗିଣୀର ଥିଲେ ସର୍ବାପେକ୍ଷା କୃତିତ୍ୱବନ୍ତୀ-ଏଇ କଥା କୁହା ହୋଇଥିଲେ ଅଭିଜ୍ଞତାଜନିତ ତଥ୍ୟ ବୋଲି ପାଠକେ ଖୁସି ହୋଇ ଥାଆନ୍ତେ ଟିକିଏ ।

 

ତ୍ରୁଟି (୨୨)

 

‘‘ଲିପିତତ୍ତ୍ୱବିତ୍ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ମତରେ କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ସଙ୍ଗୀତ ଅତୁଳନୀୟ । ଦକ୍ଷିଣ ଭାରତରେ ଅଦ୍ୟାପି ତାଙ୍କର ସଙ୍ଗୀତ କର୍ଣ୍ଣାଟକ ସଙ୍ଗୀତର ନିୟାମକ ରୂପେ ସ୍ୱୀକୃତି ଲାଭ କରିଛି ।’’

(‘କୋଣାର୍କ-ଏଜନ.ପୃ.୫୨-ପାରା ୩)

 

ମନ୍ତବ୍ୟ:- ଦକ୍ଷିଣ ଭାରତରେ କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ସଙ୍ଗୀତ କର୍ଣ୍ଣାଟକ ସଙ୍ଗୀତର ନିୟାମକ ହେବା ତ ଦୁରର କଥା, ତାଙ୍କ ନାମ ସୁଦ୍ଧା ସେ ସଙ୍ଗୀତରେ ନାହିଁ ।

 

ତ୍ରୁଟି (୨୩)

 

ହରିବନ୍ଧୁ ବେବର୍ତ୍ତାଙ୍କ ସମ୍ପର୍କରେ ଲେଖା ହୋଇଛି, ‘‘ତା ଛଡ଼ା କବି ଗୋପାଳକୃଷ୍ଣଙ୍କ ପରି ତେଲୁଗୁ ରାଗରାଗିଣୀ ଓ ତାଳର ଉଲ୍ଲେଖ ମଧ୍ୟ ବିଭିନ୍ନ ଚୌପଦୀର ଆରମ୍ଭରେ କରିଛନ୍ତି ଯଥା-‘‘ନାରାୟଣା ନୀପ ଦାମୁଲୁ ନାମ୍ମିତି ପ୍ରତି,’’ ଆତା ବାବିରୀକୁ ଆମ୍ପେରୁମା ମାୟେ ପ୍ରତି; ମୋ ସମୟାନେ ନା ବୁଦ୍ଧିକି ପ୍ରତି; ନିନ୍ନେ ନାମିନାନୁ ନିରାଜାନାୟାନା ପ୍ରତି; ୟା ବାତେ ତାଲୁ ନାମ୍ମୀ ଇନାଡ଼ା ତାଲାକେ ପ୍ରତି ଇତ୍ୟାଦି ।’’

(‘କୋଣାର୍କ’-ଏଜନ-ପୃ:୫୩-୧ମ ପାରା)

ମନ୍ତବ୍ୟ:- ଏଗୁଡ଼ିକ କ’ଣ ତେଲୁଗୁ ରାଗରାଗିଣୀ ଓ ତାଳ ?

 

ତ୍ରୁଟି (୨୪)

 

‘‘ତେଲୁଗୁ ସଙ୍ଗୀତର ‘କୃତ୍ତି ପଲ୍ଲବୀ’ ରାଗ ଅବଲମ୍ବନରେ ସେ ଓଡ଼ିଆ ସଙ୍ଗୀତ ଲେଖିବାକୁ ଆରମ୍ଭ କରିଥିଲେ ।’’

(‘କୋଣାର୍କ’-ଏଜନ-ଶେଷପାରା)

 

ମନ୍ତବ୍ୟ:- ଦକ୍ଷିଣ ଭାରତୀୟ ସଙ୍ଗୀତର ‘କୃତି’ ଓ ‘ପଲ୍ଲବୀ’ ଦୁଇପ୍ରକାର ରଚନା ବିଶେଷ ବୋଲି ନ ଜାଣି ‘କୃତ୍ତିପଲ୍ଲବୀ ରାଗ’ ବୋଲି ଲେଖିପାରନ୍ତି । ତାଙ୍କ କୃତିତ୍ୱର ଓ କୃତିର ତ୍ରୁଟିଗୁଡ଼ିକୁ ଆଉ ପଲ୍ଲବିତ କରିବା ଅନାବଶ୍ୟକ।

 

ଉପରେ ଯେଉଁସବୁ ତ୍ରୁଟି ପ୍ରଦର୍ଶିତ ହେଲା ଏବଂ ବାସ୍ତବ ତଥ୍ୟର ଭିତ୍ତି ଉପରେ ସମାଲୋଚିତ ହେଲା ତାହା ଛଡ଼ା ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି, ଯାହା ଅତଃପର ଏ ଲେଖାରେ ଆଲୋଚିତ ହେଉଛି ।

 

ପ୍ରଥମ କଥା ବୈଦିକ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ଯଥାର୍ଥ ‘ପରମ୍ପରା’ ପ୍ରକାଶିତ ହେବା ସମ୍ଭବପର ନୁହେଁ । ବିଶେଷରେ, ଭାରତୀୟ ସଙ୍ଗୀତର ଶାସ୍ତ୍ର ପରମ୍ପରା ଯେପରି ସୁଦୀର୍ଘ ତାହାର ପରିଣାହ ମଧ୍ୟ ତଦ୍ରୂପ ବିଶାଳ । ପରମ୍ପରା କହିଲେ ଯେଉଁ ବିବର୍ତ୍ତମାନ ଅଖଣ୍ଡତା ସୂଚିତ ହୁଏ ତାହାର ଆଲୋଚନା କେବଳ ସଙ୍ଗୀତ କଳା ବିଷୟକ ସନ୍ଦର୍ଭର ଅଙ୍ଗୀଭୂତ ହେବା ଶୋଭନୀୟ ଓ ସମ୍ଭବପର ଏବଂ କେବଳ ସେହି ବ୍ୟକ୍ତି ପକ୍ଷରେ ସମ୍ଭବପର ଯେ ଉଦ୍ଭୟ ସଙ୍ଗୀତ କଳାମର୍ମଜ୍ଞ ଓ ସଙ୍ଗୀତଶାସ୍ତ୍ରରେ ବହୁଦର୍ଶୀ । ପୁଣି, ଯେ କୌଣସି କଳାର ପରମ୍ପରା ତତ୍ କଳା ବିଷୟକ ଶାସ୍ତ୍ର ଓ ଗ୍ରନ୍ଥମାନଙ୍କରେ ଉପଲଭ୍ୟ, ଅନ୍ୟତ୍ର ନୁହେଁ । ଅବଶ୍ୟ, ‘ଚତୁର୍ବର୍ଗ ଫଳାବାପ୍ତି’ ମଧ୍ୟ ସାଧୁ କାବ୍ୟର ଅନ୍ୟତମ ଲକ୍ଷ୍ୟ ରୂପେ ଭାରତୀୟ ଆଳଙ୍କାରିକମାନଙ୍କଦ୍ୱାରା ସ୍ୱୀକୃତ ହୋଇଥିବାରୁ ସଂସ୍କୃତ କାବ୍ୟସାହିତ୍ୟରେ ନାନା ବିଷୟକ ଚର୍ଚ୍ଚା ବା ସେହି ବିଷୟକ ଉପାଦନର କାବ୍ୟିକ ଉପଯୋଗ କରାହୋଇଥିବା ଦେଖାଯାଏ । ସଂସ୍କୃତ କାବ୍ୟପ୍ରଭାବ ହେତୁ ଓଡ଼ିଆ ରୀତି-ସାହିତ୍ୟ ମଧ୍ୟ ସେଇ ପନ୍ଥା ଅନୁସୃତ ହୋଇଛି । ମାତ୍ର ତା’ଭିତରେ କୌଣସି ପରମ୍ପରା ଆବିଷ୍କାର କରିବାକୁ ଯିବା ଏକ ଦୁରାଗ୍ରହ । ତେବେ ଓଡ଼ିଆ ରୀତି-ସାହିତ୍ୟରେ ସଙ୍ଗୀତଶାସ୍ତ୍ରର ନୁହେଁ, ‘ସଙ୍ଗୀତ ରଚନା’ର ପରମ୍ପରା ବହୁଧା କେବଳ ପ୍ରତିଫଳିତ ନୁହେଁ, ବରଂ ପ୍ରତିପାଳିତ ହୋଇଛି; କାରଣ ସେ ସାହିତ୍ୟ ଥିଲା ସଙ୍ଗୀତାଶ୍ରୟୀ, ସଙ୍ଗୀତମୟ ଓ ସଙ୍ଗୀତପ୍ରିୟ । ସଙ୍ଗୀତର ସ୍ୱର, ରାଗ ଓ ଗୀତ ରଚନା ଶୈଳୀରେ ଥିଲା ତା’ର ଗଭୀର ଅନୁରାଗ; ତା’ର ଶିରାପ୍ରଶିରାରେ ସ୍ପନ୍ଦିତ ହେଉଥିଲା ବିଶୁଦ୍ଧ କାବ୍ୟଛନ୍ଦ ନୁହେ, ସଙ୍ଗୀତର ତାଳଭିତ୍ତିକ ବା ତାଳାନୁଗ ଛନ୍ଦ । ବସ୍ତୁତଃ, ଆମ ଦେଶରେ ସଙ୍ଗୀତ ଓ ସାହିତ୍ୟ ପରସ୍ପରର ନିବିଡ଼ ଆଲିଙ୍ଗନ ଭିତରେ ରହିଲେ ଦୀର୍ଘକାଳ ଓ ହୋଇଗଲେ ପ୍ରାୟ ଏକରୂପ ଓ ଏକାତ୍ମ; କିଏ ସାହିତ୍ୟ କିଏ ସଙ୍ଗୀତ ବାରି ହେଲାନାହିଁ କହିଲେ ଚଳେ ।

 

‘‘ଧର୍ମାର୍ଥ କାମ ମୋକ୍ଷେଷୁ ବୈଚକ୍ଷଣଂ କଳାସୂଚ ।

କରୋତି କୀର୍ତ୍ତିଂ ପ୍ରୀତିଂ ଚ ସାଧୁ କାବ୍ୟ ନିବନ୍ଧନମ୍।।’’

-କାବ୍ୟାଳଙ୍କାର (ଭାମହ)-୧/୨

 

ସଂସ୍କୃତ ସାହିତ୍ୟରେ ଉତ୍କଳୀୟ ମହାକବି ଓ ଗୀତକାର ଜୟଦେବଙ୍କ ‘ଗୀତଗୋବିନ୍ଦ’ ରଚନାର ପ୍ରଭାବ ପଡ଼ିଥିଲା ଗଭୀର ଭାବରେ । ଏହାର ଅନୁକରଣରେ ଶତାଧିକ କାବ୍ୟ ପ୍ରଣୀତ ହୋଇଥିଲା, ଯହିଁରେ ସଙ୍ଗୀତର ରାଗତାଳର ପ୍ରଚୁର ଉପଯୋଗ ହୋଇଥିଲା । ଜୟଦେବଙ୍କ ଆବିର୍ଭାବ ପୂର୍ବେ ସଂସ୍କୃତ ସାହିତ୍ୟରେ ସଙ୍ଗୀତକଳାର ସେପରି ସାଦର ପ୍ରୟୋଗ ହେଉ ନ ଥିଲା । ମାତ୍ର ମହାକବି ଜୟଦେବ ସଂସ୍କୃତ ସାହିତ୍ୟ ଓ ସଙ୍ଗୀତ ମଧ୍ୟରେ ଘଟାଇଥିଲେ ‘ରାଧାମାଧବ ମିଳନ’, ଅପୂର୍ବ ସମନ୍ୱୟ । କାଳକ୍ରମେ ସଂସ୍କୃତ ସାହିତ୍ୟ ପ୍ରଭାବରେ ସଙ୍ଗୀତ ରଚନାର ସମ୍ଭାର ବାରି ଏକ ନୂତନ ଗୀତିମୁଖର ଶାଖାର ଉତ୍ପତ୍ତି ଘଟାଇଥିଲା । ତଥାପି, ଓଡ଼ିଆରେ ପ୍ରାୟ ୧୫ଶ- ୧୬ଶ ଶତାବ୍ଦୀରୁ ସଙ୍ଗୀତକୁ ଛାଡ଼ି ସାହିତ୍ୟ ଯେପରି ସ୍ୱତନ୍ତ୍ର ସ୍ଥିତିରେ ରହିନାହିଁ, ସଂସ୍କୃତ ସାହିତ୍ୟରେ ସେ ଅବସ୍ଥା ଦେଖା ଦେଇ ନଥିଲା । ଜୟଦେବୀୟ ଆଦର୍ଶର ଅନୁକୃତି ଓ ସେଭଳି ସଙ୍ଗୀତ ମିଶ୍ରିତ ରଚନାର ବିକାଶ ସତ୍ତ୍ୱେ ସଂସ୍କୃତରେ ଆବୃତ୍ତିମୂଳକ, ଅ-ଗେୟ ସାହିତ୍ୟ ରଚନା ଧାରା ପ୍ରାୟ ଅବ୍ୟାହତ ରହିଥିଲା । ମାତ୍ର ଓଡ଼ିଆରେ ସାହିତ୍ୟ ଓ ସଙ୍ଗୀତର ଯୁଗଳ ମିଳନ ଓ ନିରବଚ୍ଛିନ୍ନ ସୁଦୀର୍ଘ ସହବାସ ୧୯ଶ ଶତାବ୍ଦୀର ଶେଷଯାଏ ରହିଥିଲା କହିଲେ ଚଳେ । ନବଯୁଗର ପ୍ରବର୍ତ୍ତକ ରୂପେ ସାଧାରଣତଃ ସ୍ୱୀକୃତ ହେଉଥିବା କବିବର ରାଧାନାଥ ମଧ୍ୟ ତାଙ୍କର ବହୁସଂଖ୍ୟକ କାବ୍ୟରେ ସଙ୍ଗୀତକୁ ସ୍ଥାନ ଦେଇଛନ୍ତି; ରାଧାନାଥଙ୍କ କନିଷ୍ଠ ସମସାମୟିକ ଗଙ୍ଗାଧର ଦେଇଛନ୍ତି ତତୋଽଧିକ । ସାହିତ୍ୟ ଓ ସଙ୍ଗୀତର ଅଙ୍ଗାଙ୍ଗି ସମ୍ପର୍କ କିଭଳି କାମ୍ୟ ମନେ କରାଯାଉଥିଲା ତାହାର ଚରମ ପ୍ରମାଣ ଦିଏ ଯଦୁମଣି ରାଉତରାୟକୃତ ‘କବି କଳ୍ପଦ୍ରୂମ’ । ଓଡ଼ିଆ ସାହିତ୍ୟର ଏକ ଅଳଙ୍କାର ଗ୍ରନ୍ଥ ହୋଇଥିଲେ ହେଁ ତହିଁରେ ‘ଗୀତପ୍ରକାଶ’ ନାମକ ସଂସ୍କୃତ ସଙ୍ଗୀତ ଗ୍ରନ୍ଥର ଓଡ଼ିଆ ସାର ସଂଗ୍ରହଭୂତ ‘ଗୀତ ପ୍ରକାଶ-ବୋଲି’ ସହିତ ଅନ୍ୟ ସଙ୍ଗୀତ ଗ୍ରନ୍ଥର ଆଂଶିକ ସମାବେଶ ଦେଖାଯାଏ-*

 

*      ଆଶ୍ଚର୍ଯ୍ୟ ଲାଗେ, ଶଂସିତ ଲେଖାରେ ଅନ୍ୟାନ୍ୟ ଅନେକ ଓଡ଼ିଶା ପ୍ରଣୀତ ସଙ୍ଗୀତ ଗ୍ରନ୍ଥର ଉଲ୍ଲେଖ କରାହୋଇଥିଲେ ହେ ‘କବିକଳ୍ପଦ୍ରୁମ’ର ଅଙ୍ଗୀଭୂତ ଓଡ଼ିଆ ସଙ୍ଗୀତଗ୍ରନ୍ଥ ‘ଗୀତ ପ୍ରକାଶ ବୋଲି’ ଉପେକ୍ଷିତ ହୋଇଛି । ବସ୍ତୁତଃ ଏଇ ଗୀତ ପ୍ରକାଶ ବୋଲି’ରୁ ହିଁ ସାଙ୍ଗୀତିକ ପରିଭାଷା ଓ ଉପାଦନ ଆହରଣ କରି ଅନେକ ଓଡ଼ିଶା କାବ୍ୟକାର ନିଜର ସଙ୍ଗୀତଗ୍ରନ୍ଥଦର୍ଶିତା ପ୍ରଦର୍ଶନ କରିଥିବେ ବୋଲି ଅନୁମିତ ହୁଏ । ‘କବିକଳ୍ପଦ୍ରୁମ’ ଓଡ଼ିଶା ସାଂସ୍କୃତିକ ବ୍ୟାପାର ବିଭାଗଦ୍ୱାରା ଅନେକ ବର୍ଷ ପୂର୍ବେ ସମ୍ପାଦିତ ଓ ପ୍ରକାଶିତ ହୋଇସାରିଛି । ତାହାର ରଚନାକାଳ ଖ୍ରୀ: ୧୬୩୪ ବୋଲି ତତ୍‌ସମ୍ପାଦକଙ୍କର ମତ ।

 

ସଂସ୍କୃତ ସାହିତ୍ୟରେ କାଳିଦାସ, ବାଣଭଟ୍ଟ, ସୁବନ୍ଧୁ, ମାଘ ପ୍ରଭୃତି ମହାକବିମାନଙ୍କ ବିଶେଷତଃ ଅଗ୍ରଗଣ୍ୟ ମହାକବି କାଳିଦାସଙ୍କ ରଚନାରେ, ଏପରିକି ଆଦିକବି ବାଲ୍ମୀକିଙ୍କ ରାମାୟଣରେ ମଧ୍ୟ ସଙ୍ଗୀତ ବା ଗନ୍ଧର୍ବର ପରିଭାଷା ଓ ଉପାଦାନର ଚତ୍ମକାରମୟ, ଲୋଭନୀୟ ଓ ଉପାଦେୟ ଉପଯୋଗ ଦେଖାଯାଏ । ସେହି ଉପଯୋଗ ଗନ୍ଧର୍ବ ବା ସଙ୍ଗୀତର ତତ୍ତ୍ୱ ଓ କଳା ଉଭୟ ବିଭାବ ଉପରେ ପ୍ରଭୁତ ଆଲୋକପାତ କରେ ଓ ପ୍ରମାଣିତ କରେ ଯେ ତତ୍‌କବିକୁଳ ଥିଲେ ଯଥାର୍ଥ କଳବିତ । ସେମାନେ ସ୍ଥଳବିଶେଷରେ ସଂଗୀତଶାସ୍ତ୍ର ଓ ଗ୍ରନ୍ଥର ପ୍ରଣେତାମାନଙ୍କ ଜ୍ଞାନକୁ ନିଷ୍ପ୍ରଭ କଲାଭଳି ତାତ୍ତ୍ୱିକ ଓ ପ୍ରୟୋଗିକ ଜ୍ଞାନର ସମୁଜ୍ଜ୍ୱଳ ନିଦର୍ଶନମାନ ନିଜ ନିଜର କାବ୍ୟକୃତିରେ ରଖିଯାଇଛନ୍ତି ।

 

ଦୁଃଖରେ କଥା, ବୈଦିକ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ସଂଗୀତଶାସ୍ତ୍ର ଓ ସଂଗୀତ ରଚନାର ପରମ୍ପରା ପ୍ରତିପାଦନ ପାଇଁ ସମାଲୋଚ୍ୟମାନ ଲେଖାରେ ବୈଦିକ ସାହିତ୍ୟକୁ ସ୍ପର୍ଶ ମାତ୍ର କରାଯାଇ ଓଡ଼ିଆ ସାହିତ୍ୟରେ ପଲ୍ଲବଗ୍ରାହୀ ପ୍ରବେଶ ପ୍ରଦର୍ଶିତ ହୋଇଥିଲେ ହେଁ କାଳିଦାସଙ୍କ ପ୍ରଚଣ୍ଡ-ପ୍ରତିଭା-ପାଣ୍ଡିତ୍ୟ ପ୍ରସୂତ ସଂସ୍କୃତ ସାହିତ୍ୟକୁ ସମ୍ପୂର୍ଣ୍ଣ ଉପେକ୍ଷା କରାହୋଇଛି । ସେଥିପାଇଁ ‘କୋଣାର୍କ’ରେ ଦୀର୍ଘ ଉଦ୍ଧୃତି ପାଇଁ ସ୍ଥାନାଭାବ ସମ୍ପର୍କରେ ସଚେତନ ହୋଇ ସୁଦ୍ଧା ଏଠାରେ କେବଳ ମହାକବି କାଳିଦାସଙ୍କ ‘ମାଳବିକାଗ୍ନି ମିତ୍ର’ରୁ ଗୋଟିଏ ଦୁଇଟି ମନୋଜ୍ଞ ପଦ୍ୟ ଉଦ୍ଧାର କରିବାର ଲୋଭ ସମ୍ବରଣ କରିହେଉ ନାହିଁ ।

 

(୧) ଦୀର୍ଘାକ୍ଷଂ ଶରବିନ୍ଦୁ କାନ୍ତିବଦନଂ ବାହୂ ନତାବଂସୟୋଃ

ସଂକ୍ଷିପ୍ତଂ ନିବିଡ଼ୋନ୍ନତସ୍ତନମୁରଃ ପାର୍ଶ୍ୱେ ପ୍ରମୃଷ୍ଟେ ଇବ ।

ମଧ୍ୟଃ ପାଣିମିତେଽମିତଞ୍ଚ ଜଘନଂ ପାଦାବରାଳାଙ୍ଗୁଳୀ

ଛନ୍ଦୋ ନର୍ତୟିତୁର୍ଯଥୈବ ମନସି ଶ୍ଳିଷ୍ଟଂ ତଥାସ୍ୟଃ ବପୁଃ ।।

(ମା: ମି:-୨-୩)

 

ନୃତ୍ୟଶାସ୍ତ୍ର ଓ ଗ୍ରନ୍ଥମାନଙ୍କରେ ପାତ୍ରଲକ୍ଷଣ (ଅର୍ଥାତ୍ ନୃତ୍ୟ ଶିକ୍ଷାର୍ଥିନୀ ଓ ନର୍ତ୍ତକୀମାନଙ୍କର ଅବୟବ ଓ ଅଙ୍ଗ ପ୍ରତ୍ୟଙ୍ଗ, ଉପାଙ୍ଗ ପ୍ରଭୃତିର ଗଠନ କିଭଳି ହୋଇଥିବା ଉଚିତ୍ ସେହି) ସମ୍ପର୍କରେ ଅନେକାନେକ ଶ୍ଳୋକ ବା କାବ୍ୟର ଅବତାରଣା ଦେଖିବାକୁ ମିଳେ । ମାତ୍ର ‘ମାଳବିକାଗ୍ନି ମିତ୍ର କୌଣସି ନିତ୍ୟଗ୍ରନ୍ଥ ନ ହୋଇ ଦୃଶ୍ୟ କାବ୍ୟଟିଏ ହୋଇଥିଲେ ସୁଦ୍ଧା ଉପର ଉଦ୍ଧୃତ ପଦ୍ୟଟି-ଗୋଟିଏ ମାତ୍ର ପଦ୍ୟରେ-ସତେ ଯେପରି ସେ ସବୁର ‘ନବନୀତ’ ରଖି ଦେଇଛନ୍ତି ଗୋଟିଏ କାରୁକାର୍ଯ୍ୟମୟ ରାଜକୀୟ ରତ୍ନ ପାତ୍ରରେ, ସୁସଜ୍ଜିତ ଭାବରେ । ଅବଶ୍ୟ, ଏହା ବି ସମ୍ଭବପର ଯେ କାଳିଦାସଙ୍କ ପରବର୍ତ୍ତୀ ନିତ୍ୟଗ୍ରନ୍ଥକାରମାନେ ପାତ୍ରଲକ୍ଷଣ ପ୍ରସଙ୍ଗରେ ମହାକବି, ବିଦଗ୍‌ଧ ସୌନ୍ଦର୍ଯ୍ୟସାଧକ କାଳିଦାସଙ୍କ ଠାରେ ୠଣୀ । ଯାହା ହୋଇଥାଉ, ଉଦ୍ଧୃତ ପଦ୍ୟରେ ନୃତ୍ୟଶିକ୍ଷାର୍ଥିନୀ ମାଲବିକାର ‘ଶିଖ’ରୁ କ୍ରମଶଃ ‘ନଖ’ ଯାଏ ଅତି ସଂକ୍ଷେପରେ, ହୁଏତ ମାତ୍ର ଗୋଟିଏ ଗୋଟିଏ ପଦରେ ଥୋଇ ଦେଇଛନ୍ତି । ପଦର ତୃତୀୟ ପାଦର ପ୍ରାନ୍ତ ଭାଗରେ ଖଚିତ ‘ପଦାବରାଳାଙ୍ଗଳୀ’ ପଦଦ୍ୱୟ ନୃତ୍ୟକଳା ଦୃଷ୍ଟିରୁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ; କାରଣ ପ୍ରାୟ ପ୍ରତ୍ୟେକ ନୃତ୍ୟକଳା ବିଷୟକ ଶାସ୍ତ୍ର ଓ ଗ୍ରନ୍ଥରେ ‘ଅରାଳ ହସ୍ତ’ ନାମକ ଏକ ମୁଦ୍ରା ବିଶେଷର ସଂଜ୍ଞା ସ୍ୱରୂପ ଓ ବିନିଯୋଗ ଦେଖିବାକୁ ମିଳେ, ଯଦିଓ ‘ଅରାଳ’ ଶବ୍ଦଟିର ସାମାନ୍ୟ ଅର୍ଥ ହେଉଛି ବକ୍ର, ନତ ପ୍ରଭୃତି-

 

ପଦ୍ୟର ଶେଷରେ ମହାକବି ଥୋଇଛନ୍ତି ଅଶେଷଭାବଦ୍ୟୋତକ ଚମତ୍କାର ସଦୁକ୍ତିଟିଏ । ସେ କହୁଛନ୍ତି ମାଲବିକାର କଳେବର ଏପରି ‘ଶ୍ଳିଷ୍ଟ’ ବା ସୁଗଠିତ ଯେ ନୃତ୍ୟାଚାର୍ଯ୍ୟଙ୍କ ଚିତ୍ତରେ ଯେଉଁ ବିଭିନ୍ନ ପ୍ରକାର ଛନ୍ଦୋବଦ୍ଧ ସୌନ୍ଦର୍ଯ୍ୟ ନୃତ୍ୟ-ମାଧ୍ୟମରେ ରୂପାୟିତ କରିବାର ଅଭିଳାଷ ଉଦିତ ହୁଏ ସେ ସବୁର ସଫଳ, ସରସ ଓ ସାର୍ଥକ ରୂପାୟନ ପାଇଁ ତା’ର କଳେବରଶୋଭୀ ବିଭିନ୍ନ କମନୀୟ ଓ ନମନୀୟ ଅଙ୍ଗ ଆଦର୍ଶ ସ୍ଥାନୀୟ !

 

(୨) ଅଙ୍ଗୈରନ୍ତର୍ନିହିତବଚନୈଃ ସୁଚିତଃ ସମ୍ୟଗର୍ଥଃ

ପାଦନ୍ୟାସୋ ଲୟମୁପଗତସ୍ତନ୍ମୟତ୍ୱଂ ରସେଷୁ ।

ଶାଖାଯୋନିମୁଁ ଦୁରଭିନୟସ୍ତଦ୍ ବିକଳ୍ପାନୁ ବୃତ୍ତୌ

ଭାବୋ ଭାବିଂ ନୁବତି ବିଷୟାଦ୍ର ଗବନ୍ଧଃ ସ ଏବ ।।

(ଏଜନ-୮)

 

ଏଠାରେ ପ୍ରସଙ୍ଗତଃ ମନେ ପଡ଼ୁଚି ନନ୍ଦିକେଶ୍ୱରକୃତ ‘ଅଭିନୟଦର୍ପଣ’ ନାମକ ଏକ ପ୍ରାଚୀନ ନୃତ୍ୟ ବିଷୟକ ଗ୍ରନ୍ଥର ଗୋଟିଏ ସମଭାବାପନ୍ନ ଶ୍ଳୋକ-

 

ଆସ୍ୟେନାଲମ୍ବୟେଦ୍ ଗୀତଂ ହସ୍ତେନର୍ଥଂ ପ୍ରଦର୍ଶୟେତ୍ ।

ଚକ୍ଷୁର୍ଭ୍ୟଂ ଦର୍ଶୟେଦ୍ ଭାବଂ ପଦାଭ୍ୟାଂ ତାଳମାଚରେତ୍ ।।୩୭।।

(ଅଭିନୟ ଦର୍ପଣ)

 

ଉଦାହୃତ ପଦ୍ୟଦ୍ୱୟର ମର୍ମ ପ୍ରାୟ ସମାନ ମାତ୍ର ମହାକବିଙ୍କ ବାଣୀ କି ମର୍ମସ୍ପର୍ଶୀ ଓ ନନ୍ଦିକେଶ୍ୱରଙ୍କ କଥାଟି କି ଗଦ୍ୟଧର୍ମୀ ! ନନ୍ଦିକେଶ୍ୱର ଅବଶ୍ୟ କବିତ୍ୱ ପ୍ରଦର୍ଶନ କରିବା କଥା ନୁହେଁ; କିନ୍ତୁ ମହାକବିଙ୍କ ମାଲବିକାଗ୍ନି ମିତ୍ର ମଧ୍ୟ ନୁହେଁ । ତଥାପି, ଉଭୟଙ୍କ ବାଣୀ ତୁଳନା କରି ଦେଖିଲେ ଚିନ୍ତାଶୀଳ ପାଠକ ଦେଖି ପାରିବେ ଯେ ମହାକବିଙ୍କ ବାଣୀରେ ବରଂ ବ୍ୟଞ୍ଜିତ ହୋଇଚି ନୃତ୍ୟକଳାର ଆହୁରି ଅନେକ କଥା, ‘ଶାଖା’ ନୃତ୍ୟ ପରି ନୃତ୍ୟର ଭେଦବିଶେଷ କଥା ! ପୁଣି, ମହାକବିଙ୍କ ବାଣୀର ତାତ୍ପର୍ଯ୍ୟ-ମାଲବିକାର ପ୍ରତ୍ୟେକ ଅଙ୍ଗରେ ରହିଚି ବଚନ ରାଶିର ନିଭୃତ ନିଳୟ, ନୃତ୍ୟ ରଚନାକଳାରେ ଅଙ୍ଗନିଚୟ ହୁଏ ମୁଖର, ଅଙ୍ଗମାନଙ୍କର ସୁଚାରୁ ସଞ୍ଚାଳନରେ ଅଭିବ୍ୟକ୍ତି ଲାଭ କରେ ବଚନାତୀତ, ସୂକ୍ଷ୍ମତିସୂକ୍ଷ୍ମଭାବାର୍ଥ, ଲାସ୍ୟମୟୀ ମାଲବିକା ରସରାଶିର ମୂର୍ତ୍ତିମତୀ ବ୍ୟକ୍ତି । ସତେ, ମାଲବିକାର ନୃତ୍ୟରେ ବିମୁଗ୍ଧ ଦ୍ରଷ୍ଟା ନୟନରେ ଦେଖି ପାରୁଚି ଅରୂପ ‘ରସ’କୁ, ଚେତନାରେ ଆସ୍ୱାଦନ କରି ପାରୁଚି ‘ରସାବଳୀ’ ।

 

କେବଳ ମହାକବି କାଳିଦାସଙ୍କ ମାଲବିକାଗ୍ନି ମିତ୍ର ନୁହେଁ, ତାଙ୍କ ଅନ୍ୟାନ୍ୟ କାବ୍ୟକୃତିରେ, ସୁବନ୍ଧୁକୃତ ବାସବବତ୍ତା, ବାଣଭଟ୍ଟଙ୍କ ହର୍ଷଚରିତ, ମାଘପ୍ରଣୀତ ଶିଶୁପାଳବଧ ପ୍ରଭୃତି ଅନେକାନେକ କାବ୍ୟରେ ଗୀତ, ବାଦ୍ୟ, ନୃତ୍ୟ ପ୍ରଭୃତିର ଅନେକ ପାରିଭାଷିକ ଶବ୍ଦର ମନୋଜ୍ଞ ତଥା ତତ୍ତ୍ୱବାଚକ ପ୍ରୟୋଗଦ୍ୱାରା ଲୋକଶିକ୍ଷା ପାଇଁ କାବ୍ୟ ମାଧ୍ୟମରେ ନାନା ପ୍ରକାର କଳାବିଜ୍ଞାନର ଲୋଭନୀୟ, ସଂକ୍ଷିପ୍ତ ଆଂଶିକ ସମାବେଶ କରାଯାଇଥିବା ଦେଖାଯାଏ; ସଂସ୍କୃତ ପୁରାଣ ସାହିତ୍ୟରେ ତ ସେପରି ସମାବେଶ ଆହୁରି ବିସ୍ତୃତ ଓ ବ୍ୟାପକ ।

 

ମାତ୍ର ବୈଦିକ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ‘ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା’ ଏପରି ଶୀର୍ଷକରେ ପ୍ରକାଶିତ ଶଂସିତ ଲେଖାଟିରେ ସଂସ୍କୃତ ସାହିତ୍ୟରେ ରହିଥିବା ଶହ ଶହ ସଙ୍ଗୀତ ସଂପୃକ୍ତ ପଦ୍ୟରୁ ଗୋଟିଏ ବି ପଦ୍ୟ ଦୃଷ୍ଟାନ୍ତ ଦିଆ ନ ଯିବା କାରଣ କଅଣ ? ଯଦି ଯୁକ୍ତ କରାଯାଏ ଯେ ଲେଖକଙ୍କ ଆଲୋଚନାର ବିଷୟବସ୍ତୁ କେବଳ ଓଡ଼ିଆ ସାହିତ୍ୟ, ସଂସ୍କୃତ ସାହିତ୍ୟ ନୁହେଁ ତେବେ ଲେଖାର ଶୀର୍ଷକରେ ବୈଦିକ ଓ ସଂସ୍କୃତ ସାହିତ୍ୟର ଉଲ୍ଲେଖ ଅବାନ୍ତର ନୁହେଁ କି ?

 

ଏବେ ଓଡ଼ିଆ ସାହିତ୍ୟର କଥା ଦେଖାଯାଉ ।

 

କେବଳ ବାଗ୍‌ବାହୁଲ୍ୟ ହେଲେ ହେଁ ଏଠାରେ କହି ଦିଆଯାଉ ଯେ ଉତ୍ତର ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଅର୍ଥାତ୍ ମହାକବି ସାରଳ ଦାସଙ୍କ ସମୟରୁ ‘ପ୍ରବନ୍ଧପୂର୍ଣ୍ଣଚନ୍ଦ୍ର’ ପ୍ରଣେତା ଯଦୁମଣିଙ୍କ ହୁଏତ ଆହୁରି ଟିକିଏ ପରକାଳ ପର୍ଯ୍ୟନ୍ତ ଯେଉଁସବୁ କାବ୍ୟ ଏଯାଏ ମିଳିଚି ତହିଁରୁ ଅନେକଟି ପ୍ରଣୀତ ହୋଇଥିଲା ସଂସ୍କୃତ ରୀତିକାବ୍ୟର ପ୍ରେରଣାରେ । ସେ ଭଳି କାବ୍ୟ ପ୍ରତି ଶ୍ରଦ୍ଧାବଶତଃ ଓ କେତେକାଂଶରେ ପ୍ରତିସ୍ପଦ୍ଧ । ବଶତଃ ଓଡ଼ିଆ କାବ୍ୟରେ ମଧ୍ୟ ସଙ୍ଗୀତର ଅନେକ ପାରିଭାଷିକ ଶବ୍ଦର ଗତାନୁଗତିକ ବା ମନୋଜ୍ଞ ଉଲ୍ଲେଖ ଓ ପ୍ରୟୋଗ ପରିଦୃଷ୍ଟ ହୁଏ । ଗତ ପ୍ରାୟ ତିରିଶ ବର୍ଷ ଭିତରେ ଏଇ ଲେଖାର ଲେଖକ ସମେତ ଅନେକ ଓଡ଼ିଆ ଲେଖକ ବିଭିନ୍ନ ପତ୍ର ପତ୍ରିକାରେ ପ୍ରୋକ୍ତ ଉଲ୍ଲେଖ ଓ ପ୍ରୟୋଗ ଲୋକଲୋଚନକୁ ଅଂଶତଃ ଆଣି ସାରିଛନ୍ତି । ଅପ୍ରକାଶିତ ଓଡ଼ିଆ କାବ୍ୟମାନଙ୍କରେ ସେ ସବୁର ଆହୁରି ଅନେକ ନିଦର୍ଶନ ଅଛି । ସେଗୁଡ଼ିକ ମଧ୍ୟ ଆଲୋକ ଓ ଆଲୋଚନା ଭିତରକୁ ଆସିଲେ ଆମ ସାହିତ୍ୟର ସ୍ୱାଭିମାନ ଚରିତାର୍ଥ ହେବା ଦିଗରେ ଅଗ୍ରସର ହେବ ।

 

ମାତ୍ର ଡ: ବଳଙ୍କର ଶଂସିତ ନିବନ୍ଧରେ ଗୋଟିଏ ଆଡ଼ମ୍ବର ବ୍ୟଞ୍ଜକ ଶୀର୍ଷକରେ ପ୍ରୋକ୍ତ ନିଦର୍ଶନରୁ ଯେଉଁ କେତୋଟି ଉପସ୍ଥାପିତ ହୋଇଚି ତହିଁରୁ କେତୋଟିରେ କିପରି ବିଡ଼ମ୍ବନା ଘଟିଛି ଏବଂ ଓଡ଼ିଆ ସାହିତ୍ୟର ସ୍ୱଭିମାନ ଚରିତାର୍ଥ ହେବା ବଦଳରେ ତାହା କିପରି ଆହତ ଓ ଲାଞ୍ଚିତ ହୋଇଚି ତାହା ଏଠାରେ ପ୍ରଦର୍ଶିତ ଓ ନିରାକୃତ ହେଉ ।

 

ଏ ସମ୍ପର୍କରେ ଶଂସିତ ଗବେଷଣାତ୍ମକ ନିବନ୍ଧରେ ଉଦ୍ଧୃତ କରାହୋଇଚି ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ‘ର ଦୁଇଟି ପଦ ଯହିଁରେ କେତେକ ସଂଙ୍ଗୀତ ପାରିଭାଷିକ ଶବ୍ଦ କବି ବ୍ୟବହାର କରିଛନ୍ତି । ସ୍ପଷ୍ଟ ବୁଝାପଡ଼େ ଯେ ଲେଖକ ଡ: ବଳ ସେହି ଶବ୍ଦଗୁଡ଼ିକୁ ପାଠକମାନଙ୍କ ଦୃଷ୍ଟିକୁ ଆଣିବା ଉଦ୍ଦେଶ୍ୟରେ ବଡ଼ ହରଫରେ ଛପାଇଛନ୍ତି ଓ ତାଙ୍କ ଦୃଷ୍ଟିରେ ନାଦ, ମୂର୍ଚ୍ଛନା, ତାନ, ଜାତି, ଗ୍ରାମ, ରାଗ- ଏଇ ଛଅଟି ମାତ୍ର ସଙ୍ଗୀତ ପାରିଭାଷିକ ଶବ୍ଦ । ଉଦ୍ଧୃତିଟି ଅବିକଳ ଏଠାରେ ଉଦ୍ଧୃତ କରାଯାଉଚି କଥାଟିର ସ୍ପଷ୍ଟୀକରଣ ପାଇଁ-

 

‘‘କଉଁ ନାଦ, କଉଁ ଶ୍ରୁତି ସ୍ୱର

କଉଁ ମୂର୍ଚ୍ଛନା ତାନ ନିକର ।

କଉଁ ଜାତି ଗ୍ରାମ ରାଗ ରାଗି

କୃଷ୍ଣ ଆଜ୍ଞାକୁ ନାହାନ୍ତି ଜଗି ।’’

 

ମାତ୍ର ଏଇ ଉଦ୍ଧୃତିରେ ଶ୍ରୁତି, ସ୍ୱର ଓ ରାଗିଣୀ ଶବ୍ଦର ସଂକ୍ଷିପ୍ତ ରାଗି-ଏପରି ଆହୁରି ତିନୋଟି ସଙ୍ଗୀତ ପାରିଭାଷିକ ଶବ୍ଦ ଉପେକ୍ଷିତ ହୋଇଚି । ସାଧାରଣଜ୍ଞାନକୁ ପୁଞ୍ଜିକରି ଲେଖା ହୋଇଥିବା ନିବନ୍ଧରେ ଏହା ହୁଏତ ତ୍ରୁଟି ବୋଲି ବିବେଚିତ ହୋଇ ନ ଥାନ୍ତା ମାତ୍ର ଗୋଟିଏ ଗବେଷଣାତ୍ମକ ସନ୍ଦର୍ଭରେ ଏହା ଏକ ଧର୍ତବ୍ୟ ତ୍ରୁଟି । ବିଶେଷରେ, ‘ଝଙ୍କାର’ ୯ମ ବର୍ଷ ୯ମ ପ୍ରକାଶନରେ ‘‘ଦୀନକୃଷ୍ଣଙ୍କ’’ ‘ଛାୟାଲାଗେ’ ପ୍ରୀତିର ପ୍ରକୃତ ଅର୍ଥ’’ ଶୀର୍ଷକରେ ସ୍ଥାନିତ ଓ ଡଃ ବଳଙ୍କ ସନ୍ଦର୍ଭରେ ସ୍ୱୀକୃତ ବା ଅସ୍ୱୀକୃତ ଭାବରେ ବହୁ ସ୍ଥାନରେ ଉଦ୍ଧୃତ ଗୋଟିଏ ଲେଖାରେ (ପୃ:୮୫୫) ଏଇ ଉଦ୍ଧୃତିରେ ଥିବା ପ୍ରତ୍ୟେକ ସେଭଳି ଶବ୍ଦର ଅସ୍ତିତ୍ୱ ଦେଖାଇ ଦିଆ ଯାଇଥିବା ହେତୁ ସମାଲୋଚ୍ୟମାନ ଲେଖାରେ କେତେକ ସେଭଳି ଶବ୍ଦକୁ ଛାଡ଼ିଯିବା ଗଭୀର ଗବେଷଣାର ଅଭାବ ସୂଚିତ କରେ ।

 

ଉପରସ୍ତରରେ ଭାସମାନ ଗବେଷଣାର ଆଉ ଗୋଟିଏ ନମୁନା ଏଠି ଉପସ୍ଥାପିତ ହେବା ଦରକାର । ଶଂସିତ ଲେଖାର ୩୯ ପୃଷ୍ଠାରେ ଓଡ଼ିଆ କାବ୍ୟରାଜ୍ୟର ଜଣେ ସ୍ମରଣୀୟ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ‘ପ୍ରେମ ତରଙ୍ଗିଣୀ’ କାବ୍ୟର ୨୯/୮-୧୨ ରୂପେ ଚିହ୍ନିତ ହୋଇ ଦଶଟି ଧାଡ଼ି ଉଦ୍ଧୃତ ହୋଇଛି ଅବିକଳ ନିମ୍ନୋଦ୍ଧୃତ ଭାବରେ -
 

ଅନିର୍ବନ୍ଧ ନିର୍ବନ୍ଧ ଯେ ଦୁଇ ମତ ।

ଗୀତ ଗାନକରେ ସଖୀ ଯଥୋଚିତ।

ମାତୁ ଧାତୁ ଅଙ୍ଗ ଆଳାପ ମତରେ ।

ସୁଚିତ୍ରବନ୍ଧ ବିଧାନ ଯେ ପ୍ରକାରେ ।

 

ଢଳ ହୁଏ ପୁଣ କାଳକ୍ରିୟା ମାନ ।

ଗୁରୁ ଲଘୁପ୍ଳୁତ ବୃତ୍ତ ଯେ ବିରାମ ।।

ଆଦି ଯତି ନିଃସାରି ମଠଝମ୍ପକ ।

ପୁଣି ତିଅଡ଼ା ଜାଣ ଆଉ ରୂପକ ।।

 

ଏକତାଳୀ ପ୍ରାନ୍ତେ ସୂଚେ ଏ ପ୍ରଜ୍ଜ୍ୱଳି ।

ମଶ୍ରୁଲକ୍ଷଣା ଧ୍ରୁବଲକ୍ଷଣା ଭାଳି ।।

 

ହେଲେ ଏଇ ପାଞ୍ଚପଦମାତ୍ର ଉଦ୍ଧୃତିରୁ ସ୍ପଷ୍ଟ ସୂଚନା ମିଳେ ଯେ ଆମ ସଂଗୀତଶାସ୍ତ୍ରଜ୍ଞାନ ପଞ୍ଚତ୍ୱପ୍ରାପ୍ତିର ମାର୍ଗରେ ବୋଧହୁଏ ଦ୍ରୁତଲୟରେ ଧାବମାନ ।(୧) ଅନିବଦ୍ଧ ସ୍ଥାନରେ ଅନିର୍ବନ୍ଧ (୨) ନିବଦ୍ଧ ସ୍ଥାନରେ ନିର୍ବନ୍ଧ (୩) ଶୁଚି ପ୍ରବନ୍ଧ ସ୍ଥାନରେ ସୁଚିତ୍ରବନ୍ଧ (୪) ଦ୍ରୁତ ସ୍ଥାନରେ ବୃତ୍ତ (୫) ମଣ୍ଠ ସ୍ଥାନରେ ମଠ (୬) ଅଡ୍‌ଡ଼ ସ୍ଥାନରେ ଆଉ (୭) ସୁଡ଼େ ସ୍ଥାନରେ ସୁଚେ (୮) ପ୍ରଣାଳୀ ସ୍ଥାନରେ ପ୍ରଜ୍ଜଳି (୯) ମଣ୍ଠଲକ୍ଷଣା ସ୍ଥାନରେ ମଶ୍ରୁଲକ୍ଷଣା –ଏହିପରି ଭାବରେ ବିକୃତ ଶବ୍ଦଗୁଡ଼ିକର ବ୍ୟବହାର ଆଶଙ୍କା ସୃଷ୍ଟି କରେ ଯେ ଗବେଷଣାତ୍ମକ ସନ୍ଦର୍ଭର ଅଶଂବିଶେଷ ବୋଲି ଚିହ୍ନିତ ହୋଇଥିଲେ ସୁଦ୍ଧା ଲେଖାଟି ଉପର ଠାଉରିଆ । ଆହୁରି ଆଶଙ୍କା ହୁଏ, ଲେଖକ ଦେଇଥିବା ଉଦ୍ଧୃତିର ଠିକ୍‍ ଅର୍ଥ ମଧ୍ୟ ବୁଝି ନ ଥିଲେ; କାରଣ ‘ଏକତାଳୀ ପ୍ରାନ୍ତେ ସୂଚେ ଏ ପ୍ରଜ୍ଜ୍ୱଳି’ ଅର୍ଥହୀନ । ଅର୍ଥହୀନତା ସମ୍ପର୍କରେ ସେ ଅବହିତ ଥିଲେ ବୋଲି ଯଦି ଯୁକ୍ତି କରାଯାଏ, ତେବେ ପାଦାନ୍ତର୍ଗତ ଅଶୁଦ୍ଧି ଦୂର କରିବା ପୂର୍ବରୁ ତାହା ବ୍ୟବହାର କରିବା ଭଳି ଦାୟିତ୍ୱହୀନତା ଯେ କ୍ଷତିକାରକ ତାହା ତାଙ୍କପରି ଗୁଣୀ ନ ବୁଝିଲେ ଆଉ କିଏ ବୁଝିବ ?

 

ଏପରି ଦାୟିତ୍ୱହୀନତାଜନିତ ବିଭ୍ରାଟର ଗୋଟିଏ ଉଦାହରଣ ଦିଆଯାଉ । ଓଡିଶା ସାହିତ୍ୟ ଏକାଡେମୀରୁ ‘ନାଟ୍ୟ ମନୋରମା’ ନାମକ ଏକ ସଂସ୍କୃତ ସଙ୍ଗୀତ ଗ୍ରନ୍ଥ ଖ୍ରୀ: ୧୯୫୯ରେ ଏକାଡେମୀର ତତ୍କାଳୀନ ‘ସଂସ୍କୃତଜ୍ଞ’ ସେକ୍ରେଟେରୀ ସଙ୍ଗୀତଶାସ୍ତ୍ର ବା ଗ୍ରନ୍ଥରେ ‘ଅଭିନଜ୍ଞ’ ହୋଇଥିଲେ ହେଁ ସମ୍ଭବତଃ କୌଣସି ତଦବିଦ୍‌ବ୍ୟକ୍ତିଙ୍କ ସାହାଯ୍ୟ ବା ପରାମର୍ଶ ନେବାର ଆବଶ୍ୟକତାକୁ ଭ୍ରୂକ୍ଷେପ ନ କରି, କେବଳ ସଂସ୍କୃତ ଭାଷାଜ୍ଞାନକୁ ଯଥେଷ୍ଟ ମନେ କରି ପ୍ରକାଶ କରିଦେଲେ । ଫଳତଃ, ତହିଁରେ ଭୁରି ଭୁରି ହାସ୍ୟାସ୍ପଦ ଅଶୁଦ୍ଧ ଶବ୍ଦ ରହିଗଲା । ସମାଲୋଚ୍ୟମାନ ଲେଖାରେ ସ୍ଥାନ ପାଇଥିବା ‘ପ୍ରେମ ତରଙ୍ଗିଣୀ’ରୁ ଉଦ୍ଧୃତ ପଦାବଳୀରେ ଥିବା ‘ମଶ୍ରୁଲକ୍ଷଣା’ ପଦର ଅଶୁଦ୍ଧ ‘ମଶ୍ରୁ ଶବ୍ଦଟି ସେଇ ନାଟ୍ୟ ମାନୋରମାରେ ମଧ୍ୟ ‘ମଶୃ’ ରୂପରେ ଓ ମଶୃ ଶବ୍ଦରେ ସ୍ୱାର୍ଥେ ‘କ’ ପ୍ରତ୍ୟୟଯୁକ୍ତ ହୋଇ ‘ମଶୃକ’ ରୂପରେ ବା ‘ମଷ୍ଟକ’ ରୂପରେ ରହିଗଲା, ଯଦିଓ ମୂଳ, ଶୁଦ୍ଧ ଶବ୍ଦଟି ‘ମଣ୍ଠ’ ।

 

ନାଟ୍ୟ ମନୋରମା ପୃ: ୨୯ରେ ଅଛି-‘ଅଥ ମଶ୍ରୁ ଲକ୍ଷଣମାହ’

ନାଟ୍ୟ ମନୋରମା ପୃ: ୩୯ରେ ଅଛି-‘ଅଥ ମଶକଃ’

ନାଟ୍ୟ ମନୋରମା ପୃ: ୨୮ରେ ଅଛି-‘ଅଥ ମଷ୍ଟକଲକ୍ଷଣତାଳମାହ’-

ମଶୃଶ୍ଚେତ୍ୟେକତାଳୀ ଚ ମଶ୍ରୁଲକ୍ଷଣ-ଭବିତଃ ।।୩।।

 

‘ମଣ୍ଠ’ ଶବ୍ଦଟି ଶୁଦ୍ଧ କିମ୍ବା ‘ମଶୃ’ ରୂପରେ ‘ନାଟ୍ୟ ମନୋରମା’ ରେ ଶୋଭିତ ରୂପଟି ଶୁଦ୍ଧ-ସେ ବିଷୟରେ ହୁଏତ ସନ୍ଦିହାନ ହୋଇ ଓ ହୁଏତ ଅଧିକ ଅନୁସନ୍ଧାନ ପୂର୍ବକ ସତ୍ୟ ନିର୍ଣ୍ଣୟର ଅବସର ନ ପାଇ ଆମର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଶ୍ରଦ୍ଧେୟ ଅଧ୍ୟାପକ ଓ ବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ ଡକ୍ଟର ଦାମୋଦର ହୋତା ପ୍ରମୁଖ ଲେଖକ ମଣ୍ଡଳୀ ତାଙ୍କ ‘ଉଡ଼୍ର ପଦ୍ଧତୀୟ ମେଳ-ରାଗ-ତାଳ-ଲକ୍ଷଣ’ ନାମକ ସଙ୍ଗୀତ ପୁସ୍ତକର ୫୮ ପୃଷ୍ଠାରେ କେବଳ ‘ମଣ୍ଠତାଳ’ ନ ଲେଖି ‘ମଣ୍ଠ ତାଳ ବା ମଶୃକ ତାଳ ଲେଖିବା ଭଳି ଅନାବଶ୍ୟକ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ବାଧ୍ୟ ହେଲେ ! ଓଡିଆ ମୂର୍ଦ୍ଧାନ୍ୟ ‘ଣ’ ଅକ୍ଷରଟି ପୁରୁଣା ତାଳପତ୍ର ପୋଥିରେ ତାଲବ୍ୟ ‘ଶ’ ପରି ବେଳେ ବେଳେ ଦେଖାଯାଏ ଓ ‘ଣ୍ଠ’ ଯୁକ୍ତାକ୍ଷରର ଅଧୋଭାଗସ୍ଥିତ ‘ଠି’ ଦେଖାଯାଏ ‘ୃ’ ଋକାର ପରି । ସେଇ ଆପାତ ସାମ୍ୟବାଦର ମରୀଚିକା ଭିତରେ ପଡ଼ି ସ୍ୱର୍ଗତ କାଳୀଚରଣ ପଟ୍ଟନାୟକ ସମ୍ଭବତଃ ‘ନାଟ୍ୟ ମନୋରମାର’ (‘ମଣ୍ଠକ’ ରୁ ଅଜ୍ଞତା ସଂଭୂତ) ‘ମଷ୍ଟକ’ ଅବଲମ୍ବନରେ ଅଷ୍ଟକ ଓ ଅଷ୍ଟକରୁ ‘କ’ କୁ ବାଦ୍ ଦେଇ ‘ଅଷ୍ଟ’ ନାମକ ଏକ ଅଶାସ୍ତ୍ରୋକ୍ତ ତାଳକୁ ଓଡିଶୀ ସଙ୍ଗୀତର ସ୍ୱତନ୍ତ୍ର ଓ ସ୍ୱକୀୟ ତାଳ ବୋଲି ଲେଖିଥିଲେ ।* ଆବଶ୍ୟକ ଶୁଦ୍ଧପାଠ ନିର୍ଣ୍ଣୟ ନ କରି ଦାୟିତ୍ୱହୀନ ଭାବରେ ପୋଥି ବା ପୋଥିର ଅଂଶ ପ୍ରକାଶ କରିବା ହେତୁ ଏପରି ବିଭ୍ରାଟ ଓ ବିଡ଼ମ୍ବନା ଘଟୁଛି ।

 

*      ଶ୍ରୀ ଗୀତଗୋବିନ୍ଦ-୧ମ ସଂସ୍କରଣ (୧୯୭୦)-ପୃ-୩୪୮/୩୪୯ ଓ ପୃ-୪୨୭ ।

 

ଏଠାରେ ଉଲ୍ଲେଖନୀୟ ଯେ ଏ ବହିରେ ଅନ୍ୟାନ୍ୟ କେତେକ ଢାଳରେ ଶାସ୍ତ୍ରୋକ୍ତ ଲକ୍ଷଣ ଓ ଭ୍ରାନ୍ତ ଆଲୋଚନା କରିଥିଲେ ହେ ପଟ୍ଟନାୟକ ମହାଶୟ ଅଷ୍ଟ ବା ଅଷ୍ଟକ ତାଳର ଲକ୍ଷଣ ସମ୍ପର୍କରେ ନୀରବ । ଗୀତଗୋବିନ୍ଦର ଯେଉଁ ଗୀତକୁ ସେ ଅଷ୍ଟ ବା ଅଷ୍ଟକ ତାଳରେ ବୋଲି ମନେ କରିଛନ୍ତି, ଅନ୍ୟ କେତେକଙ୍କଦ୍ୱାରା ପ୍ରକାଶିତ ଗୀତଗୋବିନ୍ଦରେ ତାହା ‘ଅଡ଼ବ’ ଶବ୍ଦଟି ତାଳର ବୋଲି ଚିହ୍ନିତ । ‘ଅଡ଼ବ’ ଶବ୍ଦଟି ‘ଅଡ଼୍ଡ଼’ ନାମକ ଶାସ୍ତ୍ରୋକ୍ତ ତାଳ ନାମର ଅପଭ୍ରଂଶ ହୋଇପାରେ କି ନା ତାହା ମଧ୍ୟ ବିଚାର କରି ନାହାନ୍ତି । ଅନୁରୂପ ଛନ୍ଦର ଅନ୍ୟ ଏକ ଗୀତ ଲକ୍ଷ୍ମଣ ସୁରୀଙ୍କ ‘ଶ୍ରୁତିରଞ୍ଜିନୀ’ ଟୀକାରେ ଯେ ଅଡ଼୍ଡ଼ ତାଳର ବୋଲି କାହିଁକି ଚିହ୍ନିତ ହୋଇଚି ତାହା ମଧ୍ୟ ଅନୁସନ୍ଧାନ କରି ନାହାନ୍ତି ।

 

ଏଥିରୁ ବେଶ୍ ଅନୁମତି ହୋଇପାରେ, ଭୁଲକ୍ରମେ ଛପା ହୋଇଥିବା ଗୋଟିଏ ତାଳର ନାମ ଯଦି ବିଦ୍ୟାର ପରମ୍ପରାକୁ ଏତେ ତଳକୁ ନେଇ ପାରିଲା, ସମାଲୋଚ୍ୟମାନେ ଲେଖାରେ ଉଦ୍ଧୃତ ‘ପ୍ରେମତରଙ୍ଗିଣୀ’ ପଦାବଳୀର ପ୍ରମଦାବଳୀ ସେଇ ପରମ୍ପରା ପ୍ରତି କେତେ ବଡ଼ ବିପଦର କାରଣ ହୋଇପାରେ ।

 

ଏପରି ମାରାତ୍ମକ ଭୁଲ ସବୁ ସମାଲୋଚ୍ୟମାନ ଲେଖାରେ ରହିଛି ଯାହା ତଦ୍‍ବିଦ୍‍ମାନଙ୍କୁ ଅସହିଷ୍ଣୁ, ଏପରିକି ଉତ୍‍କ୍ଷିପ୍ତ କଲେ ମଧ୍ୟ ବିସ୍ମିତ ହେବାର ନୁହେଁ !

 

ଏପରି ପରିପ୍ରେକ୍ଷୀରେ ଲେଖକ ମହାଶୟ ତାଙ୍କର ପ୍ରୋକ୍ତ ଟିପ୍‍ପଣୀରେ ଯେଉଁ ଭଦ୍ର ଆକ୍ଷେପ କରିଛନ୍ତି ସେ ସମ୍ପର୍କରେ ମଧ୍ୟ କିଛି କହିବା ଦରକାର । ସେ ଲେଖିଛନ୍ତି :

 

‘‘ଓଡିଶାରେ ସଙ୍ଗୀତଜ୍ଞ ଓ ସଙ୍ଗୀତ ଶାସ୍ତ୍ରବିତମାନଙ୍କ ମଧ୍ୟରେ ମତାନୈକ୍ୟ ଓ ପାରସ୍ପରିକ ଅସହିଷ୍ଣୁତାରେ ମୁଁ ବିସ୍ମିତ ।’’

 

କିନ୍ତୁ କିଏ ସ୍ୱୀକାର ନ କରିବେ ଯେ କେବଳ ଓଡିଶାରେ ନୁହେଁ, ପୃଥିବୀର ସର୍ବତ୍ର ସବୁ କ୍ଷେତ୍ରରେ ଅସହିଷ୍ଣୁତା ନ ହେଉ, ମତାନୈକ ରହିଛି ଓ ସେହିପରି ମତାନୈକ ପ୍ରଗତିଶାଳୀ ଚିନ୍ତାଶୀଳ ଓ ଜୀବନ୍ତ ସଭ୍ୟତା ଓ ସଂସ୍କୃତିର ଏକ ସୁସ୍ଥ, ସୁଲକ୍ଷଣ ! ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେପରି ଅସହିଷ୍ଣୁତା ଓ ମତାନୈକ୍ୟ କ’ଣ ନାହିଁ ବା କେବେ ରହି ନ ଥିଲା ? ସଂସ୍କୃତ ସାହିତ୍ୟରେ କବି କବି, ପଣ୍ଡିତ ପଣ୍ଡିତ, କବି ଆଳଙ୍କାରିକ, ଆଳଙ୍କାରିକ ଆଳଙ୍କାରିକ ମଧ୍ୟରେ କିପରି ମନୋରଞ୍ଜକ ଓ ଘମାଘୋଟ ଲଢ଼େଇ ଲାଗୁଥିଲା ସେ ସବୁର ଚିତ୍ତାକର୍ଷକ କିମ୍ବଦନ୍ତୀ ଓ ସତ୍ୟାଶ୍ରିତ ବିବରଣୀ ବେଶ୍‌ ଜଣାଶୁଣା । ଗୋଟିଏ ପଣ୍ଡା ଅନ୍ୟ ପଣ୍ଡା ପ୍ରତି ଯେପରି ସ୍ୱଭାବତଃ ଅସହିଷ୍ଣୁ, ଜଣେ ପଣ୍ଡିତ ଅନ୍ୟ ପଣ୍ଡିତ ପ୍ରତି ସେହିପରି ମତ୍ସରୀ ଓ ଅସହିଷ୍ଣୁ ହେବା ମଧ୍ୟ ଏକ ସ୍ୱଭାବସିଦ୍ଧ ବ୍ୟାପାର । ବିଦ୍ୟାର ବିକାଶ ଓ ବୈଚିତ୍ର୍ୟ ନିମନ୍ତେ ସେହିପରି ମତାନୈକ୍ୟ କିମ୍ବା ତଦ୍‌ଜନିତ (ଏପରିକି ବ୍ୟକ୍ତିଗତ କାରଣଜନିତ) ଅସହିଷ୍ଣୁତା କମ୍‍ ସାହାଯ୍ୟ କରିନାହିଁ । ଶୁଣାଯାଏ, ବ୍ୟକ୍ତିଗତ କାରଣରୁ ‘ମନୋରମା’ କାର ଅପପୟ୍ୟ ଦୀକ୍ଷିତଙ୍କ ପ୍ରତି ଅସହିଷ୍ଣୁତା ପଣ୍ଡିତରାଜ ଜଗ୍ନନାଥ ଲେଖିଲେ ‘ମନୋରମା କୁଚମର୍ଦ୍ଦନ’ ! ଶୁଣାଯାଏ, ଜଣେ ପ୍ରଖ୍ୟାତ ସଂସ୍କୃତ କାବ୍ୟକାର ଶ୍ରୀହର୍ଷ ନିଜ କାବ୍ୟର ଗୋଟିଏ review ବା Certificate ପାଇଁ ଜଣେ ପ୍ରଖ୍ୟାତ ଆଳଙ୍କାରିକ ମମ୍ମଟ୍ଟଙ୍କୁ କାବ୍ୟଟି ଦେଖାଇବାରୁ ଶୁଣିବାକୁ ପାଇଲେ, ‘‘ବାବା । ମୋର ଆଳଙ୍କାରିକ ଗ୍ରନ୍ଥର ‘ଦୋଷନିର୍ଣ୍ଣୟ’ ଅଧ୍ୟାୟରେ ଦୃଷ୍ଟାନ୍ତ ଦେବା ପାଇଁ ମୋତେ ଅନେକ କାବ୍ୟର ପୃଷ୍ଟା ଓଲଟପାଲଟ କରିବାକୁ ପଡ଼ିଥିଲା । କିଛି ଦିନ ପୂର୍ବରୁ ତୁମ କାବ୍ୟଟି ଦେଖିବାକୁ ମିଳିଥିଲେ ସେ ପରିଶ୍ରମରୁ ମୋତେ ରକ୍ଷା ମିଳିଥାନ୍ତା ।’’ ମତ୍ସରୀ ପୁରୀ ପଣ୍ଡିତମାନେ ବକ୍ରବାକ୍ ଚକ୍ରପାଣିଙ୍କ ଚାକଚକ୍ୟମୟ ପରିଧେୟ ବାସରେ ଅସହିଷ୍ଣୁ ହେବାରୁ କି ଉତ୍ତର ପାଇଥିଲେ ତାହା ଓଡ଼ିଶାର ଓଡ଼ିଆ ଅଧ୍ୟାପକ ମହଲରେ ନ ହେଉ, ଅନ୍ୟ ମହଲରେ ବେଶ୍ ଜଣାଶୁଣା । ସେହି ପୁରୀ ପଣ୍ଡିତ ମଣ୍ଡଳୀ କବିସୂର୍ଯ୍ୟଙ୍କ ପ୍ରତି ପୁରୀରାଜାଙ୍କ ଅନୁକୂଳତା ଦେଖି ଅସହିଷ୍ଣୁତା ପ୍ରଦର୍ଶନ କରିବାରୁ କବିସୂର୍ଯ୍ୟ କି ଚମତ୍କାର ବ୍ୟଙ୍ଗଧର୍ମୀ ଗୀତଟିଏ ଲେଖିବାର ପ୍ରେରଣା ପାଇଲେ ! ଯଥା-(ପ୍ରିୟ ସଖି ! କି ବୁଦ୍ଧି କରିବି ଗୋ, ଲାଜେ ମୁଁ ଗଲିଣି ସଢ଼ି କେଉଁ ଗୁଣେ ରସି ନିକୁଞ୍ଜବିଳାସୀ ମୋ’ ସ୍ନେହେ ଅଛନ୍ତି ବୁଡ଼ି । ଘୋଷା ।। ବ୍ରଜେ କେତେ ବାମା ନାହାନ୍ତି ସୁଷମା ସମ୍ଭାରେ ରମ୍ଭାରୁ ବଳି....ପ୍ରଭୃତି ) । ସେଇ କବିସୂର୍ଯ୍ୟ ଆଠଗଡ଼ ଦରବାରର ଅନ୍ୟତମ ସଭାସଦ୍ (‘କଟପାୟା’ ନାମକ ଗ୍ରନ୍ଥକାର)ଙ୍କ ପ୍ରତି ନିଜର ଅସହିଷ୍ଣୁତାବଶତଃ ଲେଖିଥିଲେ ‘କବି ହୋଇଗଲେ ସମସ୍ତ ଲୋକେ, ରବି ହେଲେ ଜ୍ୟୋତିରିଙ୍ଗଣ ପୋକେ’...ପ୍ରଭୃତି ଶେଲର୍ଧମୀ Satire ! ନିଜର ସମସାମୟିକ ନ ହୋଇଥିଲେ ସୁଦ୍ଧା ‘ସଙ୍ଗୀତ କଳ୍ପଲତିକା’ ଓ ‘ବସନ୍ତୋତ୍ସବ-ମହାକାବ୍ୟମ୍’ ପ୍ରଣେତା ‘ଗୀତ ପ୍ରକାଶ’ କାର କୃଷ୍ଣଦାସଙ୍କ ପ୍ରତି ବୈମତ୍ୟ ଓ ଅସହିଷ୍ଣୁତା ପ୍ରଦର୍ଶନ କରି ଲେଖିଲେ ‘ଇତି କୃଷ୍ଣଦାସେନ ଯତ୍ ପଲପିତଂ ଏବ’ ! ଉପେନ୍ଦ୍ର ଭଞ୍ଜେ ‘କଳାକଉତୁକ’ କାବ୍ୟ ଲେଖିବାକୁ ପାଇଥିବା ପ୍ରେରଣାର ମୂଳରେ କିଛି ହେଉ ଅସହିଷ୍ଣୁତା ନ ଥିଲା କି ?

 

ଏ ସବୁ ଛଡ଼ା ଗୋଟିଏ ବଡ଼କଥା ମଧ୍ୟ ଏ ପ୍ରସଙ୍ଗରେ ବିଚାରଣୀୟ । ପ୍ରତ୍ୟେକ କଳାର ଥାଏ ଦୁଇଟି ପକ୍ଷ- ଗୋଟିଏ କଳାପକ୍ଷ, ଗୋଟିଏ ଶାସ୍ତ୍ରପକ୍ଷ । କଳାର ସ୍ୱାଭାବିକ ଧର୍ମ ହେଉଚି, ବୀତଶୃଙ୍ଖଳତା । ଅନ୍ୟପକ୍ଷରେ, ଶାସ୍ ଧାତୁ ନିଷ୍ପନ ଶାସ୍ତ୍ରର ଉଦ୍ଦେଶ୍ୟ ହେଉଚି କଳାକୁ ଅନୁଶାସିତ କରିବା । କଳା ଯଦି ଗୋଟିଏ ମତ୍ତହସ୍ତୀ, ଶାସ୍ତ୍ର ହେଉଛି ଅଙ୍କୁଶହସ୍ତ ହସ୍ତିପକ ! କଳା ଶୃଙ୍ଖଳବଦ୍ଧ ହେବାର ଅସମ୍ମତ; ଶାସ୍ତ୍ର ତାହାକୁ ଶୃଙ୍ଖଳିତ କରିବା ପାଇଁ, ତା’ର ସଂଯତ ବିକାଶ ପାଇଁ, ତା’ର ଗୁଣଦୋଷ ନିର୍ଣ୍ଣୟ କରି ଦୋଷର ହ୍ରାସ ବା ନିବାରଣ ଏବଂ ଗୁଣର ପ୍ରକାଶ ଓ ସମ୍ପ୍ରସାରଣ ପାଇଁ, କଳାନୁରାଗୀମାନଙ୍କ ଆଗରେ ତା’ର ସମ୍ୟକ୍ ପରିଚୟ ବାଢ଼ି ତା ପ୍ରତି ସେମାନଙ୍କ ଅନୁରାଗବର୍ଦ୍ଧନ ପାଇଁ ଉଦ୍ଦିଷ୍ଟ । ତଥାପି ତାହା ‘ଶାସକ’ । ଶାସିତ ଓ ଶାସକ ମଧ୍ୟରେ ସର୍ବଦା ସଦ୍‍ଭାବ ସମ୍ଭବପର ନୁହେଁ । କଳା ଏକ ମୁକ୍ତିକାମୀ, ସ୍ୱୈରସୃଷ୍ଟି ପ୍ରକ୍ରିୟାର ଦୃଷ୍ଟିଗୋଚର ବା ଶ୍ରୁତିଗୋଚର ପରିଣତି । ତାହା ଯଦି ସର୍ବଦା ଶାସ୍ତ୍ରର ଅନୁଶାସନ ନୀରବରେ ସ୍ୱୀକାର କରେ ବା ସହିଯାଏ ତେବେ ତାହାର ପରିଣାମରେ କଳାରେ ଆସିବ ସ୍ଥାଣୁତ୍ୱ, ଦାସତ୍ୱ ଓ କ୍ରମଶଃ ପଞ୍ଚତ୍ୱ । ଏଇ ଦୃଷ୍ଟିରୁ କଳାପକ୍ଷ ଓ ଶାସ୍ତ୍ରପକ୍ଷର ପାରସ୍ପରିକ ଅସହିଷ୍ଣୁତା ଆଦୌ ବିସ୍ମୟକର ନୁହେଁ । ବରଂ ତାହା ସ୍ୱାଭାବିକ ଓ କେତେକାଂଶରେ ବାଞ୍ଛନୀୟ । ତେଣୁ,

 

‘ଓଡ଼ିଶାରେ ସଙ୍ଗୀତଜ୍ଞ ଓ ସଙ୍ଗୀତଶାସ୍ତ୍ରବିତ୍‌ମାନଙ୍କ ମଧ୍ୟରେ ମତାନୈକ୍ୟ ଓ ପାରସ୍ପରିକ ଅସହିଷ୍ଣୁତାରେ ମୁଁ ବିସ୍ମିତ’ ବୋଲି ଲେଖକ କାହିଁକି ଆକ୍ଷେପୋକ୍ତି କରିଛନ୍ତି, ସେପରି ଆକ୍ଷେପର କି ପ୍ରୟୋଜନ ଥିଲା ତାହା ବୁଝିବା କଷ୍ଟକର ।

 

ଆମ ଓଡ଼ିଆ ସାହିତ୍ୟର ବିଭିନ୍ନ ଶାଖାର ବିକାଶ ସାଧନ ଉଦ୍ଦେଶ୍ୟରେ ଯେଉଁ ବନ୍ଧୁମାନେ ଯତ୍ନଶୀଳ ଓ ଯେଉଁମାନେ ସେଥିପାଇଁ ଲେଖନୀ ଚାଳନ କରୁଛନ୍ତି ସେମାନେ ସେଇ ଶାଖାରେ ଯଥେଷ୍ଟ ଅଭିଜ୍ଞ ହୋଇଥିବା ଦରକାର । କେବଳ ‘‘ସେଇ ଶାଖାରେ ମୋର ବିଶେଷଜ୍ଞ ସୁଲଭ ଜ୍ଞାନ ନାହିଁ * * * ମୋର ଆଲୋଚନାର ତ୍ରୁଟି ପ୍ରଦର୍ଶନ କରି ଜଣାଇଲେ ମୁଁ ସ୍ୱାଦରେ ତାହା ସ୍ୱାଗତ କରିବି ।’’ -ଏପରି ବିନୟ ବା ଉଦାରତା ପ୍ରଦର୍ଶନ କରି ଅନଧିକାର ଚର୍ଚ୍ଚା କଲେ ଗୁରୁତର ତ୍ରୁଟିରେ ପରିପୂର୍ଣ୍ଣ ଲେଖା ଖାଲି ଅର୍ଥଲାଭ ବା ଯଶୋଲାଭ ଲାଳସା ଚରିତାର୍ଥ କରିବା ନିମନ୍ତେ ଲେଖି ପ୍ରକାଶ କଲେ ଓଡ଼ିଆ ସାହିତ୍ୟର ମଙ୍ଗଳ ହେବ ନାହିଁ-ଏତିକି ମୋର ଏଇ ଦୀର୍ଘ ଓ ସ୍ଥାନେ ସ୍ଥାନେ ଟିକିଏ ଅପ୍ରିୟ ମନ୍ତବ୍ୟଯୁକ୍ତ ଲେଖାର ଉପସଂହାର ।

 

***

 

Unknown

ଓଡ଼ିଆ ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଉପଲକ୍ଷେ ସାଂସ୍କୃତିକ ପ୍ରଦର୍ଶନୀ ଉତ୍କଳ ଭାରତୀ ବିବରଣୀ

 

ଭୂବନେଶ୍ୱର ତିନି ନମ୍ବର ଇଉନିଟର ପ୍ରଦର୍ଶନୀ ପ୍ରାଙ୍ଗଣରେ ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଉପଲକ୍ଷେ ତା ୧୨। ୧୨। ୮୨ରୁ ତା ୧୮। ୧୨। ୮୨ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବର୍ଣ୍ଣାଢ଼୍ୟ ସାରସ୍ୱତ ଉତ୍ସବ–ଉତ୍କଳ ଭାରତୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ୧୯୮୨ ଡିସେମ୍ବର ୧୨ ତାରିଖ ପୂର୍ବାହ୍‍ଣ ଘ ୯।୨୦ ମିନିଟ୍‌ରେ ଉଦ୍‌ଘାଟିତ ହୋଇଥିଲା ।

 

ଭୂବନେଶ୍ୱରର ପ୍ରସିଦ୍ଧ ମୁକ୍ତେଶ୍ୱର ତୋରଣ ଅନୁକରଣରେ ନିର୍ମିତ ପ୍ରଦର୍ଶନୀ ପରିସରର ମୁଖ୍ୟ ପ୍ରବେଶ ଦ୍ୱାରରେ ପୂର୍ବାହ୍‌ଣ ୯ଘଣ୍ଟା ସମୟରେ, ମୁଖ୍ୟମନ୍ତ୍ରୀ ସସ୍ତ୍ରୀକ ଉପସ୍ଥିତ ହେବାକ୍ଷଣି ଏକାଡେମୀ ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି, ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ, ପର୍ଯ୍ୟଟନ, କ୍ରୀଡ଼ା, ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ଓ ଏକାଡେମୀର ସଂପାଦକ ପ୍ରମୁଖ ତାଙ୍କୁ ପାଛୋଟି ନେଇଥିଲେ । ପୁରୀ କେନ୍ଦ୍ରୀୟ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ କୁଳମଣି ମିଶ୍ର ଓ ଛାତ୍ରବୃନ୍ଦଙ୍କ ମାଙ୍ଗଳିକ ବେଦପାଠ ଓ ଶଂଙ୍ଖଧ୍ୱନି ମଧ୍ୟରେ ମୁଖ୍ୟମନ୍ତ୍ରୀ ସେହି ସାରସ୍ୱତ ସମାରୋହକୁ ଔପଚାରିକ ରୀତିରେ ଉଦ୍‌ଘାଟନ କରିଥିଲେ ।

 

ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସେଇଠି ସମବେତ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତିବିତ୍‌ମାନଙ୍କ ଗହଣରେ ପ୍ରଦର୍ଶନୀ ପରିସରକୁ ପ୍ରବେଶ କରି ଉତ୍କଳ ଭାରତୀଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଇଥିବା ‘ଲେଖିକା’ ଭାସ୍କର୍ଯ୍ୟ ପରିଦର୍ଶନ କରିଥିଲେ । ଓଡ଼ିଶାର ପ୍ରସିଦ୍ଧ ଲେଖିକା ଭାସ୍କର୍ଯ୍ୟ ଅନୁକରଣରେ ଶିଳ୍ପୀ ଶ୍ରୀ ରଘୁନାଥ ମହାପାତ୍ରଙ୍କଦ୍ୱାରା ‘ବଉଳ ମାଳିଆ’ ପଥରରେ ନିର୍ମିତ ନଅଫୁଟ ଉଚ୍ଚତା ବିଶିଷ୍ଟ ସେଇ ଭାସ୍କର୍ଯ୍ୟ ମୁଖ୍ୟ ପ୍ରବେଶ ଦ୍ୱାରର ଅନତି ଦୂରରେ ସ୍ଥାପିତ ହୋଇଥିଲା, ତାହା ପରେ ମୁଖ୍ୟମନ୍ତ୍ରୀ ‘ଉତ୍କଳ ଭାରତୀ’ ସମାରୋହ ଅବସରରେ ଉତ୍କଳ ଭାରତୀର ବିଭିନ୍ନ ସାଂସ୍କୃତିକ, ମନୋରଞ୍ଜନ ତଥା ସଭାକାର୍ଯ୍ୟ ପାଇଁ ନିର୍ମିତ ହୋଇଥିବା ୬୦ ଫୁଟ ଲମ୍ୱ, ୪୦ ଫୁଟ ଚଉଡ଼ା ଓ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ସେଇ ସ୍ଥାୟୀ ମୁକ୍ତାକାଶ ମଞ୍ଚ ‘ଜୟଦେବ ମଣ୍ଡପ’କୁ ଉଦ୍‌ଘାଟନ କରିଥିଲେ ।

 

ତାହାପରେ ଜୟଦେବ ମଣ୍ଡପର ମଞ୍ଚରେ ଉଦ୍‌ଘାଟନ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ, ଏକାଡେମୀର ସଭାପତି, ଉପସଭାପତି, ରାଜ୍ୟ ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି ବିଭାଗ ମନ୍ତ୍ର, ଏକାଡେମୀର ସମ୍ପାଦକ ସଭା ମଞ୍ଚରେ ଆସନ ଗ୍ରହଣ କରିବା ପରେ କଣ୍ଠଶିଳ୍ପୀ ଶ୍ରୀ ଅର୍ଜ୍ଜୁନ ଚରଣ ସାମଲଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ପଲିଟେକ୍‌ନିକ୍‌ ଶିକ୍ଷାୟତନର ଛାତ୍ରୀବୃନ୍ଦ ‘‘ବନ୍ଦେ ଉତ୍କଳ ଜନନୀ’ଆବାହନ ସଙ୍ଗୀତ ପରିବେଷଣ କରିଥିଲେ ।

 

ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କର ସ୍ୱାଗତ ଭାଷଣରେ ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଉପଲକ୍ଷରେ ଆୟୋଜିତ ସପ୍ତାହବ୍ୟାପୀ ସାଂସ୍କୃତିକ ସମାରୋହର ଆଭିମୁଖ୍ୟ ଏବଂ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ ଓଡ଼ିଶା ସାହିତ୍ୟ ଏକାଡେମୀର ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ‘‘ଏ ସମାରୋହ ହେଉଚି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଏକ ବର୍ଣ୍ଣାଢ଼୍ୟ ପ୍ରଦର୍ଶନୀ । ଏପରି ଏକ ପ୍ରଦର୍ଶନୀ ମଧ୍ୟରେ ଓଡ଼ିଶାର ମହାନ ସାଂସ୍କୃତିକ ଐତିହ୍ୟ ସହିତ ଦେଶବାସୀଙ୍କୁ ପରିଚିତ କରାଇବା ହେଉଛି ଆମର ଲକ୍ଷ୍ୟ । ସେ ଆହୁରି ମଧ୍ୟ ପ୍ରକାଶ କରିଥିଲେ ଯେ ଭାରତର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟର ବିକାଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟସ୍ତରରେ ଏକାଡେମୀମାନ ପ୍ରତିଷ୍ଠା କରାଯାଇ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ସବୁ କୃତୀ ସାହିତ୍ୟିକମାନଙ୍କୁ କିଛି ଟଙ୍କା ପ୍ରତିବର୍ଷ ପୁରସ୍କାର ଦେଇ ନିଜର କର୍ତ୍ତବ୍ୟ ସମାପନ କରୁଛନ୍ତି । କିନ୍ତୁ ମୌଳିକ ଗବେଷଣା, ଉନ୍ନତ ସାହିତ୍ୟ ସୃଷ୍ଟି କରିବା ପାଇଁ ଭିତ୍ତିଭୂମି ଓ ସାଂସ୍କୃତିକ ବାତାବରଣ ସୃଷ୍ଟି କରିବାରେ ଏକାଡେମୀମାନେ ଉଦ୍ୟମ କରୁ ନାହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ମାଧ୍ୟମରେ ସେହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସେ ସଂକଳ୍ପବଦ୍ଧ ବୋଲି ଦୃଢ଼ମତ ପ୍ରକାଶ କରିଥିଲେ ।

 

ସରକାରୀ ସାହାଯ୍ୟରେ ଏ ବିପୁଳ ଆୟୋଜନକୁ କେତେକ ସ୍ତରରେ ସମାଲୋଚନାର ଉତ୍ତରରେ ସେ କହିଥିଲେ ଯେ ରାଷ୍ଟ୍ର କେବେ ସାହିତ୍ୟ ସୃଷ୍ଟି କରି ନାହିଁ । ଅପର ପକ୍ଷରେ ସାହିତ୍ୟ ଯୁଗେ ଯୁଗେ ସୃଷ୍ଟି କରିଛି ରାଷ୍ଟ୍ର । ଓଡ଼ିଶାର ସୂର୍ଯ୍ୟବଂଶୀ ସମ୍ରାଟମାନେ ଯଦି ଓଡ଼ିଆ ସାହିତ୍ୟକୁ ଶ୍ରଦ୍ଧାର ସହିତ ପ୍ରୋତ୍ସାହିତ କରି ନ ଥାନ୍ତେ ତା’ ହେଲେ ଓଡ଼ିଆ ସାହିତ୍ୟ ପଞ୍ଚଦଶ ଶତାବ୍ଦୀରେ ଜନ୍ମଲାଭ କରି ନ ଥାନ୍ତା । ସୂର୍ଯ୍ୟବଂଶୀ ସମ୍ରାଟମାନେ ଓଡ଼ିଆ ଥିବାରୁ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି କରିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ ଲୁହା, ଇସ୍ପାତ, ବା ଧାନ ଗହମରେ କୌଣସି ରାଷ୍ଟ୍ର ତିଷ୍ଠିପାରେ ନାହିଁ । ସାହିତ୍ୟ ଉନ୍ନତ ମାନସ ଓ ବ୍ୟକ୍ତିତ୍ୱ ସୃଷ୍ଟି କରିଥାଏ । ଯେଉଁ ଜାତିର ଏହି ମାନସିକ ସ୍ତର ଯେତେ ଉନ୍ନତ ସେ ଜାତି ସେତିକି ପ୍ରଗତିଶୀଳ । ମାତ୍ର ଆଜି ଭାରତର ସାହିତ୍ୟ ଓ ସାହିତ୍ୟିକମାନଙ୍କ ପାଖରେ ତାହାର ଅଭାବ ଦେଖା ଦେଇଥିବା ଶୁଭଦାୟକ ନୁହେଁ । ଆଜିର ଏ ଅବସରରେ ଏହି ଉଚ୍ଚ ମାନସିକ ସ୍ତର ଓ ବ୍ୟକ୍ତିତଃ ସୃଷ୍ଟି କରିବାରେ ଏଠାରେ ସମବେତ ସାହିତ୍ୟିକ ବୃନ୍ଦ ଚେଷ୍ଟିତ ହେବା ପାଇଁ ଶପଥ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।

 

‘‘ଭାଷା ଓ ସାହିତ୍ୟର ବିକାଶ କେବଳ ରାଷ୍ଟ୍ରର ସଂକଳ୍ପ ନୁହେ, ସମଗ୍ର ଜାତିର ଓ ସାହିତ୍ୟିକ ସମାଜର ସଂକଳ୍ପର ବିଷୟ । ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଶିକ୍ଷିତ ନାଗରିକମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମୁଖମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ଏ ସରସ୍ୱତ ଉତ୍ସବ ସଂସ୍କୃତିର ଏକ ମହାନ୍ ପୀଠ ବୋଲି ବର୍ଣ୍ଣନା କରି ଭାରତରେ ଓଡ଼ିଆ ଜାତି ଓ ସଂସ୍କୃତିର ବୈଶିଷ୍ଟ୍ୟ ରହିଛି–ସେ ଦମ୍ଭର ସହିତ ଏହା କହିଥିଲେ ।’’

 

ଭାରତର ସଂସ୍କୃତିରେ ଓଡ଼ିଶାର ସ୍ଥାନ ନିରୂପଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ନିଷାଦ, ଦ୍ରାବିଡ଼ ଓ ଆର୍ଯ୍ୟ ଏହିଭଳି ତିନୋଟି ଜାତୀୟତାର ମିଳନରେ ଭାରତୀୟ ସଂସ୍କୃତି ପରିପୃଷ୍ଟ ଏବଂ ଓଡ଼ିଆ ଜାତିର ସୌଭାଗ୍ୟ ଯେ ଓଡ଼ିଶା ହେଉଛି ଏହି ତିନୋଟି ଜାତୀୟତାର ତ୍ରିବେଣୀ ସଙ୍ଗମ । ଓଡ଼ିଆ ଭାଷାକୁ ବହୁ ନିଷାଦ ଦ୍ରାବିଡ଼ ଓ ଆର୍ଯ୍ୟ ଭାଷାର ଧାରା ରୁଦ୍ଧିମନ୍ତ କରିଛି । ଓଡ଼ିଆ ସଂସ୍କୃତିକୁ ଛାଡ଼ି ଦେଲେ ଭାରତୀୟ ସଂସ୍କୃତି ଅପୂର୍ଣ୍ଣ।

 

ଭାରତବର୍ଷର ଭୌଗୋଳିକ ସ୍ଥିତିରେ ଓଡ଼ିଶାର ସ୍ଥାନ ଏଭଳି ଭାବରେ ରହିଛି ଯେ, ଯେ କୌଣସି ଦିଗ୍‌ବିଜୟୀ ବ୍ୟକ୍ତି ରାଜ୍ୟ ଜୟ ଧର୍ମ ପ୍ରଚାର ପାଇଁ ଅଭିଯାନ କଲେ ତାକୁ ଓଡ଼ିଶା ରାଜ୍ୟ ଦେଇ ହିଁ ଯିବାକୁ ପଡ଼ିଥାଏ । ଅତୀତରେ ସମ୍ରାଟ ଅଶୋକ ମୋଗଲ ମରହଟ୍ଟା କିମ୍ବା ଧର୍ମାଚାର୍ଯ୍ୟ ଶଙ୍କର, କବୀର, ଚୈତନ୍ୟ ପ୍ରଭୃତି ଓଡ଼ିଶାକୁ ଆସି ନ ଥିଲେ ସେମାନଙ୍କ ଯାତ୍ରା ଅସଫଳ ଓ ଅସଂପୂର୍ଣ୍ଣ ରହିଯାଇ ଥା’ନ୍ତା ।

 

ଓଡ଼ିଶାର ଗୌରବପୂର୍ଣ୍ଣ ନୌବାଣିଜ୍ୟ ସମ୍ପର୍କରେ ସିଂହାବଲୋକନକଲେ ଜଣାଯାଏ ଯେ ନୌବାଣିଜ୍ୟ କ୍ଷେତ୍ରରେ ସମଗ୍ର ଏସିଆ ମହାଦେଶକୁ ଭାରତର ବିଶେଷ ଅବଦାନ ରହିଛି । ସେହି ଅବଦାନର ବନ୍ୟାରେ ଓଡ଼ିଶାର ସ୍ଥାନ ଅନନ୍ୟ ସାଧାରଣ । ଖ୍ରୀ. ପୂ.୭୫ରେ ଓଡ଼ିଆମାନେ ନୌବାଣିଜ୍ୟ ନିମନ୍ତେ ସର୍ବ ପ୍ରଥମେ ଜଳ ଭାଗରେ ଯାତ୍ରା କରି ଯାଭାରେ ପହଞ୍ଚିଥିଲେ । କମାଣ୍ଡର ଶ୍ରୀ ଧୀରନ ଭାରତୀୟ ନୌବାଣିଜ୍ୟରେ କଳିଙ୍ଗର ଅବଦାନ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି । ଭାରତ ମହାସାଗର ଓଡ଼ିଶା ପ୍ରଥମେ ନୌବାଣିଜ୍ୟର କେତନ ଉଡ଼ାଇ ଥିଲେ । ଇଣ୍ଡୋନେସିଆରେ ପ୍ରଥମେ କଳିଙ୍ଗବାସୀମାନେ ପହଞ୍ଚିଥିଲେ ବୋଲି ସୁକର୍ଣ୍ଣ ନିଜେ ସ୍ୱୀକାର କରିଛନ୍ତି । ବ୍ରହ୍ମ ଦେଶରେ ପ୍ରଥମେ ‘ଉଷା’ମାନେ ପହଞ୍ଚିଥିଲେ ବୋଲି ଲିଖିତ ଅଛି ।‘ଉଷା’ ଅର୍ଥ ଓଡ଼ିଆ ବୋଲି ବ୍ରହ୍ମଦେଶରେ କୁହାଯାଏ ।

 

ତ୍ରୟୋଦଶ ଶତାବ୍ଦୀ ଯାଏ ସିଂହଳରେ ଓଡ଼ିଆ ରାଜାମାନେ ରାଜତ୍ୱ କରିଥିଲେ । ଏ ପର୍ଯ୍ୟନ୍ତ ଫିଲିପାଇନ୍‌ସରେ ଏକ ପାର୍ବତ୍ୟ ପ୍ରଦେଶର ନାମ ‘କଳିଙ୍ଗ ଆମୁଲୁ’ ରହିଛି । ଶ୍ୟାମ ଦେଶରେ କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀ ପଟୁଆରେ ଗୁଆ, ପାନ ଓ ବତୀ ଦେଇ ଡଙ୍ଗା ଭସା ଯିବାର ପରମ୍ପରା ରହିଛି । ଠିକ୍‌ ସେହିପରି ସାମରିକ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ପରାକାଷ୍ଠା ଐତିହାସିକମାନଙ୍କଦ୍ୱାରା ସ୍ୱୀକୃତ । ଓଡ଼ିଶାର ଲୋକେ ଶାନ୍ତିକାମୀ । ମାତ୍ର ସେ ଶାନ୍ତିକାମୀର ଅର୍ଥ ନୁହେଁ, କାପୁରୁଷତା, ତାହା ବୀରତ୍ୱର ଶାନ୍ତ । ଓଡ଼ିଶାର ତାହା ହିଁ ବୈଶିଷ୍ଟ୍ୟ । ଶାରବର ଆମର ଅଦ୍ୱିତୀୟ ବୀର ଥିଲେ । ଅଖଣ୍ଡ ଓ ଆଲୌକିକ ବୀରତ୍ୱ ଥିଲା ଓଡ଼ିଶାର ଗୌରବ । ଓଡ଼ିଆ ଜାତି ସମୃଦ୍ଧ ଓ ଶକ୍ତିଶାଳୀ ଉଚ୍ଚକୋଟିର ନ ଥିଲେ ସ୍ଥାପତ୍ୟ ଓ କଳାର ବିକାଶ ଓଡ଼ିଶାରେ ଘଟି ନ ଥା’ନ୍ତା-। ବିପୁଳ ସାମ୍ରାଜ୍ୟର ବିଭବ ନଥିଲେ କୋଣାର୍କ ଗଢ଼ାଯାଇ ପାରିନଥାନ୍ତା।

 

ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଅନନ୍ୟ ସାଧାରଣ । କୋଣାର୍କ ଗାତ୍ରରେ ଓଡ଼ିଶୀ, କଥାକଳି ଓ ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟର ଆଲେଖ୍ୟ ମିଳେ । ଏହା ହିଁ, ଭାରତୀୟ ତଥା ବିଶ୍ୱ ଦରବାରରେ ଓଡ଼ିଆ ଜାତିର ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁକ୍ଷ୍ମ ଅବରୋଧର ପରିଚୟ ଦିଏ ।

 

ସଂସ୍କୃତ ସାହିତ୍ୟକୁ ବିଶ୍ୱନାଥ କବିରାଜ, ଶ୍ରୀହର୍ଷ, ଭଟ୍ଟ ନାରାୟଣ, ବଳଦେବ ବିଦ୍ୟାଭୂଷଣ ପ୍ରଭୃତ ଓଡ଼ିଆ ପଣ୍ଡିତମାନଙ୍କର ଦାନ ଅନସ୍ୱୀକାର୍ଯ୍ୟ । ଓଡ଼ିଆ ଭାଷା ଅନ୍ୟତମ ପ୍ରାଚୀନ ଭାଷା । ଚର୍ଯ୍ୟାପଦକୁ ଲେଖକ, କାହ୍ନୁପାଦ ପ୍ରଭୃତି ଓଡ଼ିଆ ଥିଲେ । ଚର୍ଯ୍ୟାପଦକୁ ଓଡ଼ିଆ ସାହିତ୍ୟର ଆରମ୍ଭ ଧରାଗଲା-ଓଡ଼ିଆ ପଦ୍ୟସାହିତ୍ୟ ଏଗାର ଶହ ବର୍ଷର ଏବଂ ଓଡ଼ିଆ ଗଦ୍ୟ ସାହିତ୍ୟ ୭ ଶହ ବର୍ଷର ବୋଲି ପ୍ରମାଣ ମିଳୁଛି ।

 

ଏଭଳି ବିପୁଳ ସାହିତ୍ୟ ଓ ସଂସ୍କୃତିର ବିଲୟ ଘଟିବାର ଏକମାତ୍ର କାରଣ ହେଉଛି ଦାର୍ଘ ୪ଶହ ବର୍ଷର ପରାଧୀନତା । କେବଳ ଓଡ଼ିଶାକୁ ଖାଲି ଖଣ୍ଡ ବିଖଣ୍ଡିତ କଲା ନାହିଁ; ଓଡ଼ିଆ ସଂସ୍କୃତିର ସ୍ୱାତନ୍ତ୍ର୍ୟକୁ ମଧ୍ୟ ଲୋପ କରି ଦେଲା ।

 

ଏହିପରି ପରିସ୍ଥିତିର ଘାତ ଓ ପ୍ରତିଘାତର ଲୁପ୍ତ ପରିବେଶ ଭିତରେ ଯେଉଁ ମନୀଷୀମାନେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବଞ୍ଚାଇ ରଖିବାକୁ ଚେଷ୍ଟା କରିଥିଲେ ସେମାନେ ଏ ଜାତିର ଚିର ନମସ୍ୟ । ଠିକ୍‌ ସେହିପରି ଆଧୁନିକ ଯୁଗରେ ମଧ୍ୟ ଯେଉଁମାନେ ଦାରିଦ୍ର୍ୟର ତାଡ଼ନା ସତ୍ତ୍ୱେ ଓଡ଼ିଆ ସାହିତ୍ୟକୁ ୠଦ୍ଧିମନ୍ତ କରିଛନ୍ତି ସେମାନେ ମଧ୍ୟ ଚିରସ୍ମରଣୀୟ ହୋଇ ରହିବେ ।

 

ଗ୍ରିୟର୍‌ସନ୍‌ଙ୍କ ଭାଷାରେ ଭାରତରେ ପ୍ରାଚୀନ ସାହିତ୍ୟ ମଧ୍ୟରେ ଓଡ଼ିଆ ସାହିତ୍ୟ ହେଉଛି ଶ୍ରେଷ୍ଠ ସାହିତ୍ୟ । ଓଡ଼ିଆ ଭାଷା ସହଜ ହେଲେ ମଧ୍ୟ ଓଡ଼ିଆ ଲିପି କଷ୍ଟକର ବୋଲି ସେ ମତ ଦେଇଛନ୍ତି । ଆମ ଭାଷାର ଲେଖା ଓ ଉଚ୍ଚାରଣ ସମାନ । ଏହା ହିଁ ଭାଷାର ଆଭିଜାତ୍ୟ ଓ କୌଳିନ୍ୟ । ଏହାର ଅଭିବୃଦ୍ଧି ପାଇଁ ଉଦ୍ୟମ କରିବା କଷ୍ଟସାଧ୍ୟ ନୁହେଁ । କାରଣ ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ରୁଷୋ ଓ ଯାପାନ ସାହିତ୍ୟ । ସାହିତ୍ୟ କ୍ଷେତ୍ରରେ ମାତ୍ର ଦୁଇ ଶହ ବର୍ଷ ମଧ୍ୟରେ ରୁଷ, ମାତ୍ର ଶହେ ବର୍ଷ ମଧ୍ୟରେ ଜାପାନ ଯଥେଷ୍ଟ ଅଗ୍ରଗତି କରିଛି । ଆମ ଦେଶରେ ଅନୁରୂପ ଅଗ୍ରଗତି ଘଟି ନାହିଁ । ସେଥିପାଇଁ ଅନୁଶୋଚନା କରିବା ଲାଗି ଆଜିର ସମୟ ନୁହେଁ । ଆଜିର ଏ ସାରସ୍ୱତ ଉତ୍ସବ, ଭବିଷ୍ୟତରେ ଓଡ଼ିଆ ଭାଷାର ମର୍ଯ୍ୟଦା ଓ ମୌଳିକତା ବଜାୟ ରଖିବା ପାଇଁ କିଛି ପ୍ରେରଣା ହେଉ ଏହା ହିଁ ତାଙ୍କର ଐକାନ୍ତିକ କାମନା ବୋଲି ସେ ପ୍ରକାଶ କରିଥିଲେ ।

 

ମୁଖ୍ୟମନ୍ତ୍ରୀଙ୍କର ଉଦ୍‌ଘାଟନ ଭାଷଣ ପରେ ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ଉତ୍ସବକୁ ମନୋଜ୍ଞ ଓ ସଫଳ ଭାବରେ ଆୟୋଜନ କରି ପାରିଥିବା ହେତୁ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ଏହି ସପ୍ତାହବ୍ୟାପୀ ସାରସ୍ୱତ କାର୍ଯ୍ୟକ୍ରମ ଆରମ୍ଭ କରା ହୋଇଛି ତାହା ସାଫଲ୍ୟ ସହିତ ସମ୍ପନ୍ନ ହେଉ ବୋଲି ଉତ୍ସବର ପ୍ରଥମ ଦିବସରେ ଏକାନ୍ତ କାମ୍ୟ ବୋଲି ସେ ପ୍ରକାଶ କରିଥିଲେ । ପ୍ରଥମଥର ପାଇଁ ସାହିତ୍ୟ ଏକାଡେମୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟିକମାନଙ୍କୁ ଏକାଠି କରି ପାରିଛନ୍ତି ଏବଂ ମିଳନରେ ସାହିତ୍ୟିକମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇ ଓଡ଼ିଆ ସାହିତ୍ୟର ବିକାଶ କ୍ଷେତ୍ରରେ ବହୁ ଗଠନମୂଳକ କାର୍ଯ୍ୟ ପନ୍ଥାକୁ କାର୍ଯ୍ୟକାରୀ କରିବାରେ ସହଯୋଗ ଅବ୍ୟାହତ ରଖିବେ ବୋଲି ଘୋଷଣା କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ ରଜତ ଜୟନ୍ତୀର ଅବସରରେ ପ୍ରକାଶିତ ୨୫ଟି ପୁସ୍ତକ ଉନ୍ମୋଚନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅନୁରୋଧ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଉକ୍ତ ପୁସ୍ତକାବଳୀ ଉନ୍ମୋଚନ କରିଥିଲେ ।

 

୧.

Lord Jagannatha (ଇଂରେଜି)

ଶ୍ରୀ ସୁରେନ୍ଦ୍ର ମହାନ୍ତି

ପ୍ରବନ୍ଧ ସଂକଳନ ପ୍ରଥମ ଭାଗ

 

ପ୍ରବନ୍ଧ ସଂକଳନ ଦ୍ୱିତୀୟ ଭାଗ

ଡକ୍ଟର ଖଗେଶ୍ୱର ମହାପାତ୍ର

୪.

ସନ୍ଥ ସାହିତ୍ୟ

ଶ୍ରୀ ଚିତ୍ତରଞ୍ଜନ ଦାସ

ଆଧୁନିକ ଓଡ଼ିଆ କଥାସାହିତ୍ୟ

ଡକ୍ଟର ନରେନ୍ଦ୍ର ନାଥ ମିଶ୍ର

ପ୍ରାଚୀନ ଓଡ଼ିଆ ଗଦ୍ୟ ସଂକଳନ

ସଂକଳନ ଡଃ କୁଞ୍ଜବିହାରୀ ଦାଶ

ଶ୍ରୀଜଗନ୍ନାଥ-କୋଣାର୍କରେ ପ୍ରକାଶିତ

ପ୍ରବନ୍ଧାବଳୀର ସଂକଳନ

 

ଓଡ଼ିଶାରେ ସଂସ୍କୃତି ଚର୍ଚ୍ଚାର ପରମ୍ପରା

ଡଃ ଗୋପୀନାଥ ମହାନ୍ତି

ଓଡ଼ିଆ ଚୌପଦୀ ସାହିତ୍ୟ

ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି

୧୦

ଓଡ଼ିଆ ଭାଷାର ଉପଭାଷା

ଡଃ ସତ୍ୟନାରାୟଣ ରାଜଗୁରୁ

୧୧

ଓଡ଼ିଆ ସାହିତ୍ୟରେ ତନ୍ତ୍ରର ପ୍ରଭାବ

(ଶ୍ରୀ ଗଣେଶ ପ୍ରସାଦ ପରିଜା

ଡକ୍ଟର ଆଶୁତୋଷ ପଟ୍ଟନାୟକ)

୧୨

ଓଡ଼ିଆ ଲିପି ଓ ଭାଷା

କୋଣାର୍କରେ ପ୍ରକାଶିତ ପ୍ରବନ୍ଧାବଳୀ

୧୩

ବ୍ରତ ସାହିତ୍ୟ

ଡକ୍ଟର ଅରବିନ୍ଦ ପଟ୍ଟନାୟକ

୧୪

କବି ବ୍ରଜନାଥ ବଡ଼ଜେନା

ଡକ୍ଟର ରବିନ୍ଦ୍ରନାଥ ପ୍ରଜାରାଜ

୧୫

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

ଡକ୍ଟର ବନମାଳୀ ରଥ

୧୬

ସାହିତ୍ୟ ଓ ସଂସ୍କୃତି

ଡକ୍ଟର ଶ୍ରାଶ ପଟେଲ

୧୭

ବଣ୍ଡା ପର୍ବତର ଆଦିବାସୀ

ଆଦିବାସୀ ସଂସ୍କୃତି ଆଲୋଚନା ଚକ୍ର

ଅବସରରେ ରଚିତ ପ୍ରବନ୍ଧ

୧୮

ନାଟ୍ୟକାର ରାମଶଙ୍କର

ଡକ୍ଟର ହେମନ୍ତ କୁମାର ଦାସ

୧୯

ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟ-

ଓଡ଼ିଆ ନାଟ୍ୟ ସାହିତ୍ୟ ଆଲୋଚନା

ଚକ୍ରରେ ପଠିତ ପ୍ରବନ୍ଧ

୨୦

ଦୁର୍ଗ

ଅନୁବାଦକ : ଡକ୍ଟର ସୌଭାଗ୍ୟକୁମାର ମିଶ୍ର

୨୧

ଓଡ଼ିଆ ଶିଶୁ ସାହିତ୍ୟ ସଂକଳନ

ଶ୍ରୀ ରାମକୃଷ୍ଣ ନନ୍ଦ

୨୨

ପ୍ରାଚୀନ ଉତ୍କଳ, ପ୍ରଥମ ଭାଗ

 

୨୩

ପ୍ରାଚୀନ ଉତ୍କଳ ଦ୍ୱିତୀୟ ଭାଗ

୰ ଜଗବନ୍ଧୁ ସିଂହ

୨୪

ରାମଲୀଳା ପ୍ରଥମଭାଗ

ସଂକଳକ - ପଣ୍ଡିତ ଶ୍ରୀ ନୀଳମଣି ମିଶ୍ର

୨୫

ରାମଲୀଳା ଦ୍ୱିତୀୟ ଭାଗ

ସଂକଳକ - ପଣ୍ଡିତ ଶ୍ରୀ ନୀଳମଣି ମିଶ୍ର

 

ଓଡ଼ିଆ ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀ ରାଇ ଚରଣ ଦାସ ଉପସ୍ଥିତ ଅତିଥି-ବର୍ଗଙ୍କୁ ଧନ୍ୟବାଦ ଅପରତଣ କରିଥଲେ ।

 

ଅପରାହ୍‌ଣ ଅଧିବେଶନ

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି, ଉପସଭାପତି, ସମ୍ପାଦକ ଓ ଏକାଡେମୀ ପକ୍ଷରୁ ପୁରସ୍କୃତ ବିଶିଷ୍ଟ ଲେଖିକାମାନଙ୍କ ସମାବେଶରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ତହିଁରେ ପୌରୋହିତ୍ୟ କରିଥିଲେ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ।

 

ସେଥିରେ ଯୋଗ ଦେଇଥିଲେ ପୂର୍ବତନ ସଭାପତି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ପୂର୍ବତନ ଉପସଭାପତି ଶ୍ରୀ ସତ୍ୟାନନ୍ଦ ଚମ୍ପତିରାୟ, ପୂର୍ବତନ ସମ୍ପାଦକ ।

 

(୧) ଶ୍ରୀ ରାଜକିଶୋର ରାୟ

(୨) ଶ୍ରୀ କାହ୍ନୁ ଚରଣ ମହାନ୍ତି

(୩) ଶ୍ରୀ ବିନୋଦ ଚନ୍ଦ୍ର ନାୟକ

 

ସମସ୍ତେ ନିଜ ନିଜର ବକ୍ତବ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଭୂମିକା ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କି କି କାର୍ଯ୍ୟକ୍ରମ ହାତକୁ ନେଇ ପାରିଲେ ଓଡ଼ିଆ ଭାଷା ଓ ସାହିତ୍ୟ ବିକାଶ ଲାଭ କରି ପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଅବସରରେ ଆୟୋଜିତ ପ୍ରତ୍ନ ଐତିହାସିକ କାଳରୁ ସାଂପ୍ରତିକ କାଳ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ, କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ପରମ୍ପରା ସହିତ ପରିବର୍ତ୍ତନର ଧାରା ଉପରେ ପ୍ରଦର୍ଶନୀ ଉପସ୍ଥାପିତ କରାଯାଇଥିଲା ।

 

ସନ୍ଧ୍ୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇ ପ୍ରଦର୍ଶନୀ ମଣ୍ଡପ ସମୂହର ପ୍ରବେଶଦ୍ୱାରରେ ଆଦିକବି ଶାରଳା ଦାସଙ୍କର ଯେଉଁ ମନୋଜ୍ଞ ଚିତ୍ରପଟ ସ୍ଥାପିତ ହୋଇଥିଲା, ବନ୍ଧୁମାନଙ୍କ ଗହଣରେ ସେ ତାହା ଦେଖିଥିଲେ ।

 

‘ପୋଥିଘର’ ମଣ୍ଡପରେ ଓଡ଼ିଶାର ଗ୍ରାମଞ୍ଚଳରେ ସଚରାଚର ପରିଦୃଷ୍ଟ ଭାଗବତ ଟୁଙ୍ଗୀର ଏକ ପ୍ରତିରୂପ ସହିତ ତାଳପତ୍ର, ଧାତୁନିର୍ମିତ ପତ୍ର, ହାତୀଦାନ୍ତ ଇତ୍ୟାଦିରେ ଲିଖିତ ଓ ଚିତ୍ରିତ ବିଭିନ୍ନ ପାଣ୍ଡୁଲିପି, ଓଡ଼ିଆ ଲିପିର କ୍ରମବିକାଶ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ଫଳକ ଏବଂ ଚିତ୍ର ତଥା ବିଶିଷ୍ଟ ପ୍ରାଚୀନ ଓଡ଼ିଆ ଲେଖକମାନଙ୍କର ତାଳପତ୍ର ପୋଥି ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା ।

 

ଓଡ଼ିଆ ସାହିତ୍ୟର ବିକାଶଧାରା ମଣ୍ଡପରେ ଅଦ୍ୟାବଧି ପ୍ରକାଶିତ ବିଶିଷ୍ଟ ଓଡ଼ିଆ ଗ୍ରନ୍ଥ ସମୂହ ସହିତ ବିଶିଷ୍ଟ ଓଡ଼ିଆ ଲେଖକମାନଙ୍କ ଚିତ୍ରପଟ ରଖାଯାଇଥିଲା । ବିଭିନ୍ନ ସୂଚନା ଫଳକ ମାଧ୍ୟମରେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ସୃଷ୍ଟି ଏବଂ ବିକାଶ ଧାରା ସମ୍ପର୍କରେ ସୂଚନା ଏବଂ ବିଶଦ ଭାବରେ ବିଭାଗୀକୃତ ପୁସ୍ତକ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା ।

 

ପରବର୍ତ୍ତୀ ମଣ୍ଡପରେ ଆୟୋଜନ କରାଯାଇ ଥିଲା ଓଡ଼ିଆ ପତ୍ର-ପତ୍ରିକା ଓ ଆଦ୍ୟ ପ୍ରକାଶିତ ପୁସ୍ତକମାନଙ୍କର ପ୍ରଦର୍ଶନୀ । ଊନବିଂଶ ଶତାବ୍ଦୀରୁ ଅଦ୍ୟାବଧି ପ୍ରକାଶିତ ପତ୍ର-ପତ୍ରିକା ଗୁଡ଼ିକର ବିଭିନ୍ନ ସଂଖ୍ୟା ତଥା ଦୁଷ୍ପ୍ରାପ୍ୟ ପତ୍ର-ପତ୍ରିକା ଓ ପୁସ୍ତକମାନ ସେଠାରେ ରଖାଯାଇଥିଲା ।

 

ସ୍ଥାପତ୍ୟ ଭାସ୍କର୍ଯ୍ୟ କଳା ମଣ୍ଡପରେ ଓଡ଼ିଶାର ପ୍ରାନ୍ତରେ ଅବସ୍ଥିତ ପ୍ରାଚୀନ କୀର୍ତ୍ତି ସମୂହର ଫଟୋ ବିଭିନ୍ନ ସଂଗ୍ରହାଳୟରୁ ଅଣାଯାଇ ବିଶଦ ସୂଚନା ସହିତ ପ୍ରଦର୍ଶିତ ହୋଇଥିଲା ।

 

ଓଡ଼ିଶାର ବିଶିଷ୍ଟ ସଂସ୍କୃତ କବି ଜୟଦେବଙ୍କ ଉପରେ ଆଧାରିତ ପ୍ରଦର୍ଶନୀ ମଣ୍ଡପରେ ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁଳି ଗ୍ରାମର ଆଲୋକ ଚିତ୍ର ଓ ସୂଚନା ଫଳକ ବିବରଣୀ ସହିତ, କବିଙ୍କ ରଚନାର ତାଳପତ୍ର ପାଣ୍ଡୁଲିପି, କବିଙ୍କ ରଚନା ଉପରେ ଚିତ୍ର ଇତ୍ୟାଦିର ପ୍ରଦର୍ଶନ ।

 

ଓଡ଼ିଶାର ସାମରିକ ପରମ୍ପରା ଉପରେ ଆଧାରିତ ଏକ ମଣ୍ଡପରେ ଦେଶର ଗୌରବମୟ ସାମରିକ ପରମ୍ପରା ସମ୍ପର୍କରେ ବିଶଦ ସୂଚନା ସହିତ ବହୁବିଧ ଯୁଦ୍ଧସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଯୁଦ୍ଧକୌଶଳ ନମୁନା ଓ ଐତିହାସିକ ଯୁଦ୍ଧ ବିବରଣୀ ଏଥିରେ ଉପସ୍ଥାପିତ କରାଯାଇଥିଲା ।

 

ଓଡ଼ିଶାର ଜଳଯାତ୍ରା ପରମ୍ପରା ଉପରେ ଆଧାରିତ ପ୍ରଦର୍ଶନୀ ମଣ୍ଡପରେ ପ୍ରାଚୀନ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଓ ଜଳଯୁଦ୍ଧ ଇତ୍ୟାଦି । ଦେଶ ଦେଶାନ୍ତରରେ ଉତ୍କଳୀୟ ବଣିକ ଓ ସୈନିକମାନଙ୍କର ଗୌରବମୟ ଆଧିପତ୍ୟ ତଥା ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ସମାଜରେ ଏ ସମ୍ପର୍କରେ ପ୍ରଚଳିତ କଥା କିମ୍ୱଦନ୍ତୀ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା ।

 

ଓଡ଼ିଶାର ଚିତ୍ରକଳା ପ୍ରଦର୍ଶନୀ ମଣ୍ଡପରେ ଓଡ଼ିଶାର ବିଭିନ୍ନ ପାରମ୍ପରିକ କଳାକୃତି, ଭାସ୍କର୍ଯ୍ୟ ସହିତ ଆଧୁନିକ ଚିତ୍ରକଳା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା କଳାକାରମାନଙ୍କର ଚିତ୍ର ଭାସ୍କର୍ଯ୍ୟ ସଜ୍ଜା ହୋଇଥିଲା ।

 

‘ଓଡ଼ିଶୀ ନୃତ୍ୟ’ ପ୍ରଦର୍ଶନୀ ମଣ୍ଡପରେ ଓଡ଼ିଶାର ନୃତ୍ୟ ପରମ୍ପରା, ପୋଷାକ, ପରିପାଟୀ, ଅଳଙ୍କାର ଇତ୍ୟାଦି ସହିତ ଓଡ଼ିଶୀ ନୃତ୍ୟର ବିଭିନ୍ନ ମୁଦ୍ରା ଓ ଭଙ୍ଗୀ, ଚିତ୍ର ଓ ଆଲୋକଚିତ୍ର ଇଦ୍ୟାଦି ବିବରଣୀ ମାଧ୍ୟମରେ ସ୍ପଷ୍ଟୀକୃତ କରାଯାଇଥିଲା ।

 

ଓଡ଼ିଶାର ବିଭିନ୍ନ ଆଦିବାସୀ ସଂପ୍ରଦାୟର ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ ପ୍ରଦର୍ଶନୀ ମଣ୍ଡପରେ ଆଦିବାସୀମାନଙ୍କର ନୃତ୍ୟ ଗୀତ ପର୍ବ-ପର୍ବାଣୀ ତଥା ସାଂସ୍କୃତିକ ଜୀବନ ଚିତ୍ର, ମଡ଼େଲ ଓ ସୂଚନା ଫଳକ ଯୋଗେ ଦେଖାଇ ଦିଆହୋଇଥିଲା ।

 

ଓଡ଼ିଶାର ପର୍ବ-ପର୍ବାଣୀ ଉପରେ ଆଧାରିତ ପ୍ରଦର୍ଶନୀ ମଣ୍ଡପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଉଥିବା ବିଶିଷ୍ଟ ପର୍ବ-ପର୍ବାଣୀର ଆଲୋକଚିତ୍ର ପ୍ରଦର୍ଶନ କରାଯାଇ ଥିଲା-! ଏହି ମଣ୍ଡପଟିର ସାଜସଜ୍ଜା ଓଡ଼ିଶାର ପଲ୍ଲୀ ଗ୍ରାମମାନଙ୍କର ଅନୁକୃତିରେ କରାଯାଇଥିଲା ।

 

ଶ୍ରୀ ଜଗନ୍ନାଥ ମଣ୍ଡପରେ ଜଗନ୍ନାଥଙ୍କ ରତ୍ନ ସିଂହାସନ ସହ ଚତୁର୍ଦ୍ଧାମୂର୍ତ୍ତିର ମଡ଼େଲ ଜଗନ୍ନାଥଙ୍କ ବିଭିନ୍ନ ପର୍ବ-ପର୍ବାଣୀ ଓ ଆଲୋକ ଚିତ୍ର ସହିତ ପାରମ୍ପରିକ ଶୈଳୀରେ ହିଁ ଚିତ୍ରିତ କାଞ୍ଚି ଅଭିଯାନ ଓ ଅଣସର ପଟ୍ଟଚିତ୍ର ରଖାଯାଇଥିଲା।

 

ତା ୧୩।୧୨।୮୨ ଦ୍ୱିତୀୟ ଦିବସ

‘‘ଓଡ଼ିଶା ସାହିତ୍ୟ ଏକାଡେମୀ ଆଜକୁ ଠିକ୍ ୨୫ ବର୍ଷ ତଳେ ପ୍ରତିଷ୍ଠିତ ହୋଇଥିଲା ଓ ଏହି ୨୫ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଅନବରତ ଚେଷ୍ଟାକରି ଆସିଅଛି । ଯେଉଁ ସାହିତ୍ୟିକମାନେ ରାଜ୍ୟରେ ନିରବଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ କୃତିତ୍ୱ ହାସଲ କରିଛନ୍ତି ସେମାନଙ୍କୁ ବିଭିନ୍ନ ସମୟରେ ସମ୍ମାନିତ କରି ଆସିଛି । ସାହିତ୍ୟ ସ୍ରଷ୍ଟାଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମକୁ ଅବ୍ୟାହତ ଓ ବ୍ୟାପକ କରିବା ପାଇଁ କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ, କଳା, ସଙ୍ଗୀତ ତଥା ସମାଜ ସେବା କ୍ଷେତ୍ରରେ ଯେଉଁସବୁ ସମ୍ମାନନୀୟ ବ୍ୟକ୍ତିମାନେ ସାଧନା କରି ନିଜ ନିଜ କ୍ଷେତ୍ରରେ ଯଶସ୍ୱୀ ହୋଇଛନ୍ତି ସେହିମାନଙ୍କୁ ରଜତ ଜୟନ୍ତୀ ଅବସରରେ ସମ୍ମାନିତ କରିବା ଅନ୍ୟ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ । ରଜତ ଜୟନ୍ତୀର ସପ୍ତମଦିବସ କାର୍ଯ୍ୟକ୍ରମରେ କଳା, ସଙ୍ଗୀତ ଓ ସାହିତ୍ୟ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଖ୍ୟାତ ଅର୍ଜନ କରିଥିବା ସର୍ବମୋଟ ୩୬ଜଣ ସାଧକଙ୍କୁ ସମ୍ମାନିତ କରାଯାଉଛି । ଏକ ତାମ୍ରପତ୍ର ଓ ଖଣ୍ଡିଏ ସାଲ ଟେକିଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରୁଅଛି ।’’

 

ରଜତ ଜୟନ୍ତୀରେ ଦ୍ୱିତୀୟ ଦିବସରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହିପରି ଉପକ୍ରମ କରି ସେଦିନ ଛଅଜଣ ସାହିତ୍ୟ ସାଧକଙ୍କୁ ତାମ୍ରପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେମାନେ ହେଲେ-

 

ସାହିତ୍ୟ ସାଧକ ଶ୍ରୀ କାଳିନ୍ଦ୍ରୀ ଚରଣ ପାଣିଗ୍ରାହୀ

ଐତିହାସିକ ଶ୍ରୀ ସତ୍ୟନାରାୟଣ ରାଜଗୁରୁ

ନାଟ୍ୟକାର ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଳ

ପ୍ରାବନ୍ଧିକ ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା

ଔପନ୍ୟାସିକ ଶ୍ରୀ କାହ୍ନୁ ଚରଣ ମହାନ୍ତି

ପ୍ରାବନ୍ଧିକ ଶ୍ରୀ ଶ୍ରଦ୍ଧାକାର ସୂପକାର

 

ସମ୍ବର୍ଦ୍ଧିତ ସାହିତ୍ୟ ସାଧକମାନେ ଏକାଡେମୀର ଏ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସାହିତ୍ୟ ସାଧନା ସମ୍ପର୍କରେ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ ।

 

ଆଲୋଚନା ଚକ୍ର

ସମ୍ୱର୍ଦ୍ଧନା ସଭା ଶେଷ ହେବା ପରେ ରଜତ ଜୟନ୍ତୀ ଉତ୍ସବର ପ୍ରଥମ ଆଲୋଚନା ଚକ୍ର ‘‘ଶିଳ୍ପ ଓ ସାହିତ୍ୟର ଆଙ୍ଗିକ ବନାମ ଆତ୍ମା’’ ଅନୁଷ୍ଠିତ ହୋଇଥିଲା । ସେଥିରେ ସଭାପତିତ୍ୱ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ । ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ ଉକ୍ତ ବିଷୟରେ ଭିତ୍ତି ପ୍ରବନ୍ଧ ପାଠ କରି ତହିଁରେ ଦର୍ଶାଇଥିଲେ ଯେ-‘‘ସାଧାରଣ ଭାବେ ସୁପ୍ରତିଷ୍ଠିତ ଆଙ୍ଗିକର ଆଦର୍ଶ ହେଲା ରସ ଫୁଟାଇବାର ଚେଷ୍ଟା । ଆଙ୍ଗିକର ପ୍ରାତ୍ୟହିକ ଜୀବନର ଉପଲବ୍‌ଧିକୁ ଗଭୀର ସ୍ତରରେ ନେଇ ଯିବାର ସୋପାନ ହୋଇ ପାରିଲେ ହିଁ ତା’ର ସାର୍ଥକତା ।’’

 

ଏହି ଆଲୋଚନା ଚକ୍ରରେ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି, ଶ୍ରୀ ଗଗନେନ୍ଦ୍ର ନାଥ ଦାସ, ଶ୍ରୀ ଗୋପାଳକୃଷ୍ଣ ରଥ ଓ ଶ୍ରୀ ରାଇଚରଣ ଦାସ ଅଂଶ ଗ୍ରହଣ କରି ପଠିତ ପ୍ରବନ୍ଧର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

 

ଶେଷରେ ସଭାପତି ଶ୍ରୀ ଗଡ଼ନାୟକ ତାଙ୍କ ଭାଷଣରେ ମାର୍ମିକ ଭାବରେ କହିଲେ ଯେ ଆଙ୍ଗିକ ଯେତେ ମନୋଜ୍ଞ ବା ଶୋଭାନୀୟ ହେଲେ ହେଁ ଆତ୍ମାର ଦୀପ୍ତି ନ ଥିଲେ ଶିଳ୍ପ ବା ସାହିତ୍ୟ ଦୀର୍ଘଦିନ ବଞ୍ଚି ପାରେ ନାହିଁ ।

 

ଅପରାହ୍‌ଣ ଆଲୋଚନା ଚକ୍ର, ଘ ୩.୩୦ ରୁ ୫.୩୦

 

‘‘ସାହିତ୍ୟ ଓ ରାଷ୍ଟ୍ର’’ ଆଲୋଚନା ଚକ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

 

ଉକ୍ତ ବିଷୟରେ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ଶ୍ରୀ ମନୋମୋହନ ମିଶ୍ର ଓ ଡକ୍ଟର କୃଷ୍ଣ ପ୍ରସାଦ ମିଶ୍ର । ସର୍ବୋପରି ଏକାଡେମୀର ସମ୍ପାଦକ ଶ୍ରୀ ରାଇ ଚରଣ ଦାସ ଉପରୋକ୍ତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ ।

 

ପ୍ରବନ୍ଧ ପାଠ ପରେ ସର୍ବଶ୍ରୀ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା, ଡକ୍ଟର ଶ୍ରଦ୍ଧାକର ସୂପକାର, ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ, ଡକ୍ଟର ଭାବଗ୍ରାହୀ ମିଶ୍ର, ଡକ୍ଟର କାହ୍ନୁଚରଣ ମିଶ୍ର, ଅଶ୍ୱିନୀ କୁମାର ପୂଜାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ‘‘ସାହିତ୍ୟ ଓ ରାଷ୍ଟ୍ର’’ କିପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ସାହିତ୍ୟ ସୃଷ୍ଟିର ଭୂମିକା ଏବଂ ରାଷ୍ଟ୍ରର ପ୍ରେତ୍ସାହନରେ ସାହିତ୍ୟ କିପରି ଋଦ୍ଧିମନ୍ତ ହୁଏ ସେହି ସମ୍ପର୍କରେ ଆଲୋଚନା କରିଥିଲେ ।

 

ସଭାପତି ଶ୍ରୀ ଗଡ଼ନାୟକ କହିଥିଲେ ଯେ, ରାଷ୍ଟ୍ରର କର୍ତ୍ତବ୍ୟ ହେଉଛି ରାଷ୍ଟର କଳା, ସାହିତ୍ୟକୁ ପ୍ରୋତ୍ସାହନ ଦେବା; ମାତ୍ର ଆଶଙ୍କା ଯେ ତହିଁରେ ସାହିତ୍ୟ ସ୍ୱାଧୀନ ବା ନିର୍ଭୀକ ରହି ପାରିଲେ ହେଲା ।

 

ତା ୧୪ ।୧୨ ।୮୨ ତୃତୀୟ ଦିବସ

 

ପୂର୍ବାହ୍‌ଣ ଅଧିବେଶନ

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଏହି ଅଧିବେଶନରେ ରାଜ୍ୟର ଛଅଜଣ କୃତୀ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା- ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ହେଲେ-

 

(୧)

ଔପନ୍ୟାସିକ ଶ୍ରୀ ଗୋପୀନାଥ ମହାନ୍ତି

(୨)

ଗବେଷକ ଡକ୍ଟର କୁଞ୍ଜବିହାରୀ ଦାଶ

(୩)

ଗାଳ୍ପିକ ଶ୍ରୀ ରାଜକିଶୋର ରାୟ

(୪)

କବି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ

(୫)

ପ୍ରାବନ୍ଧିକ ଶ୍ରୀ ବ୍ରଜବିହାରୀ ବହିଦାର

(୬)

ବିଜ୍ଞାନ ଭିତ୍ତିକ ସାହିତ୍ୟକୁ

 

ଲୋକପ୍ରିୟ କରାଇବାରେ ସଫଳ ପ୍ରାବନ୍ଧିକ

ଡକ୍ଟର ଶ୍ରୀ ଗୋକୁଳାନନ୍ଦ ମହାପାତ୍ର

 

ସଭାପତି ଶ୍ରୀ ମହାନ୍ତି ଉପସ୍ଥିତ କୃତୀ ସାହିତ୍ୟିକମାନଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

 

ଆଲୋଚନା ଚକ୍ର ଘ୧୧-୩୦ ରୁ ୨ ଘଣ୍ଟା ପର୍ଯ୍ୟନ୍ତ

 

‘‘ଓଡ଼ିଆ ଗଳ୍ପ ସାହିତ୍ୟ- ସାଂପ୍ରତିକ ସ୍ତର ଓ ଏହାର ଭବିଷ୍ୟତ’’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ତହିଁରେ ସଭାପତିତ୍ୱ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ ।

 

ଅଧ୍ୟାପକ ଶ୍ରୀ ବୈଷ୍ଣବଚରଣ ସାମଲ ଉକ୍ତ ବିଷୟକ ଭିତ୍ତି ପ୍ରବନ୍ଧ ପାଠ କରି ଓଡ଼ିଆ ଗଳ୍ପର ବର୍ତ୍ତମାନ ପରିସ୍ଥିତି ଓ ଆଭିମୁଖ୍ୟ ସମ୍ପର୍କରେ ଅନେକ ଉପଦେୟ ବିଷୟ ଉପସ୍ଥାପିତ କରିଥିଲେ ।

 

ବିଶିଷ୍ଟ ଗାଳ୍ପିକ ଶ୍ରୀ ମହାପାତ୍ର ନୀଳମଣୀ ସାହୁ, ଶ୍ରୀ ବଳରାମ ସାହୁ, କୁମାରୀ ବୀଣାପାଣି ମହାନ୍ତି, ଅଧ୍ୟାପକ ପ୍ରାଣବନ୍ଧୁ କର, ଡକ୍ଟର ଶ୍ରୀ ନିବାସ ମିଶ୍ର ଓ ଶ୍ରୀରାମ ପ୍ରସାଦ ପୂରୋହିତ ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପରେ ଆଲୋଚନା କଲାପରେ ଅଧ୍ୟାପକ ଶ୍ରୀ ସାମଲ ଉତ୍‌ଥାପିତ ପ୍ରଶ୍ନମାନଙ୍କର ଉତ୍ତର ପ୍ରଦାନ କରିଥିଲେ ।

 

ସଭାପତି ଶ୍ରୀ ଗଡ଼ନାୟକଙ୍କ ସଂକ୍ଷିପ୍ତ ଭାଷଣ ପରେ ସମ୍ପାଦକ ରାଇଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

 

ଅପରାହ୍‌ଣ ଆଲୋଚନା ଚକ୍ର ଘ ୩-୩୦ ରୁ ଘ ୫-୩୦

 

ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ସଭାପତିତ୍ୱରେ ଚତୁର୍ଥ ଆଲୋଚନା ଚକ୍ର ‘‘ଆଦିବାସୀ ସଂସ୍କୃତିର ସ୍ୱରୂପ’’ ଅନୁଷ୍ଠିତ ହୋଇଥିଲା ।

 

ସର୍ବଶ୍ରୀ ଚିତ୍ତରଞ୍ଜନ ଦାସ, ସୀତାକାନ୍ତ ମହାପାତ୍ର ଓ ରାଇଚରଣ ଦାସ ସଂପୃକ୍ତ ବିଷୟକ ଭିତ୍ତି ପ୍ରବନ୍ଧ ପାଠ କରି ଆଦିବାସୀ ସଂସ୍କୃତିର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ ।

 

ସର୍ବଶ୍ରୀ ହାଡ଼ିବନ୍ଧୁ ମିର୍ଦ୍ଧା, ଭାଗୀରଥି ନେପାକ, ଗୋପୀନାଥ ମହାନ୍ତି, ଡକ୍ଟର ଏ: ଆଲି: ପ୍ରମୁଖ ଆଲୋଚନାରେ ଭାଗ ନେଇ ଆଦିବାସୀମାନଙ୍କ ବୈଶିଷ୍ଟ୍ୟ ପୂର୍ଣ୍ଣ ରୀତି ଗତି ଓ ସାଂସ୍କୃତିକ ଧାରାର ଭିନ୍ନ ଭିନ୍ନ ବିଷୟ ଉପସ୍ଥାପିତ କରିଥିଲେ ।

 

ସଭାପତି ଶ୍ରୀ ଗଡ଼ନାୟକ ଆଦିବାସୀମାନଙ୍କ ସାଂସ୍କୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋକପାତ କରି ସ୍ୱୀୟ ଭାଷଣ ଶେଷ କରିଥିଲେ ।

 

ତା ୧୫ । ୧୨। ୮୨ ଚତୁର୍ଥ ଦିବସ

ପୂର୍ବାହ୍‌ଣ ଅଧିବେଶନ

 

ରଜତ ଜୟନ୍ତୀର ଏହି ଅଧିବେଶନରେ ରାଜ୍ୟର ପାଞ୍ଚଜଣ ବିଶିଷ୍ଟ ସାହିତ୍ୟିକ ଓ ବିଶିଷ୍ଟ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ-

 

(୧)

ନାଟ୍ୟକାର ଶ୍ରୀ ପ୍ରାଣବନ୍ଧୁ କର

(୨)

ବ୍ୟଙ୍ଗ ସାହିତ୍ୟିକ ଫତୁରାନନ୍ଦ

(୩)

ବିଶିଷ୍ଟ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟ

(୪)

ଅନୁବାଦକ ଶ୍ରୀ ଲକ୍ଷ୍ମୀ ନାରାୟଣ ମହାନ୍ତି

(୫)

କବି ଓ ପ୍ରାବନ୍ଧିକ ଶ୍ରୀ ଗଙ୍ଗାଧର ଗୁରୁ

 

ଏକାଡେମୀର ସଭାପତି ଶ୍ରୀ ମହାନ୍ତି ଉପସ୍ଥିତ ପାଞ୍ଚଜଣ କୃତୀ ସାଧକଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

 

ପୂର୍ବାହ୍‌ଣ ଆଲୋଚନା ଚକ୍ର ଘ ୧୧-୦୦ ରୁ ଘ ୧-୩୦

 

ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ଗଡ଼ନାୟକଙ୍କ ପୌରୋହିତ୍ୟରେ ‘‘ଓଡ଼ିଆ ଉପନ୍ୟାସ ସାହିତ୍ୟ-ସାଂପ୍ରତିକ ସ୍ତର ଓ ଏହାର ଭବିଷ୍ୟତ ’’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

 

ଡକ୍ଟର କୃଷ୍ଣ ଚରଣ ବେହେରା ତତ୍‌ ବିଷୟକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ତାହା ପରେ ସର୍ବଶ୍ରୀ ରମେଶ ଧଳ ମହାପାତ୍ର ନୀଳମଣି ସାହୁ, ଗୋପୀନାଥ ମହାନ୍ତି, ଡକ୍ଟର ନରେନ୍ଦ୍ର ନାଥ ମିଶ୍ର ଓ ଡକ୍ଟର ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ଓଡ଼ିଆ ଉପନ୍ୟାସର ପ୍ରଥମ ରଚନାଠାରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କିପରି ପରୀକ୍ଷା ନିରୀକ୍ଷା ଚାଲିଛି ସେ ସମ୍ପର୍କରେ ନାନା ଦିଗରୁ ଆଲୋଚନା କରିଥିଲେ ।

 

ସଭାପତି ଶ୍ରୀ ଗଡ଼ନାୟକ ତାଙ୍କର ଭାଷଣରେ ବିଶେଷ ଭାବରେ ପ୍ରକାଶ କରିଥିଲେ ଯେ ଓଡ଼ିଆ ସାହିତ୍ୟରେ ଉପନ୍ୟାସ ଲେଖାର କ୍ଷିପ୍ର ସୃଷ୍ଟି ଓ ପରିପୁଷ୍ଟି ଲାଭ କରୁଅଛି । ଅନ୍ୟାନ୍ୟ ପ୍ରାଦେଶିକ ଭାଷାଠାରୁ ଓଡ଼ିଆ ଭାଷାର ଉପନ୍ୟାସ ବର୍ତ୍ତମାନ ଯଶସ୍ୱୀ ବୋଲି ମତ ବ୍ୟକ୍ତ କରିଥିଲେ-

 

ସମ୍ପାଦକ ଶ୍ରୀ ରାଇଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଅପରାହ୍‌ଣ ଅଧିବେଶନ

ଓଡ଼ିଆ ସାହିତ୍ୟ ଏକାଡେମୀର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଲଳିତକଳା ଏକାଡେମୀର ଏକ ରାଜ୍ୟସ୍ତରୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଦିଷ୍ଟ ନଥିଲା ।

 

ଓଡ଼ିଶାର ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ଶିଶୁ ଶିଳ୍ପୀମାନଙ୍କୁ ପୁରସ୍କାର ପ୍ରଦାନ କରି ତାଙ୍କର ଭାଷଣରେ ସେମାନଙ୍କର ଭବିଷ୍ୟତ ଆଗ୍ରହ ଓ ଉନ୍ନତି ପାଇଁ ପ୍ରୋତ୍ସାହନ ଦେଇଥିଲେ ।

 

ଅପରାହ୍‌ଣ ଅଧିବେଶନ

କବିତା ପାଠୋତ୍ସବ, ଘ ୪-୧୫ ରୁ ଘ ୬-୧୫

ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ସଭାପତିତ୍ୱରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଏହି କବିତା ପାଠୋତ୍ସବରେ ସ୍ୱରଚିତ କବିତା ପାଠ କରିବାପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଷାଠିଏ ଜଣ କବିଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ‘‘ଖୋରଧା ଗଡ଼’’ ଶୀର୍ଷକ ଏକ ସ୍ୱରଚିତ କବିତା ପାଠ କରିବା ସଙ୍ଗେ ସଙ୍ଗେ କବିତା ପାଠୋତ୍ସବରେ ବହୁ ସମୟ ଧରି ଉପସ୍ଥିତ ରହି କବିମାନଙ୍କୁ ଉତ୍ସାହିତ କରିଥିଲେ । ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ତାଙ୍କ ଗହଣରେ ରହିଥିଲେ । ମୁଖ୍ୟମନ୍ତ୍ରୀ ସଭା ତ୍ୟାଗ କଲାପରେ ମଧ୍ୟ ସେ ସଭା ଶେଷ ପର୍ଯ୍ୟନ୍ତ ରହିବାରେ ଆନନ୍ଦ ଲାଭ କରିଥିଲେ ।

 

କବିତା ପାଠୋତ୍ସବକୁ ନିମନ୍ତ୍ରିତ ହୋଇଥିବା କବିମାନେ ହେଲେ :

୧ । ସର୍ବଶ୍ରୀ ଲକ୍ଷ୍ମୀଧର ନାୟକ, ୨। ନିର୍ମଳା ଦେବୀ, ୩ । ବିନୋଦଚନ୍ଦ୍ର ନାୟକ, ୪ । କୃଷ୍ଣଚନ୍ଦ୍ର ତ୍ରିପାଠୀ, ୫ । ସଚ୍ଚିଦାନନ୍ଦ ରାଉତରାୟ, ୬ । ଦୀପକ ମିଶ୍ର, ୭ । ହରିହର ମିଶ୍ର , ୮। ମନୋରମା ମହାପାତ୍ର, ୯। ବନଜ ଦେବୀ, ୧୦ । ସୌଭାଗ୍ୟ କୁମାର ମିଶ୍ର, ୧୧। ସୀତାକାନ୍ତ ମାହାପାତ୍ର, ୧୨। ରମାକାନ୍ତ ରଥ, ୧୩ । ଅନନ୍ତ ପଟ୍ଟନାୟକ, ୧୪। କାଳିନ୍ଦୀ ଚରଣ ପାଣିଗ୍ରାହୀ, ୧୫ । ପ୍ରତିଭା ଶତପଥୀ, ୧୬ । ରାଜେନ୍ଦ୍ର କିଶୋର ପଣ୍ତା, ୧୭। ପ୍ରହରାଜ ସତ୍ୟନାରୟଣ ନନ୍ଦ, ୧୮। ଯଦୁନାଥ ଦାଶ ମହାପାତ୍ର, ୧୯। ଜଗନ୍ନାଥ ପ୍ରସାଦ ଦାସ, ୨୦। ପ୍ରଫୁଲ କୁମାର ତ୍ରିପାଠୀ, ୨୧। ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ୨୨। ଦୁର୍ଗାମାଧବ ମିଶ୍ର, ୨୩। ସୁଧାଂଶୁମୋହନ ରାଉତରାୟ, ୨୪। ସତ୍ୟାନନ୍ଦ ଚମ୍ପତିରାୟ, ୨୫। ଶକୁନ୍ତଳା ଦେବୀ, ୨୬। ଗୁରୁପ୍ରସାଦ ମହାନ୍ତି, ୨୭ । ବେଣୁଧର ରାଉତ, ୨୮। ଜାନକୀବଲ୍ଲଭ ମହାନ୍ତି, ୨୯। ଚିନ୍ତାମଣି ବେହେରା, ୩୦। ବ୍ରଜନାଥ ରଥ, ୩୧। ଜୀବନାନନ୍ଦ ପାଣି, ୩୨। ରବୀନ୍ଦ୍ର ନାଥ ସିଂହ, ୩୩। ବ୍ରହ୍ମୋତ୍ରୀ ମହାନ୍ତି; ୩୪। ନୃସିଂହ କୁମାର ରଥ, ୩୫ । ଶ୍ରୀନିବାସ ଉଦ୍‌ଗାତା, ୩୬। ଗୋପାଳଚନ୍ଦ୍ର ମିଶ୍ର, ୩୭ । ଫନୀ ମହାନ୍ତି, ୩୮। ପ୍ରସନ୍ନକୁମାର ମିଶ୍ର, ୩୯। ଉମାଶଙ୍କର ପଣ୍ତା, ୪୦। ଦିଲୀପ ଦାସ, ୪୧। ବନବିହାରୀ ପଣ୍ତା, ୪୨। ଲକ୍ଷ୍ମୀନାରାୟଣ ମହାପାତ୍ର, ୪୩ । ପ୍ରସନ୍ନକୁମାର ପାଟଶାଣି, ୪୪। କମଳାକାନ୍ତ ଲେଙ୍କା, ୪୫। ସରୋଜରଞ୍ଜନ ମହାନ୍ତି, ୪୬। ଦୁର୍ଗାଚରଣ କୁଅଁର, ୪୭। ଶରତ କୁମାର ପ୍ରଧାନ, ୪୮। ମୁରାରିମୋହନ ଜେନା, ୪୯। ଉପେନ୍ଦ୍ର ତ୍ରିପାଠୀ, ୫୦। ଉଦୟନାଥ ଷଡ଼ଙ୍ଗୀ, ୫୧। ରାମକୃଷ୍ଣ ନନ୍ଦ, ୫୧। କ୍ଷୀରୋଦଚନ୍ଦ୍ର ପୋଥାଳ, ୫୩। ରାମପ୍ରସାଦ ମହାନ୍ତି, ୫୪। ବରେନ୍ଦ୍ର କୃଷ୍ଣ ଧଳ, ୫୫। ରମେଶ ଧଳ, ୫୬। ଗୋପୀନାଥ ସେନାପତି, ୫୭। ପରମାନନ୍ଦ ଅଧିକାରୀ, ୫୮। ମନୋରମା ମହାପାତ୍ର(ବିଶ୍ୱାଳ) ୫୯। ଜାନକୀ ବଲ୍ଲଭ ପଟ୍ଟନାୟକ, ୬୦। ରାଧାମୋହନ ଗଡ଼ନାୟକ ।

 

ଅପରାହ୍ନରେ କେବଳେ କବିତା ପାଠୋତ୍ସବ ହେବାରେ ଥିଲା, ମାତ୍ର ଘ ୩ ଠାରୁ ଏକ ଘଣ୍ଟାରୁ ଅଧିକ ସମୟ ଲଳିତକଳା ଏକାଡେମୀର ରାଜ୍ୟସ୍ତରୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତାର ପୁରସ୍କାର ଉତ୍ସବରେ ବ୍ୟୟିତ ହୋଇଥିଲା । ତେଣୁ ୬୦ ଜଣରୁ ଅଧିକ କବିଙ୍କୁ କବିତା ପାଠ କରିବାପାଇଁ ସୁଯୋଗ ବା ସମୟର ସୁବିଧା ନଥିଲା ।

 

ସଭାପତି ଶ୍ରୀ ଗଡ଼ନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ କବିତା ପାଠ ପାଇଁ ଆହ୍ୱାନ କଲାବେଳେ ଚୁମ୍ବକରେ ସୂଚନା ଦେଇଥିଲେ ଯେ ଶ୍ରୀ ପଟ୍ଟନାୟକଙ୍କ କବିତା ସହିତ ସେ ଅନେକ ଦିନରୁ ପରିଚିତ, କ୍ଷମତାର ଅନୁରୋଧରେ କିମ୍ବା ମମତାର ଅନୁରୋଧରେ ସେ ତାଙ୍କୁ କବିତା ପାଠୋତ୍ସବକୁ ଡାକି ନାହାନ୍ତି । ତାଙ୍କର କବିତା ତାଙ୍କ କବିତ୍ୱର ପରିଚୟ ଦେବ ବୋଲି ସେ ଜଣାଇ ଦେଇଥିଲେ ।

 

ସମୟ ନ ଥିବାରୁ ସଭାପତି ଶ୍ରୀ ଗଡ଼ନାୟକ କବିମାନଙ୍କର ବିଭିନ୍ନ ବିଭାବ ଉପରେ କୌଣସି ମତବ୍ୟକ୍ତ ନ କରି ଶେଷରେ ଏତିକି ମାତ୍ର କହିଥିଲେ ଯେ କବିତା ପାଠ ଅମୃତ ପରିବେଷଣ ପରି, ତା’ପରେ ଭାଷଣ ଆଉ ସ୍ୱାଦ୍ୟ ନୁହେ; ‘‘ସୁଧାପୂର୍ଣ୍ଣଂ ଚେତଃ କଥମପି ନ ତନ୍ତ୍ରଂ ମୃଗୟତେ’’ କହି ସେ ତାଙ୍କର ବକ୍ତବ୍ୟରେ ସମାପ୍ତି ଦେଇଥିଲେ ।

 

ତା ୧୬ । ୧୨ । ୮୨ ପଞ୍ଚମ ଦିବସ

 

ପୂର୍ବାହ୍‌ଣ ଅଧିବେଶନ

ରଜତ ଜୟନ୍ତୀର ପଞ୍ଚମ ଦିବସରେ ଓଡ଼ିଶାର ଆଠଜଣ କୃତୀ କଳାକାର ଓ ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହି ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ।

 

ସେଇ ଆଠଜଣ ହେଉଛନ୍ତି-

 

ସର୍ବଶ୍ରୀ

ମୃଦଙ୍ଗବାଦକ ଦୟାସାଗର ପାଢ଼ୀ

ସର୍ବଶ୍ରୀ

ନାଟ୍ୟକାର କାର୍ତ୍ତିକକୁମାର ଘୋଷ

ସର୍ବଶ୍ରୀ

ଓଡ଼ିଶୀ ନୃତ୍ୟଗୁରୁ ପଙ୍କଜଚରଣ ଦାସ

ସର୍ବଶ୍ରୀ

ମଞ୍ଚାଭିନେତା ସାମୁଏଲ ସାହୁ (ବାବି)

ସର୍ବଶ୍ରୀ

ମୃଣ୍ମୟ ଶିଳ୍ପୀ ଶ୍ରୀଧର ମହାପାତ୍ର

ସର୍ବଶ୍ରୀ

ତୈଳଚିତ୍ର ଶିଳ୍ପୀ ମୁରଲୀଧର ଟାଲି

ସର୍ବଶ୍ରୀ

ପଟଚିତ୍ର ଶିଳ୍ପୀ ଜଗନ୍ନାଥ ମହାପାତ୍ର

ସର୍ବଶ୍ରୀ

ଚିତ୍ରଶିଳ୍ପୀ ଅସିତ ମୁଖାର୍ଜି

 

ସଭାପତି ଶ୍ରୀ ମହାନ୍ତି କୃତୀ କଳାକାରମାନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ କରିଥିଲେ-

 

ଆଲୋଚନା ଚକ୍ର

ପୂର୍ବାହ୍‌ଣ

‘‘ଓଡ଼ିଆ କାବ୍ୟ କବିତା- ସାଂପ୍ରତିକ ସ୍ତର ଓ ଏହାର ଭବିଷ୍ୟତ’’ ଆଲୋଚନା ଚକ୍ର ଅନୁଷ୍ଠାନରୁ ଉପସଭାପତି ଶ୍ରୀ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

 

ଡକ୍ଟର ନିତ୍ୟାନନ୍ଦ ଶତପଥୀ ଉକ୍ତ ବିଷୟକ ଭିତ୍ତି ପ୍ରବନ୍ଧ ପାଠ କଲା ପରେ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ । ସର୍ବଶ୍ରୀ ଉଜ୍ଜ୍ୱଳ ପାଢ଼ି, ବିଭୁଦତ୍ତ ମିଶ୍ର, ଉକ୍ଟର ପ୍ରସନ୍ନ କୁମାର ମିଶ୍ର ଓ ଦୀପକ ମିଶ୍ର ସେମାନଙ୍କର ବକ୍ତବ୍ୟରେ ସେମାନେ କବିତାର ବିଭିନ୍ନ ମତବାଦର ଦୃଷ୍ଟାନ୍ତ ଦେଖାଇଥିଲେ ଓ ଭିନ୍ନ ଭିନ୍ନ ଦିଗରେ ଆଲୋକପାତ କରିଥିଲେ ।

 

ସଭାପତି ଶ୍ରୀ ଗଡ଼ନାୟକ ଶେଷରେ ଆଲୋଚନାତ୍ମକ ଭାବରେ ପ୍ରକାଶ କରିଥିଲେ ଯେ ଓଡ଼ିଆ ସାରସ୍ୱତ କ୍ଷେତ୍ରରେ ବାଲ୍ୟ କବିତା ଓ ଆଜିର କବିତା ଉପରେ ଦ୍ୱନ୍ଦ୍ୱ । ତେଣୁ ସେ କହିଥିଲେ ଯେ କାଲିର ଚନ୍ଦ୍ର ଅମୃତର ଆଧାର, ତାରାର ପ୍ରଶୟୀ ଓ ସ୍ୱପ୍ନିଳ; ମାତ୍ର ଆଜିର ଚନ୍ଦ୍ର ବୈଜ୍ଞାନିକ ଆବିଷ୍କାରରେ ଜଣା ଯାଇଚି ଏକ ରୁକ୍ଷ ପାହାଡ଼ ଜଙ୍ଗଲର ପୃଥିବୀ- ସଂପୂର୍ଣ୍ଣ ଗଦ୍ୟାତ୍ମକ-

 

ବାଦ, ବିସମ୍ବାଦ, ସଂଘର୍ଷ, ସଂଗ୍ରାମ ଭିତରେ ମଣିଷ ଜୀବନ ଯେପରି ଦୁର୍ବିସହ, ଗଦ୍ୟାତ୍ମକ ସେଥିରେ ଆଜିର କବିତା ଯେ ଗଦ୍ୟମୟ ବା ଗଦ୍ୟ କବିତା ହେବ ତାହା ସ୍ୱାଭାବିକ । ନାନା ଦୃଷ୍ଟାନ୍ତ ଦେଇ ସେ ତାଙ୍କର ମତକୁ ପ୍ରତିପାଦିତ କରିଥିଲେ ।

 

ମାତ୍ର ଆଜିର କବିତାରେ ଯେଉଁ ଦୁର୍ବୋଧ୍ୟତା ଦେଖା ଦେଇଚି ତାହା ପାଠକ ପାଠିକାମାନଙ୍କର ଅବବୋଧରେ ଆସୁ ନାହିଁ । ସେ ଆଜିର କବିଙ୍କୁ ଅନୁରୋଧ ଜଣାଇ କହିଥିଲେ, ଟିକିଏ ବୋଧ୍ୟ-କବିତା ରଚନା କରିବାକୁ । ସେ ସମ୍ପର୍କରେ ମଧ୍ୟ ଶ୍ରୀ ଗଡ଼ନାୟକ ଉଦାହରଣ ଦେଇ ନିଜର ବକ୍ତବ୍ୟକୁ ପ୍ରତିପାଦିତ କରିଥିଲେ ।

 

ଅପରାହ୍‌ଣ ଅଧିବେଶନ

ଆଲୋଚନା ଚକ୍ର ଘ ୩-୩୦ ରୁ ୬-୦୦

ସାହିତ୍ୟିକ ଅନୁଷ୍ଠାନ ଓ ପ୍ରକାଶନ ସଂସ୍ଥାମାନଙ୍କର ସମସ୍ୟା ଉପରେ ସାହିତ୍ୟପତ୍ରର ସମ୍ପାଦକ, ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧି ଓ ପ୍ରକାଶନ ସଂସ୍ଥାର ପ୍ରତିନିଧିମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତହିଁରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ଗଡ଼ନାୟକ ।

 

ଦୈନିକ ମାତୃଭୁମିର ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ କର ଉକ୍ତ ବିଷୟକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ସର୍ବଶ୍ରୀ ବିଭୁତିଭୂଷଣ ପଟ୍ଟନାୟକ, ରମେଶ ସ୍ୱାଇଁ, ଅଭିରାମ ମହାପାତ୍ର, ତ୍ରିବିକ୍ରମ ତ୍ରିପାଠୀ, ଶକୁନ୍ତଳା ପଣ୍ତା ପୀତାମ୍ବର ମିଶ୍ର, ପରମାନନ୍ଦ ଅଧିକାରୀ, ବ୍ରଜନାଥ ରଥ, ମୁରାରି ମୋହନ ମିଶ୍ର ଓ ଅଳକା ଚାନ୍ଦ ପ୍ରମୁଖ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶନ ସଂସ୍ଥା ଗୁଡ଼ିକ କି କି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତିମାନ ବର୍ଣ୍ଣନା କରିଥିଲେ ।

 

ତା ୧୭ । ୧୨ । ୮୨ ଷଷ୍ଠ ଦିବସ

ପୂର୍ବାହ୍‌ଣ

ରଜତ ଜୟନ୍ତୀର ଷଷ୍ଠ ଦିବସରେ ରାଜ୍ୟର ଆଠଜଣ ସମାଜସେବୀ, କବି ଓ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଇ ଆଠଜଣ-

 

ସାହିତ୍ୟ ସାଧିକା ଓ ସମାଜ ସେବିକା ଶ୍ରୀମତୀ ସରଳା ଦେବୀ

କବି ନିର୍ମଳା ଦେବୀ

ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନ

ସୁରସୁଧାକର ବାଳକୃଷ୍ଣ ଦାସ

ବିଶିଷ୍ଟ ସଙ୍ଗୀତ ପ୍ରବୀଣା ସୁନନ୍ଦା ପଟ୍ଟନାୟକ

ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ

ଶ୍ରୀଧର ମହାପାତ୍ର

ସ୍ୱନାମଧନ୍ୟ ପ୍ରକାଶକ- ଅନନ୍ତ ମିଶ୍ର

 

ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ଉପସ୍ଥିତ କଳାକାରମାନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ କରିଥିଲେ ।

 

ଆଲୋଚନା ଚକ୍ର

ପୂର୍ବାହ୍‍ଣ ଘ ୧୧। ୩୦ ରୁ ଘ ୨-୦୦

ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ଗଡ଼ନାୟକଙ୍କ ସଭାପତିତ୍ୱରେ ରଜତ ଜୟନ୍ତୀର ଅଷ୍ଟମ ଓ ଶେଷ ଆଲୋଚନା ଚକ୍ର- ‘‘ଓଡ଼ିଆ ସମାଲୋଚନା ସାହିତ୍ୟ ସାଂପ୍ରତିକ ସ୍ତର ଓ ଏହାର ଭବିଷ୍ୟତ’’ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଶ୍ରୀ ଦାଶରଥୀ ଉକ୍ତ ବିଷୟରେ ଏକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ।

 

ଏହି ଆଲୋଚନାରେ ସର୍ବଶ୍ରୀ ରାଜକିଶୋର ରାୟ, ନୀଳମାଧବ ପାଣିଗ୍ରାହୀ, କେଶବ ମେହେର, ଡକ୍ଟର ବନମାଳୀ ରଥ, ମହାପାତ୍ର ନୀଳମଣି ସାହୁ ଓ ଅଳକା ଚାନ୍ଦ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ । ସମାଲୋଚନା ସାହିତ୍ୟର ଭିନ୍ନ ଭିନ୍ନ ଦିଗରେ ସମୀକ୍ଷା ନିରୀକ୍ଷାକରି ନିଜନିଜର ମତବ୍ୟକ୍ତ କରିଥିଲେ ।

 

ଶେଷରେ ସଭାପତି ଶ୍ରୀ ଗଡ଼ନାୟକ ତାଙ୍କର ଭାଷଣରେ ପ୍ରକାଶ କରିଥିଲେ ଯେ ସମାଲୋଚନା ସାହିତ୍ୟ ଏକ ଦୁରୂହ ଓ ଉପାଦେୟ ବିଭାବ । ସୃଷ୍ଟି ପରି ସମାଲୋଚନା ଆଉ ଏକ ସୃଷ୍ଟି । ସେ ଦୃଷ୍ଟାନ୍ତ ଦେଇ କହିଥିଲେ ଯେ ସେ ନିଜେ ଗୋଟାଏ ଦିଗରେ ସ୍ରଷ୍ଟା ହୋଇଥିଲେ ମଧ୍ୟ ସାହିତ୍ୟ ଦ୍ରଷ୍ଟା (Critic) ଙ୍କୁ ବେଶି ସମ୍ମାନ ଦିଅନ୍ତି, ‘‘Seldam comes the poets here but critic never still ।’’ ଗୋଟାଏ କୂଅରେ ଦଶହାତ ପାଣିଅଛି । ବାରହାତ ବାଉଁଶ ପକାଇଲେ ତାହା ମାପି ହେବ । ଆଠହାତ ବାଉଁଶ ତହିଁରେ ବୁଡ଼ିଯିବ, ମାପି ହେବ ନାହିଁ । ତେଣୁ ସମାଲୋଚକ ସ୍ରଷ୍ଟାଠାରୁ ଗଭୀରତର ବିଜ୍ଞତର ।

 

ପୁଣି ସେ କହିଥିଲେ ଯେ ସମାଲୋଚନା କେବଳ ପ୍ରଶଂସା କି କେବଳ ନିନ୍ଦା ନୁହେ, ତାହା ସୃଷ୍ଟିର ମର୍ମୋଭେଦ । ପ୍ରଚଣ୍ତ ସୂର୍ଯ୍ୟ ଯେପରି ସମୁଦ୍ର, ହ୍ରଦ ଓ ନଦନଦୀ ପ୍ରଭୃତି ଜଳଭଣ୍ତାରର ଜଳ ବାଷ୍ପକରି ଊର୍ଦ୍ଧ୍ୱାକାଶକୁ ନେଇଥାଏ, ସେହି ବାଷ୍ପକୁ ଜଳୀଭୂତ କରି ମନୋରମ ମେଘ ସୃଷ୍ଟିକରେ - ସେଇ ମେଘ ସମୁଦ୍ରଠାରୁ ହ୍ରଦଠାରୁ, ନଦନଦୀଠାରୁ ବେଶି ଜୀବନ୍ତ ଓ ପ୍ରବାହମାନ ପରି ଦେଖାଯାଏ, ଶେଷରେ ପୁଣି ସୂର୍ଯ୍ୟ ବର୍ଷା କରାଇ ସେଇ ଜଳ ଫେରାଇ ଦିଏ । ସମାଲୋଚକର କାର୍ଯ୍ୟ ଠିକ୍‌ ସେହିପରି ।

 

ଆମ ଓଡ଼ିଆ ସାହିତ୍ୟରେ ଓଡ଼ିଆ ଅଧ୍ୟାପକମାନେ ବିଶେଷତଃ ସମାଲୋଚନା ସାହିତ୍ୟ ସୃଷ୍ଟି କରୁଛନ୍ତି- ମାତ୍ର ସେଇ ସେଇ ଲେଖାରେ ବିଭ୍ରାନ୍ତିକର ତ୍ରୁଟି ସବୁ ଲକ୍ଷ୍ୟ କରି ଶ୍ରୀ ଗଡ଼ନାୟକ ଘୋର ଦୁଃଖ ପ୍ରକାଶ କରିଥିଲେ । ଦୃଷ୍ଟାନ୍ତ ଦେଇ ସେ ତାଙ୍କର ମତକୁ ପ୍ରତିପାଦିତ କରି କହିଥିଲେ ଯେ ଜଣେ ଅଧ୍ୟାପକ ରାଧାନାଥ ରାୟଙ୍କର ଜନନୀ ତାରିଣୀ ଦାସୀଙ୍କୁ ତାଙ୍କର ସହଧର୍ମିଣୀ ବୋଲି କହିଛନ୍ତି । ଆଉ ଜଣେ ଇଂରେଜୀ କବି ଗ୍ରେବିଏଲ ରସେଟି ଓ ତାଙ୍କର ଭଉଣୀ ଖ୍ରୀଷ୍ଟିଆନା ରସେଟିଙ୍କୁ ରସେଟି ଦମ୍ପତି ବୋଲି ଲେଖିଅଛନ୍ତି । (ତାଙ୍କର ଥିସିସ୍‌ ଗ୍ରନ୍ଥରେ)

 

ଆହୁରି ଜଣେ ଅଧ୍ୟାପକ ଲେଖିଛନ୍ତି ସାହିତ୍ୟିକା ଅପନ୍ନା ପଣ୍ତାଙ୍କୁ ନାରୀକବି ବୋଲି କହିଛନ୍ତି । ପାରଳାଖେମୁଣ୍ତିରେ ତିନିଜଣ ଅପନ୍ନାଙ୍କର ଜନ୍ମ । ଜଣେ ପଣ୍ତା, ଜଣେ ପରିଛା ଓ ଆଉ ଜଣେ ପାଣିଗ୍ରାହୀ ସଂଜ୍ଞାଧାରୀ । ପାଣିଗ୍ରାହୀ ଅନ୍ଧ ଗାୟକ । ଜଣେ ଅଧ୍ୟାପକ ଲେଖିଛନ୍ତି, ଅନ୍ଧଗାୟକ ଅପନ୍ନା ପରିଛା ।

 

କିପରି ବିଷୟଗତ ବିଭ୍ରାନ୍ତି ସୃଷ୍ଟି କରି କିପରି ଜଣେ ଅଧ୍ୟାପକ ତାଙ୍କର ଥିସିସ ପୁସ୍ତକରେ ସନ୍ନିବିଷ୍ଟ କରିଛନ୍ତି ତାହାର ଦୃଷ୍ଟାନ୍ତ ବାଢ଼ିଲେ ବୋଧହୁଏ ଉପଭୋଗ୍ୟ ହେବ- ତେଣୁ ସଭାପତି କହିଥିଲେ ଯେ ସଂସ୍କୃତରେ ଖଣ୍ତିଏ ନାଟକ ଅଛି- ତାହାର ନାମ ‘ମଧୁରାନିରୁଦ୍ଧ ନାଟକ’ ମାତ୍ର ସେଇ ଅଧ୍ୟାପକ ଲେଖିଛନ୍ତି ‘‘ମଥୁରାନିରୁଦ୍ଧ’’ ବୋଲି- ‘‘ ମଥୁରା ନିରୁଦ୍ଧ’’ ରେ ଉଷା ଓ ଅନିରୁଦ୍ଧଙ୍କର ପ୍ରଣୟ ଓ ପରିଣୟ କଥା ବର୍ଣ୍ଣିତ ହେବା ପରିବର୍ତ୍ତରେ ସେଇ ଅଧ୍ୟାପକ କହିଛନ୍ତି ତହିଁରେ ରାଧାକୃଷ୍ଣଙ୍କର କେଳି ବର୍ଣ୍ଣିତ ହୋଇଚି । ଆଉ କେହି କହିଛନ୍ତି ଗୋପାଳ ବଲ୍ଲଭ ଦାସ ଶ୍ରୀ ମଧୁସୂଦନ ଦାସଙ୍କର ବଡ଼ଭାଇ । ଇତ୍ୟାଦି, ଇତ୍ୟାଦି ।

 

ତେଣୁ ଶ୍ରୀ ଗଡ଼ନାୟକ କାଳିଦାସଙ୍କର ଗୋଟିଏ ଶ୍ଳୋକ ଉଦ୍ଧାର କରି-

 

ଶ୍ଳିଷ୍ଟା କ୍ରିୟା କସ୍ୟ ଚିଦାତ୍ମ ସଂସ୍ଥା

ସଂକ୍ରାନ୍ତିରନ୍ୟସ୍ୟ ବିଶେଷଯୁକ୍ତା ।

ଯସ୍ୟୋଭୟ ସାଧୁ ଶିକ୍ଷକାଣାଂ

ଭୁରି ପ୍ରତିଷ୍ଠା ପୟିତବ୍ୟ ଏବ ।।

 

ଅର୍ଥାତ୍‌ ବିଭିନ୍ନ ଜ୍ଞାନକୁ ସଂଶ୍ଳିଷ୍ଟ ଭାବରେ ଯିଏ ଆୟତ୍ତ କରି ନିଜକୁ ଋଦ୍ଧିମନ୍ତ କରିଥାନ୍ତି ଏବଂ ଲବ୍‌ଧ ଜ୍ଞାନକୁ ସାର୍ଥକ ଭାବରେ ଅନ୍ୟ ପ୍ରାଣରେ ସଂକ୍ରାମିତ କରି ପାରନ୍ତି ସେଇ ହେଉଛନ୍ତି ଶିକ୍ଷକ ।

 

ତେଣୁ ଶ୍ରୀ ଗଡ଼ନାୟକ ସର୍ବଶେଷରେ ଉପରୋକ୍ତ କଥାକୁ ଟିକିଏ ବୁଝି ସୁଝି ଦାୟିତ୍ୱପୂର୍ଣ୍ଣ ଭାବରେ ସମାଲୋଚନା ସାହିତ୍ୟ ଲେଖିବାକୁ ଅଧ୍ୟାପକମାନଙ୍କୁ ଜଣାଇ ଥିଲେ ।

 

ଅପରାହ୍‌ଣ ଅଧିବେଶନ

ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାହିତ୍ୟିକ, ବହୁ ସାହିତ୍ୟିକା ଯୋଗ ଦେଇଥିଲେ । ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ, ଅଭାବ ଓ ଅସୁବିଧା ଏବଂ ଭବିଷ୍ୟତ ସାହିତ୍ୟର ଭୂମିକା ସମ୍ପର୍କରେ ବହୁ ଆଲୋଚକ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ସର୍ବଶ୍ରୀ ରାଜ କିଶୋର ରାୟ, ଡକ୍ଟର କୁଞ୍ଜବିହାରୀ ଦାସ, ମହାପାତ୍ର ନୀଳମଣି ସାହୁ, ବିଭୁତି ପଟ୍ଟନାୟକ, ରାଧାମୋହନ ଗଡ଼ନାୟକ, ରାମକୁମାର ଅଗ୍ରବାଲା, ଶ୍ରୀମତୀ ସ୍ନେହସୁଧା ମିଶ୍ର, ଅଳକା ଚାନ୍ଦ, ଉଦ୍ଧବରଚଣ ନାୟକ, ଡ: ଭାବଗ୍ରାହୀ ମିଶ୍ର, ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ଉମାଶଙ୍କର ମିଶ୍ର, କୁନ୍ତଳା କୁମାରୀ ଆଚାର୍ଯ୍ୟ, ବେଣୁଧର ଦାସ, ସୁଦାମ ଚରଣ ଜେନା, ଭ୍ରମରବର ସାମଲ, କେଶବ ଚନ୍ଦ୍ର ମେହେର, ସୁନ୍ଦରମଣି ପଟ୍ଟନାୟକ, ଭକ୍ତବନ୍ଧୁ ପୂଜାରୀ, ବିଚିତ୍ରାନନ୍ଦ ପଳତା, ଭାଗୀରଥୀ ନେପାକ, ଅନ୍ତର୍ଯ୍ୟାମୀ ଶତପଥୀ, ହରପ୍ରସାଦ ପରିଛା ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରି ଓଡ଼ିଶା ଭାଷା ସାହିତ୍ୟର ପ୍ରସାର କରିବା ପାଇଁ ସାହିତ୍ୟ ଏକାଡେମୀ ବହୁ ପୁସ୍ତକ ପ୍ରକାଶନ, ଭାଷାକୋଷର ପୁନଃ ପ୍ରକାଶନ, ପ୍ରତ୍ୟେକ ଜିଲ୍ଲାରେ ଲେଖକ ସହଯୋଗ ସମିତିମାନଙ୍କ ଜରିଆରେ ବିଭିନ୍ନ ସାହିତ୍ୟ ଆସର, ଉପାନ୍ତ ଅଞ୍ଚଳମାନଙ୍କରେ ସାହିତ୍ୟ ଅନୁଷ୍ଠାନ ଗଠନ କରିବା; ଏକ ଉତ୍କୃଷ୍ଟ ପାଠାଗାର ଖୋଲିବା ଆଦି ପ୍ରସ୍ତାବମାନ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ଦେଇ ନ ଥିବାରୁ ବହୁ ଲେଖକ କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସାହିତ୍ୟ ଏକାଡେମୀ ଦୟିତ୍ୱ ନିଅନ୍ତୁ ବୋଲି ମତ ଦେଇଥିଲେ ।

 

ଏହି ସଭାରେ ବୟୋଜ୍ୟେଷ୍ଠ ଐତିହାସିକ ଓ ସାହିତ୍ୟିକ ସୂର୍ଯ୍ୟନାରାୟଣ ଦାସ, ଔପନ୍ୟାସିକ କମଳାକାନ୍ତ ଦାସ, ସାହିତ୍ୟିକ ଚକ୍ରଧର ମହାପାତ୍ରଙ୍କ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ କରା ଯାଇଥିଲା । ସମସ୍ତେ ଦୁଇ ମିନିଟ ଛିଡ଼ା ହୋଇ ସେମାନଙ୍କର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ଜଣାଇ ଥିଲେ ।

 

ଉଦ୍‌ଯାପନ ଦିବସ

୧୮ । ୧୨ । ୮୨

ସପ୍ତାହବ୍ୟାପୀ ଅନୁଷ୍ଠିତ ରଜତ ଜୟନ୍ତୀ କାର୍ଯ୍ୟକ୍ରମର ଉଦ୍‌ଯାପନ ଉତ୍ସବରେ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ରାଇଚରଣ ଦାସ ସ୍ୱାଗତ ଜ୍ଞାପନ କଲାପରେ ମୁଖ୍ୟ ଅତିଥି ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ସାତିଦିନବ୍ୟାପୀ ଏ ଉତ୍ସବକୁ ସାହିତ୍ୟ ଏକାଡେମୀ ମହାସମାରୋହରେ ପାଳନ କରିଥିବା, କଟକରେ ପ୍ରେସ ଧର୍ମଘଟ ସତ୍ତ୍ୱେ ଏକାଡେମୀ ପକ୍ଷରୁ ୨୫ଟି ପୁସ୍ତକ ପ୍ରକାଶ, ଦୁଇଟି ରଜତ ଜୟନ୍ତୀ ବିଶେଷଙ୍କ ସହ ଗୋଟିଏ ଇଂରେଜୀ ପୁସ୍ତକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହି ଉତ୍ସବକୁ ସଫଳ କରି ପାରି ଥିବାରୁ ସେ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଭୁବନେଶ୍ୱରରେ ବହୁ ଦିନରୁ ଅଭାବ ରହିଥିବା ଏକ ବଡ଼ ଧରଣର ପ୍ରେକ୍ଷାଳୟର ଶୁଭାରମ୍ଭ ମଧ୍ୟ ଏହି ଅବସରରେ ସମ୍ଭବ ହୋଇ ପାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ପ୍ରେକ୍ଷାଳୟ ସଂପୂର୍ଣ୍ଣ ହେଲେ ପ୍ରାୟ ପାଞ୍ଚ ହଜାର ଦର୍ଶକ ଏକକାଳୀନ ବସିବା ବ୍ୟବସ୍ଥା ହୋଇ ପାରିବ ଏବଂ ଏହାକୁ ଓଡ଼ିଶାର ପ୍ରାଚୀନ କାନ୍ତକବି ଜୟଦେବଙ୍କ ନାମରେ ନାମିତ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହିତ୍ୟ ଏକାଡେମୀର ଭୂମିକା ସ୍ୱୀକାର୍ଯ୍ୟ ବୋଲି ସେ କହିଥିଲେ ।

 

ସାହିତ୍ୟ ଏକାଡେମୀ ଏପରି ଆଲୋଚନା ଚକ୍ରମାନ ପ୍ରତିବର୍ଷ, ବିଶେଷ କରି ପ୍ରତ୍ୟେକ ଜିଲାମାନଙ୍କରେ ଆୟୋଜନ କଲେ ସାରା ଓଡ଼ିଶାର ସାହିତ୍ୟିକମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଆଦାନ ପ୍ରଦାନ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା-ସାହିତ୍ୟ ବିକାଶ କ୍ଷେତ୍ରରେ ବହୁ ଗଠନ ମୂଳକ କାର୍ଯ୍ୟପନ୍ଥା ନିରୂପିତ ହୋଇ ପାରିବ । ଏତଦ୍‌ ବ୍ୟତୀତ ଓଡ଼ିଶାର ଲେଖକମାନଙ୍କର ଏକ ତାଲିକାର ସଙ୍କଳନ ସାହିତ୍ୟ ଏକାଡେମୀ ପକ୍ଷରୁ କରାଗଲେ ଭବିଷ୍ୟତରେ ବହୁ ସାହିତ୍ୟିକଙ୍କର ଏହା ସହାୟକ ହୋଇ ପାରିବ ବୋଲି ସେ ମତ ଦେଇଥିଲେ । ସାହିତ୍ୟ ଏକାଡେମୀ ଯେ କୌଣସି ଗଠନ ମୂଳକ ପ୍ରସ୍ତାବ ତାଙ୍କ ସରକାରଙ୍କୁ ଦେଲେ ତାହା ସେ କାର୍ଯ୍ୟକାରୀ କରିବେ ବୋଲି ମଧ୍ୟ ପ୍ରକାଶ କରିଥିଲେ । ଅର୍ଥ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରି ପାରିବ ନାହିଁ । କାର୍ଯ୍ୟରେ ନିଷ୍ଠା ଓ ଉଦ୍ଦେଶ୍ୟ ମହତ୍‌ ଥିଲେ ତାହା ନିଶ୍ଚୟ ସଫଳ ହେବ । ତେଣୁ ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଯେ କୌଣସି ପ୍ରସ୍ତାବକୁ ସ୍ୱାଗତ କରିବେ ବୋଲି ସେ ଘୋଷଣା କରିଥିଲେ ।

 

ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କର ଭାଷଣରେ ଉତ୍କଳ ଭାରତୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବହୁ ଭାବରେ ସଫଳ ହୋଇଥିବା ଦର୍ଶାଇ ଏକାଡେମୀର କର୍ମକର୍ତ୍ତା ଓ ସହଯୋଗୀ ସମସ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ତଥା ରାଜ୍ୟ ସରକାରଙ୍କୁ ନିଷ୍ଠାପର ଭାବରେ ରଜତ ଜୟନ୍ତୀକୁ ସଫଳତାର ସହ ସହଯୋଗ କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।

 

ରାଜ୍ୟରେ ବଢ଼ି, ମରୁଡ଼ି ଦେଖା ଦେଇଥିବା ବେଳେ ବହୁ ଲକ୍ଷ ଟଙ୍କା ବ୍ୟୟରେ ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯାଇ ବହୁ ଅର୍ଥ ଅପବ୍ୟୟ ହେଲା ବୋଲି ବିଭିନ୍ନ ମହଲରୁ ହେଉଥିବା ସମାଲୋଚନାର ଉତ୍ତର ଦେଇ ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ ୧୮୬୬ ମସିହାରୁ ଓଡ଼ିଶାରେ ବନ୍ୟା, ବାତ୍ୟା ଓ ମରୁଡ଼ି ଲାଗି ରହିଛି । ଶହ ଶହ ବର୍ଷ ଧରି ଓଡ଼ିଆମାନେ ରୁଗ୍‌ଣ ଭାବରେ ଏକ କନ୍ଥା ଘୋଡ଼ାଇ ହୋଇ ଶୋଇ ପଡ଼ିଛନ୍ତି- ସତେ ବା ଯେପରି ଏ ଜାତିର ବଞ୍ଚିବାର ପ୍ରାଣ ଶକ୍ତି ଆଉ ନାହିଁ । ଏ ସବୁ ସତ୍ତ୍ୱେ ଏ ଜାତିର ସ୍ପନ୍ଦନ ଅଛି । ବଞ୍ଚିବାର ମାଧୁର୍ଯ୍ୟ ରହିଛି ଏବଂ ଆଜିର ଏ ସାହିତ୍ୟ ଆୟୋଜନ ହେଉଛି ଏହି ଲକ୍ଷ୍ୟର ପରିପ୍ରକାଶ । କାରଣ ସାହିତ୍ୟ, ଜାତିର ବଞ୍ଚିବାରେ ପ୍ରାଣଶକ୍ତି ଦିଏ । ଏହାର ଜ୍ୱଳନ୍ତ ନିଦର୍ଶନ ଜଣାଇବାକୁ ଯାଇ ସେ ଆହୁରି କହିଥିଲେ ଯେ ବିଶ୍ୱଯୁଦ୍ଧ ଲାଗିଥିବା ସମୟରେ ଋଷ୍‌ରେ ଯେତେବେଳେ ଖାଇବାକୁ ଲୋକେ ପାଉ ନ ଥିଲେ, କାଗଜ ମିଳିବା ଦୁଃସ୍ୱପ୍ନ ଥିଲା, ଠିକ୍‌ ସେଇ ସମୟରେ ଷ୍ଟାଲିନ୍‌ ଭଲ କାଗଜରେ ଛପାଇ ଥିଲେ ଟଲଷ୍ଟୟଙ୍କର ବିଶିଷ୍ଟ ଉପନ୍ୟାସ ଯୁଦ୍ଧ ଓ ଶାନ୍ତି (War and peace) ଲକ୍ଷ ଲକ୍ଷ ସଂଖ୍ୟାରେ । ଲୋକେ ଷ୍ଟାଲିନଙ୍କର ଏହି କାର୍ଯ୍ୟ କଳାପକୁ ସମାଲୋଚନା କରିବାରୁ ସେ ଉତ୍ତରରେ କହିଥିଲେ ଯେ- ‘‘ଏହି ପୁସ୍ତକ ହିଁ ବଞ୍ଚିବାକୁ ଦେବ ପ୍ରଚୁର ପ୍ରାଣଶକ୍ତି । କାରଣ ସାହିତ୍ୟର ଧର୍ମ ହେଉଛି ଚେତନା ସୃଷ୍ଟି କରିବା ।’’

 

ରଜତ ଜୟନ୍ତୀ ଅବସରରେ ଆୟୋଜିତ ପ୍ରତ୍ନ ଐତିହାସିକ କାଳରୁ ସାଂପ୍ରତିକ କାଳ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହିତ ପରିବର୍ତ୍ତନ ଧାରା ଉପରେ ପ୍ରଦର୍ଶନୀର ଉଦ୍ୟମ ଭାରତରେ ସର୍ବପ୍ରଥମ । ରଜତ ଜୟନ୍ତୀ ପ୍ରଦର୍ଶନୀ ପ୍ରାଙ୍ଗଣର ଦ୍ୱାର ଦେଶର ମୁକ୍ତେଶ୍ୱର ତୋରଣ ଓଡ଼ିଆ ଜାତି ଓ ସଂସ୍କୃତିର ପ୍ରତୀକ । କାରଣ ଆମ ରାଜ୍ୟର ଗାଁ ଗହଳିରେ ସ୍ଥାପିତ ଏପରି ତୋରଣ ଗ୍ରାମର ଦୋଳବେଦୀମାନଙ୍କରେ ଦେଖିବାକୁ ମିଳେ । ଠିକ୍‌ ସେହିପରି ପ୍ରଦର୍ଶନୀ ପ୍ରାଙ୍ଗଣର ମଧ୍ୟଭାଗରେ ସ୍ଥାପିତ ଲେଖିକା ମୂର୍ତ୍ତି ହେଉଛି ସମଗ୍ର ଓଡ଼ିଆ ଜାତିର । ଏହି ମୂର୍ତ୍ତି ଭୁବନେଶ୍ୱରର ପ୍ରସିଦ୍ଧ ରାଜରାଣୀ ମନ୍ଦିରର । କେନ୍ଦ୍ର ସରକାର ଏହି ମୂର୍ତ୍ତିକୁ ଡାକ ଟିକଟରେ ଛପାଇଥିଲେ ସୁଦ୍ଧା ଏହା ଓଡ଼ିଶାର କଳା, ଭାସ୍କର୍ଯ୍ୟର ଅଂଶ ବିଶେଷ ବୋଲି ଉଲ୍ଲେଖ ନ କରି ଏହା ମଧ୍ୟଯୁଗର କଳାକୃତି ବୋଲି ଉଲ୍ଲେଖ କରିଥିଲେ । ରଜତ ଜୟନ୍ତୀରେ ଏହାକୁ ସ୍ଥାପିତ କରାଇ ଏହା ଏ ଜାତିର ବୋଲି ପ୍ରତିପାଦିତ କରିବାର ପ୍ରଚେଷ୍ଟା କରାଯାଇଛି । ଅନ୍ୟ ପକ୍ଷରେ ସୀତା ବିଞ୍ଜି ଚିତ୍ରପଟ ଓଡ଼ିଶା ପ୍ରସ୍ତର ଚିତ୍ରର ଏକ ବିଶିଷ୍ଟ ନିଦର୍ଶନ ରୂପେ ଗୁପ୍ତ ରାଜବଂଶ ସମୟରୁ ଏହି କଳା ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଉପରେ ଯଥେଷ୍ଟ ଦୃଷ୍ଟି ଦିଆଯାଇ ନାହିଁ । ତାକୁ ଆଜିର ରଜତ ଜୟନ୍ତୀ ଅବସରରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ କରି ଆମେ ଏକ ଐତିହାସିକ କର୍ତ୍ତବ୍ୟ କରିଛୁ ବୋଲି ଶ୍ରୀ ମହାନ୍ତି କହିଥିଲେ ।

 

ଓଡ଼ିଆ ସାହିତ୍ୟରେ ଦେଖା ଦେଇଥିବା ଗୋଷ୍ଠୀ ବିବାଦ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଯେ ରାଜନୀତି କ୍ଷେତ୍ରରେ ଯେତେ ଗୋଷ୍ଠୀ କନ୍ଦଳ ନାହିଁ, ଓଡ଼ିଶାର ସାହିତ୍ୟ କ୍ଷେତ୍ରରେ ତଦ୍‌ପେକ୍ଷା ଅଧିକ ଦେଖାଯାଉଛି । ସାହିତ୍ୟରେ ଗୋଷ୍ଠୀ ବିବାଦ ଦେଖା ଦେବା ଏକ ଚିରାଚରିତ ପନ୍ଥା । କିନ୍ତୁ ସେ ଗୋଷ୍ଠୀବାଦ ଗୋଟିଏ ଦର୍ଶନ ଓ ଆଦର୍ଶକୁ ନେଇ ସୃଷ୍ଟି ହୋଇଥାଏ । କିନ୍ତୁ ଆମ ରାଜ୍ୟରେ ଗୋଷ୍ଠୀ ସୃଷ୍ଟି ହୋଇଛି ଜଣେ ବ୍ୟକ୍ତିକୁ କେନ୍ଦ୍ର କରି । ଏହା ହେବା ଦ୍ୱାରା ଓଡ଼ିଆ ସାହିତ୍ୟ ଦୁର୍ବଳ ହୋଇ ଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।

 

ଯୁବକମାନଙ୍କ ପାଖରେ ଯେଉଁ ପ୍ରତିଭାମାନ ଲୁକ୍‌କାୟିତ ଭାବରେ ରହିଛି ତାକୁ ଭୁଲ ରାସ୍ତାରେ ବିନିଯୋଗ ନ କରି ଗଠନ ମୂଳକ କାର୍ଯ୍ୟରେ ବିନିଯୋଗ କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଦେଇ କହିଥିଲେ ଯେ ପ୍ରବୀଣମାନଙ୍କୁ ଯୁବକମାନେ ଅତିକ୍ରମ କରିବା ସର୍ବଦା ସ୍ୱାଗତଯୋଗ୍ୟ । ନଚେତ ଦେଶ ଓ ଜାତି ପଛରେ ରହିଯିବ । ତେଣୁ ଯୁବକମାନେ ଶୃଙ୍ଖଳିତ ଭାବରେ ନିଜ ନିଜ କ୍ଷେତ୍ରରେ ସାଧନା କରି ଚାଲନ୍ତୁ । କାରଣ ସାଧନା ବିନା ସିଦ୍ଧି ମିଳି ପାରିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ ।

 

ରଜତ ଜୟନ୍ତୀର ଏହି ଉତ୍କଳ ଭାରତୀକୁ ସଂପୂର୍ଣ୍ଣ ରୂପେ ସଫଳ କରିବାକୁ ହେଲେ ଏକ ‘‘ଓଡ଼ିଶା ସଂସ୍କୃତି ଗବେଷଣା ପ୍ରତିଷ୍ଠାନ’’ ର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ, ଓ ଏହା ସାହିତ୍ୟ ଏକାଡେମୀର ଆନୁକୂଲ୍ୟରେ ପ୍ରତିଷ୍ଠିତ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ଗବେଷଣା ଓ ବିକାଶ ହୋଇ ପାରିବ ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ ।

 

ଉତ୍ସବର ଆରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ Lord Jagannath କୁ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରିଥିଲେ ।

 

ସମ୍ପାଦକ ଶ୍ରୀ ରାଇଚରଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲା ପରେ ସପ୍ତାହବ୍ୟାପୀ ରଜତ ଜୟନ୍ତୀ ଉତ୍ସବ ସମାପ୍ତ ହେଲା ବୋଲି ସଭାପତି ଶ୍ରୀ ମହାନ୍ତି ଘୋଷଣା କରିଥିଲେ ।

 

ରଜତ ଜୟନ୍ତୀ ଉତ୍ସବରେ ମନୋରଞ୍ଜନ କାର୍ଯ୍ୟକ୍ରମ :

ଓଡ଼ିଶା ସାହିତ୍ୟ ଏକାଡେମୀର ସପ୍ତାହବ୍ୟାପୀ ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷରେ ପ୍ରତି ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଡିସେମ୍ବର ୧୨, ୧୯୮୨ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଅର୍ଥ ଓ ଆଇନ ମନ୍ତ୍ରୀ ଶ୍ରୀ ରଘୁନାଥ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ।

 

ମନୋରଞ୍ଜନ କାର୍ଯ୍ୟକ୍ରମର ଉଦ୍‌ଘାଟନ ଦିବସରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ବାଳକୃଷ୍ଣ ଦାସ ଓ ଶାସ୍ତ୍ରୀୟ ସଙ୍ଗୀତନିପୁଣା ଶ୍ରୀମତୀ ବୀଣାପାଣି ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ । ତା’ପରେ ଜହର ଖାଁ ଓ ତାଙ୍କ ଦଳ ଯନ୍ତ୍ରସଙ୍ଗୀତ ଶୁଣାଇଥିଲେ । ଶେଷରେ ନରେନ୍ଦ୍ରପୁର କଳାବିକାଶ କେନ୍ଦ୍ର, ଗଞ୍ଜାମ ପକ୍ଷରୁ ଲୋକନୃତ୍ୟ ପରିବେଷିତ ହୋଇଥିଲା ।

 

ରଜତ ଜୟନ୍ତୀ ଉତ୍ସବର ଦ୍ୱିତୀୟ ଦିବସରେ ସମ୍ବଲପୁର କଳା ପରିଷଦ ପକ୍ଷରୁ ଶ୍ରୀ ଫକୀର ମୋହନ ପଟ୍ଟନାୟକ ଓ କ୍ରୀଷ୍ଣା ପଟେଲ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ତା ପରେ ଗାୟକରତ୍ନ ଶ୍ରୀ ବୈଦ୍ୟନାଥ ଶର୍ମାଙ୍କର ଦାସକାଠିଆ ପରିବେଷିତ ହୋଇଥିଲା।

 

ଉତ୍ସବର ତୃତୀୟ ଦିବସର ମନୋରଞ୍ଜନ କାର୍ଯ୍ୟକ୍ରମରେ ଶ୍ରୀ କାଶୀନାଥ ପୂଜାପଣ୍ତା ଓ ଶ୍ରୀ ମାର୍କଣ୍ତେୟ ମହାପାତ୍ର ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ ।

 

ତତ୍ପରେ ବଡ଼ଖେମୁଣ୍ତିର କଳାକାରମାନେ ଡ୍ରମ୍ପା ବାଦ୍ୟ ବାଦନ କରିଥିଲେ ଓ କେନ୍ଦୁଝରର କଳାକାରମାନେ କଣ୍ଢେଇ ନାଚ ପରିବେଷଣ କରିଥିଲେ ।

 

ଉକ୍ତ ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଭାବରେ ଭୁବନେଶ୍ୱରର ‘‘ୟୁନାଇଟେଡ଼ ଆର୍ଟିଷ୍ଟସ୍‌’’ ସଂସ୍ଥା ବୈଷ୍ଣବ ପାଣି ଗୀତିନାଟ୍ୟ ଅଭିନୟ ଦେଖାଇଥିଲେ ।

 

ରଜତ ଜୟନ୍ତୀର ଚତୁର୍ଥ ଦିବସରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ସୁରମଣି ଶ୍ରୀ ରଘୁନାଥ ପାଣିଗ୍ରାହୀ, ଶ୍ରୀମତୀ ଶ୍ୟାମାମଣି ପଟ୍ଟନାୟକ, ନାରାୟଣ ବେହୁରା, ନାରାୟଣ ତ୍ରିପାଠୀ ପ୍ରମୁଖ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ । ଏହି ସନ୍ଧ୍ୟାରେ ଭୁବନେଶ୍ୱର ‘‘ଅଭିନୟ’’ ସଂସ୍ଥା ପକ୍ଷରୁ ବିଶେଷ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା ‘‘ମୋଗଲ ତାମ୍‌ସା’’ ।

 

ରଜତ ଜୟନ୍ତୀର ପଞ୍ଚମ ଦିବସ ଡିସେମ୍ବର ୧୭ରେ ବିଶିଷ୍ଟ ନୂତ୍ୟଶିଳ୍ପୀ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ତତ୍ପରେ ‘ରାବଣଛାୟା’ ବିଷୟବସ୍ତୁ ଆଧାରରେ କଣ୍ଢେଇ ନୃତ୍ୟ କରାଯାଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ଘୁମୁରା ନୃତ୍ୟ ଓ କବିସୂର୍ଯ୍ୟ ନଗରର କଳାକାରମାନେ ଲୋକନୃତ୍ୟ ନାଟିକା ‘‘ଭାରତଲୀଳା’’ ପରିବେଷଣ କରିଥିଲେ-। ଏହି ସନ୍ଧ୍ୟାର କାର୍ଯ୍ୟକ୍ରମ ଭାବେ କବିଚନ୍ଦ୍ର କାଳୀଚରଣଙ୍କ ‘ଭାତ’ ନାଟକ ମଞ୍ଚସ୍ଥ କରାଯାଇଥିଲା ।

 

ରଜତ ଜୟନ୍ତୀର ଷଷ୍ଠ ଦିବସ ଅର୍ଥାତ୍‍ ୧୮ ତାରିଖରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶ୍ରୀ ନୀଳମାଧବ ପାଣିଗ୍ରାହୀଙ୍କଦ୍ୱାରା ଆୟୋଜିତ ଗୀତିନାଟ୍ୟ ‘‘ଶ୍ରୀଗୀତଗୋବିନ୍ଦ’’ ମଞ୍ଚସ୍ଥ କରାଯାଇଥିଲା । ତତ୍ପରେ ‘ଛଉ’ ନୃତ୍ୟ ଓ ‘ନାଗା’ ନୃତ୍ୟ ପରିବେଶିତ ହୋଇଥିଲା । ବିଶିଷ୍ଟ ପାଲାଗାୟକ ଶ୍ରୀ ପରମାନନ୍ଦ ଶରଣ, ଶ୍ରୀ ନିରଞ୍ଜନ କର ଓ ଶ୍ରୀ ଅଭୟଚରଣ ସ୍ୱାଇଁ ‘ବାଦୀ’ ପାଲାରେ ଯୋଗଦେଇ ଆମ୍ଭକୁ ଆନନ୍ଦ ଉପଭୋଗର ସୁଯୋଗ ଦେଇଥିଲେ ।

 

ଡିସେମ୍ବର ୧୮ରେ ରଜତ ଜୟନ୍ତୀର ମନୋରଞ୍ଜନ କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ଏହି ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କଦ୍ୱାରା ଶ୍ରୀଜଗନ୍ନାଥ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବଶ୍ରୀ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଭିକାରୀ ରଚଣ ବଳ, ପ୍ରଣବ କିଶୋର ପଟ୍ଟନାୟକ, ଅର୍ଜ୍ଜୁନ ଚରଣ ସାମଲ, ଶାନ୍ତିଲତା ବାରିକ ଓ ସିକନ୍ଦର ଆଲାମ ପ୍ରମୁଖ ତହିଁରେ ଅଂଶ ଗ୍ରହଣ କରି ପରିବେଶକୁ ଝଂକୃତ କରି ଦେଇଥିଲେ ।

 

ଇସ୍ତାହାର’ରେ ପ୍ରକାଶିତ କବିତା ପାଠୋତ୍ସବର ପ୍ରତିବାଦ....

ଓଡ଼ିଶା ସାହିତ୍ୟ ଏକାଡେମୀର ବିଗତ ରଜତ ଜୟନ୍ତୀରେ ଅନୁଷ୍ଠିତ କବିତା ପାଠୋତ୍ସବ ସମ୍ପର୍କରେ କେହି ଜଣେ ‘‘ପ୍ରତ୍ୟକ୍ଷଦର୍ଶୀ ସମୀକ୍ଷକ’’ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କଦ୍ୱାରା ସଂପାଦିତ ‘ଇସ୍ତାହାର’ ( ୨୧, ୧୯୮୩ ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ) ସଂଖ୍ୟାରେ ଏକ ସମୀକ୍ଷା ପ୍ରକାଶ କରିଛନ୍ତି, ଯାହା କି ନିତାନ୍ତ ଶାଳୀନତା ବର୍ଜିତ ଓ ଶିଷ୍ଟତାବିହୀନ । ସେ ସୀମା ଲଙ୍ଘନ କରି ଯାହା ଯାହା କହିଛନ୍ତି ତାର ଜବାଦ ଦେବା ଯେକୌଣସି ରୁଚିସମ୍ପନ୍ନ ବ୍ୟକ୍ତି ପକ୍ଷରେ ଆଦୌ ଉଚିତ ନୁହେ; ମାତ୍ର ତହିଁରେ ଏତେ ମିଥ୍ୟାର ଅବତାରଣା କରିଛନ୍ତି ଏବଂ ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ପ୍ରତି ଅଯଥା ଆକ୍ରୋଶମୂଳକ ବହୁ କଥାର ଅବତାରଣ କରିଛନ୍ତି । ତେଣୁ ଅନିଚ୍ଛାସତ୍ତ୍ୱେ ପାଠକପାଠିକାଙ୍କ ଆଗରେ ସତ୍ୟର ଅନୁରୋଧରେ ପ୍ରତିବାଦ କରିବାକୁ ହେଉଛି । ‘ପ୍ରତ୍ୟକ୍ଷଦର୍ଶୀ ସମୀକ୍ଷକ’ ନିଜର ନାମ ନ ଦେଇ ଆତ୍ମଗୋପନ କରିବାରେ ବେଶ୍‌ ସାହସ ଓ ଶୋର୍ଯ୍ୟ ଦେଖାଇଛନ୍ତି- ଲୁଚିଛି ନା ଗୋଡ଼ ଦିଓଟି ଦିଶୁଛି ।

 

‘ପ୍ରତୀକ୍ଷଦର୍ଶୀ ସମୀକ୍ଷକ’ ପ୍ରଥମେ କହିଛନ୍ତି- ‘‘ଓଡ଼ିଶା ସାହିତ୍ୟ ଏକାଡେମୀର ସାତଦିନବ୍ୟାପୀ ଉତ୍ସବରେ ଗୋଟିଏ ଅପରାହ୍‌ଣ କବିତା ପାଠୋତ୍ସବ ପାଇଁ ଅଭିପ୍ରେତ ଥିଲା । ଏଥିରେ ସଭାପତିତ୍ୱ କରୁଥିଲେ ଓଡ଼ଶା ସାହିତ୍ୟ ଏକାଡେମୀର ଉଚ୍ଚ ବେତନଭୋଗୀ ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ; କିନ୍ତୁ ପ୍ରଥମରୁ ଏହି ସଭାପତିଙ୍କ ଘୋଷଣା ତରୁଣ କବିଙ୍କ ପକ୍ଷରେ ଘୋର ଅସନ୍ତୋଷ ଓ ଆଲୋଡ଼ନ ସୃଷ୍ଟିକଲା- ଶ୍ରୀ ଗଡ଼ନାୟକଙ୍କ ଘୋଷଣା ମାତ୍ର ଷାଠିଏ ଜଣ କବିଙ୍କୁ ଡକା ଯାଇଛି ଏବଂ ଏହାଠାରୁ ଅଧିକ କବିଙ୍କୁ ଏଠାରେ କବିତା ପାଠପାଇଁ ସୁଯୋଗ ଦିଆଯିବ ନାହିଁ । ତରୁଣମାନଙ୍କୁ ଉତ୍‌କ୍ଷିପ୍ତ କରିବା ପାଇଁ ଯଥେଷ୍ଟ ଥିଲା ।’’

 

ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଅବସରରେ କବିତା ପାଠୋତ୍ସବ ପାଇଁ ସମୟ ନିଶ୍ଚିତ ଭାବରେ ନିର୍ଦ୍ଦିଷ୍ଟ ଥିଲା । ସେଠାରେ କବିତା ଆବୃତ୍ତି ପାଇଁ ୬୦ ଜଣ କବିଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେଥିପାଇଁ ପ୍ରବୀଣ କବିମାନଙ୍କ ସହିତ କେତେକ ତରୁଣ କବିଙ୍କୁ ଡକା ଯାଇଥିଲା- ସମୟ ନିର୍ଦ୍ଦିଷ୍ଟ ଥିଲା ଦୁଇଘଣ୍ଟା ।
 

କବିତା ପାଠୋତ୍ସବ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମୁଁ ପାଖାପାଖି ବସିଥିଲୁଁ । ଶ୍ରୀମତୀ ସୁନ୍ଦରମଣି ପଟ୍ଟନାୟକ ଗୋଟିଏ କବିତା ସେଇଠି ମୁଖ୍ୟମନ୍ତ୍ରୀଙ୍କୁ ଦେଲେ । ମୁଖ୍ୟମନ୍ତ୍ରୀ ତହିଁରେ ଆଖି ପକାଇ ଦେଇ ତାହା ଲେଖିକାଙ୍କୁ ଫେରାଇଦେଲେ । ଲେଖିକା ତା’ପରେ ତାହା ମୋତେ ଦେଇ କହିଲେ–‘‘ମୁଁ ଏଇ କବିତାଟି ପାଠୋତ୍ସବରେ ପଢ଼ିବି ।’’ ମୁଁ କହିଲି- ‘‘ତା’ ତ ମୁଁ ଏକ୍ଷଣି ନେଇ ପାରିବି ନାହିଁ । ଯିଏ ସବୁ ପଢ଼ିବେ ତାହା ଆଗରୁ ନିର୍ଦ୍ଦିଷ୍ଟ ଅଛି ଏବଂ ସେମାନଙ୍କୁ ନିମନ୍ତ୍ରଣ କରା ଯାଇଛି ।’’

 

ତେଣୁ କବିତା ପାଠୋତ୍ସବର ଆରମ୍ଭରେ ମୁଁ ଘୋଷଣା କରିଦେଇଥିଲି–‘‘ଷାଠିଏ ଜଣ କବିଙ୍କୁ ନିମନ୍ତ୍ରଣ କରାଯାଇଛି । ସମୟ ନିର୍ଦ୍ଦିଷ୍ଟ ଓ ସୀମିତ । ଆଉ କାହାକୁ ଡାକିବା ପାଇଁ ସମୟ ଓ ସୁଯୋଗ ନାହିଁ ।’’

 

ଏହାର ଦୃଷ୍ଟେ ଯଦି ତରୁଣମାନେ ଉତ୍‌କ୍ଷିପ୍ତ ହେଲେ ଏବଂ ସମୀକ୍ଷକ ତାହା ଯଥାର୍ଥ ବୋଲି କହୁଛନ୍ତି ତାଙ୍କର ସମୀକ୍ଷା ଧାରାର ଧରଣ କଅଣ ତାହା ସହଜରେ ଜଣାପଡ଼ୁ ଅଛି ।

 

ସମୀକ୍ଷକ ପୁଣି କହିଛନ୍ତି–‘‘ଦ୍ୱିତୀୟ କଥାଟି ହେଲା ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ କବିତା ପଢ଼ିବାକୁ ଆହ୍ୱାନ କଲାବେଳେ ଶ୍ରୀ ଗଡ଼ନାୟକଙ୍କ ବକ୍ତବ୍ୟ ଅତ୍ୟନ୍ତ ବେଖାପ ଓ ଉଦ୍ଦେଶ୍ୟ ପ୍ରଣୋଦିତ ମନେହେଲା । ସେ ବିନା ଗୌରଚନ୍ଦ୍ରିକାରେ ଜାନକୀ ବାବୁଙ୍କୁ କବିତା ପାଠପାଇଁ ଆହ୍ୱାନ କରି ପାରିଥାନ୍ତେ । କିନ୍ତୁ ତା ନ କରି ସେ ଯେଉଁ ସଂକ୍ଷିପ୍ତ ବକ୍ତବ୍ୟ ଶୁଣାଇଲେ ତା’ର ସାରମର୍ମ ହେଲା, ‘‘ମୁଁ କ୍ଷମତାରୁ ବା ମମତାରୁ ମୁଖ୍ୟମନ୍ତ୍ରୀଙ୍କୁ ପାଠ କରିବାକୁ ଡାକୁ ନାହିଁ । କିନ୍ତୁ ସେ ଜଣେ ସୁକବି ଏହାର ପ୍ରମାଣ ତାଙ୍କ ନିଜସ୍ୱ କବିତା ଦେବ । ବୋଧହୁଏ କୌଣସି ଏକ ଅସ୍ୱାଭାବିକ ମାନସିକ ଦ୍ୱନ୍ଦ୍ୱକୁ ରୁଦ୍ଧ କରିବାକୁ ଶ୍ରୀ ଗଡ଼ନାୟକ ଏଇ ସଫେଇ ଦେଇଥିଲେ । ମନେହେଲା ମୁଖ୍ୟମନ୍ତ୍ରୀଙ୍କ ଅନୁଗ୍ରହରୁ ଉପସଭାପତି ଭାବେ ଦରମାପ୍ରାପ୍ତ ଓ ଅନ୍ୟାନ୍ୟ ସୁବିଧାଭୋଗୀ (ଦୁର୍ମୁଖ) ଗଡ଼ନାୟକ ସତେ ଯେପରି ପୋଷାସାପଟିଏ ପରି ପେଡ଼ିରେ ମୋଡ଼ିମାଡ଼ି ହୋଇ ପଶିଛନ୍ତି ଓ ପୋଷ ଶୁଆଟିଏ ପରି ପ୍ରଶସ୍ତି ଗାନ କରୁଛନ୍ତି ।’’

 

କବିତା ପାଠୋତ୍ସବର ସଭାପତି ଭାବରେ ସୂଚନା ଦେଇ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ମୁଁ ଯେପରି ଭାବରେ ଆହ୍ୱାନ କରିଥିଲି ସେଥିରେ ଦୁର୍ମୁଖ ଗଡ଼ନାୟକ ପୋଷାସାପ ପରି ପେଡ଼ିରେ ପଶୁଛନ୍ତି ଓ ପୋଷା ଶୁଆପରି ପ୍ରଶସ୍ତି ଗାୟନ କରିବାର କୌଣସି ଲକ୍ଷଣ ନ ଥିଲା, ବରଂ ଦୁର୍ମଖ ଗଡ଼ନାୟକଙ୍କର ସାହସ ଓ ନିର୍ଭୀକତାର ସୁସ୍ପଷ୍ଟ ପ୍ରକାଶ । ଯେଉଁ ସମୀକ୍ଷକଙ୍କୁ କାମଳରୋଗ ହୋଇଚି ତାଙ୍କୁ ସମସ୍ତ ପୀତବର୍ଣ୍ଣ ଦେଖାଯିବା ସ୍ୱାଭାବିକ ।

 

ସମୀକ୍ଷକ ଆକ୍ଷେପ କରିଛନ୍ତି–‘‘ପୂର୍ବତନ ସଭାପତି ସୁକବି ସଚ୍ଚିଦାନନ୍ଦ ରାଉତରାୟ ବାରମ୍ବାର ଅନୁରୋଧ କରିଥିଲେ ବି ତାଙ୍କୁ ଫୋନଟିଏ ମିଳି ନ ଥିଲା ।’’

 

ଏହାର ଉତ୍ତରରେ ଏତିକି ବୋଧହୁଏ ଯଥେଷ୍ଟ–ଏକ ସମୟରେ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଓଡ଼ିଶା ସାହିତ୍ୟ ଏକାଡେମୀର, ପୂର୍ବତନ ଜଷ୍ଟିସ ଶ୍ରୀ ହରିହର ମହାପାତ୍ର ସଙ୍ଗୀତ ନାଟକ ଏକାଡେମୀର ଏବଂ ଶ୍ରୀ ବିପିନବିହାରୀ ଚଉଧୁରୀ ଲଳିତ କଳା ଏକାଡେମୀର ସଭାପତି ଥିଲେ । ସମସ୍ତଙ୍କ ପାଇଁ ଫୋନର ବ୍ୟବସ୍ଥା କରାଯାଇଥିଲା । ଶ୍ରୀ ମହାପାତ୍ର ଓ ଶ୍ରୀ ଚୌଧୁରୀ ଫୋନ ନେଇଥିଲେ । ମାତ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ପକ୍ଷରେ ବିଡ଼ମ୍ବିତ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ପାଦକ ତା ୩/୩/୭୯ରେ କଟର ଟେଲିଫୋନ କର୍ତ୍ତୃପକ୍ଷ ଜଣାଇ ଦେଲେ–‘‘ସେ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ କିମ୍ବା ସଭାପତି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ନାମରେ କୌଣସି ଫୋନ ବ୍ୟବସ୍ଥା କରି ପାରିବେ ନାହିଁ । କାରଣ ଶ୍ରୀ ରାଉତରାୟଙ୍କ ଉପରେ ତାଙ୍କ ଦିଗନ୍ତ ସାହିତ୍ୟ ପତ୍ରିକାର ଫୋନ ବାବଦରେ ତିନି କି ଚାରି ହଜାର ଟଙ୍କା ଆମ ବିଭାଗର ପ୍ରାପ୍ୟ ରହିଅଛି । ସେଥିପାଇଁ ମୋକଦ୍ଦମା ହୋଇଚି । ଫୋନ୍‌ଦେବା ସମ୍ଭବ ନୁହେ ।’’

 

ଡିପୋଜିଟ ଟଙ୍କା ସାହିତ୍ୟ ଏକାଡେମୀ ଅଦ୍ୟାବଧି ପାଇ ନାହାନ୍ତି ।

 

ତେବେ ଭୂତପୂର୍ବ ସଭାପତି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କର ବାରମ୍ଭାର ଅନୁରୋଧ ସତ୍ତ୍ୱେ ଯେ ତାଙ୍କୁ ଫୋନ ଦିଆହୋଇ ନ ଥିଲା, ତାହା ସରକାରଙ୍କ ଦୋଷରୁ ନୁହେ, ତାଙ୍କର ନିଜ ଦୋଷରୁ ।

 

ପୂର୍ବତନ ସଭାପତି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ୧୩ । ୧୨ । ୮୨ ର ପୂର୍ବାହ୍‌ଣରେ ‘‘ସାହିତ୍ୟର ଆଙ୍ଗିକ ବନାମ ଆତ୍ମା’’ ଶୀର୍ଷକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ମୁଁ ସେ ସଭାରେ ସଭାପତିତ୍ୱ କରୁଥିଲି; ମାତ୍ର କବି ଭାବରେ ନିମନ୍ତ୍ରଣ ହୋଇଥିଲେ ମଧ୍ୟ ସେ କବିତା ପାଠୋତ୍ସବରେ ଯୋଗଦେଇ ନଥିଲେ । ସଭା ଆରମ୍ଭରେ ତାହା ମୁଁ ଜାଣି ପାରିଥିଲି, ତେଣୁ ପ୍ରଥମରୁ କିମ୍ବା ପରେ ଶ୍ରୀରାଉତରାୟଙ୍କୁ କବିତା ପାଠପାଇଁ ଆହ୍ୱାନ କରିବାର ପ୍ରଶ୍ନ ଆଦୌ ଉଠୁ ନାହିଁ ।

 

ପୁଣି ସେ ଲେଖିଛନ୍ତି- ‘‘କେହି କେହି କହୁଥିଲେ ଚିନ୍ତାମଣି ବେହେରାଙ୍କ ପରି କବି ଥାଉଁ ଥାଉଁ ଏପରି ଅସାମଞ୍ଜସ୍ୟପୂର୍ଣ୍ଣ ତାଲିକାଟିଏ କିପରି ପ୍ରସ୍ତୁତ ହେଲା ? ଅପର ଜଣେ ତରୁଣ କବି କହିଲେ- ଚିନ୍ତାମଣି ବେହେରା ତ ବର୍ତ୍ତମାନ ସବୁଠାରୁ ବିବଦମାନ ବ୍ୟକ୍ତିତ୍ୱ ! ସାରଳା ପୁରସ୍କାର ନେଇ ଅଯଥା ଏକ ଉଦ୍ଦେଶ୍ୟମୁଳକ ବିବାହ ସୃଷ୍ଟି କରି ସାରସ୍ୱତ ପରିସ୍ଥିତିକୁ ଦୂଷିତ କରି ବସିଛନ୍ତି । ବର୍ତ୍ତମାନ ଗଡ଼ନାୟକଙ୍କୁ ଧରି ସାହିତ୍ୟ ଏକାଡେମୀର ସମ୍ପାଦକ ଭାବେ ଆସିବାକୁ ପ୍ରବଳ ଉଦ୍ୟମ ଚଳାଇଛନ୍ତି–ତାଙ୍କ ଠାରୁ ଆଉ ଅଧିକ କ’ଣ ଆଶା କରାଯିବ ? କୌଣସି ବ୍ୟକ୍ତିଗତ କାରଣରୁ ସେ ବୋଧହୁଏ ଗଡ଼ନାୟକଙ୍କର ଇଚ୍ଛାର ପ୍ରତିବାଦ କରି ନାହନ୍ତି । ତେଣୁ ଏ ଦୁହେଁ ସାହିତ୍ୟ ଏକାଡେମୀର ସମ୍ପାଦକ ଓ ଉପସଭାପତି ଭାବେ ରହିଲେ ଲେଖକମାନଙ୍କୁ ଏଣିକି ବେଶ୍‌ ନ୍ୟାୟ ମିଳିବ ?’’

 

କବିମାନଙ୍କର ଯେଉଁ ତାଲିକା ପ୍ରସ୍ତୁତ କରାଯାଇ ଥିଲା ସେଥିରେ ଥିଲେ ବହୁତ ପ୍ରବୀଣ କବି, ବହୁତ ତରୁଣ କବି । ଚିନ୍ତାମଣି ବେହେରା ସେଥିରେ ଅଧିକ କ’ଣ କରିଥାନ୍ତେ ? ସମୀକ୍ଷକ ପ୍ରଥମେ ଚିନ୍ତାମଣିଙ୍କ ପ୍ରଶସ୍ତି ଉପସ୍ଥାପିତ କରି ପରେ ତାଙ୍କୁ ବିବଦମାନ ବ୍ୟକ୍ତିତ୍ୱ ଦେଇଥିଲେ ମାତ୍ର ତାଙ୍କ ବିରୁଦ୍ଧରେ ବହୁତ ବ୍ୟକ୍ତି ସରକାରଙ୍କ ନିକଟରେ ଅମୂଳକ ଅଭିଯୋଗ ଓ ଗୁହାରି କରିଥିଲେ; ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସୁବିଚାର କରି ତାଙ୍କୁ ସମ୍ପାଦକ ଭାବରେ ଅଣାଇଛନ୍ତି ।

 

ସେଥିରେ ଗଡ଼ନାୟକଙ୍କର କି କର୍ତ୍ତୃତ୍ୱ ଥିଲା, ଯାହାଙ୍କୁ ଧରି ଚିନ୍ତାମଣି ବେହେରା ସମ୍ପାଦକ ଆସୁଥିବାର ଆକ୍ଷେପ କରାହୋଇଚି । ସମୀକ୍ଷକ ଯେଉଁ ଗଡ଼ନାୟକଙ୍କୁ ଏକାଡେମୀର କୌଣସି ଦାୟିତ୍ୱରେ ନ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ତାଙ୍କର କି କର୍ତ୍ତୃତ୍ୱ ଥିଲା ତାଙ୍କ ମନମୁତାବକ ସମ୍ପାଦକ ନିଯୁକ୍ତ କରାଇ ପାରିବାରେ ?

 

ସମୀକ୍ଷକ ପୁଣି ଚଟୁଳଚାଟୁ ଓ ଉପଦେଶପୂର୍ଣ୍ଣ ଭାବରେ କହିଛନ୍ତି–‘‘ଜଣେ ବୟସ୍କ ବୋଧହୁଏ ତରୁଣମାନଙ୍କୁ କହିଲେ–ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଉଦାର । ସେ ସବୁ ବୋଧହୁଏ ଜାଣିପାରୁ ନାହାନ୍ତି । ତାଙ୍କର ଜାଣିବା ଉଚିତ ନୁହେ କି ? ସାହିତ୍ୟ ଏକାଡେମୀକୁ ସଙ୍ଗଠିତ କରିବା ପାଇଁ ଯଦି ଏତେ ବଡ଼ ପ୍ରମାଦ ହୋଇ ବସେ ତେବେ ଓଡ଼ିଶାର ସୁ-ସାହିତ୍ୟିକମାନେ ବୋଧହୁଏ ସାହିତ୍ୟ ଏକାଡେମୀ ପ୍ରକୋଷ୍ଠକୁ ଆଉ ଯିବେ ନାହିଁ ବା ଏକରକମ ବାଛନ୍ଦ କରିବେ ।’’

 

ସମୀକ୍ଷକଙ୍କ ପରାମର୍ଶ ବୋଧହୁଏ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନରେ କି ଭାବ ଜାଗ୍ରତ କାରାଇଚି ଶେଷରେ ସେ ଶ୍ରୀ ଚିନ୍ତାମଣି ବେହେରାଙ୍କୁ ସମ୍ପାଦକ ଭାବରେ ନିଯୁକ୍ତି ଦେଇଛନ୍ତି । ସମୀକ୍ଷକ ନିଜେ ବେଶ୍‌ବୁଝି ପାରିଥିବେ, ବୁଝାଇବାର ଆବଶ୍ୟକତା ନାହିଁ ।

 

ଜଣେ ବୟସ୍କ ବ୍ୟକ୍ତି କଅଣ ସବୁ କହୁଥିଲେ–‘‘ତା’ପରେ ନାନା କୋଳାହଳ, ପାଟିତୁଣ୍ତ ଓ ଶେଷକୁ ଜଣେ ଯୁବକବି ହୋସେନ ରବି ଗାନ୍ଧି ମଞ୍ଚ ଉପରକୁ ଯାଇ ମାଇକ୍‌ ଛଡ଼େଇ ନିଜର କବିତା ଆବୃତ୍ତି କରିବା ଓ ତାଙ୍କୁ କେତେ ଜଣ ରକ୍ଷୀ ଟେକି ନେବା ଆଦି ନାନା ଅସ୍ୱାଭାବିକ କାଣ୍ତ ସେଠାରେ ଘଟିଗଲା ।’’

 

କେଉଁ ପ୍ରତ୍ୟକ୍ଷଦର୍ଶୀ ସମୀକ୍ଷକ ଏ ଘଟନା ସ୍ୱ-ଚକ୍ଷୁରେ ଦେଖିଥିଲେ ? କବିତା ପାଠୋତ୍ସବର ମଞ୍ଚ ଉପରେ ବସିଥିଲୁଁ ଆମେ ଦୁଇଜଣ–ଜଣେ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ, ଆଉ ସଭାପତି ଭାବରେ ମୁଁ ଗଡ଼ନାୟକ । କବିତା ପାଠୋତ୍ସବ ପରେ ମୋର ଶେଷ ଭାଷଣ ଦେଇ ମୁଁ ସଭା ଭଙ୍ଗ କରିଦେଲି । ଆମେ ଦୁଇ ଜଣ ମଞ୍ଚ ତ୍ୟାଗ କଲାବେଳକୁ ହୋସନ ରବିଗାନ୍ଧି ମନ୍ତ୍ରୀଙ୍କୁ କହିଲେ–‘‘ଆମେ ଏଠାରେ କବିତା ସଭା କରାଇବୁ ।’’ ଶ୍ରୀଯୁକ୍ତ ମନ୍ତ୍ରୀ କହିଲେ–‘‘ତାହା କିପରି ହୋଇ ପାରିବ ? ଏଇ ସାଙ୍ଗେ ସାଙ୍ଗେ ଏଇ ମଞ୍ଚରେ ଅନ୍ୟ ପ୍ରୋଗ୍ରାମ ଅଛି ।’’

 

ମିଥ୍ୟା କିପରି ସର୍ଜନା କରାଯାଏ ତା’ର କଳା ସମୀକ୍ଷକଙ୍କୁ ବେଶ୍‌ଜଣା । ଗଡ଼ନାୟକଙ୍କ ଉପରେ ଏତେ ବିଷ ଉଦ୍‌ଗୀରଣର କୌଣସି ବିଶେଷ କାରଣ ରହିଛି । ପାଠକ ପାଠିକାମାନଙ୍କର ସାମ୍‌ନାରେ ତା’ର ଉପସ୍ଥାପନା କରିବା ସମୀଚୀନ ମନେ ହେଉନାହିଁ ।

ସମ୍ପାଦକ,

କୋଣାର୍କ

***

 

ସାହିତ୍ୟରେ ଚୋରି–ପୁଣି ଧୁଆଁବାଣ

 

ଡକ୍ଟର ଶ୍ରୀ ଗଙ୍ଗାଧର ବଳ କୋଣାର୍କର ୧୯୮୨, ୪୮ ସଂଖ୍ୟାରେ ‘‘ସଂଗୀତ ଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା (ବୈଦିକ, ସଂସ୍କୃତ ଓ ଓଡ଼ିଆ ସହିତ୍ୟରେ)’’ ଶୀର୍ଷକ ଏକ ଆଲୋଚନାତ୍ମକ ନିବନ୍ଧ ଲେଖିଥିଲେ । ଶ୍ରୀ ନୀଳମାଧବ ପାଣିଗ୍ରାହୀ ସେଇ ନିବନ୍ଧର ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରି ତହିଁରେ ବହୁ ତ୍ରୁଟି ପ୍ରମାଦ ଦେଖାଇ ଏକ ପ୍ରତିବାଦ ପଠାଇ ଥିଲେ । ତାହା କୋଣାର୍କ ୧୯୮୩ ର ୫୦ ସଂଖ୍ୟାରେ ପ୍ରକାଶିତ ହୋଇଅଛି । ଶ୍ରୀ ପାଣିଗ୍ରାହୀ ଯେଉଁ ଦିଗରେ ଆଲୋଚନା କରିଛନ୍ତି ତାହା ତାଙ୍କର ସ୍ୱକୀୟ କ୍ଷେତ୍ରର ବିଷୟ; ମାତ୍ର ଶ୍ରୀ ବଳଙ୍କ ଲେଖାରେ ଆଉ ଗୋଟିଏ ଦିଗରେ ମୁଁ ପଦେ ଦୁଇପଦ କହିବାକୁ ଆବଶ୍ୟକ ମନେ କରୁଛି ।

 

ଡକ୍ଟର ବଳ ତାଙ୍କ ନିବନ୍ଧରେ ପ୍ରସଙ୍ଗକ୍ରମେ ଗୀତଗୋବିନ୍ଦର କବି ଜୟଦେବଙ୍କ ଛନ୍ଦ ସଂପର୍କରେ ଆଲୋଚନା କରିଛନ୍ତି । ଭାରତବର୍ଷ ୧୩୫୭, ୩୮ଶ ବର୍ଷ, ୧ମ ଖଣ୍ତ; ୩ୟ ସଂଖ୍ୟାରେ ଶ୍ରୀ ସୁଧୀଭୁଷଣ ଭଟ୍ଟାଚାର୍ଯ୍ୟଙ୍କର ‘ଜୟଦେବେର ଛନ୍ଦ’ ନାମକ ଯେଉଁ ଲେଖା ପ୍ରକାଶିତ ହୋଇଛି ଶ୍ରୀ ବଳ ତହିଁରୁ ପ୍ରାୟ ସମସ୍ତ ବିଷୟ ନିଜ ଲେଖାରେ ସଂଯୋଜିତ କରିଅଛନ୍ତି–ଶେଷ ଆଡ଼କୁ କେବଳ କେତୋଟି ଧାଡ଼ି, ଶ୍ରୀ ସୁଧୀଭୁଷଣ ଭଟ୍ଟାଚାର୍ଯ୍ୟଙ୍କର ବୋଲି ପାଠଟୀକାରେ ଉଲ୍ଲେଖ କରିଛନ୍ତି–‘‘ଶ୍ରୀ ଶ୍ରୀ ଗୀତଗୋବିନ୍ଦେ ଛନ୍ଦ–ଅଧ୍ୟାପକ ସୁଧୀଭୂଷଣ ଭଟ୍ଟାଚାର୍ଯ୍ୟ ।’’

 

ଶ୍ରୀ ସୁଧୀଭୁଷଣ ଭଟ୍ଟାଚାର୍ଯ୍ୟଙ୍କର ‘‘ଜୟ ଦେବେର ଛନ୍ଦ’’ ଅନ୍ୟ କୌଣସି ପତ୍ର ପତ୍ରିକାରେ କିମ୍ବା ପୁସ୍ତକରେ ସ୍ଥାନ ଲାଭ କରିପାରିଥାଏ । ସ୍ପଷ୍ଟ ଭାବରେ ତାହା କେଉଁଠାରୁ ଗୃହୀତ ସେଇ ପତ୍ରପତ୍ରିକାରେ ସାଲ ବା ପୃଷ୍ଠାଙ୍କ କିମ୍ବା ପୁସ୍ତକର ପୃଷ୍ଠାଙ୍କ ଉଲ୍ଲେଖ କରିବାର ଥିଲା । ନୋହିଲେ ଏହିପରି ଭାବରେ ଉପସ୍ଥାପିତ କରିବା ଶ୍ରୀ ବଳଙ୍କର ପାଠକମାନଙ୍କ ଆଗରେ ଧୂଆଁ ବାଣ ସୃଷ୍ଟି କରିବା ଛଡ଼ା ଆଉ କିଛି ନୁହେଁ ।

 

ପୁନଶ୍ଚ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କର ନିବନ୍ଧର କେଉଁ ଅଂଶ ଶ୍ରୀ ବଳ ଗ୍ରହଣ କରିଛନ୍ତି ତାହା ଉଦ୍ଧୃତି ଚିହ୍ନ ମଧ୍ୟରେ ରଖିବାର ଥିଲା । ମାତ୍ର (୧୧) (୧୨)ର ପାଦଟୀକା ସେ ନିଜର ବୋଲି ଲେଖି (୧୩) ପାଦଟୀକାରେ କେତୋଟି ଧାଡ଼ି ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କର ବୋଲି ସ୍ୱୀକାର କରିଛନ୍ତି ।

 

‘‘ଏହିପରି ଭାବରେ ଆଲୋଚନା କଲେ ଜଣାଯିବ ଯେ ଜୟଦେବ ସଂସ୍କୃତ ଛନ୍ଦ ଓ ସଙ୍ଗୀତ ଶାସ୍ତ୍ରର ଶିକ୍ଷାଦ୍ୱାରା ଯେପରି ପ୍ରଭାବିତ ହୋଇଥିଲେ, କାଳୋପଯୋଗୀ ଅପଭ୍ରଂଶ ଯୁଗର ରୁଚିକୁ ମଧ୍ୟ ଗ୍ରହଣ କରି ସଂସ୍କୃତ ସଙ୍ଗୀତ ଶାସ୍ତ୍ର, ଛନ୍ଦ ଓ ପ୍ରାକୃତ, ଅପଭ୍ରଂଶ ସଙ୍ଗୀତ ପରମ୍ପରା ଓ ଛନ୍ଦର ଚମତ୍କାର ସମନ୍ୱୟ ସମ୍ପାଦନ କରି ଗୀତ ରଚନାରେ ଅନାଗତ ନବଯୁଗପ୍ରତି ବହୁ ସମ୍ଭାବନର ଦ୍ୱାର ଉନ୍ମୁକ୍ତ କରିଥିଲେ । ସେଥିପାଇଁ ତାଙ୍କର ରଚନାରେ ପ୍ରାଚୀନ କାବ୍ୟର ପ୍ରଭାବ ଓ ଅପଭ୍ରଂଶୋତ୍ତର ପ୍ରାଦେଶିକ ସାହିତ୍ୟର ସଙ୍କେତ ଦେଖିବାକୁ ମିଳେ ।’’

 

ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କର ନିମ୍ନୋକ୍ତ ପରିଚ୍ଛେଦରୁ ଶ୍ରୀ ବଳ ଏହା ଗ୍ରହଣ କରି ପୁଷ୍କଳଭାବରେ ପ୍ରକାଶ କରିଛନ୍ତି–

 

‘‘ଜୟଦେବ ସଂସ୍କୃତ ଯୁଗେର ଶିକ୍ଷା ଏବଂ ଅପଭ୍ରଂଶ ଯୁଗେର ରୁଚି ଗ୍ରହଣ କରିୟା ଛିଲେନ; କିନ୍ତୁ ତାର ଦୃଷ୍ଟି ଛିଲ ଅନାଗତ ନବଯୁଗେର ଦିକେ । ସେଜନ୍ୟ ତାହାର ସାହିତ୍ୟେ ଏକାଧାରେ ପ୍ରାଚୀନ କାବ୍ୟେର ପ୍ରଭାବ ଓ ଅପଭ୍ରଂଶୋତ୍ତର ପ୍ରାଦେଶିକ ସାହିତ୍ୟେର ସୂଚନା ଦେଖିତେ ପାଓୟା ଯାୟ ।

 

ଯେଉଁଠି ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କଠାରୁ ଗ୍ରହଣ କରି ସ୍ୱୀକୃତି ଦେଇନାହାନ୍ତି ସେସବୁ ତୁଳନାତ୍ମକ ଭାବରେ ମୁଁ ଉପସ୍ଥାପିତ କରୁଚି ।

 

‘‘ଜୟଦେବେର ଗୀତଗୋବିନ୍ଦ ସଂସ୍କୃତେ ଲେଖା, ଦ୍ୱାଦଶ ସର୍ଗେ ବିଭକ୍ତ ଏକଟି ଗୀତ-କାବ୍ୟ । ଇହାତେ ୮୦ ଟି ଶ୍ଳୋକ ଓ ୨୪ ଟି ଗୀତ ଆଛେ । ଇହାଦେର ମଧ୍ୟେ ୭୭ଟି ଶ୍ଳୋକ ବିଭିନ୍ନ ବୃତ୍ତ ଛନ୍ଦ । ଏକଟି ଶ୍ଳୋକ ଜାତି ଛନ୍ଦେ ଓ ଅବଶିଷ୍ଟ ୨ଟି ଶ୍ଳୋକ ଓ ୨୪ଟି ଗୀତ ଅପଭ୍ରଂଶ ଛନ୍ଦେ ରଚିତ ।

X            X            X            X

ଜୟଦେବେର କୟେକଟି ବୃତ୍ତଛନ୍ଦେର ଉପର ଅପଭ୍ରଂଶ ପଦ୍ଧତିର ପ୍ରଭାବ ପଡ଼ିୟାଛେ ।

 

ବେନାନୁଦ୍ଧରତେ । ଜଗନ୍ତି ବହତେ । ଭୁଗୋଳ ମୁଦ୍‌ବିଭ୍ରତେ

ଦୈତ୍ୟଂ ଦାରୟତେ ବଳିଂ ଛଳୟତେ କ୍ଷତ୍ରକ୍ଷତ୍ରଂ କୁର୍ବତେ ।

ପୌଲସ୍ତ୍ୟ ଜୟତେ ହଳଂ କଲୟତା କାରୁଣ୍ୟମାତନ୍ୱତେ

ମ୍ଳେଚ୍ଛାନ୍‌ମୂର୍ଚ୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ୧ । ୧୬।।

 

ଏଖାନେ ଯତି ଓ ମଧ୍ୟାନୁପ୍ରାସେର ସାହାଯ୍ୟେ ଏକ ଏକଟି ପଂକ୍ତିକେ ସ୍ପଷ୍ଟତଃ ତିନି ଭାଗେ ଭାଗ କରିୟା ଶାର୍ଦ୍ଦୁଳ ବିକ୍ରୀଡ଼ିତ ଛନ୍ଦେ ଏକ ପ୍ରକାର ତରଙ୍ଗ ବୈଚିତ୍ର୍ୟ ସୃଷ୍ଟି କରା ହଇୟାଛେ । ଏଇ ମିତ୍ରାକ୍ଷର ଓ ଯତିପ୍ରାଧାନ୍ୟ ଅପଭ୍ରଂଶ ଏବଂ ପରବର୍ତ୍ତୀ ପ୍ରାଦେଶିକ ଭାଷାର ବୈଶିଷ୍ଟ୍ୟ ।’’

 

ଏ ଅଂଶଟି ଶ୍ରୀବଳଙ୍କ ଅନୁବାଦରେ ରୂପ ପାଇଚି-

 

‘‘ଗୀତଗୋବିନ୍ଦରେ ଅଶିଟି ଶ୍ଳୋକ ଓ ଚବିଶଟି ଗୀତ । ୭୭ଟି ଶ୍ଳୋକ ବିଭିନ୍ନବୃତ୍ତ ଛନ୍ଦରେ, ଗୋଟିଏ ଶ୍ଳୋକ ଜାତିଛନ୍ଦରେ ଏବଂ ଅବଶିଷ୍ଟ ଦୁଇଟି ଶ୍ଳୋକ ଓ ଚବିଶଟି ଗୀତ ଅପଭ୍ରଂଶ ଛନ୍ଦରେ ରଚିତ ହୋଇଚି ।

 

କେତୋଟି ବୃତ୍ତଛନ୍ଦ ଉପରେ ଅପଭ୍ରଂଶ ଛନ୍ଦ ପଦ୍ଧତିର ପ୍ରଭାବ ପଡ଼ିଛି । ଦୃଷ୍ଟାନ୍ତ ସ୍ୱରୂପ ଶାର୍ଦ୍ଦୂଳ ବିକ୍ରଡ଼ିକ ଛନ୍ଦରେ ରଚିତ ଗୀତଗୋବିନ୍ଦର ନିମ୍ନୋକ୍ତ ଶ୍ଳୋକ ଦ୍ରଷ୍ଟବ୍ୟ ।

 

‘‘ବେଦାନୁଦ୍ଧରତେ । ଜଗନ୍ତି ବହନ୍ତେ । ଭୁଗୋଳ ମୁଦ୍‌ବିଭ୍ରତେ,

ଦୈତ୍ୟ ଦାରୟତେ । ବଳିଂଛଳୟତେ । କ୍ଷତ୍ରକ୍ଷୟଂ କୁର୍ବତେ ।’’

 

‘‘ଶ୍ଳୋକଟିରେ ମଧ୍ୟାନୁପ୍ରାସ ଓ ଯତି ସାହାଯ୍ୟରେ ଗୋଟିଏ ଗୋଟିଏ ପଂକ୍ତିକୁ ତିନିଭାଗରେ ଭାଗ କରାଯାଇ ଶାର୍ଦ୍ଦୂଳ ବିକ୍ରୀଡ଼ିତ ଛନ୍ଦରେ ଏକ ପ୍ରକାର ତରଙ୍ଗ ବୈଚିତ୍ର୍ୟ ସୃଷ୍ଟି କରାଯାଇଛି । ଏଥିରେ ଯେଉଁ ମିତ୍ରାକ୍ଷର ଓ ଯତି- ପ୍ରାଧାନ୍ୟ ପରିଲିକ୍ଷିତ ହେଉଛି ତାହା ଅପଭ୍ରଂଶ ଛନ୍ଦ ଓ ପ୍ରାଦେଶିକ ଭାଷା ଛନ୍ଦର ବୈଶିଷ୍ଟ୍ୟ ।’’

 

ଶ୍ରୀ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି-

 

ଅପଭ୍ରଂଶ ଛନ୍ଦ, ଭାରତବର୍ଷ, ୨୨୧ ପୃଷ୍ଠା

 

‘‘ଅବଶ୍ୟ ଏଇ ସକଲ ଶ୍ଳୋକ ଅପେକ୍ଷା ଶ୍ରୀ ଗୀତ ଗୋବିନ୍ଦେର ୨୪ଟି ଗୀତର ଅଧିକ ପ୍ରସିଦ୍ଧ । ଏଇ ଗୀତଗୁଲି ଅପଭ୍ରଂଶ ମାତ୍ରାଛନ୍ଦେ ରଚିତ । ଇହା ଦିଗକେ ଚାରିଟି ଶ୍ରେଣୀତେ ବିଭକ୍ତ କରାଯାଇତେ ପାରେ ।

 

ପ୍ରଥମ ଶ୍ରେଣୀ

 

ଏଇ ଶ୍ରେଣୀର ଛନ୍ଦଗୁଲି ପ୍ରାଚୀନ ଜାତି ଛନ୍ଦେର ଆଦର୍ଶ ଅନୁସାରେ ରଚିତ । ୨୪ଟି ଗୀତେର ମଧ୍ୟ ୧୯ଟି ଏଇ ଜାତୀୟ ଛନ୍ଦେ ଲେଖା ହଇୟା ଛିଲ । ଜାତି ଛନ୍ଦେର ଅପର ନାମ ମାତ୍ରା ଛନ୍ଦ । ଏକଟି ପଦ୍ୟ ପଂକ୍ତିତେ ବ୍ୟବହୃତ ମାତ୍ରା ସମଷ୍ଟିର ଉପର ଏଇ ଛନ୍ଦେର ଗଠନ ନିର୍ଭର କରେ । କିନ୍ତୁ ଏହାର ଆର ଏକଟି ବୈଶିଷ୍ଟ୍ୟ ଆଛେ । ଜାତି ଛନ୍ଦେର ଏକ ଏକଟି ଚରଣ ଚାର ମାତ୍ରାର ‘ଗଠନ’ଦ୍ୱାରା ବିଭକ୍ତ କରାଯାଇତେ ପାରେ ।

X            X            X            X

କିନ୍ତୁ ତଖନ ଓ ଉଚ୍ଚାରଣେ ସ୍ୱରାଘାତ ପଦ୍ଧତି ଲାଭ କରେ ନାହିଁ ।

X            X            X            X

 

ଅପଭ୍ରଂଶ ଯୁଗେର ଉଚ୍ଚାରଣେ ସ୍ୱରାଘାତ ପ୍ରାଧନ୍ୟ ଲାଭ କରାୟ କବିତା ଆବୃତ୍ତିର ସମୟ ଏକ ପ୍ରକାର ଝୋଁକ ଉତ୍ପନ୍ନ ହଇୟା ପଦ୍ୟ ପଂକ୍ତିକେ କୟେକଟି ଛୋଟ ଛୋଟ ଅଂଶେ ବିଭକ୍ତ କରିତ । ମିତ୍ରାକ୍ଷର ପ୍ରବର୍ତ୍ତିତ ହଓୟାୟ ଏଇ ଝୋଁକ ବିଭାଗ ଗୁଲି ଆରଓ ସ୍ପଷ୍ଟତା ଲାଭ କରେ ।

 

ଏଇ ପ୍ରକାର ଜାତି ଛନ୍ଦେ ଏଇ ଝୋଁକ, ମିଲ ଓ ଚାର ମାତ୍ରାର ‘ଗଣ’ ବିଶେଷ ପ୍ରାଧାନ୍ୟ ଲାଭ କରିୟା ଛିଲ । ସଂସ୍କୃତ ଛନ୍ଦଶାସ୍ତ୍ରେ ଏଇ ଛନ୍ଦଗୋଷ୍ଠୀର ନାମ ‘ମାତ୍ରାସମକ’ ଛନ୍ଦ । ଆମାଦେର ଆଲୋଚ୍ୟ ପ୍ରଥମ ଶ୍ରେଣୀର ଅନ୍ତର୍ଭୁକ୍ତ ଗୀତଗୁଲି ଏଇ ମାତ୍ରାସମ୍ପର୍କର ଆଦର୍ଶେ ରଚିତ-

 

(କ) ଏକ ପ୍ରକାର ମାତ୍ରାସମକ ଛନ୍ଦେର ନାମ ପାଦକୁଳକ ।

ଶ୍ରୀ ବଳ ତାହା ପଢ଼ି ଲେଖିଛନ୍ତି-

 

ଗୀତ ଗୋବିନ୍ଦର ଶ୍ଳୋକଗୁଡ଼ିକୁ ଛାଡ଼ିଦେଲେ ଚବିଶଟି ଗୀତ ଅପଭ୍ରଂଶ ମାତ୍ରା ଛନ୍ଦରେ ରଚିତ । ଏଗୁଡ଼ିକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମ ଶ୍ରେଣୀର ଛନ୍ଦଗୁଡ଼ିକ ଜାତିଛନ୍ଦ ବା ମାତ୍ରାଛନ୍ଦ ଆଦର୍ଶରେ ରଚିତ ହୋଇଛି । ଚବିଶଟି ଗୀତ ମଧ୍ୟରୁ ୧୯ଟି ଗୀତ ଏ ପ୍ରକାର ଛନ୍ଦରେ ରଚିତ । ଏ ପ୍ରକାର ଛନ୍ଦର ଗୋଟିଏ ଗୋଟିଏ ପଂକ୍ତି (ରଚଣ) ଚାରିମାତ୍ରାର ‘ଗଣ’ଦ୍ୱାରା ବିଭକ୍ତ । ଅପଭ୍ରଂଣ ରଚନା ଯୁଗରେ ଉଚ୍ଚାରଣରେ ‘ସ୍ୱରାଘାତ’ ପ୍ରାଧାନ୍ୟ ଲାଭ କରିବାରୁ କବିତା ଆବୃତ୍ତି ସମୟରେ ଏକ ପ୍ରକାର ଝୁଙ୍କ ଦେଖା ଦେଇ ପଦ୍ୟର ପଂକ୍ତିକୁ କେତୋଟି କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବିଭକ୍ତ କରିଥିଲା । ମିତ୍ରାକ୍ଷର ପ୍ରବର୍ତ୍ତିତ ହେବା ଫଳରେ ପଂକ୍ତିର ଅଂଶଗୁଡ଼ିକ ଆହୁରି ସ୍ପଷ୍ଟ ହୋଇ ଉଠିଲା । ଗୋଟିଏ ପ୍ରକାର ଜାତି ଛନ୍ଦରେ ଏହି ଝୁଙ୍କ ‘ଗତି’ ଓ ଚାରି ମାତ୍ରାର ‘‘ଗଣ’’ ବିଶେଷ ପ୍ରାଧାନ୍ୟ ଲାଭ କରିଥିଲା । ସଂସ୍କୃତ ଛନ୍ଦ ଶାସ୍ତ୍ରରେ ଏହି ଛନ୍ଦଗୋଷ୍ଠୀର ନାମ ‘‘ମାତ୍ରାସମକ ଛନ୍ଦ’ । ଗୀତ ଗୋବିନ୍ଦ’ର ଏହି ପ୍ରଥମ ଶ୍ରେଣୀର ଅନ୍ତର୍ଭୁକ୍ତ ଗୀତଗୁଡ଼ିକ ‘ମାତ୍ରା ସମକ’ ଛନ୍ଦ’ ଆଦର୍ଶରେ ରଚିତ ଏବଂ ଗୋଟିଏ ପ୍ରକାର ମାତ୍ରାସମକ ଛନ୍ଦର ନାମ ‘ପାଦାକୁଳକ’ ।

 

ଶ୍ରୀ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି-

 

ଦ୍ୱିତୀୟ ଶ୍ରେଣୀ

 

ଏ ପର୍ଯ୍ୟନ୍ତ ୪ ମାତ୍ରାର ‘ଗଣ’ଦ୍ୱାରା ଗଠିତ ଛନ୍ଦେର କଥା ବଲା ହଇଲ । କିନ୍ତୁ ଶ୍ରୀ ଗୀତଗୋବିନ୍ଦେ ଆର ଏକ ଶ୍ରେଣୀର ଛନ୍ଦ ପାଓୟା ଯାୟ । ଇହା ପାଁଚ ମାତ୍ରାର ‘ଗଣ’ଦ୍ୱାରା ଗଠିତ-

 

ବଦସି ଯଦି । କିଞ୍ଚଦପି । ଦନ୍ତରୁଚି । କୌମୁଦୀ ।

ହରତି ଦର । ତିମିର ମତି । ଘୋରମ୍‌।

ସ୍ଫୁରଦଧର । ସୀଧବେ ତବ ବଦନ ଚନ୍ଦ୍ରମା

ରୋଚୟତି ଲୋଚନ ଚକୋରମ୍‌।।

 

ତୃତୀୟ ଶ୍ରେଣୀ

 

ଏହି ଗୋଷ୍ଠୀର ଛନ୍ଦ ସାତ ମାତ୍ରର ‘ଗଣ’ଦ୍ୱାରା ଗଠିତ ।

ଶ୍ରୀ ବଳ ତାହା ଉପସ୍ଥାପିତ କରିଛନ୍ତି -

ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛନ୍ଦଗୁଡ଼ିକ ଯଥାକ୍ରମେ ପାଞ୍ଚ ମାତ୍ରର ଓ ସାତ ମାତ୍ରାର ‘ଗଣ’ଦ୍ୱାରା ଗଠିତ ।

 

ଶ୍ରୀ ଭଟ୍ଟାଚାର୍ଯ୍ୟ ‘ବଦସି ଯ’ ପଦଗୁଚ୍ଛର ଯେଉଁ ଉଦାହରଣ ନିବନ୍ଧର କଳେବରରେ ରଖିଛନ୍ତି ଶ୍ରୀ ବଳ ତାହା ରଖିଛନ୍ତି ପାଦଟୀକାରେ ।

 

ଚତୁର୍ଥ ଶ୍ରେଣୀ

 

ଚତୁର୍ଥ ଶ୍ରେଣୀର ଅପଭ୍ରଂଶ ଛନ୍ଦ ଗୁଲିକେ ମିଶ୍ରଛନ୍ଦ ବଲା ଯାଇତେ ପାରେ । ବିଭିନ୍ନ ମାତ୍ରା ଦୈର୍ଘ୍ୟେର ‘ଗଣ’ଦ୍ୱାରା ଏଇ ଛନ୍ଦ ଗଠିତ । ଗୀତଗୋବିନ୍ଦର ଦୁଇଟି ଗୀତେ ଦୁଇ ପ୍ରକାର ମିଶ୍ରଛନ୍ଦ ପାଓୟା ଯାଇତେଛେ ।

X            X            X            X

ଏବାର ଯେ ମିଶ୍ର ଛନ୍ଦଟିର କଥା ବଲିବ ତାହାତେ ଜୟଦେବ ଅପୂର୍ବ ନୈପୁଣ୍ୟେର ପରିଚୟ ଦିୟାଚ୍ଛେନ । ଇହାକେ ଚତୁଷ୍ପାଦ ଛନ୍ଦ ବଲିୟା । ଗଣ୍ୟ କରିତେ ଚାହି । କ-ଖ, କ-ଖ । ଏଇ ଭାବେ ମିତ୍ରାକ୍ଷର ବିନ୍ୟାସ କରା ହଇୟାଛେ–

 

୧ମ ଚରଣେ -୩+୩+୫=୧୧ ମାତ୍ରା ମିଲ-କ

୨ୟ ଚରଣେ-୩+୩+୩=୯ ମାତ୍ରା ମିଲ -ଖ,

୩ୟ ଚରଣେ-୩+୫+୨=୧୦ ମାତ୍ରା ମିଲ-କ

୪ର୍ଥ ଚରଣେ-୪+୪+୫=୧୩ ମାତ୍ରା ମିଲ-ଖ

 

ଉଦାହରଣ-

ବହତି/ଶିଶିର /ମୟୁଖେ

ମରଣ/ ମନୁକ/ରୋତି/

ପତତି/ମଦନ/ବିଶି/ଖେ/

ବିଳପତୈ/ବିକଳଚ/ ରୋଽତି ।

ଧ୍ୱନତି ମଧୂପ ସମୂହେ

ଶ୍ରବଣ ମପି ନବୀତି

ମନସି ବଳିତ ବିରହେ

ନିଶି ନିଶି ରୁଜ ମଯ ଯାତି । (ଗୀତ ୧୦)

X             X             X            X

ସୁତରାଂ ଇଂହାକେ ଓ ଅକ୍ଷର ଛନ୍ଦ ବଲା ଯାଇତେ ପାରେ ।

X             X             X            X

 

ପ୍ରାକୃତ ଓ ଅପଭ୍ରଂଶ ଛନ୍ଦେଇ ଯେ ଏଇ ପ୍ରକାର ଯତି ବିଭକ୍ତ କ୍ଷୁଦ୍ର କ୍ଷୁଦ୍ର ‘ଗଣ’ ବା ‘ପର୍ବେ’ ର ସୂତ୍ରପାତ ହଇୟା ଛିଲ-

 

ଶ୍ରୀ ବଳ ତାହା ନିଜ ଲେଖାରେ ଦେଇଛନ୍ତି ।

ଚତୁର୍ଥ ଶ୍ରେଣୀର ଅପଭ୍ରଂଶ ଛନ୍ଦଗୁଡ଼ିକ ବିଭିନ୍ନ ମାତ୍ରା ଦୈର୍ଘ୍ୟର ‘ଗଣ’ଦ୍ୱାରା ଗଠିତ ହୋଇଥିବାରୁ ଏ ଗୁଡ଼ିକୁ ମିଶ୍ରଛନ୍ଦ କୁହାଯାଏ । ଗ: ଗୋ: ର ଦୁଇଟି ଗୀତରେ ଏହି ଛନ୍ଦର ପ୍ରୟୋଗ ଦେଖାଯାଏ । ଏଥିମଧ୍ୟରୁ ଚତୁଷ୍ପାଦ ଛନ୍ଦ ପ୍ରୟୋଗରେ କବିଙ୍କର ଅପୂର୍ବ କୁଶଳତା ପରିଲକ୍ଷିତ ହୁଏ-। ଏଥିରେ କ-ଖ-କ-ଖ ଏହି ଭାବରେ ମିତ୍ରାକ୍ଷରର ବିନ୍ୟାସ ହୋଇଛି ।

 

ଶ୍ରୀ ଭଟ୍ଟାଚାର୍ଯ୍ୟ ନିବନ୍ଧର କଳେବରରେ ଯେଉଁ ପଦଗୁଚ୍ଛ ଓ ତାହାର Scansion (ଯତିବିନ୍ୟାସ) ସ୍ୱତନ୍ତ୍ର ଲେଖିଛନ୍ତି ଶ୍ରୀ ବଳ ତାହା ପାଦଟୀକାରେ ଦେଇଛନ୍ତି ।

 

ପୁଣି ଲେଖିଛନ୍ତି, ‘‘ଏହାକୁ ଅକ୍ଷର ଛନ୍ଦ ମଧ୍ୟ କୁହାଯାଇପାରେ । ପ୍ରାକୃତ ଓ ଅପଭ୍ରଂଶ ଛନ୍ଦରେ ଏ ପ୍ରକାର ଯତି-ବିଭକ୍ତ କ୍ଷୁଦ୍ର କ୍ଷୁଦ୍ର ‘ଗଣ’ ପର୍ବର ସୂତ୍ରପାତ ହୋଇଥିଲା ।’’

 

ଏତିକି ଯଥେଷ୍ଟ ବୋଧହୁଏ,

 

ଶ୍ରୀ ବଳ ଓଡ଼ିଆ ସାହିତ୍ୟକୁ ଦେଇଛନ୍ତି କେତେକ ସମାଲୋଚନା ପୁସ୍ତକ ଓ ଭୁରି ଭୁରି ପ୍ରବନ୍ଧ । ତହିଁରେ ମଧ୍ୟ ଏଇପରି ଦୃଷ୍ଟାନ୍ତର ଅଭାବ ନାହିଁ । ଏଣିକି ଟିକିଏ ସଚେତନ ହେଲେ ଆମେ ପାଠକ-ପାଠିକା ଉପକୃତ ହେବୁ ।

 

ସମ୍ପାଦକ,

କୋଣାର୍କ

 

***